ରମଣୀ ମନ

 

 

 

 

 

 

 

ରମଣୀ ମନ

(ହେରମାନ ଲିଓନାର୍ଡ଼ ଫ୍ରାଙ୍କ)

 

ଅନୁବାଦ

ଲକ୍ଷ୍ମୀନାରାୟଣ ମହାନ୍ତି

 

 

 

 

 

 

 

 

 

 

 

 

 

କବିତାକୁ

 

ଭୂମିକା

 

ସତ୍‍ ସାହିତ୍ୟ ସୀମାନ୍ତ ନିରପେକ୍ଷ–ଜଣକର ବେଦନାରେ ତାହା ରଚିତ ହୋଇଥାଇ ପାରେ, ମାତ୍ର ତାହାର ଆବେଦନ ବହୁଜନ ପ୍ରସାରୀ । ଦେଶ କାଳ ଭେଦରେ ସାହିତ୍ୟର ମୂଳ ପ୍ରୋଥିତ ସତ, ତଥାପି ତାହାର ପଲ୍ଲବର ବିସ୍ତାର ସକଳ ଦେଶରେ, ତାହାର ଫଳ ସବୁ କାଳ ପାଇଁ-। କିନ୍ତୁ ଦେଶ-କାଳ-ନିରପେକ୍ଷ ରଚନା ସମ୍ବନ୍ଧରେ ସାହିତ୍ୟର ପରୀକ୍ଷା ସବୁଠାରୁ ଅଧିକ କଠିନ-। କାରଣ ସାହିତ୍ୟର ଆଧାର ହେଉଛି ଭାଷା । ଏହି ଶତଂ-ବଦ ଦୁନିଆରେ ତାହା କମ୍‍ ଅସୁବିଧାର କଥା ନୁହେଁ । କେଉଁଠି ଫୁଲ ଫୁଟିଥିବାର ସନ୍ଧାନ ପାଇଲେ ଅଳି କୁଳ ଧାଇଁ ଆସିପାରେ-। ସାହିତ୍ୟ-ଫୁଲର ସମତୁଲ ହେଲେ ସୁଦ୍ଧା ତାହାର ଗନ୍ଧରେ ଆମୋଦିତ ହୋଇ ଦିଗ୍‍ବିଦିଗର ରସିକମାନେ ତୁରନ୍ତ ଧାଇଁ ଆସନ୍ତି ନାହିଁ । ପ୍ରଥମେ ଅନୁବାଦକର ନିପୁଣ ହାତରେ ତାହାର ପାଖୁଡ଼ା ମେଲାଇବାକୁ ହୁଏ ।

 

ପ୍ରଧାନ ୟୁରୋପୀୟ ଭାଷାଗୁଡ଼ିକ ଏହି ଅସୁବିଧାରୁ ବହୁଳାଂଶରେ ମୁକ୍ତ ବୋଲି ସେଠାରେ ପାରସ୍ପରିକ ଭାବ-ବିନିମୟ ଓ ପରିଚୟ ଚିନ୍ତା-ରାଜ୍ୟରେ ଅପେକ୍ଷାକୃତ ସହଜ, ଏବଂ ରସାସ୍ଵାଦନରେ ବି ବାଧା କମ୍‍ । ମାତ୍ର ଭାରତୀୟ ଭାଷାସବୁ, ବିଶେଷତଃ ଏସିଆର ଯାବତୀୟ ଭାଷା, ଏହି ପରମ ସୌଭାଗ୍ୟରୁ ଏକାବେଳେ ବଞ୍ଚିତ । ତହିଁ ସଙ୍ଗେ ସଙ୍ଗେ ଏହି କଥାଟି ବୋଧହୁଏ ଠିକ୍ ଯେ ବିଭିନ୍ନ ଭାରତୀୟ ସାହିତ୍ୟ ମଧ୍ୟରେ ଘନିଷ୍ଠତା ଆହୁରି ଟିକିଏ ନିବିଡ଼ ହୋଇପାରନ୍ତା, ଯଦି ଏହି ଉପ-ମହାଦେଶରେ ନାନା ଧର୍ମ ଓ ନାନା ପରିଧାନ ପରି ଗୁଡ଼ିଏ ଭାଷା ନ ଥାଆନ୍ତା । କେଉଁ ଭାଷାରେ କଅଣ ରଚିତ ହେଲା, କାହାର ପ୍ରଗତି କେତେ ଦୂର, ସେହି ବିଷୟରେ ଅନ୍ୟ ଅଞ୍ଚଳରେ ଆଗ୍ରହର ଅଭାବ କେବଳ ବିସ୍ମୟକର ନୁହେଁ, ଜାତୀୟତାବୋଧର ଉନ୍ମେଷର ପରିପନ୍ଥୀ-

 

ଏ ଯୁଗରେ ଚିତ୍ତସ୍ପର୍ଶୀ ରଚନା କ୍ରମେ କ୍ରମେ ବିରଳ ହୋଇ ଆସୁଛି । ନିପୁଣ ରଚନାର ସାକ୍ଷାତ ଯେ ଏ ଯୁଗରେ ଆଦୌ ମିଳେ ନାହିଁ ତାହା ନୁହେଁ, କିନ୍ତୁ ବୃହତ୍‍ ଓ ମହତ୍ ସୃଷ୍ଟି ସହିତ ପ୍ରଥମ ପରିଚୟର ଅଭିଭବ କେଉଁଠି, ଯାହା ବହୁ କାଳ ସ୍ମରଣରେ ରଖିବାର ଯୋଗ୍ୟ । ଏକ ସମୟରେ ଯେ ଅଜସ୍ର ଅକୃପଣ ଧାରାର ପରିଚୟ ଦେଇଛନ୍ତି, ତାଙ୍କର ଦାନର ମହିମା ବି ମଳିନ ହୋଇଆସେ ଏବଂ ପରିମାଣ ଶୀର୍ଣ୍ଣ ହୋଇଯାଏ, ଏହି ପ୍ରାୟ ସାର୍ବଜନୀନ ଅଭିଯୋଗର ଜବାବରେ ଏତିକି କୁହାଯାଇ ପାରେ ଯେ ସାହିତ୍ୟ ସ୍ରଷ୍ଟା ବି ମଣିଷ, ଯାବତୀୟ ଜୈବ ନିୟମର ଅଧୀନ, ତାହାର ବି ଜରା-ମୃତ୍ୟୁ ଘଟେ, ଶକ୍ତି ହ୍ରାସ ପାଏ, ଏବଂ ଦିନେ ହୁଏତ ତାହା ନିଃଶେଷ ମଧ୍ୟ ହୋଇଯାଏ ।

 

ଅନ୍ୟ ପକ୍ଷରେ ପ୍ରଶ୍ନ ହେଉଛି, ଉପଭୋଗ କ୍ଷମତାର କଅଣ କ୍ଳାନ୍ତି ନାହିଁ ? ପାଠକ ତ ଜୈବ ନିୟମର ଅଧୀନ । ଶୈଶବରେ ପଠିତ ଲେଖା ତୁଳନାରେ ହୁଏତ ଏ କାଳର ଲେଖା ନିରସ ହୋଇପାରେ । କିନ୍ତୁ ଏହା କଅଣ ସମ୍ଭବ ନୁହେଁ ଯେ, ଇତି ମଧ୍ୟରେ ହୁଏତ ପାଠକର ସାହିତ୍ୟ ରସାସ୍ଵାଦନର ଶକ୍ତି ହ୍ରାସ ହୋଇଥାଇ ପାରେ । ମୃତ୍ୟୁ କଅଣ ଖାଲି ଲେଖକର ଘଟେ ? ପାଠକର ମୃତ୍ୟୁ ନାହିଁ ?

 

ସୃଷ୍ଟିର ଶକ୍ତି ଓ ଉପଭୋଗର ଅବକ୍ଷୟକୁ ଦୃଷ୍ଟି ସମକ୍ଷରେ ରଖି, ବିଶ୍ଵ-ସାହିତ୍ୟରୁ ଅମୂଲ୍ୟ ମଣିମୁକ୍ତା ଆହରଣ କରି ନିଜର ମାତୃ-ସାହିତ୍ୟର ପରିପୁଷ୍ଟି ଉଦ୍ଦେଶ୍ୟରେ ମୁଁ ଏକ ବ୍ରତ ପାଳନ କରିଛି । ଯାହା ଫଳରେ, ପୃଥିବୀର ଜନପ୍ରିୟ ସାହିତ୍ୟିକ ଚାର୍ଲସ ଡିକେନ୍‍ସନଙ୍କର ‘ଦୁଇଟି ନଗରୀର କାହାଣୀ’, ଭଲଟେୟାରଙ୍କର ‘ସଙ୍ଗମ’, ଲିଓ ଟଲଷ୍ଟୟଙ୍କର ‘ଆନା କାରେନିନା’, ଗ୍ରାଜିୟା ଦେଲେଦ୍ଦାଙ୍କର ‘ମାଆ ଓ ପୁଅ’, ରେନେ ମାରାଁ ଙ୍କର ‘ବାତୋୟାଲା’, ଷ୍ଟିଫାନ ଜଇଗଙ୍କର ‘ଦୁଇଟି ନାରୀ‘, ଲୁଇଜି ପିରାନଦେଲ୍ଲୋଙ୍କର ‘ନଗ୍ନ ସତ୍ୟ’, ରୋମାଁ ରୋଲାଁ ଙ୍କର ‘ବିବେକାନନ୍ଦ’, ଅସ୍କାର ଓୟାଇଲ୍‍ଡ଼ଙ୍କର ‘ଆନନ୍ଦ କୁମାର’, ଆର୍ଥର କନନଡ଼ୟାଲଙ୍କର ‘କାଳାନ୍ତକ’, ଜେମ୍‍ସ ହିଲ୍‍ଟନଙ୍କର ‘ବିଦାୟ ଗୁରୁଦେବ’ ଓ ମୁଲକରାଜ ଆନନ୍ଦଙ୍କର ‘ଅଚ୍ଛବ’ ଏବଂ ବର୍ତ୍ତମାନ ଲିଓନାର୍ଡ଼ ଫ୍ରାଙ୍କଙ୍କର ‘ରମଣୀ ମନ’ ଭଳି ଉଚ୍ଚାଙ୍ଗ ସାହିତ୍ୟ-କୃତିଗୁଡ଼ିକ ସେହି ଆନ୍ତର୍ଜାତିକ-ସାହିତ୍ୟ-ଆହରଣ କାର୍ଯ୍ୟକ୍ରମ ରୂପୀ ବିରାଟ ପୁଷ୍କର ଗୋଟିଏ ଗୋଟିଏ ସୁବାସିତ କାଳଜୟୀ ପାଖୁଡ଼ା ମାତ୍ର । ତାହା ଛଡ଼ା ପୃଥିବୀର ଶ୍ରେଷ୍ଠ ଗଳ୍ପ, ନୋବେଲ ଲରିୟେଟଙ୍କର ସରସ ଗପ, ଦେଶ ବିଦେଶର କାହାଣୀ, ଉପନ୍ୟାସ, ନାଟକ ଓ କବିତା ତ ବହୁତ ଅଛି ।

 

ପାଠକ ସମାଜ ଆଜି ଖାଲି ନିଜର ମାତୃଭାଷାରେ ରଚିତ ସାହିତ୍ୟ ସନ୍ତୁଷ୍ଟ ନୁହେଁ । ସେମାନେ ଚାହାନ୍ତି, ପୃଥିବୀର ଉଚ୍ଚାଙ୍ଗ ସାହିତ୍ୟ ସହିତ ବିଶେଷ ଭାବରେ ପରିଚିତ ହେବେ । ଏହି ରୁଚି-ପରିବର୍ତ୍ତନ ଆଜି ଅନୁବାଦ କ୍ଷେତ୍ରରେ ସୀମିତ ଗଣ୍ଡିକୁ ପରିପ୍ରସାର କରିଛି । ପାଠକଙ୍କର ଅଭିରୁଚିର ପରିତୃପ୍ତି ନିମନ୍ତେ ଅଧୁନା ନାନା ପ୍ରକାରରେ ଅନୁବାଦ କାର୍ଯ୍ୟ ସାଧିତ ହେଉଅଛି ।

 

ପ୍ରଥମ ମହାଯୁଦ୍ଧ ୟୁରୋପରେ ସାଧାରଣ ଜୀବନକୁ ଧ୍ଵସ୍ତ ବିଧ୍ଵସ୍ତ କରି ଦେଇଥିଲା । ତାରି ଫଳରେ ଜର୍ମାନୀରେ ଯୁଦ୍ଧର ଭୟାବହ ପଟ୍ଟଭୂମିକାରେ ନାନା ଧରଣର ସାହିତ୍ୟ ସୃଷ୍ଟି ହୋଇଥିଲା । ସେଥି ଭିତରୁ ଦୁଇ ଖଣ୍ଡ ଉପନ୍ୟାସ ଅଶେଷ ଆନ୍ତର୍ଜାତିକ ଖ୍ୟାତି ଅର୍ଜନ କରିଛି । ଖଣ୍ଡିଏ ହେଉଛି ୧୯୨୯ ସାଲରେ ଏରିଖ ମାରିୟା ରେମାର୍କେଙ୍କ ଲିଖିତ ବହୁଳ ପ୍ରଚାରିତ ଉପନ୍ୟାସ ‘ପ୍ରଶାନ୍ତ ପଶ୍ଚିମ ସୀମାନ୍ତ‘, ଆଉ ଅପରଟି ହେରମାନ ଲିଓନାର୍ଡ଼ ଫ୍ରାଙ୍କଙ୍କ ରଚିତ ‘କାର୍ଲ ଓ ଆନା’ (ରମଣୀ ମନ) । ପ୍ରଥମ ପୁସ୍ତକଟି ପୃଥିବୀର ବହୁ ଭାଷାରେ ଅନୁଦିତ ହୋଇ ଲକ୍ଷ ଲକ୍ଷ ସଂଖ୍ୟାରେ ବିକ୍ରୟ ହୋଇଅଛି ।

 

ଦ୍ଵିତୀୟ ପୁସ୍ତକଟି ପ୍ରକାଶିତ ହେବା ସଙ୍ଗେ ସଙ୍ଗେ ସମଗ୍ର ୟୁରୋପରେ ଏକ ଅଦ୍ଭୂତପୂର୍ବ ଆଲୋଡ଼ନ ଖେଳି ଯାଇଥିଲା । ଖାଲି ସେତିକି ନୁହେଁ, ଏହି ଖଣ୍ଡିକ ବହି ଲେଖି ଫ୍ରାଙ୍କ ପୃଥିବୀରେ ଅଜସ୍ର ଖ୍ୟାତି ଅର୍ଜନ କରିଥିଲେ ଏବଂ ଜର୍ମାନ ସାହିତ୍ୟ ଆକାଦମୀ ଦ୍ଵାରା ମଧ୍ୟ ପୁରସ୍କୃତ ହୋଇଥିଲେ । ଏ ଅବଧି ବିଶ୍ଵ ସାହିତ୍ୟରେ ଏହା ଅନ୍ୟତମ ଶ୍ରେଷ୍ଠ ଉପନ୍ୟାସ ରୂପେ ସମ୍ମାନିତ ହେଉଅଛି । ପୃଥିବୀର ବିଭିନ୍ନ ଭାଷାରେ ଏହା ଅନୁଦିତ ତଥା ପ୍ରଚାରିତ ହୋଇଅଛି । ଏତେ ଦିନେ, ବଡ଼ ସୁଖର କଥା, ଓଡ଼ିଆ ଭାଷାରେ ଏହାର ପରିପ୍ରକାଶ ଘଟିଲା ।

 

ଏହି ଉପନ୍ୟାସଟିରେ ଗଭୀର ମାନସିକ ଚିନ୍ତାଧାରାର ଚିତ୍ରଣରୁ ସୁଚିତ ହୁଏ ଯେ ଲେଖକ ସମର ପ୍ରାଙ୍ଗଣରେ ନିଜର କଷ୍ଟ-ଲବ୍ଧ ଅଭିଜ୍ଞତାକୁ ନିଜର ଲେଖନୀରେ ପ୍ରାଞ୍ଜଳ ଭାବରେ ରୂପ ଦେଇଛନ୍ତି । ଯୁଦ୍ଧ-ରତ ଜର୍ମାନୀରେ ମଧ୍ୟବିତ୍ତ ସମାଜ ଭିତରେ ଯେଉଁ ନୈତିକ ଅବନତି ଦେଖା ଦେଇଥିଲା, ତାହାର ଏକ ନିଖୁଣ ଚିତ୍ର ଏଥିରେ ସ୍ପଷ୍ଟ ଅଙ୍କିତ ହୋଇଅଛି । ବାଧ୍ୟତାମୂଳକ ସୈନ୍ୟ ସଂଗ୍ରହ, ସମର ପ୍ରାଙ୍ଗଣରେ ଭୟାବହ ଜୀବନ, ନିର୍ବାସନ ଶିବିରରେ ଅକଥନୀୟ ନିର୍ଯ୍ୟାତନ, ଗ୍ରାସାଚ୍ଛାଦନର ଉତ୍କଟ ସମସ୍ୟା, ଏବଂ ସର୍ବୋପରି ଦୈହିକ କ୍ଷୁଧାରନଗ୍ନ ବାସ୍ତବତାକୁ ଲେଖକ ଏପରି ଏକ ଅନୁକରଣୀୟ ଶୈଳୀରେ ଉପସ୍ଥାପିତ କରିଛନ୍ତି ଯେ ତାହା ଏକ ଅତୁଳନୀୟ ଅକ୍ଷୟ ସାହିତ୍ୟ-କୀର୍ତ୍ତିରେ ପରିଣତ ହୋଇଅଛି । ଅନବଦ୍ୟ କଥନ-ଭଙ୍ଗୀ ଓ ଅନସ୍ୱୀକାର୍ଯ୍ୟ ପ୍ରଖର ଅନ୍ତର୍ଦୃଷ୍ଟି ବଳରେ ଲେଖକ ଏକ ଉଚ୍ଚ ଆସନରେ ଅଧିଷ୍ଠିତ ହୋଇ ପାରିଛନ୍ତି ।

 

ଯୁଦ୍ଧରେ ଜୟ-ପରାଜୟ ଅବଶ୍ୟ ସାହିତ୍ୟର ଜୀବନ ମରଣର ମାନଦଣ୍ଡ ନୁହେଁ । ଅତୀତରେ ଜର୍ମାନୀ ଯୁଦ୍ଧରେ ହାରିଥିଲା, କିନ୍ତୁ ନିଜର ସାହିତ୍ୟ-ସତ୍ତା ହରାଇ ନ ଥିଲା । ବିଗତ ସର୍ବଗ୍ରାସୀ ମହାସମରରେ ଜର୍ମାନୀ ନିଜର ମାନ-ସମ୍ମାନ, ବିଶେଷତଃ ରାଷ୍ଟ୍ରୀୟ ଅଖଣ୍ଡତା ହରାଇଲା । ନାଜୀ ଏକଛତ୍ରବାଦର ସର୍ବାତ୍ମକ ଶାସନ-ନିୟନ୍ତ୍ରଣ ଫଳରେ ଜର୍ମାନୀ ୟୁରୋପୀୟ ସଂସ୍କୃତିର ଶ୍ରେଷ୍ଠ ଐତିହ୍ୟଠାରୁ ବିଚ୍ୟୁତ ଓ ବିଚ୍ଛିନ୍ନ ହୋଇଗଲା । ମୋଟ ଉପରେ, ଜର୍ମାନୀ ସହିତ ପ୍ରାୟ ସମଗ୍ର ପୃଥିବୀର ଆତ୍ମିକ ବିଚ୍ଛେଦ ଚୂଡ଼ାନ୍ତ ହେଲା । ତଥାପି ଟମାସ ମ୍ୟାନ, ହାଇନରିଖ, ଷ୍ଟିଫାନ ଜଇଗ, ପ୍ରଭୃତି ସୃଜନୀ ପ୍ରତିଭା ସ୍ଵେଚ୍ଛା-ନିର୍ବାସନ ବରଣ କରି ସ୍ୱଦେଶର ବାହାରେ ରହି ଜର୍ମାନ ସାହିତ୍ୟର ଅନିର୍ବାଣ ଦୀପଶିଖା ଜଳାଇ ରଖି ପାରିଥିଲେ ।

 

ସାମ୍ପ୍ରତିକ ଜର୍ମାନ ସାହିତ୍ୟ-ପ୍ରୟାସରେ ଅବଶ୍ୟ ଉତ୍ସାହର ଅଭାବ ଘଟି ନାହିଁ । ଯୁଦ୍ଧରେ ପରାଭବ, ଦେଶ-ବିଭାଗ ଓ ରାଷ୍ଟ୍ରୀୟ ସାମାଜିକ ବିପର୍ଯ୍ୟୟର ପ୍ରଚଣ୍ଡ ଆଘାତର ପ୍ରଥମ ବିହ୍ୱଳତା କଟିଗଲା ମାତ୍ରେ ସାହିତ୍ୟ-କ୍ଷେତ୍ରରେ ପୁଣି ଦେଖାଦେଲେ ପ୍ରବୀଣ ଲେଖକମାନେ । ଜୀବନ-ଜିଜ୍ଞାସା ସମ୍ପର୍କରେ ସେତେବେଳେ କେହି ସଂଶୟମୁକ୍ତ ନ ଥିଲେ, ସମ୍ଭବତଃ ଏ କ୍ଷଣି ମଧ୍ୟ ନୁହେଁ । ନୂତନ ଜର୍ମାନୀର ଜୀବନ-ଦର୍ଶନରେ ସେହି ଅନ୍ଧକାରମୟ ନାଜୀ-ଐତିହ୍ୟର ସ୍ଥାନ କେଉଁଠି ଓ କେତେ ଦୂର, ସେହି ବିଷୟରେ ନିଃସଂଶୟରେ ମନ ସ୍ଥିର କରିବାରେ ଜର୍ମାନମାନେ ଘୋର ଅସ୍ୱସ୍ତି ଅନୁଭବ କରନ୍ତି ।

 

ନୂତନ ଯୁଗର କଥା-ସାହିତ୍ୟରେ ଅବଶ୍ୟ ପ୍ରାଚୁର୍ଯ୍ୟର ଜୁଆର ପରିଲକ୍ଷିତ ହୂଏ । ବର୍ଷକୁ ପ୍ରାୟ ଦେଢ଼ ହଜାର ନୂଆ ଉପନ୍ୟାସ ଜର୍ମାନୀରେ ପ୍ରକାଶିତ ହୁଏ । ପ୍ରତାରଣା, ଶଠତା ଓ ଭଣ୍ଡାମୀର ସ୍ୱରୂପର ବିଶ୍ଳେଷଣରେ ମୋହମୁକ୍ତ ନୂତନ ଦୃଷ୍ଟିଭଙ୍ଗୀ ଓ ରଚନା-ଶୈଳୀର ପରିଚୟ ମିଳେ । ଏତେ ଦିନ ହେଲା ଯେଉଁ ପ୍ରାଚୀନ ଅସାଧାରଣ ପ୍ରତିଭାଶାଳୀ ମହାରଥୀମାନେ ଜର୍ମାନ ସାହିତ୍ୟର ପୁରୋଭାଗରେ ଥିଲେ, ସେମାନେ ଜଣ ଜଣ କରି ବିଦାୟ ନେଉଛନ୍ତି ।

 

ଯେଉଁ ତରୁଣ ଲେଖକମାନଙ୍କ ହାତରେ ବର୍ତ୍ତମାନ ଜର୍ମାନ ସାହିତ୍ୟର ଭବିଷ୍ୟତ ରଚନାର ଦାୟିତ୍ୱ ଆସି ପଡ଼ିଛି, ସେମାନଙ୍କ ଭିତରୁ ଅନେକେ ଲିପି-କୁଶଳତାରେ କୃତିତ୍ୱ ଅର୍ଜନ କରିଛନ୍ତି ସତ, ମାତ୍ର ମୋଟ ଉପରେ ଜର୍ମାନ ସାହିତ୍ୟ ଏକ୍ଷଣି ମଧ୍ୟ ଭାବ-ସଙ୍କଟରେ ଦୋଳାୟମାନ, ଯୁଗ ସନ୍ଧି-କ୍ଷଣରେ ସଂଶୟାକୀର୍ଣ୍ଣ । ତେଣୁ ଜର୍ମାନ ସାହିତ୍ୟର ଜଣେ ଅନୁରାଗୀ ଆଧୁନିକ ସମାଲୋଚକ ଷ୍ଟାଇନେର ଆକ୍ଷେପ କରି କହିଛନ୍ତି–ଜର୍ମାନ ବୈଷୟିକ ପ୍ରାଚୁର୍ଯ୍ୟର ଦୀପ୍ତି ଆଖି ଝଲସାଇଦେଲେ ସୁଦ୍ଧା ତାହା ପଛରେ ଏକ୍ଷଣି ଶୂନ୍ୟତା ରହିଛି, ଅର୍ଥାତ ଅଲୌକିକ ଅର୍ଥନୈତିକ ଉନ୍ନତି ହେଉଛି ଶୂନ୍ୟ-ଗର୍ଭ, ଆଉ ସେଥିରେ ମଧ୍ୟ ପ୍ରାଣର ଦୀପ୍ତି ନାହିଁ ।

 

ତଥାପି ଜର୍ମାନ କଥା-ସାହିତ୍ୟର ଗର୍ବ ହେଉଛି, ତାହା ପାଠକକୁ ଶିକ୍ଷା ଦିଏ, ବୌଦ୍ଧିକ ବିକାଶ ଘଟାଏ ଏବଂ ଯୁବ ସମ୍ପ୍ରଦାୟକୁ ସତ ମାର୍ଗରେ ଘେନିଯାଇ ପ୍ରକୃତ ମଣିଷର ରୂପ ଦିଏ । ବ୍ୟଙ୍ଗ, ବିଦ୍ରୂପ ଓ ବିଦ୍ଵେଷ ହିଁ ତାହାର ଏକ ବିଶିଷ୍ଟ ଚରିତ୍ର । ମୋଟ ଉପରେ, ତାହା ସମ୍ପୂର୍ଣ୍ଣ ବ୍ୟକ୍ତିଗତ ।

 

ଅନୁବାଦ ପ୍ରସଙ୍ଗରେ ଏତିକି କହିଲେ ଯଥେଷ୍ଟ ହେବ ଯେ ଏପରି ଏକ ସାର୍ବଜନୀନ ଆବେଦନ ସମ୍ବଳିତ ବିଚିତ୍ର ସ୍ୱାଦର ଉପନ୍ୟାସକୁ ଯେମିତି ପ୍ରତ୍ୟେକ ଓଡ଼ିଆ ପାଠକ ସହଜରେ ପଢ଼ି ଆନନ୍ଦ ଲାଭ କରିପାରିବେ, ସେଥିପାଇଁ ସ୍ୱଚ୍ଛନ୍ଦ ଅନୁବାଦର ଆଶ୍ରୟ ନିଆଯାଇଛି, ମାତ୍ର ଭାବାନୁବାଦ କରାଯାଇ ନାହିଁ ।

 

କଟକ-୧

 

ଅକ୍ଟୋବର ୨, ୧୯୬୭

ଲକ୍ଷ୍ମୀନାରାୟଣ ମହାନ୍ତି

✽✽✽

 

 

ଆକାଶରେ ଅତି ଉଚ୍ଚରେ ପକ୍ଷୀ ଗୋଟାଏ କଅଣ ଉଡ଼ି ଯାଉଥିଲା । ତାହା ଆଡ଼କୁ ଆଙ୍ଗୁଳି ଦେଖାଇ ରିଚାର୍ଡ଼ ପଚାରିଲା–‘‘ଦେଖ ତ କାର୍ଲ, ସେଟା ଉଡ଼ାଜାହାଜ କି ନା ?’’

 

ସେହି ଆଡ଼କୁ କିଛି କ୍ଷଣ ଅନାଇଲା ପରେ କାର୍ଲ କହିଲା–‘‘ସେହି ରକମ ତ ମାଲୁମ ହେଉଛି । ଉଡ଼ାଜାହାଜଟା ବୋଧହୁଏ ଏ ଆଡ଼କୁ ଆସୁଛି ।’’

 

ସତକୁ ସତ ସେୟା ହେଲା ।

 

ପ୍ରାୟ ପନ୍ଦର ମିନିଟ ଭିତରେ ଉଡ଼ାଜାହାଜଟା ସେମାନଙ୍କ ମୁଣ୍ଡ ଉପରେ ଆସି ପହଞ୍ଚିଗଲା । ବିମାନ-ଚାଳକ ଥରେ ତଳକୁ ଚାହିଁଲା, ଏବଂ ଏହି ସୁବିଶାଳ ନିର୍ଜନ ପ୍ରାନ୍ତରରେ ମାତ୍ର ଦୁଇ ଜଣ ଲୋକଙ୍କୁ କୋଦାଳରେ ମାଟି ଖୋଳିବାର ଦେଖି ଆଶ୍ଚର୍ଯ୍ୟ ହୋଇଗଲା ।

 

ବିମାନ-ଚାଳକ ପକ୍ଷରେ ଆଶ୍ଚର୍ଯ୍ୟ ହେବାଟା ଆଦୌ ବିସ୍ମୟକର ନୁହେଁ । କୌଣସି ସୁବିଶାଳ ନିର୍ଜନ ପ୍ରାନ୍ତର ମଝିରେ ମାତ୍ର ଦୁଇ ଜଣ ଲୋକଙ୍କୁ କାମ କରୁଥିବାର ଦେଖିଲେ, ଯେ କୌଣସି ଲୋକର ହିଁ ଆଶ୍ଚର୍ଯ୍ୟ ହେବାର କଥା ।

 

ଉଡ଼ାଜାହାଜାଟି କେତେଥର ସେମାନଙ୍କ ମୁଣ୍ଡ ଉପରେ ଚକ୍‍କର ମାରିଲା ଏବଂ ଶେଷରେ ଯେଉଁଆଡ଼ୁ ଆସିଥିଲା ସେହି ଆଡ଼କୁ ଫେରିଗଲା ।

 

ମାଟି ଖୋଳା ବନ୍ଦ କରି, ରିଚାର୍ଡ଼ ଓ କାର୍ଲ ଦୁହେଁ କାନ୍ଧ ଉପରେ କୋଦାଳ ରଖି ଉଡ଼ାଜାହାଜ ଆଡ଼କୁ ଚାହିଁ ରହିଲେ । ଯେତେ ଦୂରକୁ ସେମାନଙ୍କର ଦୃଷ୍ଟି ଯାଇ ପାରେ, ସେତେ ଦୂରକୁ ଅନାଇ ଆକାଶରେ ସେମାନେ ଉଡ଼ାଜାହାଜଟି ଲକ୍ଷ୍ୟ କରିବାକୁ ଲାଗିଲେ । ଅବଶେଷରେ ଉଡ଼ାଜାହାଜଟି ଯେତେବେଳେ ଦୂର ଦିଗ୍‍ବଳୟରେ ବିଲୀନ ହୋଇଗଲା, ସେତେବେଳେ ସେମାନେ ଦୃଷ୍ଟି ଫେରାଇ ଆଣି ପୁଣି ନିଜର ମାଟି-ଖୋଳା କାମରେ ମନ ଦେଲେ ।

 

ସେମାନେ ଉଭୟ ଯୁଦ୍ଧ-ବନ୍ଦୀ ।

 

ଇଂରେଜଙ୍କ ହାତରେ ଯୁଦ୍ଧରେ ବନ୍ଦୀ ହୋଇ ସେମାନେ ଏହି ସ୍ଥାନକୁ ଆସିଥିଲେ । ନିର୍ବାସନ ଶିବିର, ଅର୍ଥାତ ଯେଉଁଠାରୁ ସେମାନଙ୍କୁ ଖାଦ୍ୟପେୟ ଇତ୍ୟାଦି ଯୋଗାଇ ଦିଆଯାଉଥିଲା, ତାହା ଅନେକ ଦୂରରେ ଅବସ୍ଥିତ ଥିଲା । ସେହି ଶିବିରରୁ ରିଚାର୍ଡ଼ ଓ କାର୍ଲଙ୍କୁ ଏହି ନିର୍ଜନ ପ୍ରାନ୍ତରଙ୍କୁ ପଠାଇ ଦିଆଯାଇଥିଲା–ମତଲବ ହେଉଛି, ସେମାନେ ଏଠାରେ ରହି ନକଲି ନାଳ ଖୋଳିବେ । କେଉଁଠି କିପରି ଭାବରେ ନାଳ ଖୋଳିବାକୁ ହେବ, ତାହା ଦଉଡ଼ି ଧରି ଦାଗ ଦେଇ ସେମାନଙ୍କୁ ଆଗରୁ ଦେଖାଇ ଦିଆଯାଇଥିଲା । ସେମାନେ ସେହି ଦାଗ ଅନୁସାରେ ବରାବର ଗୋଟାଏ ନକଲି ନାଳ ଖୋଳିବାରେ ଲାଗିଥିଲେ ।

 

ସେମାନେ ଦୀର୍ଘ ଚାରି ବର୍ଷ ହେଲା ଏହି କାମରେ ଲାଗିଥିଲେ । ଏହି ଦୀର୍ଘ ସମୟ ଭିତରେ ପ୍ରାୟ ଦୁଇ ମାଇଲ ଲମ୍ବର ଗୋଟାଏ ନକଲି ନାଳ ବି ଖୋଳା ହୋଇଯାଇଥିଲା ।

 

ସେମାନଙ୍କର କାମ ତଦାରଖ କରିବା ପାଇଁ କୌଣସି ଉପରିସ୍ଥ କର୍ମଚାରୀ ସେଠାକୁ ଆସୁ ନଥିଲେ । ସୁତରାଂ ସେମାନେ ନିଜର ମନ ମୁତାବକ କାମ କରୁଥିଲେ ।

 

ଖଣ୍ଡିଏ ଚକ ଲଗା ଟିଣ ଘର ସେମାନଙ୍କୁ ଦିଆଯାଇଥିଲା । ସେହି ଘର ଖଣ୍ଡିକୁ ଯେଉଁଠାକୁ ପାରେ ସେଠାକୁ ଠେଲି ନିଆଯାଇପାରେ । ସେହି ଚଳନ୍ତି ଘରଟିରେ ଦୁଇଟି ମାତ୍ର କୋଠରୀ ଥିଲା । ଗୋଟିଏ କୋଠରୀରେ ସେମାନେ ଶୋଉଥିଲେ, ଏବଂ ଆରଟିରେ ରନ୍ଧାବଢ଼ା କରୁଥିଲେ । ରୋଷେଇ ଘରଟିରେ ସେମାନେ ଖାଦ୍ୟ-ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷପତ୍ର ରଖାରଖି କରୁଥିଲେ ।

 

ପ୍ରତି ମାସର ପ୍ରଥମ ସପ୍ତାହରେ ଥରେ ଲେଖାଏଁ ଶିବିରକୁ ଯିବା ପାଇଁ ସେମାନଙ୍କୁ ହୁକୁମ ମିଳିଥିଲା । ସେଠାକୁ ଯାଇ ମାସଯାକର କାମର ହିସାବ ଦାଖଲ କରି, ସେମାନେ ସେହି ଶିବିରର କର୍ତ୍ତାଙ୍କଠାରୁ ଆସନ୍ତା ମାସ ପାଈଁ ନିଜର ଖାଦ୍ୟ-ସାମଗ୍ରୀ ନେଇ ଆସୁଥିଲେ । ଯିବା-ଆସିବା ପାଇଁ ସେମାନଙ୍କୁ ପୁରା ଦୁଇଟି ଦିନ ଲାଗୁଥିଲା । ଶିବିରରେ ଯେଉଁ କେତେ ଘଣ୍ଟା ସେମାନେ ରହୁଥିଲେ, ସେତିକି ସମୟ ଭିତରେ ସେମାନେ ଦୁଇ ଚାରି ଜଣ ସାଙ୍ଗ-ସାଥୀଙ୍କ ସହିତ କଥାବାର୍ତ୍ତା କରିବାକୁ ଯାହା ଟିକିଏ ସୁଯୋଗ ପାଉଥିଲେ । ତା'ପରେ ଯେଉଁ ନିର୍ଜନତାକୁ ସେହି ନିର୍ଜନତା । ଶିବିରରୁ ଫେରି ଆସି ସେମାନେ ପୁଣି ସେହି ଏକ କାମରେ ଲାଗି ଯାଉଥିଲେ–ମାଟି ଖୋଳିବା, ରୋଷେଇ କରିବା, ଖାଇବା ଓ ଶୋଇବା । ଏଥିରେ ସେମାନଙ୍କର ତିଳେ ମାତ୍ର ବ୍ୟତିକ୍ରମ ନଥିଲା ।

 

ରାତିରେ ସମଗ୍ର ପ୍ରାନ୍ତରରେ କିଟିକିଟିଆ ଅନ୍ଧାର ମାଡ଼ିଯାଏ । ସେହି ବହଳ କଳା ଅନ୍ଧାରରେ ହୁଏତ କୌଣସି ଅଜଣା ପକ୍ଷୀ କେଉଁ ଗଛର ଡାଳରେ ବସି ତୁହାଇ ତୁହାଇ ରଡ଼ି ଛାଡ଼େ-। ସେହି ଡାକ କାନରେ ବାଜିଲେ ନିର୍ଜନ ଅସୀମ ପ୍ରାନ୍ତର ମଝିରେ ଗାଢ଼ ଅନ୍ଧାର ଭିତରେ ଦୁଇଟି ଆତ୍ମୀୟ-ହରା ପ୍ରାଣୀଙ୍କର ଛାତି ଭିତରଟା ଧଡ଼ପଡ଼ ହେବାକୁ ଲାଗେ ।

 

ସେମାନେ ଆଗରୁ ଶୁଣିଥିଲେ–ଏହିପରି ଜନ-ମାନବ-ହୀନ ବିରାଟ ପ୍ରାନ୍ତରରେ କୁଆଡ଼େ ଭୂତ ପ୍ରେତମାନେ ବାସ କରନ୍ତି । ଏହି ଡାକ ବୋଧହୁଏ ସେହି ଭୂତ-ପ୍ରେତଙ୍କର ହେବ । ଭୂତ-ପ୍ରେତମାନେ ନିଶ୍ଚୟ କୌଣସି ଅଜଣା ଦୁର୍ବୋଧ୍ୟ ଭାଷାରେ କଥାବାର୍ତ୍ତା ହେଉଛନ୍ତି ।

 

ତହୁଁ ରିଚାର୍ଡ଼ ଓ କାର୍ଲ ଦୁହେଁ ଯାକ ଭୟରେ ଥରହର ହୋଇ ଆଖି ବୁଜି ଶୋଇପଡ଼ୁଥିଲେ । ଶେଯରେ ଶୋଇ ରହି ସେମାନେ ପ୍ରଭାତର ଆଲୋକକୁ ପ୍ରତୀକ୍ଷା କରୁଥିଲେ । ଧୀରେ ଧୀରେ ସେମାନଙ୍କୁ ନିଦ ଘାରି ଯାଉଥିଲା ।

 

ରାତିର ଶେଷଯାମରେ ହଳଦିଆ ଓ ଲାଲ ମିଶା ରଙ୍ଗର ରେଖା ଚକ୍ରବାଳରେ ଦେଖାଯାଏ ।

 

ପ୍ରଭାତର ସୂର୍ଯ୍ୟ ଧୀରେ ଧୀରେ ପୂର୍ବ-ଆକାଶରେ ଉପରକୁ ଉଠି ଆସନ୍ତି । ପକ୍ଷୀସବୁ ନିଜ ନିଜର ଭାଷାରେ ଚିତ୍କାର କରନ୍ତି, ଏବଂ ତା’ପରେ ବସା ଛାଡ଼ି ଯେଝେ ଯେଝାର କାମରେ ବାହାରକୁ ଉଡ଼ି ଯାଆନ୍ତି । ଦିନ ସାରା ପକ୍ଷୀ ସବୁ ଏଣେତେଣେ ବୁଲି କି କାମ ଯେ କରନ୍ତି, ତାହା ସେମାନେ ନିଜେ ଜାଣିଥିବେ । ମଝିରେ ମଝିରେ ଗୋଟାଏ ଦୁଇଟା ବଣି ଚଢ଼େଇ ଉଡ଼ି ଆସି ସେମାନଙ୍କ ଘର ପାଖରେ ବସନ୍ତି, ଏବଂ ଫିଙ୍ଗି ଦିଆ ଯାଇଥିବା ଅଇଁଠାକଣ୍ଟା ସବୁ ଖୁଣ୍ଟି ଖୁଣ୍ଟି ଖାଇବାକୁ ଲାଗନ୍ତି । ଏହି ବଣି ଚଢ଼େଇଗୁଡ଼ିକ ସହିତ ସେମାନଙ୍କର ଟିକିଏ ପରିଚୟ ହୋଇ ଯାଇଥିଲା । ବଣିଗୁଡ଼ିକୁ ଦେଖିଲାମାତ୍ରେ ସେମାନେ ପ୍ରାୟ ଚିହ୍ନି ପାରୁଥିଲେ । ମଝିରେ ମଝିରେ ଗୋଟାଏ ଦୁଇଟା ନୂଆ ବଣି ମଧ୍ୟ ଅଧାର ଅନ୍ଵେଷଣରେ ସେଠାକୁ ଆସୁଥିଲେ । କିନ୍ତୁ ନୂଆ ପକ୍ଷୀଟିଏ ଦେଖିଲେ ସେମାନେ ଚିହ୍ନି ପାରୁଥିଲେ, କାରଣ ପୁରୁଣା ପକ୍ଷୀଗୁଡ଼ିକ ସେମାନଙ୍କର ଏକାନ୍ତ ପରିଚିତ ହୋଇ ଯାଇଥିଲେ ।

 

ରିଚାର୍ଡ଼ କୋଦାଳରେ ମାଟି ଖୋଳୁଥିଲା ।

 

ହଠାତ୍ ମାଟିରେ କୋଦାଳ ବାଜି ଗୋଟାଏ ପୋକ କଟିଗଲା । ତତକ୍ଷଣାତ ରିଚାର୍ଡ଼ ପୋକଟିକୁ ତଳୁ ଉଠାଇ ନେଇ ବଣିଗୁଡ଼ାକ ଆଡ଼କୁ ଫିଙ୍ଗିଦେଲା । ଗୋଟାଏ ବଣି ସଙ୍ଗେ ସଙ୍ଗେ ଧାଇଁ ଆସି କଟା ପୋକଟାକୁ ଥଣ୍ଟରେ କାମୁଡ଼ି ଧରି ଉଡ଼ିଗଲା ।

 

ଏହି ଦୃଶ୍ୟଟି ଦେଖୁଁ ଦେଖୁଁ ରିଚାର୍ଡ଼ କୋଦାଳ ଥୋଇଦେଇ କହିଲା–‘‘ଜାଣ କାର୍ଲ ! ଘରେ ଥିଲା ବେଳେ ମୁଁ କାନ୍ଥ ଆଡ଼କୁ ଶୋଉଥିଲି, ଆଉ ମୋର ସ୍ତ୍ରୀ ମୋ ପାଖରେ ଶୋଉଥିଲା । ଭୋର ହେଲା ମାତ୍ରେ ମୋତେ ଛାଡ଼ିଦେଇ ସେ ବିଛଣାରୁ ଉଠିଯାଏ ଚା ତିଆରି କରିବାକୁ । ତାହାର ସ୍ଵଭାବ ଯେ କି ମଧୁର, ମୁଁ ତାହା କଥାରେ ପ୍ରକାଶ କରିବାକୁ ଏକାବେଳେ ଅସମର୍ଥ !’’

 

‘‘ଏହି କଥା ତ ମୁଁ ତୁମ ତୁଣ୍ଡରୁ କେତେ ଥର ଆଗରୁ ଶୁଣିଛି ! କାରଖାନାର ସିଟି ନ ବାଜିଲେ ତ ତୁମେ ଆଦୌ ବିଛଣା ଛାଡ଼ୁ ନ ଥିଲ !’’

 

‘‘ହଁ, ହଁ, ସେଟା ଠିକ୍ କଥା ! କାରଖାନାର ସିଟି ହିଁ ମୋର ନିଦ ଭାଙ୍ଗିଦିଏ । ତା’ପରେ ବିଛଣାରୁ ଉଠିଲା କ୍ଷଣି ମୁଁ ତାହାକୁ ପୁଣି ଦେଖିବାକୁ ପାଏଁ ! ଗରମ ଚା ପାତ୍ର ହାତରେ ଧରି ସେତେବେଳେ ସେ ଘର ଭିତରକୁ ପଶି ଆସୁଥାଏ ।’’

କାର୍ଲ ହଠାତ୍ ଅନ୍ୟ ପ୍ରସଙ୍ଗ ପକାଇଲା । ସେ କହିଲା–‘‘ସେ ଦିନ ତୁମେ ପରା କହୁଥିଲ ଯେ ତୁମ ସ୍ତ୍ରୀର ଛାତିଟା ବେଶି ଫର୍ସା । ମନେପଡ଼ୁଛି ତ ତୁମର ସେହି କଥା ?’’

 

‘‘ହଁ, ପଡ଼ୁଛି ।’’

 

‘‘ଆଚ୍ଛା, କହିଲ ଦେଖି, ତାହାର ଛାତିଟା ବା ଏତେ ଫର୍ସା ହେଲା କେମିତି ? ତୁମେ ତ ମୋତେ ଢେର୍‍ ଥର କହିଛ ଯେ ତାହାର ଦେହର ରଙ୍ଗ ଟିକିଏ ତମ୍ବାଳିଆ !’’

 

କାର୍ଲର ଏହି ପ୍ରଶ୍ନର ସିଧାସଳଖ ଜବାବ ନ ଦେଇ ରିଚାର୍ଡ଼ କହିଲା–‘‘ଯଦି ତୁମେ ଥରେ ତାହାକୁ ଦେଖନ୍ତ ନା, ତାହା ହେଲେ ତମ ମୁଣ୍ଡ ବିଗିଡ଼ି ଯାଆନ୍ତା । ବୁଝି ପାରିଲ ତ ?’’

 

କାର୍ଲ ଅବିବାହିତ ।

 

ନାରୀ ସମ୍ବନ୍ଧରେ ଆଲୋଚନା ହେଲେ, ବିଶେଷତଃ ନାରୀର ଅଙ୍ଗପ୍ରତ୍ୟଙ୍ଗର ପର୍ଯ୍ୟାଲୋଚନା ତାହାକୁ ଭାରି ଭଲ ଲାଗେ ।

 

ସୁତରାଂ ସେ ପୁଣି ରିଚାର୍ଡ଼କୁ ପଚାରିଲା–‘‘ଆଚ୍ଛା, ଏକ୍ଷଣି ତୁମ ସ୍ତ୍ରୀର ବୟସ କେତେ ହେବ ?’’

 

‘‘କେତେ ଆଉ ହେବ ! ଏହି ତ ଏବେ ତାହାକୁ ତେଇଶି ପଶିଲା ।’’ ଏତକ କହିଦେଇ, ରିଚାର୍ଡ଼ ହଠାତ୍ ଚୁପ ହୋଇଗଲା ।

 

କିଛି କ୍ଷଣ ନୀରବ ରହି ସେ ପୁଣି କହିଲା–‘‘ପ୍ରାୟ ଚାରି ବର୍ଷ ହୋଇଗଲା, ଭାଇ । ଏହି ଦୀର୍ଘ ସମୟ ତାହାକୁ ନ ଦେଖି ମୋର ଛାତି ଭିତରଟା ଯେ କଅଣ ହେଉଛି, ତାହା ବା ତୁମକୁ ମୁଁ କିପରି ଭାବରେ ବୁଝାଇ ପାରିବି । ଏକ୍ଷଣି ମୋର ଅବସ୍ଥା ଏମିତି ହୋଇଗଲାଣି ଯେ ବେଳେବେଳେ ତାହାର ମୁଖଟି ମୋର ସ୍ମରଣ ହେଉନାହିଁ ଠିକ୍ ଭାବରେ । ତାହାର କଥା ଭାବିବାକୁ ବସିଲେ, ସବୁ କିଛି ଯେମିତି ମୋ ମନ ଭିତରେ ଗୋଳମାଳିଆ ହୋଇଯାଉଛି !’’

 

‘‘ସତେ ?’’

 

‘‘ସତେ ଭାଇ । ମୁଁ ତାହାକୁ ଆଦୌ ମନରୁ ପାସୋରି ପାରୁ ନାହିଁ । ପ୍ରାୟ ନିତି ରାତିରେ ମୁଁ ତାହାକୁ ସ୍ଵପ୍ନ ଦେଖୁଛି । ଆଗରୁ ଯେମିତି ତାହାର ପତଳା କମରକୁ ଭିଡ଼ି ଆଣି ମୋ ଦେହ ସାଙ୍ଗରେ ଜାକିଦେଇ ଶୋଉଥିଲି, ଠିକ୍ ସେମିତି ସ୍ଵପ୍ନ ମୁଁ ଏଠାରେ ମଧ୍ୟ ଅନେକ ସମୟରେ ଦେଖୁଛି !’’

 

ରିଚାର୍ଡ଼ର ଉଚ୍ଛ୍ଵାସରେ ବାଧା ଦେଇ କାର୍ଲ କହିଲା–‘‘ଜାଣ ରିଚାର୍ଡ଼, ତୁମଠାରୁ ଅନବରତ ଏହି ସବୁ କଥା ଶୁଣି ଶୁଣି ତୁମର ସ୍ତ୍ରୀକୁ ମୁଁ ପ୍ରାୟ ଚିହ୍ନି ଗଲିଣି ।’’

 

‘‘ତାହା କେବେ କଅଣ ହୋଇପାରେ ? ତୁମେ ତ ଏ ଅବଧି ତାହାକୁ ଥରେ ହେଲେ ଦେଖି ନାହଁ ! କେତେ ଦୂରରେ ରହିଛି ସେ । ଆଜିକି ଚାରି ବର୍ଷ ହେଲା ମୁଁ ତାକୁ ଥରଟିଏ ସୁଦ୍ଧା ଦେଖି ନାହିଁ । କେବଳ ଭଗବାନ ଜାଣନ୍ତି, ସେ ଏକ୍ଷଣି କଅଣ କରୁଛି ଏବଂ କିପରି ଚଳୁଛି !’’

 

‘‘ଯାହା ହେଲେ ବି, ସାଙ୍ଗ, ତୁମ କଥା ଭାବିବାକୁ ଏ ଦୁନିଆରେ ଜଣେ ଲୋକ ତ ଅଛି । କିନ୍ତୁ ମୋ କଥା ଟିକିଏ ଦେଖ ତ, କିଏ ଅଛି ମୋର ଏ ଦୁନିଆରେ ଆପଣାର ହୋଇ ?’’

 

‘‘ସତରେ, କହିବାକୁ ଗଲେ, ଗୋଟାଏ ଦିଗରୁ ତୁମେ ମୋଠାରୁ ଢେର୍‍ ଭଲରେ ଅଛ ।’’

 

‘‘ମାନେ ?’’

 

‘‘ମାନେ ହେଉଛି ଏହା ଯେ, ତୁମକୁ ମୋ ପରି ଜଣେ ସ୍ତ୍ରୀର କଥା କେବେହେଲେ ଭାବିବାକୁ ପଡ଼ୁନାହିଁ । ଭଗବାନ ଜାଣନ୍ତି, ସେ ଏକ୍ଷଣି ପ୍ରାଣରେ ଅଛି କି ମରିଗଲାଣି !’’

 

‘‘ନା, ନା, ସେ ଏକ୍ଷଣି ନିଶ୍ଚୟ ବଞ୍ଚିଛି, ମୁଁ ଏ କଥା ହଲପ କରି କହି ପାରେ ।’’

 

ଏତିକି କହି ଦେଇ କାର୍ଲ ହଠାତ୍ ନୀରବ ହୋଇଗଲା । ତାହାର ଆଖି ଆଗରେ ଗୋଟିଏ ନାରୀର ରୂପ ଭାସିଗଲା...ଯେଉଁ ରମଣୀକୁ ସେ ଜୀବନରେ ଥରେ ହେଲେ ନିଜର ଆଖିରେ ଦେଖି ନାହିଁ । ଜଣେ ଅଦୃଷ୍ଟପୂର୍ବା ଅନ୍ୟନ୍ୟା ରୂପସୀ ନାରୀ ଯେମିତି କଳ୍ପନାର ଆକାଶରୁ ବାସ୍ତବ ରୂପ ପରିଗ୍ରହ କରି କାର୍ଲର ଆଖି ଆଗରେ ଭାସି ଆସି ଉଭା ହୋଇଗଲା ।

 

କାର୍ଲ ହଠାତ୍ କହି ପକାଇଲା...‘‘ଆଚ୍ଛା, ରିଚାର୍ଡ଼, ଧର, ତୁମର ସ୍ତ୍ରୀ ଯଦି ହଠାତ୍ ଏଠାରେ ଆସି ପହଞ୍ଚି ଯାଏ, ତାହାହେଲେ ତୁମେ ତାହାକୁ ଗୋଟାଏ ରାତି ପାଇଁ ମୋତେ ଦେଇପାରିବ ? ...ଖାଲି ଗୋଟାଏ ରାତି ପାଇଁ ?’’

 

କୋଦାଳର ବେଣ୍ଟଟାକୁ ଦୁଇ ହାତରେ ଆହୁରି ଜୋରରେ ଜାବୁଡ଼ି ଧରି ରିଚାର୍ଡ଼ କହିଲା...‘‘ସେ ଏଠାକୁ ଆସିବା ! କଅଣ କହୁଛ ତୁମେ ! ତୁମେ ପାଗଳ ହେଲ ନା କଅଣ !’’

 

‘‘ଧର, ଯଦି ସେ ଏଠାକୁ ଆସେ, ତାହାହେଲେ ତୁମେ ତାହାକୁ ମୋତେ ଗୋଟାଏ ରାତି ପାଇଁ ଦେଇ ପାରିବ ତ ?’’

 

ରିଚାର୍ଡ଼ ଅନ୍ୟମନସ୍କ ଭାବରେ କହିଲା–‘‘କେଜାଣି, କହି ପାରୁ ନାହିଁ ଏକ୍ଷଣି । ପାରେ ହୁଏତ ପାରିବି । ତୁମର ମନର ଅବସ୍ଥା ବୁଝି ହୁଏତ ଗୋଟାଏ ରାତି ପାଇଁ ମୁଁ ତୁମକୁ ଦେଇ ପାରେ-। କିନ୍ତୁ ସେହି ଗୋଟାଏ ରାତି ମାତ୍ର–ତାହା ପରେ ଯଦି ମୁଁ ଦେଖେ ଯେ ତୁମେ ତା ଆଡ଼କୁ ଅନାଇଲ, ତାହା ହେଲେ ଏହି କୋଦାଳରେ ଏକ ଚୋଟରେ ତୁମର ମୁଣ୍ଡଟା ଗଣ୍ଡିରୁ ଅଲଗା କରିଦେବବି । ବୁଝିଲ ତ ?’’

 

ଠିକ୍ ଏତିକିବେଳେ ସେମାନଙ୍କ ମୁଣ୍ଡ ଉପରେ ଭାସି ଯାଉଥିବା ଖଣ୍ଡିଏ ବଉଦର ଛାୟା ଆସି ମାଟିରେ ପଡ଼ିଲା ।

 

ଗୋଟାଏ ପତଙ୍ଗ କୁଦା ମାରି ଧାଇଁ ପଳାଇଗଲା ।

 

ଚତୁର୍ଦ୍ଦିଗରେ ଅଖଣ୍ଡ ନିସ୍ତବ୍‍ଧତା ।

 

ଏତେ ନିସ୍ତବ୍‍ଧତା ଯେ ସେମାନେ ଯେମିତି ଜଣେ ଅପରର ଛାତିର ଧକ୍‍ ଧକ୍‍ ଶବ୍ଦଟା ବି ଶୁଣି ପାରୁଥିଲେ ।

 

ଦୂରରେ ଗୋଟାଏ ଗଛ ଉପରେ ଅସ୍ତାଚଳ-ଗାମୀ ସୁର୍ଯ୍ୟଙ୍କର କନକ କିରଣ ଆସି ପଡ଼ିଲା । ଗଛର ପତ୍ରଗୁଡ଼ାକ ସୁନା ପରି ଦିଶିଲା ।

 

ରିଚାର୍ଡ଼ ପୁଣି କହିବାକୁ ଲାଗିଲା–‘‘କିନ୍ତୁ ଆନା ନିଶ୍ଚୟ ଏଥିରେ ରାଜି ହେବ ନାହିଁ । ମୁଁ ତ ତାହାକୁ ଖୁବ୍‍ ଭଲ ଭାବରେ ଜାଣେ । ଆମର ବିବାହ ପରେ ପ୍ରଥମ ରାତିରେ ମୋତେ କିପରି ମସ୍ତ ଅଡ଼ୁଆରେ ପଡ଼ିବାକୁ ହୋଇଥିଲା, ସେ କଥା ତ ମୁଁ ତୁମକୁ ଆଗରୁ କହି ସାରିଛି ।’’

 

ରିଚାର୍ଡ଼ ଟିକିଏ ଗମ୍ଭୀର ପ୍ରକୃତିର ଲୋକ ଥିଲା । ବେଶି କଥା କହିବାକୁ ସେ ପସନ୍ଦ କରୁ ନ ଥିଲା । କିନ୍ତୁ ବହୁ ଦିନ ହେଲା ନିଜର ସ୍ତ୍ରୀଠାରୁ ବିଚ୍ଛିନ୍ନ ହୋଇ ରହିବା ଫଳରେ, ସେ ତାହାର କଥା ନ କହି ରହି ପାରୁ ନଥିଲା । ସେ ଅନୁଭବ କରୁଥିଲା, ତାହାର ସ୍ତ୍ରୀ ଆନା ସମ୍ବନ୍ଧରେ ଆଲୋଚନା କଲେ ନିଜର ମନଟା ସେତେବେଳେ ଯେମିତି ଟିକିଏ ହାଲୁକା ହୋଇଯାଏ ।

 

ରିଚାର୍ଡ଼ର ଏତାଦୃଶ୍ୟ ମାନସିକ ଅବସ୍ଥା ଯୋଗୁଁ, କାର୍ଲ ଆନା ସମ୍ବନ୍ଧରେ ସବୁ କଥା ଜାଣି ପାରିଥିଲା ।

 

ଆନାର ବୟସ କେତେ, ସେ କେମିତିକା ଦେଖିବାକୁ, ତାହାର ଆଖି, ମୁଖ, ନାକ, କେଶ ଓ ଅଧରର ବର୍ଣ୍ଣନା, ଚାଲିଲେ ସେ କେମିତି ଦିଶେ, ରାଗିଗଲେ ତାହାର ଓଠ କେମିତି ଫୁଲିଯାଏ, ଇତ୍ୟାଦି ଏବଂ ଆହୁରି ଅନେକ କିଛି ସେ ରିଚାର୍ଡ଼ଠାରୁ ଶୁଣିଥିଲା ।

 

ଏହିସବୁ କଥା ଶୁଣି ଶୁଣି କାର୍ଲ ମଝିରେ ମଝିରେ ଆନାର କଥା ଭାବିବାକୁ ଲାଗୁଥିଲା । କେତେ ନିସ୍ତବ୍‍ଧ ଦି’ପହରେ ଆଖି ବୁଜି ଶୋଇ ରହି ସେ ନିଦରେ ଆନାକୁ ଦେଖିପାରୁଥିଲା । ତାହାର ମଗଜରେ କେତେ ରକମ ଅସମ୍ଭବ କଳ୍ପନା ଆସି ଜମା ହେଉଥିଲା ।

 

ଦିନେ ଟିକିଏ ନୀରବ ରହିବା ପରେ କାର୍ଲ ହଠାତ୍ ରିଚାର୍ଡ଼କୁ ପଚାରିଲା...‘‘ଆଚ୍ଛା, ରିଚାର୍ଡ଼, ତୁମର ସ୍ତ୍ରୀ ଯଦି ଅନ୍ୟ ପୁରୁଷ ଧରି ଘର କରିଥାଏ, ତୁମେ କ’ଣ କରିବ ? ଚାରି ବର୍ଷ ତ କମ ସମୟ ନୁହେଁ । ତାହା ଛଡ଼ା, ତାହାର ବୟସର କଥାଟା ତ ତୁମକୁ ଭାବି ଦେଖିବାକୁ ପଡ଼ିବ !’’

 

ଏତିକିବେଳେ ଗୋଟାଏ କଙ୍କି ଉଡ଼ି ଆସି କାର୍ଲର ହାତ ଉପରେ ବସି ପଡ଼ିଲା । କଙ୍କିଟାକୁ ଆଙ୍ଗୁଳିରେ ହଟାଇ ଦେଇ କାର୍ଲ ପୁଣି କହିବାକୁ ଲାଗିଲା–‘‘ଧର, ଯଦି ଆମର ଚାରିପଟେ ଏହିସବୁ କଙ୍କି ନଥାଇ ଦଳେ ଯୁବତୀ ଝିଅ ଘୂରି ବୁଲୁଥାଆନ୍ତେ, ତାହା ହେଲେ ଆମେ କଅଣ କରୁ ଥାଆନ୍ତେ ?’’

 

କାର୍ଲର କଥା ଶୁଣି, ରିଚାର୍ଡ଼ ରାଗିଗଲା ଏବଂ କହିଲା...‘‘ତୁମେ ଏସବୁ କଅଣ କହୁଛ ? ଆନା କେବେହେଲେ ଏପରି ହୋଇ ନ ପାରେ । ତାହା ସମ୍ବନ୍ଧରେ ସବୁ କଥା ଜାଣ ନାହିଁ ବୋଲି ତୁମେ ଏହିପରି କଥା କହି ପାରୁଛ । ବିବାହ ପରେ ମୁଁ ଆନାକୁ ସହରକୁ ନେଇ ଆସି ଖଣ୍ଡିଏ ଘର ଭଡ଼ା କରି ରହିଥିଲି । ଛୋଟ ଘରଟିକୁ ଆସବାସପତ୍ରରେ ସଜାଇଥିଲି । ସେହି ଆସବାବ ସବୁ ଭଡ଼ାରେ ଆଣିଥିଲି । ମନେ ମନେ ମୋର ଇଚ୍ଛା ଥିଲା...ଅଚିରେ ସେଗୁଡ଼ିକ ମୁଁ କିଣିନେବି । କିନ୍ତୁ ଗୋଟାଏ ମାତ୍ର ସପ୍ତାହ ଯାଉ ନ ଯାଉଣୁ, ମୋତେ ଯୁଦ୍ଧକୁ ଯିବା ପାଇଁ ଡାକରା ଆସିଲା ।’’

 

‘‘ସେ କଥା ତ ମୁଁ ଜାଣେ । ମାସକୁ ଛଅ ମାର୍କ ଲେଖାଏଁ ଭଡ଼ା ଦେବାକୁ ହେଉଥିଲା ତୁମକୁ, ସେ କଥା ତ ତୁମେ ମୋତେ ଆଗରୁ କହିଛ ।’’

 

‘‘ଏଁ, କହିଛି ତାହା ହେଲେ ? ଯାହା ହେଉ, ଏଥିରୁ ତୁମେ ବୁଝିପାରିବ ଯେ ମୋର ପ୍ରିୟତମା ଆନା କେତେ ସୁନ୍ଦର ପରିପାଟୀରେ ରହିବାକୁ ଚାହେ । ସେ ସଦା ବେଳେ ଚାହେ, ତାହାର ଘରଟି ସୁନ୍ଦର ଭାବରେ ସଜ୍ଜା ହୋଇ ରହୁ । ତାହା ଛଡ଼ା ସତ କଥା କହିବାକୁ ଗଲେ, ଘର ଭଡ଼ା ଓ ଖାଇବା-ଖରଚ ତୁଲାଇବାରେ ତ ଏକ୍ଷଣି ତା’ର ଅବସ୍ଥା କାହିଲ ହୋଇ ଯାଉଥିବ, ବଦଖରଚ କରିବାକୁ ବା ସେ କେଉଁଠୁ ସମ୍ବଳ ପାଇବ ?’’

 

‘‘କିନ୍ତୁ ଏହି ଘର-ଭଡ଼ା ଓ ଖାଇବା-ଖର୍ଚ୍ଚ ପାଇଁ ଟଙ୍କାର ଅଭାବରୁ, ହୁଏତ ସେ– ।’’

 

କାର୍ଲର ଏମିତି ବେହେଡ଼ା କଥାରେ ହଠାତ୍ ରାଗିଯାଇ ରିଚାର୍ଡ଼ କହି ପକାଇଲା...‘‘କାର୍ଲ, ଏମିତି କଥା ସବୁ ତୁମେ ମୋ ଆଗରେ ଆଉ କେବେ କହିବ ନାହିଁ । ତୁମକୁ ମୁଁ ଭଦ୍ର ଭାବରେ ବାରଣ କରି କହୁଛି, ଆନା ସମ୍ବନ୍ଧରେ କିଛ କଥା ତୁମେ ଆଉ ମୋତେ କହିପାରିବ ନାହିଁ । ମୁଁ ତାହାକୁ ଜାଣେ, ହଁ, ଖୁବ ଭଲଭାବରେ ଜାଣେ । ଭାଗ୍ୟରେ ଥିଲେ ଯାଇ ତାହା ପରି ସତୀ ସାଧ୍ୱୀ ସ୍ତ୍ରୀ ରତ୍ନଟିଏ ପୁରୁଷକୁ ମିଳେ ।’’

 

ଏତିକି କହିଦେଇ ରିଚାର୍ଡ଼ ପୁଣି ଜୋରରେ କୋଦାଳରେ ମାଟି କାଟିବାକୁ ଲାଗିଲା ।

 

ହୁଏତ କୋଦାଳର ଆଘାତରେ ନିଜର ମାନସିକ ପ୍ରତିକ୍ରିୟାକୁ ରିଚାର୍ଡ଼ ଚାପା ଦେବାକୁ ବସୁଥିଲା ।

 

କିନ୍ତୁ କାର୍ଲର ସେମିତି କିଛି ଚିନ୍ତା ଦକ ନ ଥିଲା । କୌଣସି ସ୍ତ୍ରୀ ଲୋକର କଥା ମନେ ପକାଇବାକୁ ହେଲେ ବା ପୂର୍ବ ସ୍ମୃତିର କଥା ଭାବିବାକୁ ଗଲେ, ଏକମାତ୍ର ନିଜ ମାଆର କଥା ତାହାର ମନେ ପଡ଼ିଯାଏ । ମାଆ ସାଙ୍ଗରେ କଟାଇଥିବା ଶୈଶବର ଦିନଗୁଡ଼ିକର ଅସ୍ପଷ୍ଟ ଛବି କାର୍ଲର ମାନସ ପଟରେ ଭାସିଯାଏ ।

 

ଯେତେବେଳେ ତାହାର ବୟସ ମାତ୍ର ତିନି ବର୍ଷ, ସେତିକିବେଳେ ଦିନେ ସେ ତାହାର ମାଆର ନୂଆ ଟୋପିଟାରେ ଗୋଟାଏ ଗାଡ଼ି ତିଆରି କରିଥିଲା । ଟୋପିର ଦୁଇ ପାଖରେ ଥିବା ରେଶମୀ ଫିତା ଦୁଇଟି ବେକରେ ବାନ୍ଧି ସେ ନିଜେ ଘୋଡ଼ା ହୋଇଥିଲା ।

 

ଆହୁରି ମନେ ପଡ଼ିଯାଏ ପ୍ରତିବେଶୀ ଝିଅମାନଙ୍କର କଥା । କିନ୍ତୁ ପ୍ରେମ କରିବାର ସୁଯୋଗ ସେ କେବେହେଲେ ପାଇ ନ ଥିଲା । ଝିଅମାନଙ୍କୁ ଖାଲି ସେ ଦୂରରୁ ଦେଖୁଥିଲା । ସେମାନଙ୍କୁ ଦେଖିଲେ ତାହାକୁ ଖୁବ୍‍ ଭଲ ଲାଗୁଥିଲା...କିନ୍ତୁ ସେହି ଦୂରରୁ, ପାଖରୁ ନୁହେଁ । ପାଖରୁ କୌଣସି ଝିଅକୁ ଦେଖିବାର ବା ତାହା ସାଙ୍ଗରେ ପ୍ରେମ କରିବାର କୌଣସି ସୁଯୋଗ ବା ସୁବିଧା ସେ ଏତେ ବୟସ ଯାଏ କେବେହେଲେ ପାଇ ନ ଥିଲା ।

 

ତେଣୁ ଯେତେବେଳେ ରିଚାର୍ଡ଼ ତାହାର ସ୍ତ୍ରୀ ଆନାର କଥା ଭାବୁ ଭାବୁ କୋଦାଳରେ ମାଟି କାଟୁଥିଲା, ସେତେବେଳେ କାର୍ଲ ମଧ୍ୟ ତାହାର କଥା ଭାବିବାକୁ ଚେଷ୍ଟା କରୁଥିଲା...ରିଚାର୍ଡ଼ର ସ୍ତ୍ରୀ ସତରେ ଦେଖିବାକୁ କେମିତିକା ? ନିଶ୍ଚୟ ଖୁବ୍‍ ଭଲ ହୋଇଥିବ । ଆଚ୍ଛା, ଯଦି ସେ ମୋର ସ୍ତ୍ରୀ ହୋଇ ଥାଆନ୍ତା ? ତାହା ହେଲେ କି ଚମତ୍କାର ନ ହୋଇ ଥାଆନ୍ତା ? ଆନାକୁ ମୁଁ ଜୋର କରି ଭିଡ଼ି ଆଣି ମୋ ଛାତି ଉପରେ ଚାପି ଧରି ତାହାର–

 

ଏମିତି କେତେ ଏଣୁ ତେଣୁ ଚିନ୍ତାରେ କାର୍ଲ ବୁଡ଼ି ରହୁଥିଲା ।

 

ସେତେବେଳେ ପଶ୍ଚିମ ଦିଗ୍‍ବଳୟ ଲୋହିତ ହୋଇଯାଇଥିଲା । ଟିକିଏ ପରେ ସୂର୍ଯ୍ୟ ଅସ୍ତ ହୋଇଯିବେ । ତା’ପରେ ମାଡ଼ି ଆସିବ ଅନ୍ଧାର । କଳା କିଟିକିଟି ଅନ୍ଧାର । ଚାରିଆଡ଼ୁ ଝିଲ୍ଲୀ-ରବ ଭାସି ଆସିବ ।

 

ଥଣ୍ଡା ହାୱା ଆସି ସେମାନଙ୍କ ଦେହରେ ଲାଗେ ।

 

ସନ୍ଧ୍ୟା ହୋଇଗଲେ, କୋଦାଳରେ ମାଟି-କଟା ବନ୍ଦ କରିଦେଇ ସେମାନେ ଦୂରରେ ଥୋଇ ଦେଇଥିବା ଜାମା ଦୁଇଟି ଦେହରେ ଗଳାଇ ପକାନ୍ତି । ତା’ପରେ ସେମାନେ ନିଜର କୁଡ଼ିଆ ଅଭିମୁଖରେ ଚାଲିଯାଆନ୍ତି ।

 

ଆକାଶର ରଙ୍ଗ ଗାଢ଼ କଳା ହୋଇଯାଏ । ବିଶାଳ ନିର୍ଜନ ପ୍ରାନ୍ତର ମଝିରେ ସେମାନଙ୍କର ଟିଣ ଘରଟି ଛୋଟ ପରିତ୍ୟକ୍ତ ଭଙ୍ଗା ଚାଳିଆ ଭଳି ଦିଶେ ।

 

ପରଦିନ ସକାଳେ ଉଠି ସେମାନେ ନିର୍ବାସନ ଶିବିର ଆଡ଼କୁ ଚାଲିଲେ । ଗତ ତିନି ବର୍ଷ ହେଲା ଠିକ୍ ଏକ ପ୍ରକାରରେ ସେମାନେ ପ୍ରତି ମାସ ଥରେ ଲେଖାଏଁ ଶିବିରକୁ ଯାଇ ନିଜର ଖାଦ୍ୟ-ସାମଗ୍ରୀ ନେଇ ଆସିଛନ୍ତି ।

 

କାର୍ଲ ଓ ରିଚାର୍ଡ଼ ଦୁହିଙ୍କର ବୟସ ପ୍ରାୟ ସମାନ । ଦୁଇ ଜଣଙ୍କର ଉଚ୍ଚତା ବି ସମାନ । ତାହାଛଡ଼ା ଦୀର୍ଘ ଚାରି ବର୍ଷ ହେଲା ଏକା ସାଙ୍ଗରେ ବାସ କରି ଏବଂ ଏକାଠି ଶୁଆ-ବସା କରି ସେମାନଙ୍କର ସ୍ଵଭାବ ମଧ୍ୟ ଅନେକ ପରିମାଣରେ ଏକ ରକମ ହୋଇ ଯାଇଥିଲା । ଖରାରେ ପୋଡ଼ି ଯାଇ ଦୁହିଁଙ୍କର ଦେହର ରଙ୍ଗ ବି ତମ୍ବାଳିଆ ହୋଇ ଯାଇଥିଲା ।

 

ସେମାନେ ନିର୍ବାସନ ଶିବିରରେ ଯାଇ ପହଞ୍ଚିଲା ବେଳକୁ ଦ୍ଵିପହର ପ୍ରାୟ ଗଡ଼ି ଯାଇଥିଲା । ସେମାନେ ଦେଖି ପାରିଲେ ଯେ ଦଳେ ବନ୍ଦୀଙ୍କୁ ବାହାରେ ଧାଡ଼ିରେ ଠିଆ କରା ହୋଇଛି ।

 

ରିଚାର୍ଡ଼ ଓ କାର୍ଲଙ୍କୁ ହାଜର ହୋଇଯିବାର ଦେଖି, କମାଣ୍ଡାଣ୍ଟ ହଠାତ୍ କହି ପକାଇଲେ...‘‘ଠିକ୍ ହୋଇଛି ! ଏ ଦୁହିଁଙ୍କ ଭିତରୁ ଜଣକୁ ନେଇ ନେଲେ ଚଳିବ !’’

 

ସଙ୍ଗେ ସଙ୍ଗେ ଜଣେ ୱାର୍ଡର ଆସି ରିଚାର୍ଡ଼କୁ ନେଇ କମାଣ୍ଡାଣ୍ଟଙ୍କ ସାମନାରେ ହାଜର କରାଇଦେଲା ।

 

ତହୁଁ କମାଣ୍ଡାଣ୍ଟ ଆଦେଶ ଦେଲେ...‘‘ଏକ୍ଷଣି ତୁମକୁ ଏହି ଦଳ ସାଙ୍ଗରେ ଯିବାକୁ ହେବ । ବୁଝିଲ ?’’

 

ପାଞ୍ଚ ମିନିଟ ଭିତରେ ରିଚାର୍ଡ଼କୁ ସେହି ବନ୍ଦୀ ଦଳ ସାଙ୍ଗରେ ଯିବାକୁ ପଡ଼ିଲା । ଚାଲିଯିବା ବେଳେ କାର୍ଲଠାରୁ ବିଦାୟ ନେବାକୁ ବି ସେ ଟିକିଏ ସମୟ କି ସୁଯୋଗ ପାଇଲା ନାହିଁ ।

 

 

ରିଚାର୍ଡ଼ ଚାଲିଗଲା । ତା’ ପରଦିନ କାର୍ଲ ଶିବିରରୁ ଲୁଚି ପଳାଇ ଆସିଲା ।

ଆନାକୁ ପାଇବା ଲାଗି ସେ ପ୍ରାୟ ପାଗଳ ହୋଇ ଯାଇଥିଲା । ସେହି ଖିଆଲରେ ବୁଡ଼ିରହି ସେ ଏମିତି ଗୋଟାଏ ବିପଜ୍ଜନକ କାମ କରି ପକାଇଲା । କାର୍ଲ ମନେ ମନେ ସ୍ଥିର କଲା, ଆନାର ଘରକୁ ଯାଇ ସେ ନିଜକୁ ରିଚାର୍ଡ ବୋଲି ପରିଚୟ ଦେବ ।

ସେ ଆନାକୁ ଖୁବ୍‍ ଭଲ ପାଏ । ସେ ତାହାକୁ କେବେ ଥରେ ହେଲେ ଆଖିରେ ଦେଖି ନାହିଁ । ତଥାପି ସେ ତାହାକୁ ପ୍ରାଣ ଦେଇ ଭଲପାଏ । ନିତି ସେ ଆନାର କଥା ରିଚାର୍ଡ଼ଠାରୁ ଶୁଣେ । ଫଳରେ ତାହାର ମନେହେଲା, ଦେଖିଲା ମାତ୍ରେ ନିଶ୍ଚୟ ସେ ଆନାକୁ ଚିହ୍ନିପାରିବ । କିନ୍ତୁ ଆନା ଯଦି ତାହାକୁ ରିଚାର୍ଡ଼ ବୋଲି ନ ମାନେ ! ଯଦି ଆନା ତାହାକୁ ଭଣ୍ଡ ଠକ ବୋଲି ଠଉରାଏ ! ତାହାହେଲେ ସେ କଅଣ କରିବ ? ରିଚାର୍ଡ଼ଠାରୁ ସେମାନଙ୍କର ଯେଉଁ ଗୁପ୍ତ କଥା ସବୁ ସେ ଶୁଣିଛି, ସେସବୁ ଆନା ଆଗରେ ସେ ଖୋଲି କହିଦେବ ! ତାହାହେଲେ ଆନା ନିଶ୍ଚୟ ତାହାକୁ ବିଶ୍ୱାସ କରିବ । ଯଦି ଆନା ତାହାର ଚେହେରାର ପରିବର୍ତ୍ତନ କଥା ଉଠାଏ, ତାହାହେଲେ ସେ ତାହାକୁ ବୁଝେଇଦବ ଯେ ଦୀର୍ଘ ଚାରି ବର୍ଷ ହେଲା ତାହାକୁ ବନ୍ଦୀର ଜୀବନ ଯାପନ କରିବାକୁ ହୋଇଛି, ତେଣୁ ତାହାର ଚେହେରା ଟିକିଏ ବଦଳି ଯାଇଛି ।

ଚେହେରା ଦିଗରୁ ଦେଖିବାକୁ ଗଲେ, ରିଚାର୍ଡ ସହିତ ତାହାର କିଛି ମେଳ ଅଛି । ସେ ଦୁହିଁଙ୍କର ଗଢ଼ଣ ପ୍ରାୟ ଏକା ଭଳି । ତାହାଛଡ଼ା ମାଟି-କଟା କାମ କରି କରି ଦୁଇ ଜଣଙ୍କର ଦେହର ରଙ୍ଗ ପ୍ରାୟ ତମ୍ବାଳିଆ ହୋଇଯାଇଛି ।

 

କାର୍ଲ ଏସବୁ କଥା ଆଗରୁ ମନ ଭିତରେ ଭାବି ରଖିଥିଲା । ରିଚାର୍ଡ଼ ଆନା ସାଙ୍ଗରେ କିପରି ଆଚାର ବ୍ୟବହାର କରୁଥିଲା, ତା’ର ଟିକିନିଖି ବିବରଣୀ ମଧ୍ୟ କାର୍ଲ ଜାଣି ସାରିଥିଲା ।

 

ତିନି ମାସ ପରେ । ଆନା ଯେଉଁ ସହରରେ ରହୁଥିଲା, ଅବଶେଷରେ କାର୍ଲ ସେଠାରେ ଯାଇ ହାଜର ହେଲା । ଏହି ଦୀର୍ଘ ତିନୋଟି ମାସ ଭିତରେ ତାହାକୁ ବହୁତ କଷ୍ଟ ସହିବାକୁ ହୋଇଛି-। ଦିନ ନାହିଁ, ରାତି ନାହିଁ, ଶତ୍ରୁପକ୍ଷର ଦୃଷ୍ଟି ଏଡ଼ାଇ ଆତ୍ମଗୋପନ କରି କରି ତାହାକୁ ଚାଲିବାକୁ ହୋଇଛି । ଦିନ ବେଳେ ସେ ବଣ ଜଙ୍ଗଲ ଭିତରେ ଲୁଚିଯାଏ, ଆଉ ରାତିର ଅନ୍ଧାରରେ ବାଟ ଚାଲେ । ତାହାଛଡ଼ା ଅନାହାରର କଷ୍ଟ ତ ଅଛି । ବଣର ଫଳ-ମୂଳ ଓ ଘାସ-ପତ୍ର ଚୋବାଇ ତାହାକୁ କେତେ ଦିନ ବିତାଇବାକୁ ହୋଇଛି । ବେଳେବେଳେ ବାଟରେ ଗ୍ରାମବାସୀଙ୍କଠାରୁ ତାହାକୁ ଭିକ୍ଷା କରିବାକୁ ବି ପଡ଼ିଛି । ଏହିପରି ଭାବରେ ଅତ୍ୟନ୍ତ ଦୁଖ-କଷ୍ଟରେ ତାହାକୁ ଦୀର୍ଘ ପଥ ଅତିକ୍ରମ କରିବାକୁ ହୋଇଛି, ଖାଲି ଗୋଟାଏ ଆଶାରେ–ଆନାକୁ ପାଇବ ବୋଲି । କେତେ ନଈ-ନାଳ, କେତେ ଗାଁ-ଗଣ୍ଡା, କେତେ ସହର-ବଜାର, କେତେ ସୀମାନ୍ତ ଅତିକ୍ରମ କରି ସେ ଆଜି ଆସି ଶେଷରେ ପହଞ୍ଚିଛି ନିଜର ପ୍ରେମିକାର ଦୂଆରେ ।

 

ସେ ଆଗରୁ କେବେହେଲେ ଏ ସହର ଦେଖି ନ ଥିଲା । କିନ୍ତୁ ନିତି ରିଚାର୍ଡ଼ଠାରୁ ସେ ଏହି ସହରର ବର୍ଣ୍ଣନା ଶୁଣିଛି । ଶୁଣି ଶୁଣି ଏହି ସହରର ବାଟ ଘାଟ ସବୁ ତାହାର ଏକ୍ଷଣି ମୁଖସ୍ଥ ହୋଇଯାଇଛି ।

 

ଗୋଟାଏ ବାଳ-କଟା ସେଲୁନ ଭିତରକୁ ପଶିଯାଇ କାର୍ଲ ହାତରେ ଧରିଥିବା ମଇଳା ପୁଡ଼ିଆଟା ଗୋଟିଏ ଚଉକି ଉପରେ ରଖିଦେଲା । ତତ୍‍କ୍ଷଣାତ ଭଣ୍ଡାରି ଉଠିଆସି ସେଟାକୁ ସେଠୁ କାଢ଼ିଦେଲା । ଚଉକି ଉପରେ ପୁଡ଼ିଆଟା ରଖିବା ଠିକ୍ ହୋଇ ନାହିଁ ମନେ କରି କାର୍ଲ କହିଲା...ବିଶେଷ ଦୁଃଖିତ ।

 

ଭଣ୍ଡାରି କହିଲା–ଦୁଃଖିତ ହେବାର କିଛି କାରଣ ନାହିଁ । ଆସନ୍ତୁ । ବାଳ ନା ଦାଢ଼ି ?

 

କାର୍ଲ ଜବାବ ଦେଲା ଚୁମ୍ବକରେ–ଉଭୟ ।

 

ଖିଅର ହୋଇ ସାରି କାର୍ଲ ରାସ୍ତା ଉପରକୁ ବାହାରି ଆସିଲା ।

 

ଏଥର ସେ ଆନା ପାଖକୁ ଯିବ । ଦୀର୍ଘ ଦିନ ପରେ ପ୍ରବାସୀ ସ୍ଵାମୀ ଯେଉଁ ଭଳି ଆଗ୍ରହ ନେଇ ନିଜର ସ୍ତ୍ରୀ ପାଖକୁ ଫେରିଆସେ, କାର୍ଲ ବି ଆଜି ସେହି ଭଳି ଅଦ୍ୟମ ଆଗ୍ରହ ନେଇ ପ୍ରିୟତମା ଆନା ପାଖକୁ ଫେରି ଆସିଛି ।

 

ଆନାର ଘରଟା ଖୋଜି ବାହାର କରିବାରେ କାର୍ଲର କିଛି ଅସୁବିଧା ହେଲା ନାହିଁ । କୋଠାଟିର ତଳ ତାଲାରେ ଗୋଟାଏ ଜୋତା-ମରାମତି ଦୋକାନ ଥିଲା । ଝରକା ଉପରେ ତିନି ଯୋଡ଼ା ମରାମତ ହୋଇ ସାରିଥିବା ଜୋତା ଥୁଆ ହୋଇଥିଲା । ଜୋତାଗୁଡ଼ିକ ଓଲଟାଇ ରଖା ଯାଇଥିଲା । ବୋଧହୁଏ ଭିତିରି ଉଦ୍ଦେଶ୍ୟ ହେଉଛି, କି ରକମ ଚମତ୍କାର ମରାମତି ସେ ଦୋକାନରେ ହୁଏ, ତା’ର ନମୁନା ଗରାଖମାନଙ୍କୁ ଦେଖାଇବା !

 

ଝରକା ତଳେ ଗୋଟିଏ ପୁରୁଣା ଭଙ୍ଗା ଫୁଲ କୁଣ୍ଡ । କୁଣ୍ଡଟା ବି ଓଲଟି ପଡ଼ିଥିଲା । ଗୋଟିଏ ବିରାଡ଼ି ମନର ସୁଖରେ କୁଣ୍ଡକୁ ଦେହ ଲଗାଇ ଆରାମରେ ଶୋଇଥିଲା ।

 

ମୋଟ କଥା ହେଉଛି, ଦୋକାନଟିର ଅବସ୍ଥା ଅତିଶୟ ଜୀର୍ଣ୍ଣ-ଶୀର୍ଣ୍ଣ ଥିଲା ।

 

ଦୋକାନଟିକୁ ଏପରି ଅସହାୟ ଓ ଦରିଦ୍ର ଅବସ୍ଥାରେ ଦେଖିବ ବୋଲି କାର୍ଲ କେବେ ଆଶା କରି ନ ଥିଲା । ସେ ରିଚାର୍ଡ଼ଠାରୁ ଶୁଣିଥିଲା ଯେ ଏହି ଦୋକାନରେ ପୁରୁଣା ଜୋତା ତ ମରାମତି ହୁଏ, ତାହା ଛଡ଼ା ନୂଆ ଜୋତା ବି ଢେର୍‍ ବିକ୍ରି ହୁଏ । ବେଶ ବଡ଼ ଦୋକାନଟିଏ ।

 

କିନ୍ତୁ ସର୍ବଗ୍ରାସୀ ଯୁଦ୍ଧ ସବୁ କିଛି ଓଲଟ ପାଲଟ କରି ଦେଇଛି । ସେତେବେଳେ ବହୁତ ଦୋକାନର ଅବସ୍ଥା ପ୍ରାୟ ଏହି ଭଳି ହୋଇଯାଇଛି । ଗରାଖ ଚାହିଁଲେ ବି ମାଲ ଯୋଗାଇ ହୁଏ ନାହିଁ ।

 

ଘର ଭିତରେ ଗୋଡ଼ ଦେଲା କ୍ଷଣି କାର୍ଲର ଛାତି ଧଡ଼ପଡ଼ ହେଲା । ମନେମନେ ତାହାର ଆନାକୁ ପାଇବାର ଆନନ୍ଦମୟ କଳ୍ପନା ହଠାତ୍ ଦୁଶ୍ଚିନ୍ତା ଓ ଭୟରେ ପରିଣତ ହୋଇଗଲା ।

 

ଅଗଣାର ବାମ ପଟର ଦୁଆର କତିରେ ସିଡ଼ିଟାଏ ଅଛି । ସେହି ସିଡ଼ିରେ ଚଢ଼ି ତେତାଲାକୁ ଯିବାକୁ ହେବ । ତେତାଲାରେ ପହଞ୍ଚିଲେ ବାମ ଦିଗର ଦୁଇ ନମ୍ବର କୋଠରୀଟି !

 

ସିଡ଼ିରେ ଚଢ଼ି ଆସୁଥିବା ବେଳେ କାର୍ଲର ଛାତି ଯେମିତି ଆହୁରି ବେଶି ଧଡ଼ପଡ଼ ହେବାକୁ ଲାଗିଲା ।

 

ଅସୀମ ଚେଷ୍ଟାରେ ନିଜର ମନକୁ ସଂଯତ କରି କାର୍ଲ ଶେଷରେ ନିର୍ଦ୍ଦିଷ୍ଟ ଦୁଆର ସାମନାରେ ଆସି ଠିଆ ହୋଇଗଲା ।

 

ଦୁଆରଟା ବନ୍ଦ ଥିଲା ।

 

ହଠାତ୍ ଆନାର କଥା କାର୍ଲର ମନେପଡ଼ିଗଲା । ଏହି ସମୟରେ ସେ କଅଣ କରୁଥିବ-? ହୁଏତ ହାଣ୍ଡିଶାଳରେ ଚୁଲି କତିରେ ବସି ସେ ରନ୍ଧାବଢ଼ା କରୁଥିବ ।

 

ଆନାର ସବୁ କଥା–ତାହାର ଚେହେରା, ଚାଲି-ଚଳନ, ଢଙ୍ଗଢ଼ାଙ୍ଗ, କାରବାର–କାର୍ଲର ମୁଖସ୍ଥ ହୋଇଯାଇଥିଲା ।

 

କାର୍ଲ କବାଟ ଛୁଇଁବାକୁ ହାତ ବଢ଼ାଇଲା ।

 

ତାହାର ଛାତିଟା ତତ୍‍କ୍ଷଣାତ ଧଡ଼ପଡ଼ ହେବାକୁ ଲାଗିଲା । ଉତ୍ତେଜନାରେ ତାହାର କପାଳରୁ ଝାଳ ବୋହି ପଡ଼ିଲା । ସେ ରୁମାଲରେ ଥରେ ଝାଳ ପୋଛିଦେଲା । ପର ମୁହୂର୍ତ୍ତରେ ସେ ମନେମନେ ଭାବିଲା...ନା, ଫେରିଯିବା ବରଂ ଭଲ !

 

କିନ୍ତୁ ଶେଷ ଅବଧି ସେ ସିଡ଼ିରେ ତଳକୁ ଓହ୍ଲାଇ ନ ଯାଇ କବାଟରେ ଧକ୍‍କା ମାରିଲା । ଧକ୍‍କାଟିଏ ଦେଲା ମାତ୍ରେ କବାଟ ମେଲା ହୋଇଗଲା । ବୋଧହୁଏ ଦୁଆର କିଳା ହୋଇ ନଥିଲା-

 

ସେତେବେଳେ ଆନା ହାତରେ ଗୋଟିଏ ଥାଳିଆ ଧରି ଟେବୁଲ ଆଡ଼କୁ ଯାଉଥିଲା ।

 

ଏତେ ଦିନ ହେଲା ଯେଉଁ ରମଣୀକୁ ଖାଲି ସ୍ଵପ୍ନ ଓ କଳ୍ପନାରେ ସେ ଦେଖି ଆସୁଥିଲା, ସେହି ସୁନ୍ଦରୀ ଆନା ଆଜି ତା’ ଆଗରେ ଉଭା ହୋଇଛି ! ଜୀବନ୍ତ ରକ୍ତ-ମାଂସର, ଶରୀର ଘେନି ତାହାର ପ୍ରେମିକା ଆନା ତାହାର ସାମନାରେ ଆସି ଠିଆ ହୋଇଛି ।

 

ଆନନ୍ଦରେ ଉତ୍‍ଫୁଲ୍ଲ ହୋଇ କାର୍ଲ କୋମଳ କଣ୍ଠରେ ଡାକିଲା...ଆନା !

 

ତା’ଆଡ଼କୁ ମୁହଁ ବୁଲାଇଦେଲା ମାତ୍ରେ ଆନା ଆଶ୍ଚର୍ଯ୍ୟ ହୋଇଗଲା ! କିଏ ଏହି ଲୋକଟି, ଯେ ହଠାତ୍ ତା’ ପାଖକୁ ଚାଲିଆସି ତାହାକୁ ନିଜର ଲୋକ ଭଳି ସମ୍ବୋଧନ କରୁଛି !

 

ଆନା ବିସ୍ମିତ କଣ୍ଠରେ ପଚାରିଲା...କିଏ ତୁମେ, କାହାକୁ ଖୋଜୁଛ ?

 

ଆନା ଗୋଟାଏ ଶସ୍ତା ଗାଉନ ପିନ୍ଧିଥିଲା । ବାରମ୍ବାର ସଫା ହୋଇ ତା’ର ରଙ୍ଗଟା ପ୍ରାୟ ଛାଡ଼ି ଆସିଲାଣି । ଛାତି ଉପରର ରଙ୍ଗଟା ଯେମିତି ଟିକିଏ ବେଶି ଫିକା ପଡ଼ିଗଲାଣି । ବୋଧହୁଏ ସେଠାରେ ସୂର୍ଯ୍ୟ-କିରଣ ବେଶି ପଡ଼େ ବୋଲି ରଙ୍ଗଟା ଜଳି ଗଲାଣି ।

 

ଆନାର ମୁଖଟି ସତରେ ଭାରି ସୁନ୍ଦର ।

 

ଆନାର ପ୍ରଶ୍ନର ସହଜ ଉତ୍ତର ନ ଦେଇ କାର୍ଲ ମୁଣ୍ଡରୁ ଟୋପିଟା କାଢ଼ି ପକାଇଲା ଏବଂ ତାକୁ ଗୋଟିଏ ଚଉକି ଉପରେ ରଖିଦେଇ ଧୀରେ ଧୀରେ କହିଲା–ଚଉକିଗୁଡ଼ାକ ଫେର୍ ରଙ୍ଗ କରିବାକୁ ହେବ, ଦେଖୁଛି ! ସେତେବେଳେ ତୁମକୁ କହିଥିଲି ନା ଏ ରଙ୍ଗ ରହିବ ନାହିଁ, ଶୀଘ୍ର ଛାଡ଼ିଯିବ !

 

ତତ୍‍କ୍ଷଣାତ ରିଚାର୍ଡ଼ର କଥା ଆନାର ମନେ ପଡ଼ିଗଲା । ଠିକ୍ ଏହି କଥା ସେ କହିଥିଲା ଅନେକ ଦିନ ତଳେ । କିନ୍ତୁ ଏ କିଏ ? ଏସବୁ କଥା ବା ଏ ଲୋକଟି ଜାଣିଲା କିପରି ?

 

ଆନାର ହତଭମ୍ବ ଢଙ୍ଗ ଦେଖି କାର୍ଲ ପଚାରିଲା...କି ଆଶ୍ଚର୍ଯ୍ୟ ! କଥା କହୁ ନାହଁ କାହିଁକି-?

 

ଆନାର ସ୍ଵର ଟିକିଏ ରୁକ୍ଷ ଶୁଣାଗଲା–କିଏ ତୁମେ ?

 

କାର୍ଲର ଛାତି ପୁଣି ଧଡ଼ପଡ଼ ହେଲା । ହୁଏତ ତାହାର ଚାଲାକି ଧରା ପଡ଼ିଗଲା । ଆନା କ’ଣ ତାକୁ ରିଚାର୍ଡ଼ ବୋଲି ସ୍ଵୀକାର କରିବ ନାହିଁ !

 

ଥରିଲା ଗଳାରେ କାର୍ଲ କହିଲା–କି ଆଶ୍ଚର୍ଯ୍ୟ ! ମୋତେ ତୁମେ ଚିହ୍ନି ପାରୁନ ? ମୁ ଯେ ତୁମର ରିଚାର୍ଡ଼ !

 

ଆନା ତତ୍‍କ୍ଷଣାତ ଦୁଇ ପାଦ ପଛେଇ ଯାଇ କହିଲା–ନା, ତୁମେ ରିଚାର୍ଡ଼ ନୁହଁ ।

 

କାର୍ଲ ଆନା ଆଡ଼କୁ ଦୁଇ ପାହୁଣ୍ଡ ଆଗେଇ ଯାଇ ଅଧୀର ଆବେଗରେ କହିଲା–ଆନା-! ଏ ତୁମେ କଅଣ କହୁଛ ?

 

କାର୍ଲର ତୁଣ୍ଡରୁ ଏହି ‘ଆନା’ ସମ୍ବୋଧନ ପଦକ ଶୁଣିଲା ମାତ୍ରେ, ଆନା ଯେମିତି ଅଭିଭୂତ ହୋଇଗଲା । ଗଭୀର ଶୋକ ବା କଠିନ ଦୁଃଖ ବେଳେ ସ୍ତ୍ରୀମାନେ ଯେମିତି ଚୁପ୍‍ଚାପ୍‍ ସବୁ କାମ କରି ଯାଆନ୍ତି, ଆନା ବି ଅବିକଳ ସେହିଭଳି ଗୋଟାଏ ଯନ୍ତ୍ର ପରି କାମ କରିଯିବାକୁ ଲାଗିଲା । ତାହାର ତୁଣ୍ଡରୁ ପଦେ ହେଲେ କଥା ବାହାରିଲା ନାହିଁ । ସେ ଚୁଲି ପାଖକୁ ନୀରବରେ ଚାଲିଗଲା, ଡିଆସିଲିଟା ହାତରେ ଧରିଲା, ଏବଂ ଟେବୁଲ ପାଖକୁ ଫେରିଆସି ଠିଆ ହେଲା । ମୁଣ୍ଡଟା ତଳକୁ ପୋତି ସେ ମନେମନେ କଅଣ ଭାବିବାକୁ ଲାଗିଲା ।

 

ହଠାତ୍ ଆନା ଫେରି ପଡ଼ିଲା ।

 

କାର୍ଲ ଲକ୍ଷ୍ୟ କଲା, ଆନାର ସୁଗୋଲ ଗାଲ ଦୁଇଟି ଲାଲ ପଡ଼ି ଯାଇଛି ।

 

କାର୍ଲ ଧୀର କୋମଳ କଣ୍ଠରେ ପୁଣି ଥରେ ଡାକିଲା...ଆନା !

 

ପୁଣି ସେହି ଆବେଗ ଆକୁଳ ଆହ୍ଵାନ ।

 

କୌଣସି ପୁରୁଷ ଦ୍ଵାରା ଆକ୍ରାନ୍ତ ହେଲେ ଯେତେବେଳେ କୌଣସି ନାରୀ ଆତ୍ମରକ୍ଷା କରିବାକୁ ଯାଇ ଅସମର୍ଥା ହୋଇ ଯେପରି ଭାବରେ ବିକଳରେ ଚାରିଆଡ଼କୁ ଅନାଏ, ଠିକ୍ ସେହିପରି ଭାବରେ ଆନା କାର୍ଲ ଆଡ଼କୁ ଚାହିଁ ରହିଲା ।

ରିଚାର୍ଡ଼ ପୁଣି କହିଲା...ଆନା । ତୁମ ଛଡ଼ା ଏ ଦୁନିଆରେ ମୋର ଆପଣାର ଲୋକ କିଏ ଅଛି ? ତୁମେ ପରା ମୋର ସ୍ତ୍ରୀ !

କାର୍ଲର ଏଭଳି ଧୃଷ୍ଟତା ଦେଖି ଆନା ବିମୁଢ଼ ହୋଇଗଲା । ସେ ମନେମନେ ଭବିଲା, ଲୋକଟାର ତ କମ୍‍ ଆସ୍ପର୍ଦ୍ଧା ନୁହେଁ ।

କାର୍ଲ ଯେ ଆଦୌ ସତ କଥା କହୁ ନାହିଁ, ଏହା ସମଝିବାରେ ଆନାର ତିଳେ ହେଲେ ଉଛୁର ହେଲା ନାହିଁ । କିଛି କ୍ଷଣ ଚୁପ ରହିଯାଇ, ହଠାତ୍ କାର୍ଲର ମୁଖକୁ ଅନାଇ ସେ କହିଲା–ଏ ସବୁ କଅଣ, ଯାହା ଇଚ୍ଛା ତାହା କହିଯାଉଛ ତୁମେ ? ନିଜକୁ ରିଚାର୍ଡ଼ ବୋଲି ମିଛ ପରିଚୟ ଦେଇ ଏଠାରେ କିଛି ଫଳ ପାଇବ ନାହିଁ । ମୁଁ ଖୁବ୍‍ ଭଲ ଭାବରେ ଜାଣେ, ସେ ଆଉ ଜୀବନରେ ନାହିଁ ।

ଏଁ, ଜୀବନରେ ନାହିଁ ! ଏ କଅଣ କହୁଛ, ତୁମେ ?

ହଁ, ସେ ଆଉ ଏ ଦୁନିଆରେ ନାହିଁ । ଦେଖିବ ତା’ର ପ୍ରମାଣ ?

ଏହା କହି, ହଠାତ୍ ବୁଲିପଡ଼ି, ଆନା ଗୋଟାଏ ଦରାଜ ପାଖକୁ ଚାଲିଗଲା । ଦରଜାଟା ତରବରରେ ଖୋଲି ପକାଇ ସେ ଖଣ୍ଡିଏ ପୋଷ୍ଟକାର୍ଡ କାଢ଼ି ଆଣିଲା । ତା’ପରେ ସେ ଖଣ୍ଡିକ ହାତରେ ଧରି ସେ କାର୍ଲ ପାଖକୁ ଫେରି ଆସିଲା ।

ପୋଷ୍ଟକାର୍ଡଟା କାର୍ଲ ଆଡ଼କୁ ବଢ଼ାଇ ଦେଇ ସେ କହିଲା, ପଢ଼ି ଦେଖ ଟିକିଏ ।

ତାହାର ହାତରୁ ପୋଷ୍ଟକାର୍ଡଟି ନେଇ କାର୍ଲ ତା’ ଉପରେ ଆଖି ବୁଲାଇଲା । ସେ ଖଣ୍ଡିକ ସୈନ୍ୟ ବିଭାଗରୁ ଆସିଥିଲା । ସେଥିରେ ଲେଖାଥିଲା–‘‘୧୯୧୪ ସାଲ ସେପ୍ଟେମ୍ବର୍ ୪ ତାରିଖରେ ରିଚାର୍ଡ଼ ଯୁଦ୍ଧକ୍ଷେତ୍ରରେ ବୀର ପରି ପ୍ରାଣ ଦେଇଛି ।’’

 

ପୋଷ୍ଟକାର୍ଡଟି ପଢ଼ିସାରି, ଆନା ହାତକୁ ସେଟା ଫେରାଇ ଦେଇ କାର୍ଲ କହିଲା–ଏ ସବୁ ମିଛ କଥା, ଆନା । ମୁଁ ଅବଶ୍ୟ ଶତ୍ରୁ ହାତରେ ଧରା ପଡ଼ିଥିଲି, ବନ୍ଦୀ ହୋଇଥିଲି । ସେହି ସତ କଥାଟା ନ ଲେଖି, ସେମାନେ ତୁମକୁ ମୋର ମୃତ୍ୟୁ ସମ୍ବାଦଟା ପଠାଇ ଦେଇଥିଲେ । ଏମିତି ଢେର୍‍ ମିଛ କଥା ସେମାନେ ତ ଅନାୟାସରେ ଲେଖି ପାରନ୍ତି ।

 

ଏତକ କହି, କିଛି ସମୟ ନୀରବ ରହି, କାର୍ଲ ପୁଣି କହିଲା–ତୁମେ ସେସବୁ କଥା ବିଶ୍ୱାସ କର ନାହିଁ, ଆନା ! ଏହି ଦେଖୁନ, ସତରେ ମୁଁ ବଞ୍ଚି ରହିଛି । ତୁମରି ଆଗରେ ପରା ମୁଁ ଆସି ଠିଆ ହୋଇଛି । ଖାଲି ସେତିକି ନୁହେଁ, ଘରକୁ ଫେରିଆସି ମୁଁ ତୁମକୁ ଆନା ବୋଲି ଡାକି ପାରୁଛି ।

 

ଏହା ଶୁଣିଲା କ୍ଷଣି ଆନାର ମୁଖ ଓ ଆଖିରେ ଭୟର ଚିହ୍ନ ପ୍ରକଟିତ ହେଲା ।

 

ଲୋକଟା କଅଣ ତାହାହେଲେ ପାଗଳ ?

 

ଏତିକିବେଳେ କାର୍ଲ ପୁଣି ଡାକିଲା କୋମଳ କଣ୍ଠରେ–ଆନା !

 

ଆନାର ମନ ଭିତରେ ଇଚ୍ଛା ହେଲା, ପଚାରିଦେବ କି ତାହାକୁ ଭୋକ ଲାଗିଲାଣି କି ? କିନ୍ତୁ ପର ମୁହୂର୍ତ୍ତରେ ସେ ମନେ ମନେ ସ୍ଥିର କରିନେଲା ଯେ ଲୋକଟି ନିଶ୍ଚୟ ଭଣ୍ଡ, ପ୍ରତାରକ, ମିଥ୍ୟାବାଦୀ ।

 

ସେତେବେଳେ ତାହାର ଆହୁରି ବି ଇଚ୍ଛା ହେଉଥିଲା, ବଡ଼ ପାଟିରେ ସାହି-ପଡ଼ିଶାଙ୍କୁ ଡାକି ସେମାନଙ୍କ ସାମ୍‍ନାରେ ଲୋକଟାକୁ ବହେ ଅପମାନ ଦେଇ ଏ ଘରୁ ତଡ଼ିଦେବ ।

କିନ୍ତୁ କାହିଁକି କେଜାଣି, ସେ ତାହା କରି ପାରିଲା ନାହିଁ ।

କାର୍ଲ ଆଡ଼କୁ ପଛ କରି ଆନା ଗୋଟାଏ ଛୁରିରେ ରୋଟି କାଟିବାକୁ ଲାଗିଲା ।

ରୋଟି କାଟିସାରି ସେ ଟେବୁଲ ଉପରେ ଛୁରି, କଣ୍ଟା, ଚାମଚ ଓ ଥାଳିଆ ସଜାଇ ରଖିଲା । ତା’ପରେ ହାଣ୍ଡିଶାଳରୁ ଗୋଟାଏ ଥାଳିଆରେ ମାଂସ ଆଣି ଥୋଇଦେଲା ।

ଏଣେ କାର୍ଲର ଅବସ୍ଥା ସେତେବେଳକୁ କାହିଲ ହୋଇ ଗଲାଣି । ଆନା ତାହାକୁ କିପରି ଭାବରେ ଗ୍ରହଣ କରିଛି କିମ୍ବା ତାହାକୁ ଆଦୌ ଗ୍ରହଣ କରି ନାହିଁ, ସେ ତାହା ବିନ୍ଦୁ ବିସର୍ଗ ବୁଝିପାରିଲା ନାହିଁ । ତାହାର ଛାତି ଭିତରେ ଯେମିତି କମାରଶାଳର ହାତୁଡ଼ି ପିଟା ହେଉଥିଲା ।

ହଠାତ୍ ଆନା କାର୍ଲ ଆଡ଼କୁ ଅନାଇ ମୃଦୁ କଣ୍ଠରେ କହିଲା...ଖାଅ ।

ପଦିଏ ମାତ୍ର କଥା–ଖାଅ । କିନ୍ତୁ କାର୍ଲ ପକ୍ଷରେ ତା’ର ଅର୍ଥ ସମଗ୍ର ଅଭିଧାନରେ ଥିବା ସବୁ ଶବ୍ଦର ଅର୍ଥଠାରୁ ବି ଅଧିକ ମୂଲ୍ୟବାନ ।

ମନେମନେ ଯାହାକୁ ସେ ଭଲ ପାଏ, ଗଲା ଚାରି ବର୍ଷ ହେଲା ଯେ ତାହାର ଏକମାତ୍ର ଧ୍ୟାନ ଓ ଜ୍ଞାନ, ଯାହା ପାଇଁ ଅସହ୍ୟ କଷ୍ଟ ସ୍ଵୀକାର କରି ସେ ଏଠାକୁ ପଳାଇ ଆସିଛି, ସେହି ଆନା ଆଜି ନିଜ ହାତରେ ତାହାକୁ ଖାଇବାକୁ ଦେଉଛି !

 

ଏହା ଭାବିଲା ମାତ୍ରେ କାର୍ଲର ମୁଖ ଆନନ୍ଦରେ ଉଦ୍‍ଭାସିତ ହୋଇଗଲା ।

 

କାର୍ଲ ଧୀରେ ଧୀରେ ଚଉକିରେ ବସି ପଡ଼ିଲା । ଟେବୁଲ ଉପରୁ ଗୋଟାଏ କଣ୍ଟା ଓ ଛୁରି ସେ ତା’ ହାତରେ ଉଠାଇନେଲା ।

 

କଣ୍ଟାଟିକୁ ଥରେ ଦୁଇ ଥର ଏପାଖ ସେପାଖ ଓଲଟ ପାଲଟ କରି ଦେଖି, କାର୍ଲ ହଠାତ୍ ଆନାକୁ ପଚାରିଲା–ମୋର ସେହି ଆଗ କଣ୍ଟାଟା ଅଛି ? ସେହି କଣ୍ଟାଟା, ଯାହାର ଗୋଟାଏ ଦାନ୍ତ ଟିକିଏ ଛୋଟ ଥିଲା ।

 

ଆନା ସ୍ଵପ୍ନ ଦେଖିଲା ଭଳି ହୋଇ ଚମକି ପଡ଼ି, ଟେବୁଲର ଦରାଜ ଖୋଲି ଆଗର ସେହି କଣ୍ଟାଟି କାଢ଼ି ଆଣିଲା ।

 

କଣ୍ଟାଟି ଦେଖି କାର୍ଲ ଖୁସି ହୋଇ କହିଲା–ହଁ, ଏଇଟା ତ !

 

କିନ୍ତୁ ସେତେବେଳେ ଯାଏ ଆନା ବିଶ୍ୱାସ କରିପାରୁ ନଥିଲା ତାହାକୁ ସତରେ ରିଚାର୍ଡ଼ ବୋଲି । ତାହାର ମନଟା ସନ୍ଦେହରେ ଆଉଟି ପାଉଟି ହେଉଥିଲା । ବାରମ୍ବାର ତାହାର ମନ ଭିତରେ ପଚାରୁଥିଲା, କିଏ ଏହି ଲୋକଟି ? ଘରର ଏତେ ସବୁ ଭିତରି କଥା ବା ସେ ଜାଣିଲା କିପରି ?

 

କାର୍ଲ କହିଲା–କାଲିଠୁ ମୋତେ କୌଣସି ଚାକିରିର ସନ୍ଧାନରେ ବାହାରିବାକୁ ହେବ । ଆନା, ତୁମକୁ ଆଉ ବାହାରକୁ ଯାଇ ପରିଶ୍ରମ କରି ଟଙ୍କା ରୋଜଗାର କରିବାକୁ ପଡ଼ିବ ନାହିଁ । ଇଚ୍ଛା ହେଲେ, ତୁମେ କାଲିଠୁ ତୁମର କାମ ଛାଡ଼ିଦେଇ ପାର । ମୋ ପାଖରେ ଯାହା ପୁଞ୍ଜିପଟା ଅଛି, ସେଥିରେ କାମ ନ ପାଇଲେ ବି ମୁଁ ଚଳିଯାଇ ପାରିବି ।

 

ଆନା କହି ପକାଇଲା...ରୁହ, ମୁଁ ତୁମର ଶୋଇବାର ଜାଗାଟା ଠିକ୍ କରିଦିଏ । ସେହି ସୋଫାଟାରେ ଶୋଇଲେ ତୁମର କିଛି ଅସୁବିଧା ହେବ ନାହିଁ ତ ?

 

ଏହା ଶୁଣି କାର୍ଲ ମନେ ମନେ ଭାବିଲା–ଏ ଫେର୍ କି କଥା ! ମୋ ଲାଗି କାହିଁକି ଅଲଗା ବ୍ୟବସ୍ଥା ହେଉଛି ? ତାହାହେଲେ କଅଣ ଏବେ ସୁଦ୍ଧା ତାହାର ମନରୁ ସନ୍ଦେହ ତୁଟି ନାହି-?

 

ସନ୍ଧ୍ୟା ଗଡ଼ି ଗଲାଣି ।

 

ସେମାନେ ଦୁହେଁ ସାମନା ସାମନି ବସି ଥାଆନ୍ତି । ଘରେ ଆଲୁଅ ଜଳୁଥାଏ । କକ୍ଷର ଚାରୋଟି କାନ୍ଥ ଯେମିତି ଚାରିଦିଗରୁ ସେମାନଙ୍କୁ ବାହାର ଜଗତଠାରୁ ବିଚ୍ଛିନ୍ନ କରି ରଖିଥିଲା । ହାଣ୍ଡିଶାଳରେ ଚୁଲି ଜଳୁଥିଲା । ସେମାନେ ଯେଉଁଠି ବସି କଥା ହେଉଥିଲେ, ତାର ଡାହାଣ ପଟେ ବିଛଣା, ବାମ ପଟେ ଭୋଜନ ଟେବୁଲ, ଆଉ କାନ୍ଥକୁ ଲାଗି ଖଣ୍ଡିଏ ସୋଫା ପଡ଼ିଥିଲା ।

 

ଆନା ସେଠାରେ ବସି ମନେମନେ ଢେର୍‍ କିଛି ଭାବୁଥିଲା । କିଏ ଏହି ଲୋକଟି ? ହଠାତ୍ ଏଠି ହାଜର ହୋଇ ତାହାର ସ୍ଵାମୀ ହେବାକୁ ବା ବସୁଛି କାହିଁକି ସେ ? କିପରି ଭାବରେ ସେ ରିଚାର୍ଡ଼ର ସବୁ ଭିତରି କଥା ଜାଣିପାରିଲା ? ସେମାନଙ୍କ ଦାମ୍ପତ୍ୟ ଜୀବନର ନାନା ଗୋପନୀୟ କଥା ଏବଂ ଅନେକ ଟିକିନିଖି ଘଟଣା ବା ସେ କିପରି ଜାଣି ପାରିଲା ?

 

ଭୋଜନ ସମୟରେ ରିଚାର୍ଡ଼ ଯେମିତି ରୋଟିସବୁ କାଟେ, ତାହାକୁ ଅବିକଳ ସେମିତି କରିବାର ଦେଖି ଆନା ଅବାକ୍‍ ହୋଇଗଲା । ରିଚାର୍ଡ଼ର ସବୁ ଢଙ୍ଗଢ଼ାଙ୍ଗ, ଆଚାର-ବ୍ୟବହାର, ଚାଲି-ଚଳନ ସେ ବା କିପରି ଆୟତ୍ତ କରିପାରିଲା ? ଏସବୁ ଶିଖିଲା କେଉଁଠୁ ? କିଏ ଏହି ଲୋକଟି ? ଏ ତ ରିଚାର୍ଡ ନୁହେଁ, ନା, କଦାପି ନୁହେଁ । ତାହାହେଲେ ଏ କିଏ ?

 

କାର୍ଲର କଥା ଶୁଣି ଆନା ମନେ ମନେ ଖୁସି ହେଲା । କିନ୍ତୁ ପର ମୁହୂର୍ତ୍ତରେ ତାହାର ମନ ଭିତରେ ବିଦ୍ରୋହର ରେଖା ଉଙ୍କି ମାରିଲା । ନିଜକୁ ସମ୍ଭାଳି ନ ପାରି ସେ ରୁକ୍ଷ କଣ୍ଠରେ ତାହାକୁ ପଚାରିଲା...କାହିଁକି ତୁମେ ବାରମ୍ବାର ନିଜକୁ ମୋର ସ୍ଵାମୀ ବୋଲି ପରିଚୟ ଦେଉଛ ? ତୁମର ମତଲପ କଅଣ, ମୁଁ ତ କିଛି ବୁଝି ପାରୁ ନାହିଁ ।

 

କାର୍ଲ ତତ୍‍କ୍ଷଣାତ କହି ପକାଇଲା...ଆନା ! ପ୍ରିୟତମା ! ଏ ସବୁ କି କଥା ତୁମେ ତୁଣ୍ଡକୁ ଆଣୁଛ ?

 

ଆନା ପୁଣି ଚଢ଼ା ଗଳାରେ କହିଲା...ଠିକ୍ କହୁଛି । ତୁମେ ମୋର ସ୍ଵାମୀ ନୁହଁ ! ସେ କେଡ଼େ ଭଲ ମଣିଷ ଥିଲେ ! କେତେ ମଧୁର ତାଙ୍କର ସ୍ଵଭାବ ! ତୁମେ କଅଣ ମନେ କରୁଛ ଯେ ମୁଁ ତାହାଙ୍କୁ ପାସୋରି ଦେଇଛି ? କୌଣସି ନାରୀ କଅଣ କେବେ ନିଜର ସ୍ଵାମୀକୁ ଭୁଲିଯାଇ ପାରେ-?

 

ଆନାର ତୁଣ୍ଡରୁ ଏତକ ଶୁଣି କାର୍ଲର ମନ ଭିତରେ ରିଚାର୍ଡ଼ ପ୍ରତି ଏକ ଇର୍ଷାର ଭାବ ଜାତ ହେଲା । ତାହାହେଲେ ଆନା ଏବେ ସୁଦ୍ଧା ରିଚାର୍ଡ଼କୁ ଭଲ ପାଏ ? କାର୍ଲର ଧାରଣା ହେଉଥିଲା, ରିଚାର୍ଡ଼ ଯେମିତି ତାହାର ପ୍ରେମର ପ୍ରତିଦ୍ଵନ୍ଦ୍ୱୀ । କିନ୍ତୁ ଏଠାରେ ତାହାର ପାଟି ବନ୍ଦ କରି ନୀରବ ରହିବା ଛଡ଼ା ଅନ୍ୟ ଗତି ନାହିଁ । ଯେ କୌଣସି ଉପାୟରେ ଆନାର ମନ ଭିତରେ ଏହି ଧାରଣା ଆଣିବାକୁ ହେବ ଯେ ସେ ହିଁ ହେଉଛି ରିଚାର୍ଡ଼ । ଏ କ୍ଷେତ୍ରରେ ଟିକିଏ ଏପାଖ ସେପାଖ ହୋଇଗଲେ, ନିଶ୍ଚୟ ନିଜର ସର୍ବନାଶ ଘଟିବ ।

 

ସୁତରାଂ କାର୍ଲ ଧୀର ଗଳାରେ ତାହାକୁ କହିଲା–କି ଆଶ୍ଚର୍ଯ୍ୟ ! ତୁମେ କଅଣ ଏବେ ସୁଦ୍ଧା ବିଶ୍ୱାସ କରିପାରୁ ନାହଁ ଯେ ମୁଁ ତୁମର ସ୍ଵାମୀ ! ମୁଁ ଯେ ନିଶ୍ଚୟ ରିଚାର୍ଡ଼, ଏ କଥା ବା ତୁମକୁ ମୁଁ କିପରି ଭାବରେ ବୁଝାଇବି କୁହ ତ ଦେଖି ?

 

କିଛି କ୍ଷଣ ନୀରବ ରହି, କାର୍ଲ ପୁଣି କହିଲା...ହେଉ, ହେଲା, ଠିକ୍ କଥା, ମୋତେ ପ୍ରମାଣ ଦେବାକୁ ପଡ଼ିବ । ମୁଁ ସେଥିରେ ରାଜି । ହେଉ, ପ୍ରଥମେ ଦେଖାଯାଉ ଏହି ପରଦା ଗୁଡ଼ିକର କଥା । ଏଗୁଡ଼ିକ ନିଶ୍ଚୟ ବଦଳା ହୋଇଛି । ଯେତେବେଳେ ଆମେ ପ୍ରଥମେ ପରଦା କିଣିଥିଲେ, ସେଗୁଡ଼ିକର ରଙ୍ଗ ହଳଦିଆ ଥିଲା । ଦୋକାନୀ ଆମକୁ କହିଥିଲା, ସେହି ପରଦାଗୁଡ଼ିକ ବାଛି ଆମେ ଜିତି ଯାଇଛୁ । ମନେ ଅଛି ତୁମର ସେହି କଥା ପଦକ ?

 

ଏହି କଥାଟି କାର୍ଲର ମୁଖରୁ ଶୁଣି, ଆନା ଆଶ୍ଚର୍ଯ୍ୟ ହୋଇଗଲା । ହଠାତ ତାହାର ମନେପଡ଼ିଗଲା, ସତରେ ଦୋକାନୀ ତ ସେ ଦିନ ତାହାଙ୍କୁ ଏ କଥା କହିଥିଲା । ଆମ ଘରର ସେହି ପରଦାଗୁଡ଼ିକର ରଙ୍ଗ ତ ହଳଦିଆ ଥିଲା । ସେ କଥା ବା ଏ ଲୋକଟା ଜାଣିଲା କିପରି ?

 

ଆନାକୁ ନୀରବ ରହିବାର ଦେଖି, କାର୍ଲ ପୁଣି ପଚାରିଲା...ଆଉ ପ୍ରମାଣ ଚାହ ? ହେଉ, ଶୁଣ । ଯେତେବେଳେ ଆମେ ଏହି ଆସବାସଗୁଡ଼ିକ ଭଡ଼ାରେ ଆଣିଲେ, ଭାବୁଛି, ସେତେବେଳକା କଥା ନିଶ୍ଚୟ ତୁମର ମନେ ଥିବ । ଦୋକାନୀ ସାଙ୍ଗରେ ଆମର ଜବାବ ହୋଇଥିଲା ଯେ କିସ୍ତି ୱାରିରେ ଦାମଟା ତୁଟାଇ ଦେଇ ପାରିଲେ ସେଗୁଡ଼ିକ ଆମର ହୋଇଯିବ । ଏ କଥା କଅଣ ତୁମର ମନେପଡ଼ୁ ନାହିଁ ?

ଆନା ଆଉ ଚୁପ୍‍ ହୋଇ ରହି ପାରିଲା ନାହିଁ । ସହସା ତାହାର ତୁଣ୍ଡରୁ ବାହାରିଗଲା–ସେ ସବୁର ଦାମ ତ ମୁଁ କେବେଠୁ ମେଣ୍ଟାଇ ଦେଲିଣି ।

ଏହା ଶୁଣି କାର୍ଲ ନିଜର ଭ୍ରୂ ଉପରେ ହାତ ବୁଲାଇବାକୁ ଲାଗିଲା ।

ରିଚାର୍ଡ଼ର ଏହି ଅଭ୍ୟାସଟି ଥିଲା ।

ଆନା ପୁଣି ମନେ ମନେ ଭାବିବାକୁ ଲାଗିଲା–ଏ କି କଥା ? ଏ ଲୋକଟି ବା ଏ କଥା ଜାଣିଲା କିପରି ? ଲୋକଟି କଅଣ ତାହାହେଲେ କିଛି ମନ୍ତ୍ର ଜାଣେ ? ତାହା ନ ହେଲେ ସେ ବା କିପରି ଆମର ସବୁ ଭିତିରି କଥା ଜାଣିପାରିଲା ? ତାହା ଛଡ଼ା, ଦେଖୁଛି, ରିଚାର୍ଡ଼ର ମୁଦ୍ରା-ଦୋଷଗୁଡ଼ିକ ବି ତାହାକୁ ଜଣା । ଏହା କଅଣ କେବେ ସମ୍ଭବ ହୋଇପାରେ ?

କାର୍ଲ ପୁଣି ପଚାରିଲା–ଆଉ କିଛି ଶୁଣିବାକୁ ଚାହ ? ତୁମର ଡାହାଣ ଉରୁ ଉପରେ ତିନିଟା ତିଳ ଚିହ୍ନ ଅଛି । କହିବ ତ, ମୁଁ ଏକ୍ଷଣି ଦେଖାଇ ଦେବି ।

ଆନା ଅସ୍ପଷ୍ଟ କଣ୍ଠରେ କହିଲା, ମାନୁଛି, ସବୁ ସତ । ବିଶ୍ୱାସ ନ କରି ମୋର ଅନ୍ୟ ଉପାୟ ନାହିଁ । ମାନୁଛି, ତୁମର ସବୁ କଥା ଖାଣ୍ଟି ସତ । କିନ୍ତୁ, ତଥାପି କହୁଛି, ତୁମେ ସେ ନୁହଁ । କିନ୍ତୁ–କିନ୍ତୁ ଫେର କଅଣ, ଆନା ?

 

କିନ୍ତୁ ମୁଁ ଭାବି ଥଳକୂଳ ପାଉ ନାହିଁ, କିପରି ଏମିତି କଥା ହେଉଛି । ସତରେ ତୁମେ ମୋତେ ଗୋଟାଏ ଚକ୍ରବ୍ୟୁହ ଭିତରେ ଆଣି ପକାଇ ଦେଇଛ ।

 

ଏହା କହି, ହଠାତ୍ ଠିଆ ହୋଇ ପଡ଼ି, ଆନା ସେଠାରୁ ଚାଲି ଯାଉୋ ଯାଉଁ କହିଲା...ମୋତେ ଟିକିଏ ଧୀର ସ୍ଥିର ଭାବରେ ଭାବିବାକୁ ସମୟ ଦିଅ । ମୋର ମଥା ଭିତରେ ସବୁ କିଛି ଗୋଳମାଳ ହୋଇଯାଉଛି । ମୁଁ କିଛି ସ୍ଥିର କରି ପାରୁ ନାହିଁ । ଗୋଟାଏ ଗୋଲକଧନ୍ଦା ଭିତରେ ମୁଁ ବୁଲୁଛି ।

 

ଆନା ସେଠାରୁ ଚାଲିଗଲା ।

 

ସେ ଚାଲିଗଲେ ସୁଦ୍ଧା, କାର୍ଲର ଦୃଷ୍ଟି ତାହାକୁ ଅନୁସରଣ କରି ଧାଉଁଥାଏ । ସେ ଯେମିତି ଆନାକୁ ଦୁଇଟି ଆଖିରେ ଗିଳି ପକାଇବାକୁ ଚାହେ । କି ସୁନ୍ଦର ତାହାର ମୁଖଟି ! କିପରି ଚମତ୍କାର ଭାବରେ ପ୍ରଜାପତିଟିଏ ପରି ସେ ଘୁରି ବୁଲି ସବୁ କାମ କରେ ! ତାହାର ହାତ ଦୁଇଟି କି ସୁନ୍ଦର !

 

କାର୍ଲର ଛାତି ଭିତରେ ହଠାତ୍ ନିଆଁ ଜଳି ଉଠିଲା । କିନ୍ତୁ ପର ମୁହୂର୍ତ୍ତରେ ତାହାକୁ ନିଜର ମାନସିକ ଦୁର୍ବଳତା ଚାପି ରଖିବାକୁ ପଡ଼ିଲା । ଆଜି ସେ ରିଚାର୍ଡ଼ର ଭୂମିକାରେ ଅଭିନୟ କରିବାକୁ ଏଠାକୁ ଆସିଛି ! ଏହି ଅଭିନୟରେ ତାହାକୁ ଯେ କୌଣସି ମତେ କୃତିତ୍ଵ ଅର୍ଜନ କରିବାକୁ ହିଁ ପଡ଼ିବ ।

 

କିଛି କ୍ଷଣ ପରେ ଆନା ଆସି ଟେବୁଲ ସଫା କରିବାକୁ ଲାଗିଲା । କାମର ଫାଙ୍କରେ ମଝିରେ ମଝିରେ ସେ କାର୍ଲ ଆଡ଼କୁ କଣେଇ କଣେଇ ଅନାଉଥାଏ ।

 

କାର୍ଲ ତାହାକୁ ପଚାରିଲା...ତୁମେ ଏକ୍ଷଣି କେଉଁଠି କାମ କରୁଛ, ଆନା ?

 

ଆନା ଗୋଟିଏ କାର୍ଡବୋର୍ଡ କାରଖାନାର ନାମ କହିଲା । ସେଠାରେ କେତେ ଦରମା ମିଳୁଛି, ତାହା ବି ସେ ତା’ ଆଗରେ ପ୍ରକାଶ କଲା ।

 

ଟେବୁଲ ସଫାସୁତୁରା ହୋଇଗଲା ।

 

ଆନା ପେଟରା ଖୋଲି ଖଣ୍ଡିଏ ତକିଆଖୋଳ ଓ ଖଣ୍ଡିଏ ବିଛଣା ଚାଦର କାଢ଼ି ଆଣିଲା-। ତା’ପରେ ସେ ତକିଆଟି ଖୋଳରେ ପୂରାଇଲା, ଏବଂ ଚାଦରଟି ସୋଫା ଉପରେ ବିଛାଇଦେଇ ତକିଆଟି ରଖିଦେଲା ।

 

ଆନା କ୍ଷୀଣ କଣ୍ଠରେ ପଚାରିଲା–ଏବେ ଆଲୁଅଟା ଲିଭାଇ ଦେଉଛି ?

 

କାର୍ଲ ତୁରନ୍ତ ଜବାବ ଦେଲା–ହଁ ।

 

କାର୍ଲ ସୋଫା ଉପରେ ଶୋଇଥିଲା । ତାହାର ଆଖିକୁ ନିଦ ଆସୁ ନ ଥିଲା । ଅନଭ୍ୟସ୍ତ ଶଯ୍ୟା, ନୂତନ ପରିବେଶ, ଅତି ନିକଟରେ ଫୁଟନ୍ତା ଫୁଲ ଭଳି ଆନାର ଯୌବନ-ପରିପୂର୍ଣ୍ଣ ଦେହ–ମାତ୍ର ତିନି ଗଜ ଦୂରରେ ।

 

ଘର ଭିତରେ ଛାଇଛାଇଆ ଅନ୍ଧାର ।

 

କାର୍ଲର ଆଖିକୁ ନିଦ ଆସୁ ନ ଥିଲା । ସୋଫା ଉପରେ ଆଖି ବୁଜି ସେ ଘାଲେଇ ହୋଇ ପଡ଼ି ରହିଥିଲା । ମଝିରେ ମଝିରେ ସେ ଆଖି ଖୋଲି ଆନାର ବିଛଣା ଆଡ଼କୁ ଅନାଇ ଦେଉଥିଲା ।

 

କିଛି କ୍ଷଣ ପରେ କାର୍ଲ ଡାକିଲା–ଆନା !

 

ଆନା କିଛି ଜବାବ ଦେଲା ନାହଁ ।

 

କାର୍ଲ ପୁଣି ପଚାରିଲା–ଶୋଇ ଗଲଣି କି, ଆନା ?

 

ଚୁମ୍ବକରେ ଜବାବ ଆସିଲା–ନା ।

 

ପୁଣି କିଛି କ୍ଷଣ ଚୁପ୍‍ଚାପ୍ ।

 

କାର୍ଲର ଛାତି ଭିତରେ ଯେମିତି ହାତୁଡ଼ିର ପାହାର ପଡ଼ୁଥିଲା । ସେତେବେଳେକୁ ବାହାରର କଳରବ ପ୍ରାୟ ମିଳେଇ ଗଲାଣି । ମଝିରେ ମଝିରେ ଖାଲି ଗୋଟାଏ ଦୁଇଟା ମଟରଋ ଶବ୍ଦ କାନରେ ଆସି ବାଜୁଥିଲା ।

 

ଆନା ଚୁପ୍‍ଚାପ୍ ଶୋଇ ରହିଥିଲା । କୋଣସି ସୋର୍ ଶବ୍ଦ ନ ଥିଲା । ଟିକିଏ ହେଲେ ହଲଚଲ ବି ସେ ହେଉ ନ ଥିଲା ।

 

କାର୍ଲର ଥରେ ଇଚ୍ଛା ହେଲା, ଉଠି ଯାଆନ୍ତା ଆନା ପାଖକୁ । ଖୁବ୍ କତିରେ ତ ସେ ଶୋଇଛି । ମୋଟେ ତିନି ଗଜ ଦୂରରେ ! କିନ୍ତୁ କଥାଟା ଭାବିଲା ମାତ୍ରେ, ଗୋଟାଏ ଅଜଣା ଆଶଙ୍କାରେ ତାହାର ଛାତିଟା ଧଡ଼ପଡ଼ ହେଲା । ଯଦି ସେ ପାଟି କରେ !

 

ତେଣେ ଆନାର ଆଖିକୁ ନିଦ ଆସୁ ନ ଥିଲା । ମଡ଼ା ଭଳି ଚୁପ୍‍ଚାପ୍ ବିଛଣାରେ ପଡ଼ି ରହି ସେ ମନକୁ ମନ ପଚାରୁଥାଏ...କିଏ ଏହି ଲୋକଟି ? ସେ ଯେ ରିଚାର୍ଡ ନୁହେଁ, ମୁଁ ଏହା ହଲପ କରି କହି ପାରେ । ତାହାହେଲେ ସେ କିଏ ? ସେ କଅଣ ଗୋଟାଏ ଯାଦୁକର ? କିପରି ବା ସେ ଆମ ଦାମ୍ପତ୍ୟ ଜୀବନର ସବୁ ଭିତିରି କଥା ଜାଣି ପାରିଲା ? ଆଚ୍ଛା, ଯଦି ସେ ଏକ୍ଷଣି ମୋ ପାଖକୁ ଉଠିଆସେ, ତାହାହେଲେ ମୁଁ କଅଣ କରିବି ? ସେ ତ ମୋର ସ୍ଵାମୀ ନୁହେଁ । ତାହାହେଲେ ସୁଦ୍ଧା ଆମ ଭିତରେ କଅଣ ଏକ୍ଷଣି ସ୍ଵାମୀ ସ୍ତ୍ରୀର ସମ୍ବନ୍ଧ ସ୍ଥାପିତ ହେବ ? ଯଦି ସେ ଏକ୍ଷଣି ଉଠି ପଡ଼ି ମୋ ପାଖକୁ ଚାଲି ଆସେ ?

 

ଆନା ଆଉ କିଛି ଭାବି ପାରିଲା ନାହିଁ । ତାହାର ଛାତି ଭିତରଟା ଧଡ଼ପଡ଼ ହେବାକୁ ଲାଗିଲା ।

 

ଏହିପରି ଭାବରେ ଦୁଇ ଜଣଙ୍କର ମନ ଭିତରେ ଦୁଇ ରକମର ଚିନ୍ତା ଆନ୍ଦୋଳିତ ହେବାକୁ ଲାଗିଲା ।

 

ବହୁତ ଦିନ ହେଲା କାର୍ଲ ଭଲ ବିଛଣାରେ ଶୋଇବାକୁ ପାଇ ନ ଥିଲା । ତାହା ଛଡ଼ା ଗଲା ତିନୋଟି ମାସ ସେ ଯେପରି କଦର୍ଯ୍ୟ ଭାବରେ କଟାଇଛି, ଗୋଟାଏ ପଶୁ ବି ସେମିତି ଅବସ୍ଥାରେ ରହୁ ନ ଥିବ । ତେଣୁ ତାହାର ଶରୀରଟା କ୍ଳାନ୍ତିରେ ଅବସନ୍ନ ହୋଇ ପଡ଼ିଥିଲା । ତାହାର ମଥା ଭିତରେ ନାନା ରକମ କଥା ଆସି ଖେଳିବାକୁ ଲାଗିଲା–ବନ୍ଦୀ ଜୀବନର ଅସୁମାରି ଦୈନନ୍ଦିନ ଘଟଣା । ବନ୍ଧୁ ରିଚାର୍ଡ଼...ନିର୍ବାସନ ଶିବିରର ସେନାପତି...ନିର୍ଜନ ପ୍ରାନ୍ତରରେ ପ୍ରତିଦିନ ମାଟି-ଖୋଳା–ନିର୍ବାସନ ଶିବିରରୁ ପଳାୟନ–କେତେ ନଦୀ, ପାହାଡ଼, ବଣ-ଜଙ୍ଗଲ, ଗାଁ-ଗଣ୍ଡା, ଅସରନ୍ତି ରାସ୍ତା-ଘାଟ । ଏସବୁ ଯେମିତି ଅବିକଳ ଚଳଚ୍ଚିତ୍ରର ଛବି ପରି ତାହାର ଆଖି ଆଗରେ ଭାସି ଯିବାକୁ ଲାଗିଲା ।

 

ହଠାତ୍ ତାହାର ଶୈଶବର କଥା ମନେପଡ଼ିଗଲା...ସେତେବେଳେ ତାହାର ବୟସ ମାତ୍ର ଦଶ ବର୍ଷ । ଦିନେ ସେ ତା’ ବାପାଙ୍କ ସାଙ୍ଗରେ ଗୋଟାଏ ପଲ୍ଲୀ ଗାଁକୁ ବୁଲି ଯାଇଥିଲା । ରବିବାର ଦିନ । ସକାଳୁ ଘରୁ ବାହାରି ସେମାନେ ଚାଲି ଚାଲି ଯାଉଥିଲେ । କେତେ ଚାଷ-ବିଲ, କେତେ ଘାସ ପଡ଼ିଆ, କେତେ କୁଡ଼ିଆ ପାରି ହୋଇ ଶେଷରେ ସେମାନେ ଆସି ପହଞ୍ଚିଲେ ଗୋଟିଏ ପାହାଡ଼ଘେରା ସୁନ୍ଦର ପଲ୍ଲୀ ଗାଁରେ ।

 

ଗାଁର ମଝିରେ ଗୋଟାଏ ସରାଇ ଥିଲା । ସରାଇକୁ ଲାଗି ଗୋଟାଏ ବଡ଼ ବରଗଛ ଠିଆ ହୋଇଥିଲା । ସେହି ଗଛ ତଳେ ସେମାନେ ବସିଥିଲେ । ଟିକିଏ ଦୂରରେ ଗୋଟିଏ ବଡ଼ ଘର ଥିଲା । ବୋଧହୁଏ ଗାଁର ଜମିଦାରଙ୍କର ଘର । ସେହି ଘର ସାମନାରେ ଗୋଟିଏ ସୁନ୍ଦର ଫୁଲ ବଗିଚା ଥିଲା । ହଠାତ୍ ଝିଅଟିଏ ଘରୁ ବାହାରି ଆସି ସେହି ବଗିଚାରେ ଠିଆ ହେଲା । ଝିଅଟିକୁ ଦେଖି ତାହାର ବାପା ଉଠିଗଲେ, ଆଉ ତାହାକୁ କଅଣ ସବୁ କହିଲେ । ସେମାନେ କି କଥା ହେଲେ, ସେ ଅବଶ୍ୟ ତାହା ଶୁଣି ପାରିଲା ନାହିଁ ।

 

କାର୍ଲର ମନେ ହେଲା, ସେହି ଝିଅଟି ବୋଧହୁଏ ଆନା । ତେଣୁ ସେ ହଠାତ୍ ପାଟି କଲା...ତୁମେ ତାହାକୁ ଛୁଅଁ ନାହିଁ, ଆନା !

 

ହଠାତ୍ କାର୍ଲର ନିଦ ଭାଙ୍ଗିଗଲା । ତତ୍‍କ୍ଷଣାତ ଉଠି ପଡ଼ି ସେ ମନେମନେ ଭାବିଲା...ଏଁ, ତାହାହେଲେ ଏତେବେଳ ଯାଏ ମୁଁ ସ୍ଵପ୍ନ ଦେଖୁଥିଲି !

 

ସେତେବେଳେ ଆନା ନିଜର ଶେଯରେ ଖୁବ ଗାଢ଼ ନିଦରେ ଶୋଇ ଯାଇଥିଲା ।

 

 

ରାତି ପାହିଲା । ନିଦ ଭାଙ୍ଗିଗଲାରୁ କାର୍ଲ ଦେଖି ପାରିଲା, କଁଅଳ ଖରା ଆସି ଘର ଭିତରେ ଢେଉ ମାରୁଛି ।

 

ଝରକା ବାଟେ ରୁପେଲି ଖରା ମୁଠିଏ ଆସି ବିଛଣା ଉପରେ ପଡ଼ିଥିଲା ।

 

ପାଖ କୋଠରୀରେ ଚୁଲି ଉପରେ କେତଲିରେ ପାଣି ଟକଟକ ହୋଇ ଫୁଟୁଥିଲା । ଚାପା ଦିଆଯାଇଥିବା କେତଲିର ଢାଙ୍କୁଣିଟା ଟେଲିଗ୍ରାଫ ଯନ୍ତ୍ର ପରି ଟରେ-ଟକ୍‍କା ଶବ୍ଦ କରୁଥିଲା ।

 

କାର୍ଲ ମଥା ଟେକି ଆନାର ଶଯ୍ୟା ଆଡ଼କୁ ଅନାଇଲା । ଦେଖିଲା, ଆନା ଶଯ୍ୟାରେ ନାହିଁ । ଶଯ୍ୟା ଶୂନଶାନ୍‍ । ବିଛଣାଟା ଉଠାଇ ରଖା ହୋଇଛି ।

 

ହଠାତ୍ ଦୁଆରର ବାହାରଆଡ଼ୁ କାହାର ମୋଟା ଗଳା ଶୁଣାଗଲା...କଅଣ କହିଲେ ? ଆଜି ଚାରିଟା ଦରକାର ? କିନ୍ତୁ ନିତି ତ ଆପଣ ଦୁଇଟି ରୋଟି ନିଅନ୍ତି !

 

ଆନା ତାହାକୁ କଅଣ ଜବାବ ଦେଲା, ସେ ଶୁଣି ପାରିଲା ନାହିଁ ।

 

ଲୋକଟି ପୁଣି କହିଲା–ଅତିଥି ଅଛନ୍ତି ! ଓ, ସେୟା କହୁ ନାହାନ୍ତି !

 

କାର୍ଲର ମନ ଆନନ୍ଦରେ ନାଚିବାକୁ ଲାଗିଲା ।

 

ତାହାହେଲେ ଆନା ତାହାରି ଲାଗି ରୋଟି ନେଉଛି !

 

କିଛି କ୍ଷଣ ପରେ ଦୁଆର ଖୋଲି ହାତରେ ଚାରୋଟି ରୋଟି ଓ ଦୁଧର ପାତ୍ର ଧରି ଆନା ଘର ଭିତରକୁ ପଶି ଆସିଲା ।

 

କାର୍ଲ ଲକ୍ଷ୍ୟ କଲା, ସକାଳୁ ଆନା ଗୋଟିଏ ଭଲ ଜାମା ପିନ୍ଧିଛି । ସେହି ଜାମାଟି ପିନ୍ଧିବାରୁ ସେ ଭାରି ଲୋଭନୀୟ ଦେଖାଯାଉଛି । ତାହାର ଦେହର ପ୍ରତି ଅଙ୍ଗପ୍ରତ୍ୟଙ୍ଗ ଅତିଶୟ ସ୍ପଷ୍ଟ ଭାବରେ ବାରି ହେଉଛି ।

 

ଆନାକୁ ଦେଖି କାର୍ଲ ତରବର ହୋଇ ନିଜର ମଇଳା ଜାମାଟାର ଛାତିର ବୋତାମଗୁଡ଼ିକ ଲଗାଇ ଦେବାକୁ ଲାଗିଲା । ବୋଧହୁଏ ତାହାର ଲୋମଶ ଛାତି ଉପରେ ଆନାର ଯେମିତି ନଜର ନ ପଡ଼େ, ସେଥିପାଇଁ ସେ ଛାତିଟା ଲୁଚାଇ ରଖିବାକୁ ଏମିତି ସତର୍କତା ଅବଲମ୍ବନ କରୁଥିଲା ।

 

ସୁନ୍ଦରୀ ନାରୀ ନିକଟରେ ପୁରୁଷ ନିଜକୁ ସୁନ୍ଦର କରି ଦେଖାଇବାକୁ ଚାହେଁ । ସେଥିପାଇଁ ଅତି କୁତ୍ସିତ ପୁରୁଷ ମଧ୍ୟ ଭଲ ପୋଷାକପତ୍ର ପିନ୍ଧି ନିଜକୁ ସୁନ୍ଦର ଓ ଆକର୍ଷଣୀୟ କରିବାକୁ ଚେଷ୍ଟା କରେ ।

 

କାର୍ଲର ମନେ ହେଲା, ଆନା ନିକଟରେ ସେ ଗୋଟାଏ ମାଙ୍କଡ଼ ।

 

ଆନା ! ଦେଖିବାକୁ ସେ କି ସୁନ୍ଦର !

 

ଏତିକିବେଳେ ଆନା ତା’ ସାମନାକୁ ଆସି କହିଲା...ସୁପ୍ରଭାତ !

 

କି ସୁମଧୁର କଣ୍ଠ !

 

ରୋଟି ଓ ଦୁଧ ଥୋଇଦେଇ ଆନା ଟେବୁଲ ସଫାସୁତରା କରିବାକୁ ଲାଗିଲା ।

 

ଆନାକୁ ଏମିତି ହର୍ଷୋତଫୁଲ୍ଲ ଚିତ୍ତରେ ଟେବୁଲ ସଜାଇବାର ଦେଖି, କାର୍ଲର ମନେ ହେଲା...ହୁଏତ ଆନା ତାହାକୁ ଗ୍ରହଣ କରିଛି ।

 

ପେଟରାରୁ ସବୁଠୁଁ ବେଶୀ ଦାମିକା ଧଳା ଚାଦରଟି କାଢ଼ି ଆଣି ଥାନା ଟେବୁଲ ଉପରେ ବିଛାଇଦେଲା ।

 

ଏହା ଦେଖି କାର୍ଲ ତତ୍‍କ୍ଷଣାତ ଉଠିଯାଇ ଗାଧୁଆ-ଘର ଭିତରକୁ ପଶିଗଲା ଏବଂ ମୁହଁ-ହାତ ଧୋଇ ବାହାରି ଆସିଲା । ତା’ପରେ ଝରକା କତିରେ ଠିଆ ହୋଇ ସେ ନିବିଷ୍ଟ ଚିତ୍ତରେ ଆନାର କାର୍ଯ୍ୟକଳାପ ଲକ୍ଷ୍ୟ କରିବାକୁ ଲାଗିଲା । ତାହାକୁ ଜଣାଗଲା, ଆଜିର ଆନା ଏକାବେଳେ ନୂଆ, କାର୍ଲର ସେହି କୁଷ୍ମାଣ୍ଡା ମୁହିଁ ନୁହେଁ । ଆନା ବୋଧହୁଏ ନୂତନକୁ ସ୍ଵାଗତ କରିବା ପାଇଁ ନିଜକୁ ପ୍ରସ୍ତୁତ କରି ସାରିଲାଣି ।

 

କାର୍ଲ ବାରମ୍ବାର ଆନା ଉପରେ ଦୃଷ୍ଟି ନିକ୍ଷେପ କରିବାକୁ ଲାଗିଲା ।

 

ଆନା ଥରେ କାର୍ଲର ପାଖ ଦେଇ ଚାଲି ଯାଉଥିଲା । କାର୍ଲ ତାହାର ହାତ ଧରି ପକାଇଲା, ଛାତି ଉପରକୁ ଭିଡ଼ିନେଲା, ଏବଂ ମୁଖରେ ଚୁମ୍ବନ ଆଙ୍କିଦେଲା । ଆନା ଏଥିରେ ତିଳେ ମାତ୍ର ବାଧା ଦେଲା ନାହିଁ । ସେ କହିଲା...ହେଉ, ଥାଉ, ସେତିକି ହୋଇଥାଉ, ଆଗ ଖାଇ ସାର ।

 

ଆନାର କଥାରୁ ଢଙ୍ଗରୁ କାର୍ଲ ଯେମିତି ଗୋଟାଏ ନିର୍ଭର ପ୍ରତିଶ୍ରୁତି ଲାଭ କଲା ।

 

ଭୋଜନ ଟେବୁଲରେ କାର୍ଲ ଓ ଆନା ବସିଥିଲେ । ଖାଉଁ ଖାଉଁ ଆନା ମଝିରେ ମଝିରେ କାର୍ଲ ଆଡ଼କୁ ଅନାଉଥିଲା । କାର୍ଲ ଦେଖିଲା, ଆନା କାହିଁକି କିଛି ଖାଇ ପାରୁ ନାହିଁ ।

 

ଭୋଜନ ସରିଗଲା । ଆନା ଉଠିଯାଇ ଝରକା କତିରେ ଠିଆ ହେଲା ।

 

କାର୍ଲ ମଧ୍ୟ ଉଠିଯାଇ ତା’ ପାଖରେ ଠିଆ ହେଲା ।

 

କାର୍ଲ ଆନାର କାନ୍ଧ ଉପରେ ହାତ ରଖି ଧୀରେ ଧୀରେ ଡାକିଲା...ଆନା !

 

କଅଣ ?

 

କାର୍ଲ ଲକ୍ଷ୍ୟ କଲା, ଆନାର ଅଧର-କୋଣରେ ମୃଦୁ ହାସ୍ୟ-ରେଖା ଖେଳୁଛି ।

 

ସହସା କାର୍ଲ ଦୁଇ ହାତରେ ଆନାକୁ କୁଣ୍ଢାଇ ପକାଇଲା ।

 

ଆନା ଏଥିରେ ତିଳେ ହେଲେ ବାଧା ଦେଲା ନାହିଁ ।

 

କାର୍ଲ ଆନାର ମୁଖକୁ ଚାହିଁ ରହିଲା । ସେତେବେଳେ ଆନା ନିଜର ସୁନ୍ଦର ମୁଖଟି ଏକାବେଳେ କାର୍ଲର ମୁଖ ପାଖକୁ ନେଇ ଆସିଥିଲା ।

 

ଆନାର ଓଠ ଦୁଇଟି ଯେମିତି କିଛିର ଆଶାରେ କମ୍ପୁଥିଲା !

 

ଆନାର ଆବେଗ-କମ୍ପିତ ଓଠ ଉପରେ କାର୍ଲ ଗୋଟିଏ ଗାଢ଼ ଚୁମ୍ବନ ଆଙ୍କିଦେଲା ।

 

ମ୍ଳାନ-ମଧୁର ହସରେ ଆନାର ଓଠ ଦୁଇଟି ଉଦ୍‍ଭାସିତ ହୋଇଗଲା । ତା’ପରେ ସେ ନିଜକୁ କାର୍ଲର ସବଳ ବାହୁ-ବନ୍ଧନର ମଝିରେ ମେଲାଇ ଦେଲା ।

 

ଧୋବ ଫରଫର ଚାଦରରେ ଢଙ୍କା ଯାଇଥିବା ବିଛଣାଟା ଯେମିତି ହସୁଥିଲା ।

 

ହଠାତ୍ କାର୍ଲର ଖିଆଲ ପଶିଲା, ଦୁଆରଟା ମେଲା ହୋଇଛି ।

 

ଆନାକୁ ବିଛଣାରେ ଶୁଆଇ ଦେଇ, କାର୍ଲ ଚାଲିଯାଇ ଦୁଆରର କବାଟ ଆଉଜାଇ ଦେଲା । ତା’ପରେ ସେ ଧୀରେ ଧୀରେ ଆନା ପାଖକୁ ଯାଇ ବିଛଣା ଉପରେ ବସି ପଡ଼ିଲା । ଆନା ହଠାତ୍ ଦୁଇ ହାତ ବଢ଼ାଇ କାର୍ଲକୁ ଟାଣି ନେଇ ନିଜର ଛାତି ଉପରେ ଭିଡ଼ି ଧରିଲା ।

 

ଏହି କୋଠାଟିରେ ବାରଟି ଫ୍ଲାଟ । ଅତି କମରେ ପ୍ରାୟ ଶହେ ଜଣ ପୁରୁଷ ଓ ସ୍ତ୍ରୀ ଏହି କୋଠାଟିରେ ବାସ କରନ୍ତି । ସମସ୍ତେ ହେଉଛନ୍ତି ଶ୍ରମିକ । ଯୁଦ୍ଧ ଯୋଗୁଁ ସମସ୍ତେ ସମ ଦଶା ଭୋଗୁଛନ୍ତି । ଦୁଃଖ-ଦାରିଦ୍ର୍ୟ, ଅଭାବ-ଅନାଟନ, ରୋଗ-ବ୍ୟାଧିରେ ସମସ୍ତେ ଜର୍ଜରିତ ଓ ଉତ୍‍ପୀଡ଼ିତ । ବର୍ଷା କାଳରେ ଯେମିତି ବେଙ୍ଗସବୁ ରଡ଼ି ଛାଡ଼ନ୍ତି, ଠିକ୍ ସେମିତି ଶିଶୁମାନଙ୍କର କାନ୍ଦଣା ଚାରିଆଡ଼ୁ ଭାସି ଆସେ–ଭେଁ ଭାଁ କେଁ କଟର । ସେହି ଶବ୍ଦ ଯେମିତି ଆଉ ବନ୍ଦ ହେବାର ନୁହେଁ । ସେଥିରେ କାନ ଅତଡ଼ା ପଡ଼ିଯାଏ । କେଉଁଠି କେଉଁ ଦୁଷ୍ଟ ପିଲା ପାଟିରେ ପେଁକାଳି ବଜାଉଥାଏ, ଆଉ ତା’ ସାଙ୍ଗରେ ବଡ଼ ପାଟିରେ ଘରଦ୍ଵାର ଫଟାଇ ଦେଉଥାଏ । ହଠାତ୍ ଦୋତାଲାର ଗୋଟାଏ ଝରକା ଖୋଲିଗଲା । ଗୋଟିଏ ଝିଅ ଧାଇଁ ଆସି ସେଇଠି ଲଗା ହୋଇଥିବା ଗୋଟାଏ ସାଇକେଲର ଘଣ୍ଟି ବଜାଇବାକୁ ଲାଗିଲା ।

 

କିଛି କ୍ଷଣ ପରେ ଆଉ ଗୋଟିଏ ଝରକାରେ ଅନ୍ୟ ଜଣେ ତରୁଣୀର ମୁଖ ଦିଶିଲା । ସେ ବି ଠିକ୍ ସେମିତି ଗୋଟିଏ ଘଣ୍ଟି ବଜାଇବାକୁ ଲାଗିଲା । ଟେଲିଫୋନ୍‍ର ରିସିଭର୍‍ଟା କାନ ପାଖକୁ ଉଠାଇ ନେବାର ଭଙ୍ଗୀ କରି ଖାଲି ହାତଟା କାନ ପାଖରେ ଦେଇ ସେ କହିବାକୁ ଲାଗିଲା–ହ୍ୟାଲୋ । କିଏ ତୁମେ ? ... ହଁ, ମୁଁ ଏଲଫ୍ରି କହୁଛି ।

 

ଅନ୍ୟ ଝରକାରୁ ଜବାବ ଆସିଲା–ସୁପ୍ରଭାତ, ଏଲଫ୍ରି ! ମୁଁ ଏଲମା କହୁଛି । ରାତିରେ ଭଲ ନିଦ ହୋଇଥିଲା ତ ?

 

ଏଲଫ୍ରି, ଆଉ ଏଲମା । ଦୁଇଟି ତରୁଣୀ, ଅବିକଳ ସଜଫୁଲ ପରି । ଦୋତାଲାରେ ଦୁଇଟି ଅଲଗା ଅଲଗା କୋଠରୀରେ ସେମାନେ ବାସ କରନ୍ତି । ଦୁଇଟି ଝରକା ଭିତରେ ବ୍ୟବଧାନ ମାତ୍ର ଅଠର ଫୁଟ ।

 

ଏଲଫ୍ରି ପଚାରିଲା–ତୁ ଆଜି କେଉଁ ଜାମାଟା ପିନ୍ଧିବୁ, ଭଉଣୀ ? ମୁ ଆଜି ମୋର ନୀଳ ରଙ୍ଗର ଜାମାଟା ପିନ୍ଧିଛି ।

 

ରବିବାର ଦିନ ପିନ୍ଧିବା ପାଇଁ ମାତ୍ର ଦୁଇ ଖଣ୍ଡ ଜାମା ଦୁଇ ଜଣଙ୍କର ଅଛି ।

 

–ଆଜି ସଞ୍ଜବେଳେ ସିନେମା ଦେଖିବାକୁ ଗଲେ ହୁଅନ୍ତା ନାହିଁ ? ଆରେ ବାପରେ ! ଏ ଛୁଆଗୁଡ଼ାକ କି ପାଟିଗୋଳ କରୁଛନ୍ତି ବା ! ଏ ପିଲାମାନେ, ଚୁପ୍‍ ହେଉଛ ନା ?

 

ଠିକ୍ ସେତିକିବେଳେ ପାଞ୍ଚ ତାଲାର ଗୋଟିଏ କୋଠରୀରେ ଗ୍ରାମଫୋନର ବାଜଣା ଆରମ୍ଭ ହୋଇଗଲା । ଗ୍ରାମଫୋନର ପାଲିସ ହୋଇଥିବା କାଠ ବାକ୍‍ସଟି ଉପରେ ଜଳଛବିରେ ଅଙ୍କିତ ‘ହିଜ ମାଷ୍ଟାର୍ସ ଭୟେସ’ ର ସୁବିଖ୍ୟାତ କୁକୁରଟି ଗଭୀର ଆଗ୍ରହରେ ଲାଉଡ଼-ସ୍ପିକର ଆଡ଼କୁ ଅନାଇ ବସିଥିଲା ।

 

ସୈନ୍ୟମାନେ ମାର୍ଚ୍ଚ କରି ଯିବା ବେଳେ ଯେଉଁ ବାଜଣା ବାଜେ, ରେକର୍ଡ଼ରେ ସେହି ବାଜଣାଟା ବାଜୁଥିଲା ।

 

ଏହି ସ୍ଵର-ସଙ୍ଗୀତ ଶୁଣି ଦେଶର ଲକ୍ଷ ଲକ୍ଷ ଯୁବକ ତାଳ ମିଲାଇ ପାଦ ପକାଇ ଯୁଦ୍ଧକ୍ଷେତ୍ର ଆଡ଼କୁ ଆଗେଇ ଯାଆନ୍ତି ।

 

ଏଲଫ୍ରି କହିଲା...ନା । ଏ ହଟ୍ଟଗୋଳରେ ଆଉ ରହି ହେବ ନାହିଁ । ଏ ପାଟିଗୋଳରେ କାନରେ ତାଲା ପକାଇଦେବା ଦରକାର । ଥାଉ, ମୁଁ ରିସିଭାର ରଖି ଦେଉଛି ଏକ୍ଷଣି । ପରେ ତୋତେ ପୁଣି ଡାକିବି, ବୁଝିଲୁ ?

 

ଝିଅ ଦୁଇଟି ଝରକା ପାଖରୁ ଚାଲିଗଲେ ।

 

ତଳେ ଖୋଲା ଅଗଣାରେ ଠିଆ ହୋଇ ଗୋଟିଏ ଚାରି-ପାଞ୍ଚ ବର୍ଷର ଶିଶୁ ଆକାଶ ଆଡ଼କୁ ମୁହଁ ଟେକି ପ୍ରାଣପଣେ ଚିତ୍କାର କରୁଥିଲା । ତାହାର ଧାରଣା ହେଲା ଯେ ସେ ଗୀତ ବୋଲୁଛି । ଗୀତର ଭାବ ଓ ଭାଷା ଉଭୟ ଖୁବ ଚମତ୍କାର !

 

‘‘ମେରୀର ପେଟରେ ପିଲା ହେଲା

ବାପର ଦେଖା ନାହିଁ ।

କୋଳରେ ପିଲା ଧରି ମେରୀ

ନାଚେ ଥେଇ ଥେଇ ।’’

 

ଏତିକିବେଳେ ବାହାର ପଟୁ ଆନାର କବାଟରେ କିଏ ଯେମିତି ଧକ୍‍କା ମାରିଲା ।

 

ଆନା ଧଡ଼ପଡ଼ ହୋଇ ବିଛଣାରୁ ଉଠିପଡ଼ି ପୋଷାକ ବଦଳାଇବାକୁ ଲାଗିଲା ।

 

ଦୁଆରର ଚିଠି-ବାକ୍‍ସର ଫାଙ୍କ ବାଟେ ସେହି ଦିନର ଖବରକାଗଜ ଆସି ଘରର ଚଟାଣରେ ପଡ଼ିଲା ।

 

ବିଛଣା ଟେକି ଦେଇ ଆନା ଧୀରେ ଧୀରେ ଗାଧୁଆ-ଘରକୁ ଚାଲିଗଲା । ଯିବା ବେଳେ ସେ କାର୍ଲକୁ କହିଗଲା–ଟେବୁଲ ଉପରେ ପାଣି ଅଛି ।

 

ଶୋଷରେ କାର୍ଲର ତଣ୍ଟି ଫାଟି ଯାଉଥିଲା । ସେ ଧାଇଁ ଯାଇ ଢକ ଢକ କରି ଗିଲାସେ ପାଣି ପିଇଦେଲା । ଆଜି ତାହାର ମନ ଅତିଶୟ ପ୍ରଫୁଲ୍ଲ ଥିଲା ।

 

ଜୀବନରେ ସେ ଯାହା କେବେ ପାଇ ନ ଥିଲା, ଆଜି ସେ ତାହା ଲାଭ କରିଛି ।

 

‘‘ଆନା । ପ୍ରିୟତମା ଆନା ! ତୁମେ କେଡ଼େ ସୁନ୍ଦର । ତୁମକୁ ଛାଡ଼ି ମୁଁ କଦାପି ରହି ପାରିବି ନାହିଁ...ଦିନେ ହେଲେ ନୁହେଁ ।’’ ନିଜ ମନେ ମନେ କାର୍ଲ କହିଯିବାକୁ ଲାଗିଲା ।

 

ଆନା ଗାଧୁଆ-ଘରୁ ବାହାରି ଆସିଲା ।

 

ତାହାର ଯେମିତି କିଛି ହୋଇ ନାହିଁ, ଏପରି ଭାବ ପ୍ରକାଶ କରି ସେ କାର୍ଲକୁ କହିଲା...ଯାଅ, ଗାଧେଇ ଆସ । ପାଣି ସରିଗଲେ ଅସୁବିଧା ହେବ ।

 

 

ଆନା କାର୍ଲକୁ ନିଜର ସ୍ଵାମୀ ବୋଲି ଗ୍ରହଣ କରିବାକୁ ଚେଷ୍ଟା କରେ ।

 

ସେ କଅଣ ରିଚାର୍ଡ ନୁହେଁ ? ଏ ଧାରଣା ସେ ତାହାର ମନକୁ ଆଦୌ ଆଣି ପାରେ ନାହି । କିନ୍ତୁ ମଝିରେ ମଝିରେ ତାହାର ମନ ଭିତରେ ଅନୁଶୋଚନା ଆସେ;‘‘ଜାଣି ଶୁଣି କିପରି ବା ମୁଁ ଜଣେ ପର ପୁରୁଷଠାରେ ଆତ୍ମ-ସମର୍ପଣ କଲି ?’’

 

ମାତ୍ର ତେଣେ କାର୍ଲର ମାନସିକ ଅବସ୍ଥା ସେତେବେଳେ ପୂରାପୂରି ଅନ୍ୟ ରକମ ହୋଇ ଯାଇଥିଲା । ସେହି ସମୟରେ ତାହାର ମନ ଭିତରେ ବୋହି ଯାଉଥିଲା ଆନନ୍ଦର ଝରଣା, ଆଉ କାନରେ ଆସି ଅହରହ ବାଜୁଥିଲା ସୁମଧୁର ବଂଶୀ-ଧ୍ୱନି ।

 

ବାହାରେ କୋଳାହଳ, ପିଲାମାନଙ୍କ କାନ୍ଦଣା, ରାସ୍ତାରେ ଭୋକିଲା ବୁଲା କୁକୁରଙ୍କର ଚିତ୍କାର, ଦୂରରେ ମଟରର ଆବାଜ–ଏସବୁ ମିଶି ତାହାର କାନ ଭିତରେ ଯେମିତି ଗୋଟାଏ ମଧୁର ସ୍ଵର-ଝଙ୍କାର ତୋଳୁଥିଲେ ।

 

ସେ ମନେ ମନେ ସ୍ଥିର କଲା–ଆନାକୁ ଆଉ କାମ କରିବାକୁ ଯିବା ପାଇଁ ଛାଡ଼ିଦେବ ନାହିଁ । ଆନା ଏଣିକି ଘରେ ରହିବ । ପରୀ ଭଳି ମନ-ଭୁଲାଣିଆ ପୋଷାକରେ ସେ ନିଜକୁ ସଜାଇଥିବ । ବାହାରେ ଯାଇ କାମ କରିବା କଅଣ କୌଣସି ଭଦ୍ର-ଘରର ଝିଅ ବୋହୁ ପକ୍ଷରେ ସୁନ୍ଦର ?

 

ବର୍ତ୍ତମାନ କାର୍ଲ ଜଣେ ପ୍ରେମିକ । କୌଣସି ପ୍ରେମିକ ପୁରୁଷ ଚାହେ ନା, ତାହାର ପ୍ରେମାସ୍ପଦା ସ୍ତ୍ରୀ ବାହାରେ ଯାଇ ଅପର ଲୋକଙ୍କ ସାଙ୍ଗରେ ମିଶି କାମ କରୁ ନିଜର ପେଟ ପୋଷିବା ପାଇଁ ।

 

ତେଣୁ ସେ ଆନାକୁ ଡାକି କହିଲା–ଆଜି ମୁଁ କାମର ସନ୍ଧାନରେ ବାହାରିଲି । ମୁଁ ତୁମକୁ ଆଉ କାରଖାନାରେ କାମ କରିବାକୁ ଦେବି ନାହିଁ ।

 

ଆନା ଜଣାଇଲା–କିନ୍ତୁ କାମକୁ ନ ଗଲେ ଯେ ମୋର ଗଲା ହପ୍ତାର ରୋଜି ଟଙ୍କାଏ ବାଏଁ ବାଏଁ ଉଡ଼ିଯିବ !

 

କାର୍ଲ ଦୃଢ଼ କଣ୍ଠରେ କହିଲା...ଯାଉ, କିଛି ପରବାଏ ନାହିଁ । ମୋ କତିରେ ଏକ୍ଷଣି ପ୍ରାୟ କୋଡ଼ିଏ ପାଉଣ୍ଡ ହେବ ଅଛି । ସେଥିରେ ନିର୍ଦ୍ୱନ୍ଦ୍ୱରେ ଆମେ କିଛି ଦିନ ଚଳିଯାଇ ପାରିବା । ତାହା ଛଡ଼ା ମୋତେ ତ ଯେ କୌଣସି ମତେ ଗୋଟାଏ କିଛି କାମ ଯୋଗାଡ଼ କରିବାକୁ ହିଁ ପଡ଼ିବ । ଏହି ଦୁଇ ତିନି ଦିନ ଭିତରେ ଟିକିଏ ଲାଗି ପଡ଼ିଲେ, ଭାବୁଛି, ନିଶ୍ଚୟ ଗୋଟାଏ କିଛି କାମ ମୁଁ ଯୋଗାଡ଼ କରି ପାରିବି । କିନ୍ତୁ ତୁମର ଯେ ଆଉ ଦୁଇ ଚାରି ଦିନ ବିଶ୍ରାମ ନେବା ଏକାନ୍ତ ଦରକାର...ଆନା ଦରଦୀ କଣ୍ଠରେ ବ୍ୟକ୍ତ କଲା ।

 

କାର୍ଲ ହସି ହସି କହିଲା–ବିଶ୍ରାମ ? ନିଜର ସୁଖ ପାଇଁ ? ତୁମକୁ ସୁଖୀ ଦେଖି ପାରିଲେ ବରଂ ମୁଁ ଅଧିକ ଖୁସି ହେବି । ତୁମ ଲାଗି କେତେ ଖଣ୍ଡ ଭଲ ଜାମା-ପଟା କିଣିବାକୁ ହେବ । ତାହାଛଡ଼ା ଗୋଟାଏ ଟୋପି ଦରକାର, ଆଉ ଭଲ ଜୋତା ହଳେ ମଧ୍ୟ ।

 

ଆନାର ମନ ଆନନ୍ଦ ସାଗରରେ ବୁଡ଼ିଗଲା ।

 

ମଧ୍ୟାହ୍ନ ଭୋଜନ ପାଇଁ କିଛି ମାଂସ ଦରକାର । ସେତକ ଯୋଗାଡ଼ କରିବା ଲାଗି ଆନା ସିଡ଼ିରେ ତଳକୁ ଓହ୍ଲାଇଗଲା । ସିଡ଼ିରେ ଗଲା ବେଳେ ତାହାର ମନେ ହେଉଥିଲା, ଏହି ସିଡ଼ିଟା ଯେମିତି ଆଗର ସେହି ସିଡ଼ି ନୁହେଁ । ଧୁଳି-ଧୂସରିତ କାନ୍ଥଗୁଡ଼ାକ ବି ଆଜି କି ସଫାସୁତୁରା ଦେଖାଯାଉଛି !

 

ସେତେବେଳେ ରାସ୍ତାରେ ଖରା ଆସି ପଡ଼ିଗଲାଣି । ଖରାଟା ଆନାକୁ ଭାରି ଭଲ ଲାଗିଲା । ରାସ୍ତାରେ ଅସୁମାରି ଲୋକ ଯାତାୟାତ କରୁଥାଆନ୍ତି । ପିଲାମାନେ ଦଳ ଦଳ ହୋଇ ପାଟିଗୋଳ ହଲ୍ଲା କରି ଖେଳୁଥାଆନ୍ତି, ବୁଲୁଥାଆନ୍ତି । ଦୁଇ ଜଣ ଶ୍ରମିକ ରାସ୍ତା ଉପରେ ମୁହାଁମୁହିଁ ଠିଆ ହୋଇ ଗପ କରୁଥାଆନ୍ତି । ଆଜି ଆନା ସମସ୍ତଙ୍କୁ ନୂଆ ଆଖିରେ ଦେଖିବାକୁ ଲାଗିଲା । ସାରା ଦୁନିଆର ରୂପ ତାହାର ଆଖିରେ ଆଜି ବଦଳି ଯାଇଛି ।

 

ଆନା ମାଂସ ଦୋକାନକୁ ଯାଉଥିଲା । ଆଜି ତାହାକୁ କିଛି ମାଂସ କିଣିବାକୁ ହେବ । କେତେ ମାଂସ ସେ କିଣିବ ? ପାଉଣ୍ଡେ ? ନା, ଆଉ କିଛି ବେଶି ? ଦି’ ପାଉଣ୍ଡ ନେଲେ ଭଲ ହୁଅନ୍ତା । ନା, ନା, ଦି’ ପାଉଣ୍ଡ ଖୁବ୍‍ ବେଶି ହୋଇଯିବ । ବାସି ମାଂସ ଖାଇଲେ ଦେହ ଖରାପ ହେବ ।

 

ଆନା ମାଂସ ଦୋକାନ ସାମ୍‍ନାରେ ଯାଇ ଠିଆ ହେଲା । ଚାରି ପାଞ୍ଚଟା ଛାଲ ଛଡ଼ା ହୋଇଥିବା ଖାସି ଓ ମେଣ୍ଢା ଦୋକାନରେ ଝୁଲୁଥିଲା । ଧାରୁଆ ଛୁରିରେ ତା’ ଦେହରୁ ମାଂସ କାଟି ନେଇ ତରାଜୁରେ ଓଜନ କରି କଂସେଇ ତାହାର ଗରାଖମାନଙ୍କୁ ବିକ୍ରି କରୁଥିଲା । ଅନେକ ଲୋକ ମାଂସ କିଣିବାକୁ ଆସୁଥିଲେ ।

 

ଆନା ଦୋକାନୀକୁ ବରାଦ କଲା...ମୋତେ ପାଉଣ୍ଡେ ମାଂସ ଦିଅ । ଭଲ ମାଂସ ଦେଖି କରି ଦେବ, ଯେମିତି ବେଶି ହାଡ଼ ନ ଥିବ ସେଥିରେ ।

 

କଂସେଇ ଆନାକୁ ଚିହ୍ନିଛି । ୟା ଆଗରୁ ସେ କେବେହେଲେ ତାହାର ଦୋକାନରୁ ପାଉଣ୍ଡେ ମାଂସ ନେଇ ନାହିଁ ।

 

ତେଣୁ ସେ ଆନାକୁ ପଚାରିଲା–ଏତେ ମାଂସ କଅଣ ହେବ କି ଆଜି ? ଚପ୍‍ କାଟଲେଟ କରିବେ ନା କଅଣ ?

 

ଆନା କ୍ଷୀଣ କଣ୍ଠରେ ମଥା ତଳକୁ ପୋତି ଜବାବ ଦେଲା–ନା, ଆଜି ଆମ ଘରକୁ ଜଣେ ଅତିଥି ଆସିଛନ୍ତି ।

 

ଏହି କଥା ପଦକ କହିଦେବାରୁ, ଆନାକୁ କାହିଁକି କେଜାଣି ଟିକିଏ ଖରାପ ଲାଗିଲା । କିଏ ଏହି ଲୋକଟି ? କାହିଁକି ବା ସେ ଏମିତି ଅକସ୍ମାତ ଆସି ତାହାର ଜୀବନ-ପଥରେ ଦେଖାଦେଲା ? ଏକା ଏକା ତାହାର ଦିନଗୁଡ଼ିକ ତ ଖୁବ୍‍ ଭଲରେ କଟି ଯାଉଥିଲା ।

 

କଂସେଇ ମାଂସ ଓଜନ କରିସାରି ପଚାରିଲା...ଚର୍ବି ଦେବି ?

 

ହଁ, ଦେଇଥାଅ ଟିକିଏ ।

 

ଆନା ମାଂସର ପୁଡ଼ିଆଟା ଆଣି ହାତରେ ଧରିଲା ।

 

ଆନା ନିଜର ଘରଆଡ଼କୁ ଫେରିଯିବାକୁ ଲାଗିଲା । ବାଟରେ ଯାଉଁ ଯାଉଁ ସେ ଭାବୁଥାଏ–କିପରି ଏହା ସମ୍ଭବ ହେଲା ? ଯାହାକୁ ଦିନେ ନାହିଁ କାଳେ ନାହିଁ କେବେହେଲେ ସେ ଆଖିରେ ଦେଖି ନାହିଁ, କି ଯାହାକୁ ଚିହ୍ନି ବି ନାହି, ତାହା ସାଙ୍ଗରେ ସେ ଏ କି କାମ କଲା !

 

ହଠାତ୍ ଆନାର ମନରେ ଭୟ ଜାତ ହେଲା । ଲୋକେ ଜାଣିଲେ ତାହାକୁ କଅଣ କହିବେ ?

 

ପର ମୁହୂର୍ତ୍ତରେ ସେ ମନେ ମନେ ଭାବିଲା–ନିଆଁ ପାଉଁଶ କହିବେ ? ସମସ୍ତେ ତ ଆଜିକାଲି ଏମିତିକା କାମ କରୁଛନ୍ତି । ଆମ ଦୋତାଲାର ସେହି କୋଠରୀରେ ରହୁଥିବା ବୋହୂଟି ଦିନକୁ ଦିନ କି କାଣ୍ଡ ବା ନ କରୁଛି ? ତାହା ଛଡ଼ା ମେରୀ, ବେଟି, କ୍ଳାରା, ଫ୍ଲୋରିନ, ଏଲିସା–ଏମାନଙ୍କର କଥା ବା କାହାକୁ ଆଜି ଅଛପା ଅଛି ? ତାହା ହେଲେ ମୋର ବା କାହିଁକି ଏତେ ଡର-? କେଉଁଥିପାଇଁ ?

 

ବାଟରେ ଆସୁଁ ଆସୁଁ ଜଣେ ପରିଚିତ ଲୋକ ସହିତ ଆନାର ଦୈବାତ ଭେଟ ହୋଇଗଲା ।

 

ଲୋକଟି ଆନାକୁ ପଚାରିଲା–ମାଂସ ଆଣିବାକୁ ଯାଇଥିଲେ ବୋଧହୁଏ ?

 

ହଁ–ଆନା ସୂକ୍ଷ୍ମରେ ଜବାବ ଦେଲା ।

 

ସେହି ଲୋକଟି ପୁଣି କହିଲା–ଆଜିକାଲି ଜିନିଷପତ୍ରର ଦରଦାମ ଯେମିତି ଭାବରେ ହୁ ହୁ ବଢ଼ି ଚାଲିଛି, ସେଥିରେ ଆମ ଭଳି ଗରିବ ଶ୍ରେଣୀର ଲୋକଙ୍କୁ ଶେଷରେ ଉପାସ ଭୋକରେ ମରିବାକୁ ହିଁ ପଡ଼ିବ ।

 

ଆନା ତା’ କଥାରେ ହଁ ମାରିଲା ।

 

ଲୋକଟି ଚାଲିଯିବାରୁ, ଆନାର ହଠାତ୍ କାର୍ଲର କଥା ମନେପଡ଼ିଗଲା ।

 

ଆନା ମନେ ମନେ ଭାବିଲା–ଯଦି ଘରକୁ ଫେରିଗଲେ ମୁଁ ଦେଖନ୍ତି ଯେ ସେହି ଲୋକଟି ଚାଲିଯାଇଛି, ତାହାହେଲେ ସେଟା ମୋ ପକ୍ଷରେ ଖୁବ୍‍ ଭଲ ହୁଅନ୍ତା ।

 

ଯେତେବେଳେ ନାରୀମାନେ ହଠାତ୍ କୌଣସି ଦୁଃସାହସିକ କାମ କରି ପକାନ୍ତି, ସେତେବେଳେ ସେମାନଙ୍କର ମାନସିକ ଅବସ୍ଥା ଯାହା ହୋଇଥାଉ ନା କାହିଁକି, ପରେ ଯେତେବେଳେ ସେମାନେ ରାସ୍ତା ଉପରକୁ ବାହାରି ଆସନ୍ତି ବା ସାଧାରଣ ଲୋକଙ୍କ ସହିତ ରାସ୍ତା ଘାଟରେ ଆସି ଠିଆ ହୁଅନ୍ତି, ସେତେବେଳେ ସେମାନେ ନିଜକୁ ଧିକ୍‍କାରନ୍ତି...କାହିଁକି ବା ଏ କାମ କଲି ?

 

ଆନାର ଠିକ୍ ସେହି ରକମ ଅବସ୍ଥା ହୋଇଥିଲା । ରାତିଟା ଅଭିସାରରେ କଟାଇ ଭୋରରେ ନିଜର ସ୍ଵାମୀ ପାଖକୁ ଫେରି ଆସିବା ବେଳେ କୁଳଟା ସ୍ତ୍ରୀର ମନର ଭାବ ଯେମିତି ହୋଇଥାଏ, ସିଡ଼ିରେ ଉପରକୁ ଉଠିଲା ବେଳେ ଆନାର ମାନସିକ ଅବସ୍ଥା ଠିକ୍ ସେହି ରକମ ହୋଇଗଲା । ଦୋତାଲାରେ ପାଦ ଦେଲା କ୍ଷଣି ସେ ହଠାତ୍ ଚମକି ପଡ଼ି ରହିଗଲା । ସେ ମନେମନେ ଭାବିଲା–କିଏ ଏହି ଲୋକାଟା ହଠାତ୍ କେଉଁଠୁ ଉଡ଼ିଆସି ମୋ ବସାରେ ପଶିଗଲା ! ଆଉ ମୁଁ ବା କିପରି ନିଜକୁ ତା’ ହାତରେ ସଅଁପି ଦେଲି ! ଛି,ଛି,ଛି, ଏ କି କାଣ୍ଡ ମୁଁ କରି ପକାଇଲି !

 

ତାହାର ମନେ ପଡ଼ିଗଲା, ତାହାର ବନ୍ଧୁ ମେରୀ ପାଞ୍ଚତାଲାରେ ରହୁଛି । ତା’ ପାଖକୁ ଟିକିଏ ଗଲେ ଭଲ ହୁଅନ୍ତା । ଯଦି ସେ ସବୁ କଥା ମେରୀ ଆଗରେ ଫିଟାଇ କହିଦିଏ, ତାହାହେଲେ ମେରୀ ହୁଏତ କିଛି ସହଜ ବାଟ ବତାଇ ଦେଇପାରେ । ଏପରି ଅବସ୍ଥାରେ ତାହାର କଅଣ କରିବା ଉଚିତ ?

 

କିନ୍ତୁ ସେହି ଲୋକଟି ! ସେ ଯେ ତେଣେ ତାହାକୁ ନିଶ୍ଚୟ ଅନାଇ ବସି ରହିଥିବ ।

 

ପୁଣି ସବୁ କଥା ଆନାର ମନ ଭିତରେ ଆଉଟ ପାଉଟ ହେବାକୁ ଲାଗିଲା । ରିଚାର୍ଡ କଅଣ ସତରେ ଯୁଦ୍ଧରେ ମରିଯାଇଛି ? ମରି ଯାଇଥିଲେ ତ ତାହା ପକ୍ଷରେ ବରଂ ଖୁବ୍‍ ଭଲ ହେବ-। ତାହାହେଲେ ସେ ତାହାର ଏହି କଦର୍ଯ୍ୟ କଥା ଜାଣି ପାରିବ ନାହିଁ । କିନ୍ତୁ ଏହି ଲୋକଟି ତାହାର ଏତେ ଭିତିରି କଥା ସବୁ ବା ଜାଣିଲା କେଉଁଠୁ ? –ପର୍ଦା କିଣିବା କଥା, କଣ୍ଟାର ଭଙ୍ଗା ଦାନ୍ତ କଥା, କିସ୍ତି ଓ୍ୟାରିରେ ଆସବାବପତ୍ର କିଣିବା କଥା, ଏବଂ ସବୁଠାରୁ ବେଶି ଆଶ୍ଚର୍ଯ୍ୟର ବିଷୟ ହେଉଛି, ଆନାର ଉରୁର ଉପର ଭାଗରେ ଥିବା ତିଳ ଚିହ୍ନ କଥା । ଏସବୁ ତ କୌଣସି ବାହାରର ଲୋକ ପକ୍ଷରେ ଜାଣି ପାରିବା ସମ୍ଭବ ନୁହେଁ !

 

ପର ମୁହୂର୍ତ୍ତରେ ତାହାର ମନ ଭିତରେ ଆଉ ଗୋଟାଏ ଚିନ୍ତା ଜାତ ହେଲା–ଘରେ ଗୋଡ଼ ଦେଲା କ୍ଷଣି ସେ ବା କେଉଁ ସାହସରେ ମୋତେ ନାମ ଧରି ଡାକିଲା ? ସେ ଠକ ! ସେ ପ୍ରତାରକ ! ସେ ଗୋଟାଏ ସାଙ୍ଘାତିକ ବିପଜ୍ଜନକ ଲୋକ ! କିନ୍ତୁ ମୁଁ ବା କେମିତି ତାହା ସାଙ୍ଗରେ ସେହି ରକମ ବ୍ୟବହାର କଲି !

 

ଆନାର ସର୍ବାଙ୍ଗ ରାଗ, ଲଜ୍ଜା ଓ ଆତ୍ମଗ୍ଳାନିରେ କମ୍ପିବାକୁ ଲାଗିଲା ।

 

ଘରେ ପ୍ରବେଶ କରି ଆନା ଦେଖିବାକୁ ପାଇଲା, କାର୍ଲ ହାତରେ ଗୋଟାଏ ଛାଞ୍ଚୁଣୀ ଧରି ଘର ଓଳାଉଛି । ଇତି ମଧ୍ୟରେ ସେ ଭୋଜନ-ଟେବୁଲଟା ପୋଛାପାଛି ସଫାସୁତୁରା କରି ସାରିଛି । ତାହା ଛଡ଼ା ଆନାର ବିଛଣାଟା ବି ଝାଡ଼ିଝୁଡ଼ି ସଜାଡ଼ି ରଖି ଦେଇଛି ।

 

ଦୁଆର ମୁହଁରେ ଆନାକୁ ଦେଖି ପାରି କାର୍ଲ ହସ ହସ ମୁଖରେ କହିଲା–ଏହି ଯେ ଆନା ! ଏତେ ବେଳ ଯାଏ କୁଆଡ଼େ ଯାଇଥିଲ ?

 

ଆନା ହାତରେ ଧରିଥିବା ପୁଡ଼ିଆଟା ଉପରେ ହଠାତ୍ ତାହାର ନଜର ପଡ଼ିଯିବାରୁ, କାର୍ଲ ଚମକି ପଡ଼ି ତାହାକୁ ପଚାରିଲା–ଏ ସବୁ କଅଣ କରୁଛ ତୁମେ, ଆନା ? ଏ ସବୁ କଅଣ ତୁମର କାମ ?

 

ଆନା ଚଢ଼ା ଗଳାରେ ଜବାବ ଦେଲା...ଏ ସବୁ ମୋର କାମ ନୁହେଁ ତ କଅଣ ତୁମ ଭଳି ଜଣେ ବାହାର-ଲୋକର କାମ ?

 

କାର୍ଲ ଚମକି ପଡ଼ିଲା...ଏଁ ! ବାହାରର ଲୋକ ! ବାହାର ଲୋକ ବୋଲି ମୋତେ କଅଣ କହୁଛ, ଆନା ?

 

ପୂର୍ବ ପରି ଅବିଚଳିତ ରହି ଆନା କହିଲା–ଠିକ୍ ତ କହିଛି । ତୁମେ ବାହାରର ଲୋକ ନୁହେଁ ତ କଅଣ ଆଉ ମୋ ଘରର ଲୋକ ?

 

ରାଗ ଓ ଦୁଃଖରେ ଆନା ପ୍ରାୟ କାନ୍ଦି ପକାଇବା ଉପରେ ହେଲା ।

 

ସେ ପୁଣି କହିଲା–ତୁମେ ମୋର ସ୍ଵାମୀ, ଏ କଥା ଯେମିତି ଆଉ କେବେ ତୁମ ତୁଣ୍ଡରୁ ମୁଁ ଶୁଣିବାକୁ ନ ପାଏ ।

 

କାର୍ଲ ତାହାକୁ ବାଧା ଦେଇ କହିଲା...କିନ୍ତୁ ସକାଳ ତ ତୁମେ ମୋତେ...

 

ତାହାର କଥା ସରିବା ଆଗରୁ ଆନା ଦୃଢ଼ କଣ୍ଠରେ କହିଲା–ସକାଳର କଥା ସକାଳେ । ସେତେବେଳେ ମୋ ମଥା ଭିତରେ କିଛି ଗୋଳମାଳ ହୋଇ ଯାଇଥିଲା । ତୁମର ଘର କେଉଁଠି ଦ୍ଵାର କେଉଁଠି କିଛି ଠିକ୍ ଠିକଣା ନାହିଁ, ତୁମେ ଏଠାକୁ ଆସିଛ ମୋର ସ୍ଵାମୀ ସାଜି ବସିବାକୁ । ମୋର ସ୍ଵାମୀ ହେଉଛନ୍ତି ରିଚାର୍ଡ । ହୁଏତ ଏକ୍ଷଣି ସେ କେଉଁଠି ଜୀବନ ଧରି ରହିଛନ୍ତି । ହୁଏତ କାହିକି, ସେ ନିଶ୍ଚୟ ଏକ୍ଷଣି ବଞ୍ଚି ରହିଛନ୍ତି । ଯେ କୌଣସି ମୁହୂର୍ତ୍ତରେ ସେ ଏଠାକୁ ଫେରି ଆସି ପାରନ୍ତି, ସେ କଥା ତୁମକୁ ଜଣା ଅଛି ତ ? ଜାଣ, ସେ ଫେରି ଆସିଲେ ତୁମର କି ଦୁରବସ୍ଥା ହେବ-?

 

କାର୍ଲ ଦମ୍ଭ ଧରି ଜବାବ ଦେଲା–କଅଣ ଆଉ ହେବ ମୋର ? ବେଶ୍‍, ଯଦି ତୁମେ ସେୟା ଭାବୁଥାଅ ତ ତାହା ହିଁ ହେଉ । ତାହା ଛଡ଼ା ସେ ଏଠାକୁ ବା ଆସିବ କାହିଁକି ? ଆଉ ଯଦି ବା ସେ କେବେ ଆସି ପହଞ୍ଚେ, ସେଥିରେ ଆମର କି ଯାଏ ଆସେ ? ତୁମେ ତ ମୋର । ହଁ, ତୁମେ ହିଁ ଏକମାତ୍ର ମୋର । ଏ ଦୁନିଆରେ କାହାର ସାଧ୍ୟ ନାହିଁ ଯେ ତୁମକୁ ମୋ ଠାରୁ ଛଡ଼ାଇନେବ । ଯଦି ବା ନେଇଯାଏ, ତାହାହେଲେ ମୁଁ ଜାଣିବି ଯେ ଏ ଦୁନିଆରେ ଭଲ-ପାଇବା ବୋଲି କିଛି ନାହିଁ, ସବୁ ମିଛ । ମୁଁ ତୁମକୁ ଭଲ ପାଏଁ । ମୋର ଏହି ଭଲ-ପାଇବାକୁ କେହି ବାଧା ଦେଇ ପାରିବ ନାହିଁ-

 

ଏକା ନିଶ୍ଵାସରେ ଏତେଗୁଡ଼ାଏ କଥା କହି ଯାଇ କାର୍ଲ ଉତ୍ତେଜନାରେ ଧଇଁସଇଁ ହେବାକୁ ଲାଗିଲା ।

 

ଆନା ତାହା ଆଡ଼କୁ ଅନାଇ ରହିଲା ।

 

‘‘କିନ୍ତୁ ୟାର ନାକଟି ଖୁବ୍‍ ଭଲ ! ତାହା ଛଡ଼ା ତାହାର ମୁଖଟି ମଧ୍ୟ ସୁନ୍ଦର ବୋଲି କହିଲେ ଚଳେ । ତାହାର ପେଶୀବହୁଳ ସବଳ ହାତ ଦୁଇଟିରେ କେତେ ଶକ୍ତି ! ତାହାର ମୁଖରେ କିପରି ବୁଦ୍ଧିର ଦୀପ୍ତି !’’

ଆନା ସବୁ କିଛି ଭୁଲିଗଲା । ମାଂସ ପୁଡ଼ିଆଟା ସେ ଥୋଇ ଦେବାକୁ ଯାଉଥିଲା ।

କାର୍ଲ ତା’ ଆଡ଼କୁ ହାତ ବଢ଼ାଇ କହିଲା...ମୋତେ ଦିଅ ।

ଆନା ନୀରବରେ ସେହି ପୁଡ଼ିଆଟା କାର୍ଲର ହାତକୁ ବଢ଼ାଇଦେଲା ।

ଆନା ଚୁଲି ଉପରେ ମାଂସ ତରକାରୀ ବସାଇ ଦେଇଥିଲା । ହାଣ୍ଡିରୁ ଚମତ୍କାର ମାଂସର ବାସନା ବାହାରୁଥିଲା । ଘରଦ୍ଵାର ମହକୁଥିଲା । କେତେଦିନ ହେଲା ଏମିତି ସୁଆଦିଆ ମାଂସ ତରକାରୀ କାର୍ଲ ଖାଇ ନ ଥିଲା । ତାହାର ମନ ଆନନ୍ଦରେ ପୁଲକିତ ହୋଇଗଲା । ହାଣ୍ଡିଶାଳକୁ ପଶିଯାଇ ସେ ଆନା ପାଖରେ ଠିଆ ହେଲା । କଥା ନ କହି ସେ ରହି ପାରିଲା ନାହିଁ । ତାହାର ପାଟିରୁ ବାହାରିଗଲା–ବି ଚମତ୍କାର ବାସନା ବାହାରୁଛି ମାଂସରୁ !

ଆନା ପଚାରିଲା...ଦି’ ଖଣ୍ଡ ଚାଖିବ ? କାଢ଼ି ଦେବି ?

କାର୍ଲ କହିଲା...ଛି ! ମୁଁ କ’ଣ ଏଡ଼େ ଟାଉକା ?

ଟାଉକା ନୁହଁ ? –ଅଧର-କୋଣରେ ଦୁଷ୍ଟ ହସ ଖେଳାଇ ଆନା ପଚାରିଲା ।

କାର୍ଲ ହସି ହସି ଜବାବ ଦେଲା–ହଁ, ଟାଉକା ସତ, ପାଟିରୁ ବି ଲାଳ ବୋହୁଛି, କିନ୍ତୁ ଏହି ହାଣ୍ଡିର ମାଂସ ପ୍ରତି ନୁହେଁ !

ଏହି କଥା ଶୁଣି ଆନାକୁ ଭାରି ଲାଜ ମାଡ଼ିଲା । ସକାଳ ବେଳାର କଥା ତାହାର ମନେପଡ଼ି ଯିବାରୁ ନିଜ ଉପରେ ରାଗ ଆସିଲା । ସେ ମନେମନେ ଭାବିଲା, ଲୋକଟା କେଡ଼େ ବେହିଆ !

ହଠାତ୍ କାର୍ଲ କହିଲା–ଜାଣ ଆନା, ନିତି ରାତିରେ ମୁଁ ଶୋଇ ଶୋଇ ତୁମକୁ ସ୍ଵପ୍ନ ଦେଖେ ।

 

ଧୀରେ ଧୀରେ କାର୍ଲର ମୁଖ ଆଡ଼କୁ ଅନାଇ ଆନା କହିଲା–ଥାଉ ଥାଉ, ଆଉ ସେ ମିଛ କଥା କହି ମୋତେ ବହଲାଅ ନାହିଁ ।

 

–ଏଁ, ମିଛ କଥା !

 

–ମିଛ ନୁହେଁ ତ ଆଉ କଅଣ ? ୟା ଅଗରୁ ତ ତୁମେ ମୋତେ ଚିହ୍ନି ନ ଥିଲ !

 

ଧରା ପଡ଼ିଯିବା ଭୟରେ, ପ୍ରସଙ୍ଗଟା ବୁଲାଇଦେବା ପାଇଁ କାର୍ଲ ଅନ୍ୟ କଥା ପକାଇଲା-। ସେ ତାହାକୁ କହିଲା–ଜାଣିଲ, ଆନା, କାଲିଠାରୁ ତୁମକୁ ଆଉ କାମ କରିବାକୁ ଯିବାକୁ ପଡ଼ିବ ନାହିଁ । ମୁ ତୁମକୁ ବାହାରକୁ ଛାଡ଼ିଦେବି ନାହିଁ ।

 

 

କିଛି ସମୟ ପରେ ରୋଷାଇ ସରିଗଲା । ଆନା ଚୁଲି ମୁଣ୍ଡରୁ ଉଠିଯାଇ ଟେବୁଲ ସଜାଇବାକୁ ଲାଗିଲା । ସଜଡ଼ା ସଜଡ଼ି କରି ସାରି ରୋଟି ଆଉ ତରକାରୀ ଆଣି ଆନା ଟେବୁଲ ଉପରେ ଥୋଇଦେଲା । ଦୁହେଁ ଖାଇବାକୁ ବସିଗଲେ ।

 

ଖାଉଁ ଖାଉଁ ଆନା କହିଲା–ମୋତେ ଆଜି ଟିକିଏ କାରଖାନାକୁ ଯିବାକୁ ପଡ଼ିବ ।

 

କାହିଁକି ? –କାର୍ଲ ପଚାରିଲା ।

 

ଆନା ଜବାବ ଦେଲା–ଟଙ୍କା ଆଣିବା ଲାଗି ଯିବାକୁ ହେବ । ଗତ ହପ୍ତାର ଟଙ୍କା ଆଜି ମିଳିବାର ଅଛି ।

 

ଆନାକୁ ପାଖରୁ ଛାଡ଼ିବା ପାଇଁ କାର୍ଲର ମନ ଟେକିଲା ନାହିଁ । ସେ କହି ପକାଇଲା–ସେହି ଟଙ୍କା କେତୁଟା ନ ହେଲେ ଆମର ଚଳିଯିବ । ଏଣିକି କାରଖାନାକୁ ଯାଇ ତୁମକୁ ଆଉ ମୁଣ୍ଡର ଝାଳ ତୁଣ୍ଡରେ ମାରିବାକୁ ପଡ଼ିବ ନାହିଁ ।

 

ଆନା ହସି ହସି କହିଲା–ହେଉ, ସେୟା ହେଲା, କାଲିଠୁଁ ପଛକେ ମୁଁ ଘରେ ତୁଚ୍ଛାଟାରେ ବସି ରହିବି । କିନ୍ତୁ ଆଜି ନ ଗଲେ ତ ବାକିଆ ଗଣ୍ଡାକ ମିଳିବ ନାହିଁ । ଏତେଗୁଡ଼ାଏ ଟଙ୍କା ଜାଣି ଜାଣି ହରାଇବା କଅଣ ଭଲ ?

 

କାର୍ଲ ଆଉ ଆପତ୍ତି ଉଠାଇଲା ନାହିଁ । ଆନା ତରବରରେ ଭୋଜନ ସାରିଦେଲା, ଏବଂ ଖଣ୍ଡିଏ ଦର-ମଇଳା ଜାମା ଦେହରେ ଗଳାଇ ଦେଇ ବାହାରି ପଡ଼ିଲା ।

 

ଯିବା ବେଳେ କାର୍ଲ ତାହାକୁ ହୁସିଆର କରିଦେଲା–ଶୀଘ୍ର ଫେରି ଆସିବ, କେବେହେଲେ ଉଛୁର କରିବ ନାହିଁ ।

 

ସଞ୍ଜ ଆଗରୁ ଆନା ଘରକୁ ଫେରି ଆସିଲା । ତାହାର ପରିଶ୍ରାନ୍ତ ଦେହ ଉପରେ ଦୃଷ୍ଟି ରଖି, କାର୍ଲ କହିଲା–ଯାଅ, ତୁମେ ଟିକିଏ ବିଛଣାରେ ଗଡ଼ପଡ଼ ହୁଅ, ବିଶ୍ରାମ କର । ମୁଁ ଯାଉଛି, ତୁମ ଲାଗି ଚା ତିଆରି କରି ଆଣେ ।

 

ଆନା ବାଧା ଦେଇ କହିଲା–ଥାଉ, ଥାଉ, ତୁମକୁ ଆଉ କଷ୍ଟ କରିବାକୁ ପଡ଼ିବ ନାହିଁ ।

 

କିନ୍ତୁ କାର୍ଲ ଆନାର କଥା କାନକୁ ନେଲା ନାହିଁ । ହାଣ୍ଡିଶାଳକୁ ପଶିଯାଇ ସେ ଚୁଲି ଉପରେ ହାଣ୍ଡି ବସାଇଦେଲା । ଚୁଲି ଲଗାଇ ସେ ଚା ତିଆରି କରିବାକୁ ଲାଗିଲା ।

 

ଚା ତିଆରି ହେବାକୁ ବେଶି ସମୟ ଲାଗିଲା ନାହିଁ ।

 

ଦୁଇ ଜଣ ଶୁଆ ସାରୀ ଭଳି ଲଗା ଲଗି ହୋଇ ପାଖରେ ବସି ଚା ପାନ କରୁ କରୁ ଗପ କରିବାକୁ ଲାଗିଲେ ।

 

ଗପ ସପ ହେଉଁ ହେଉଁ ସଞ୍ଜ ହୋଇଗଲା ।

 

ଆନା ଉଠି ଯାଇ ଆଲୁଅ ଜାଳିଦେଲା ।

 

ଆଲୁଅ ଲଗାଇ ଦେଇ ଆନା ତା’ ପାଖକୁ ଫେରି ଆସିଲା । ପୁଣି ସେମାନେ ଗପରେ ମାତିଗଲେ । ଏମିତି ଭାବରେ କେତେ ସମୟ ଗଡ଼ି ଗଲାଣି, ଆନାର ଖିଆଲ ନ ଥିଲା । ହଠାତ୍ ତାହାର ମନେ ହେଲା, ରାତ୍ରି-ଭୋଜନର ସମୟ ହୋଇ ଯାଇଛି । ତତ୍‍କ୍ଷଣାତ ସେ ଉଠି ଯାଇ ଟେବୁଲ ସଜାଇଦେଲା ।

 

ଦୁହେଁ ପାଖାପାଖି ବସି ଭୋଜନ କଲେ । ତା’ପରେ ଶୟନର ବ୍ୟବସ୍ଥା ହେଲା ।

 

ସେହି କୋଠାର ପାଞ୍ଚତାଲାରେ ଆନାର ଜଣେ ବାନ୍ଧବୀ ରହୁଥିଲା । ତାହାର ନାମ ମେରୀ । ଦୁଇଟି ବଖରା ଭଡ଼ା ନେଇ ସେ ସେଠାରେ ରହୁଥିଲା । ତା’ ସାଙ୍ଗରେ ତାହାର ଭଉଣୀ କ୍ଲାରା ଥିଲା । କ୍ଲାରାର ସ୍ଵାମୀ ଯୁଦ୍ଧକୁ ଯାଇଥିଲା । ସେ ଯୁଦ୍ଧକୁ ଚାଲିଯିବା ପରେ ସେମାନଙ୍କୁ ଖୁବ ଦୁଖ-କଷ୍ଟ ଭୋଗିବାକୁ ହୋଇଥିଲା । ନିତିଦିନର ଖାଦ୍ୟ ବ୍ୟବସ୍ଥା କରିବା ପାଇଁ ସେମାନଙ୍କ ପାଖରେ କିଛି ଆର୍ଥିକ ସମ୍ବଳ ନଥିଲା । ତାହା ଛଡ଼ା ସେମାନେ ନିତି କିଛି ଟଙ୍କା ଯୋଗାଡ଼ କରି ପାରୁ ନ ଥିଲେ । ବୋଝ ଉପରେ ନଳିତା ବିଡ଼ା ପରି ଭଉଣୀ କ୍ଲାରାର ଦୁଇଟା ପିଲା । ସୁତରାଂ ଏହି ଚାରୋଟି ପ୍ରାଣୀଙ୍କ ପାଇଁ ନୀତି ଅନ୍ନ-ସଂସ୍ଥାନର ବ୍ୟବସ୍ଥା କରିବା ତ କିଛି ସହଜ କଥା ନୁହେଁ । ତେଣୁ ସେମାନେ ପାଉଣା-ଅତିଥି ଖୋଜୁଥିଲେ ।

 

ଭାଗ୍ୟକୁ ଜଣେ ମଟର୍ ମେକନିକ ଦୈବାତ୍‍ ଜୁଟିଗଲା । ସେ ସେମାନଙ୍କ ସାଙ୍ଗରେ ଆସି ରହିଲା । ସମସ୍ତେ ଗୋଟାଏ ଘରେ ଶୋଉଥିଲେ । ପ୍ରଥମେ କ୍ଲାରାର ଖଟିଆ ଓ ସେହି ଲୋକଟିର ଖଟିଆ ମଝିରେ ଗୋଟିଏ ଟେବୁଲ ପଡ଼ିଥିଲା । ଦୁହେଁ ଦୁଇ ପାଖରେ ଶୋଉଥିଲେ । କାହା ସହିତ କାହାର କିଛି ସମ୍ପର୍କ ନ ଥିଲା । ଲୋକଟି ବାହାରେ ହୋଟେଲରେ ଖାଇ ଗୁଡ଼ାଏ ପଇସା ଅଯଥା ଉଡ଼ାଇ ଦେଉଥିଲା । କ୍ଲାରା କିଛି ଦିନ ଏମିତି ବ୍ୟବସ୍ଥା ଦେଖିଲା । ତା’ପରେ ଦିନେ ସହି ନ ପାରି ସେ ତାହାକୁ କହିଲା–ଏମିତି ଭାବରେ ପଇସା ଉଡ଼ାଇବା ତ ଠିକ୍ ନୁହେଁ । ବରଂ ତୁମର ରୋଜଗାର ତକ ମୋ ହାତରେ ଦେଇଦିଅ । ମୁଁ ରଖିଥିବି । ତୁମର ଯାହା ଯେତେବେଳେ ଦରକାର, ଏହି ଘରୁ ସେସବୁ ସହଜରେ ପାଇ ପାରିବ । ତୁମକୁ ଆଉ ଅଯଥା ବଜାରକୁ ଦଉଡ଼ିବାକୁ ପଡ଼ିବ ନାହିଁ ।

 

ଶେଷକୁ ସେୟା ହିଁ ହେଲା । ସେହି ଲୋକଟି ଯାହା ରୋଜଗାର କରେ, ସବୁତକ ଆଣି କ୍ଲାରାକୁ ଦିଏ । ତା’ ବଦଳରେ ଯେତେବେଳେ ତାହାର ଯେଉଁ ଜିନିଷ ଦରକାର ହୁଏ, ସେସବୁ ସେ ଘରେ ତା’ ଗୋଡ଼ ପାଖରେ ପାଏ । ହଠାତ୍ ଦିନେ ଦେଖାଗଲା, ସେହି ଟେବୁଲଟା ଆଉ ସେଠାରେ ନାହିଁ, ଦୁଇଟି ଖଟିଆ ଲଗାଲଗି ହୋଇ ପଡ଼ିଛି ।

 

ମଟର୍ ମେକାନିକ ଦେଖିଲା, ଦୁଇଟି ପିଲାର ମାଆ ହେଲେ ସୁଦ୍ଧା କ୍ଲାରାର ଦେହ ଅତୁଟ ରହିଛି, ଆଦୌ ଭାଙ୍ଗି ଯାଇ ନାହିଁ । ଶାରୀରିକ ପରିଶ୍ରମ ଯୋଗୁଁ ଦେହର ଚମଡ଼ା ଟିକିଏ ତମ୍ବାଳିଆ ପଡ଼ି ଯାଇଥିଲା ସତ, କିନ୍ତୁ ଅଙ୍ଗର ମସୃଣତା ଆଦୌ ନଷ୍ଟ ହୋଇ ନ ଥିଲା । ତାହାର ଓଠ ଦୁଇଟି ଲେମ୍ବୁର ରସ ପରି ଲାଲ ଟହଟହ ଦିଶୁଥିଲା । କଥା କହିଲା ବେଳେ ତାହାର ଓଠର ଫାଙ୍କରେ ସାଦା ଦାନ୍ତଗୁଡ଼ାକ ଝଟକୁଥିଲା । ହସିଲେ ତାହାର ଦୁଇଟି ଗାଲ ଫୁଲି ଉଠୁଥିଲା । ମୋଟାମୋଟି କହିବାକୁ ଗଲେ, ସେ ଖୁବ୍‍ ସୁନ୍ଦର ଦିଶୁଥିଲା ।

 

ମେକାନିକ ଜଣକ ଆସି ତା’ ସାଙ୍ଗରେ ରହିବା ପରେ, କ୍ଲାରାର ଆଉ ଗୋଟିଏ ପିଲା ହୋଇଛି । ପିଲାଟିକୁ ଏକ୍ଷଣି ଛଅ ପୂରି ସାତ ମାସ ଚାଲିଲାଣି ।

 

ସେ ଦିନ ଆନା ତା’ର ବାନ୍ଧବୀ ମେରୀ ପାଖକୁ ଆସିଥିଲା । ମେରୀର ଖଟିଆ ଉପରେ ବସି ଦୁଇ ବନ୍ଧୁ କଥାବାର୍ତ୍ତା ହେଉଥିଲେ । ମଟର୍ ମେକାନିକ ଜଣକ ପାଖ ଘରେ ଖଟିଆ ଉପରେ ଶୋଇଥିଲା । କ୍ଲାରାର ପୁଅ ଦୁଇଟି ସେମାନଙ୍କର ଖେଳର ସରଞ୍ଜାମ ଯୋଗାଡ଼ କରିବାରେ ଲାଗି ପଡ଼ିଥିଲେ । ବଡ଼ ପୁଅଟି କେଉଁଠୁ ଗୋଟାଏ ସ୍କୃ-ଡ୍ରାଇଭର ନେଇ ଆସି ସାନ ପିଲାଟିକୁ କହିଲା...ଚାଲ, ସେହି ଠେଲାଗାଡ଼ିରୁ ପଟା ଖୋଲି ନେବା ।

 

ସାନ ଭାଇଟି ଭୟରେ କହିଲା...ସେ ଯଦି ଉଠି ପଡ଼ି ଆମକୁ ମାଡ଼ ଦିଏ ?

 

ବଡ଼ ପିଲାଟି ଦୃଢ଼ ସ୍ଵରରେ କହିଲା–ମାରିବ କଅଣରେ ? ଜାଣି ପାରିଲେ ତ ?

 

ସେମାନେ ଯେଉଁଟାକୁ ଠେଲାଗାଡ଼ି ବୋଲି କହୁଥିଲେ, ପ୍ରକୃତରେ ସେଟା ଗୋଟାଏ ପାରାମ୍ବୂଲେଟାର ।

 

ମେକାନିକ ସେଟା ନିଜ ହାତରେ ତିଆରି କରିଥିଲା, ସେହି ସବା ସାନ ପିଲାଟିକୁ ସେଥିରେ ବସାଇ ବୁଲାଇ ନେଇଯିବା ପାଇଁ ।

 

ପିଲା ଦୁଇଟି ପାରାମ୍ବୂଲେଟାରଟିକୁ ଠେଲି ନେଇ ଯାଉଥିଲେ ପଟା ଖୋଲିବାର ମହତ ଉଦ୍ଦେଶ୍ୟରେ । ଠିକ୍ ସେତିକିବେଳେ ମେକନିକର ନିଦ ହଠାତ୍ ଭାଙ୍ଗିଗଲା ।

 

ତାହାକୁ ଉଠି ପଡ଼ିବାର ଦେଖି, ପିଲା ଦୁହିଁଙ୍କର ପଟା ଖୋଲିବାର ଯୋଜନା ପାଣି ଫାଟିଗଲା । ପଟା ଖୋଲିବା କଥା ଯଦି କୌଣସି ମତେ ତାହାର କାନରେ ପଡ଼େ ନା, ତାହାହେଲେ ସେମାନଙ୍କୁ ମାରି ମାରି ପଟା କରି ଦେବ–ଏ କଥା ସେମାନଙ୍କୁ ଭଲଭାବରେ ଜଣା ଥିଲା ।

 

ତହୁଁ ପିଲା ଦୁଇଟି ଆଖି ପିଛୁଡ଼ାକେ ସେଠାରୁ ଧାଇଁ ପଳାଇଗଲେ ।

 

ଖଟିଆରୁ ଉଠିଯାଇ ସେ ତାହାର ମୁହଁ-ଆଖିରେ ଟିକିଏ ପାଣି ମାରିଲା । ଗାଧୁଆ ଘରୁ ଆସି ଖଟିଆ ଉପରେ ବସି ସେ କ୍ଲାରା ଆଡ଼କୁ ଅନେଇ କହିଲା–ପିଲାଟାକୁ ଦିଅ, ତାହାକୁ ନେଇ ଟିକିଏ ବାହାରୁ ବୁଲାଇ ଆଣେ ।

 

ସେତେବେଳେ କ୍ଲାରା ନିଜର କାଞ୍ଚୁଲିର ବୋତାମ ଖୋଲି ପିଲାଟିକୁ ଛାତିରେ ଜାକି ଧରି ଦୁଧ ଖୁଆଉଥିଲା । ହଠାତ୍ ମେକାନିକର ଦୃଷ୍ଟି ଯାଇ ତାହାର ପରିପୁଷ୍ଟ ସ୍ତନ ଉପରେ ପଡ଼ିଗଲା । ସେହି ଦୁଇଟି ମସୃଣ ଧଳା ରବର ଭଳି ଦିଶୁଥିଲା । ତା’ଉପରେ କେତୋଟି ନୀଳ ରଙ୍ଗର ଶିରା ପଡ଼ିଥିଲା ।

 

ଲୋକଟି ଟ୍ରାଉଜରର ପକେଟରେ ହାତ ପୁରାଇ ପିଲାଟିର ଦୁଧ ଖାଇବାଟା ଲକ୍ଷ୍ୟ କରିବାକୁ ଲାଗିଲା–ଠିକ୍ ଯେମିତି ରାକ୍ଷସ ପରି ପିଲାଟି କ୍ଲାରାର ସୁନ୍ଦର ବକ୍ଷରୁ ସବୁ ମଧୁ ଶୋଷି ନେଉଥିଲା ।

 

ପାଖ ଘରେ ବସି ଆନା ମେରୀ ସାଙ୍ଗରେ ଗପ କରୁଥିଲା । ନିଜ ନିଜ ସଂସାରର ନାନା ସୁଖ-ଦୁଃଖମୟ କଥାର ମଝିରେ ମଝିରେ ୟାର ତାହାର କଥା, ପର-ଚର୍ଚ୍ଚା, ମଧ୍ୟ ଚାଲିଥିଲା । ମେରୀ ନିଜ ପାଇଁ ଗୋଟାଏ ଗାଉନ ତିଆରି କରିଥିଲା । ଉଠି ଯାଇ ଗାଉନଟା କାଢ଼ିଆଣି ସେ ପିନ୍ଧିବାକୁ ଲାଗିଲା । ଠିଆ ହୋଇ ପଡ଼ି ସେ ପାଦରୁ ମୋଜା ଦୁଇଟି ଟାଣି ଖସାଇଦେଲା । ତାହାର ପାଦ ଦୁଇଟି ସତେ ଯେମିତି ଗୋଟାଏ କୁମାରୀ କନ୍ୟାର ପାଦ ଭଳି ଦିଶୁଥିଲା । ତାହାର ଆଣ୍ଠୁ ଉପରେ ଗାର୍ଟାରର ଦାଗ ପଡ଼ିଥିଲା । ସେଇଠୁ ଆରମ୍ଭ ହୋଇଥିଲା ତାହାର ବୟସ୍କା ନାରୀ-ଦେହର ମାଂସଳ ଉରୁ ଦୁଇଟି । ତାହାର ଅନ୍ତର୍ବାସର ବନ୍ଧନୀ ପାଖରେ ସୁନ୍ଦର ସୂଚୀ-କାମ ହୋଇଥିଲା । ତା’ର ଟିକିଏ ଉପରୁ ଆରମ୍ଭ ହୋଇଥିଲା ତାହାର ତରୁଣୀ ସୁଲଭ ସୁନ୍ଦର ପିଠି । ଦେଖିବାକୁ ଅବଶ୍ୟ ଲୋଭନୀୟ ।

 

ମେରୀ ଗାଉନଟା ଧରି ତାହାର ମୁଣ୍ଡ ବାଟେ ଗଳାଇଦେଲା । ଗାଉନ ପିନ୍ଧୁ ପିନ୍ଧୁ ସେ ଗପ କରୁଥାଏ । ଗାଉନଟା ତଳକୁ ଚାଲିଗଲା, ମୁଣ୍ଡଟା ବାହାରି ଆସିଲା ।

 

ମେରୀ ହସି ହସି ପଚାରିଲା, କ୍ଲାରାର ସ୍ଵାମୀ ଫେରି ଆସୁଛି, ଏ କଥା ଜାଣୁ ଆନା ?

 

ସତେ ? କେବେ ଆସିବେ ? ...ଆନା ବିସ୍ମୟ-ସୂଚକ କଣ୍ଠରେ ପଚାରିଲା ।

 

ସେତେବେଳକୁ ଗାଉନଟା ମେରୀର ଛାତି ଢାଙ୍କି ଦେଲାଣି ।

 

ଏଇ କେତୁଟା ଦିନ ଭିତରେ ! କ’ଣ ହେବ କହିଲ ଦେଖି ? ସେ ଯେତେବେଳେ ଆସି ଦେଖିବ ଯେ କ୍ଲାରାର ଆଉ ଗୋଟିଏ ଛୁଆ ହୋଇଛି, ସେତେବେଳେ କଅଣ ହେବ ?

 

ମେରୀ ଜାମାଟା ପୂରାପୂରି ପିନ୍ଧି ସାରିଥିଲା ।

 

ଆନା ନ କହି ରହି ପାରିଲା ନାହି–ଜାମାଟା ତ ତୋତେ ବେଶ୍‍ ମାନୁଛି !

 

ମେରୀ କହିଲା...ହଁ, ମାନୁଛି, ନା ନିଆଁ-ପାଉଁଶ ଦିଶୁଛି । ଗୋଟାଏ ତକିଆ-ଖୋଳ ଯେମିତି !

 

ଆନା ତୁରନ୍ତ କହି ପକାଇଲା–କିଏ କହୁଛି ଏତ ତକିଆ ଖୋଳ ? ୟାର କଟାଟା ଭାରି ଚମତ୍କାର ହୋଇଛି ।

 

ତଳ ତାଲାରେ କିଏ ଗୋଟାଏ ଲୋକ କଦର୍ଯ୍ୟ ଭାବରେ ଚିତ୍କାର କରୁଥିଲା । ସେହି ମୋଟା ଶବ୍ଦରେ ପାଞ୍ଚତାଲା କାହିଁକି ଆକାଶଟା ବି କମ୍ପମାନ ହେଉଥିଲା । ଚିତ୍କାର ପରେ ପରେ ନାରୀ କଣ୍ଠର ଆର୍ତ୍ତନାଦ ଶୁଭିଲା । ସେତେବେଳକୁ ମାଡ଼ଗୋଳ ଆରମ୍ଭ ହୋଇଯାଇଥିଲା ।

 

ମେରୀ କହିଲା–ଶୁଭୁଚି ତୋତେ, ଆନା ! ଲୋକଟା ଯେ... ତା ସ୍ତ୍ରୀକୁ ବାଡ଼େଇଲାଣି । ନିତି ମାଡ଼ ଖାଉଛି, ତେବେ ବି ସେ... ମାଈକିନାଟା ତା’ ପାଖରେ ପଡ଼ି ରହିଛି । ଆଉ କେହି ହୋଇଥିଲେ କେବେଠୁ କୁଆଡ଼େ ପଳାଇ ଯାଆନ୍ତାଣି ।

 

ହଠାତ୍ ମେରୀର ମନେପଡ଼ିଗଲା ନିଜ ଭଉଣୀ କ୍ଲାରାର କଥା । ହୁଏତ ଯୁଦ୍ଧରୁ ଫେରି ଆସିଲେ କ୍ଲାରାକୁ ତାହାର ସ୍ଵାମୀ ଏମିତି ଭାବରେ ତ ବାଡ଼େଇବ ! ଏକତାଲାର ସେହି ମାଇକିନାଟି ତ ଠିକ୍ କ୍ଲାରା ପରି ଅନ୍ୟ ମଣିଷ ଧରି ଘର କରିଥିଲା । ତା’ପରେ ତାହାର ସ୍ଵାମୀ ଯୁଦ୍ଧରୁ ଫେରିଆସି ତାହାକୁ ମାରଧର କରିବାରେ ଲାଗିଛି ।

 

ଆନା ଦୃଢ଼ କଣ୍ଠରେ କହିଲା–ଯେତେ ଦୋଷ, ସବୁ ହେଉଛି ସେଇ ମାଈକିନାଟାର ! ପୁରୁଷମାନେ କେବେହେଲେ ଭାବନ୍ତି ନାହିଁ ଯେ ଘରେ ଚାଉଳ ଅଛି କି ନା, ନିଜର ପିଲା-କବିଲା କଅଣ ଖାଇବେ, ଘର କେମିତି ଚଳିବ । ଦେଶ ଉଦ୍ଧାର କରିବା ପାଇଁ ସେମାନେ ଯୁଦ୍ଧକୁ ଚାଲିଯାଆନ୍ତି । ଯେତେଦିନ ସେମାନେ ବାହାରେ ରହିଥାଆନ୍ତି, ସେତେ ଦିନ ଯାଏ ନିଜର ଘର-ସଂସାର କଥା ସେମାନଙ୍କର ମନେ ନ ଥାଏ । ତେଣେ ନିଜର ବିବାହିତା ସ୍ତ୍ରୀକୁ ଯେ ବଞ୍ଚି ରହିବାକୁ ହେବ, ଅନ୍ତତଃ ଦୁଇ ଓଳି ଯେ ତାହାକୁ କିଛି ନା କିଛି ଖାଇବାକୁ ପଡ଼ିବ ଏବଂ ସେଥିପାଇଁ ଯେ କିଛି ଟଙ୍କା ଦରକାର, ଏସବୁ କଥା ସେତେବେଳେ ଏହି ବୀର ପୁରୁଷମାନଙ୍କର ଟିକିଏ ବି ମନେପଡ଼େ ନାହିଁ । କିନ୍ତୁ ଘରକୁ ଫେରି ଆସିଲା ମାତ୍ରେ ତାଙ୍କର ପୁରୁଷ ପଣିଆ ଗଜୁରିବାକୁ ଲାଗେ । ନିଜର ସ୍ତ୍ରୀକୁ ମାର୍‍ଧର କରି ସେମାନେ ବୀରତ୍ଵ ଦେଖାନ୍ତି । କଥାରେ ଅଛି–ଆଗରୁ ନ ପାରିଲୁ ଜଗି, ଏବେ ଆସିଛୁ ପଡ଼ା ମାଗି । ଏ ବି ପ୍ରାୟ ସେହି ଧରଣର କଥା ।

 

ଅନ୍ତରାଳରେ ରହିଥିବା ସୈନିକ ସ୍ଵାମୀମାନଙ୍କର ସ୍ତ୍ରୀମାନଙ୍କ ପକ୍ଷରୁ ଓକିଲାତି କରୁଁ କରୁଁ, ଆନାର ତୁଣ୍ଡରୁ ନିଜର କଥା ବି ବାହାରି ପଡ଼ିଲା ।

 

ରମଣୀ ମନ

ମେରୀ ମୁଣ୍ଡରେ ହାତ ଦେଇ କହିଲା–କଅଣ କହିବି, ଭଉଣୀ, ଘର-କଥା ତୋ ଆଗରେ । ଏଇ କ୍ଲାରାଟି । ଦୁଇ ଦୁଇଟା ଛୁଆଙ୍କୁ ଧରି କେମିତି ଚଳେ ? ସମ୍ବଳ କାହିଁ ? ଖାଇବାକୁ ନ ପାଇ ଶୁଖି ଶୁଖି ମରିବାକୁ ବସିଥିଲା । ଏହି ଲୋକଟି ଆସି ପହଞ୍ଚିବାରୁ ସେ ବଞ୍ଚିଗଲା । ନିଜେ ଗଣ୍ଡାଏ ଖାଇ, ପିଲାଙ୍କ ତୁଣ୍ଡରେ ମୁଠାଏ ଦେଇ, ସେ କୌଣସି ମତେ ରହିଗଲା । ନୋହିଲେ ତାହାର କି ଦଶା ହୋଇ ଥାଆନ୍ତା, କହିଲୁ ଦେଖି, ଭଉଣୀ ? କିନ୍ତୁ ଏକ୍ଷଣି କିଏ ସେ କଥା କାନକୁ ନେବ ?

 

ପାଖ ଘରୁ ମଟର୍ ମେକାନିକର କଣ୍ଠ ସ୍ଵର ଆସି କାନରେ ବାଜିଲା ।

 

ମେକାନିକ କହୁଥିଲା–ତୁମର ସ୍ଵାମୀ ଯେତେବେଳେ ଫେରିଆସି ଦେଖିବ ଯେ ତୁମେ ମୋତେ ଧରି ଖୁବ୍‍ ଆରାମରେ ଅଛ, ସେତେବେଳେ ହୁଏତ ସେ ବି ତୁମକୁ ଏମିତି ଭାବରେ ମାର୍‍ଧର କରିବ ।

 

କ୍ଲାରା ଏହା ଶୁଣି କହିଲା–କଅଣ ଆଉ କରିବି ମୁଁ ? ମୋର ଚାରା କଅଣ ? ମୋର କପାଳରେ ଯାହା ଥିବ, ତାହା ଭୋଗ କରିବି ।

 

ତେଣେ ଝରକାରେ ଖଞ୍ଜା ଯାଇଥିବା ସାଇକେଲ ଘଣ୍ଟି ବଜାଇ ଏଲଫ୍ରି ତାହାର ବନ୍ଧୁକୁ ଟେଲିଫୋନ କରୁଥିଲା ।

 

ଏଲଫ୍ରି ପଚାରିଲା–ତେତାଲାରେ ଯେଉଁ ଆନା ରହୁ ନାହିଁ, ତାହାର ଘରକୁ ଜଣେ ଲୋକ ଆସିଛି, ଜାଣୁ ?

 

ଜବାବ ଆସିଲା–ଶୁଣିଛି ।

 

ପୁଣି ପ୍ରଶ୍ନ ହେଲା–ଆଜି ଦ୍ଵିପହରେ କଅଣ ଖାଇଲୁ ?

 

ଗାଜର, ଗୁଡ଼ାଏ ଗାଜର ଆଜି ମୁଁ ଖାଇଛି–ଉତ୍ତର ମିଳିଲା ।

 

ଏଲଫ୍ରି ପଚାରିଲା...ବୁଲିବାକୁ ଯିବ ନାହିଁ ଆଜି ?

 

ହଁ ଯିବି, ନିଶ୍ଚୟ ଯିବି । ତୁ ଆମ ଘରକୁ ଆ ନା । ସାଙ୍ଗ ହୋଇ ଯିବା ।

 

କିଛି କ୍ଷଣ ପରେ ସେ ଦୁହେଁ ନିଜ ନିଜର ରଙ୍ଗୀନ ଜାମା ପିନ୍ଧି ହାତ ଧରାଧରି ହୋଇ ନାଚି ନାଚି ରାସ୍ତା ଉପରକୁ ବାହାରିଗଲେ ।

 

ସେମାନଙ୍କର ଗୋଡ଼ଗୁଡ଼ାକ ସବୁ କାଠି ପରି ଦିଶୁଥାଏ–ଏଯାଏ ପେଶୀଗୁଡ଼ାକ ଟାଣ ହୋଇ ନ ଥାଏ । ମଥାର କେଶ-ଗୁଚ୍ଛରେ ସେମାନେ ରଙ୍ଗୀନ ରେଶମ ଫିତା ବାନ୍ଧିଥିଲେ । ଫିତାରେ ତିଆରି ହୋଇଥିବା ଫୁଲର ପାଖୁଡ଼ାଗୁଡ଼ିକ ପବନରେ ଫରଫର ହୋଇ ଉଡ଼ୁଥିଲା, ଅବିକଳ ପ୍ରଜାପତିର ଡେଣା ପରି ।

 

କିଏ ଆସିଛି କି ତୋ ଘରକୁ, ଆନା–ମେରୀ ପଚାରିଲା ।

 

ଆନାର ପାଟିରୁ କଥା ବାହାରିଲା ନାହିଁ । ସେ ଚୁପ୍‍ ହୋଇ ରହିଲା ।

 

କିନ୍ତୁ ମେରୀ ମନେମନେ ଯାହା ବୁଝିବା କଥା ବୁଝିନେଲା ।

 

 

ଚାହୁଁ ଚାହୁଁ ସାତୁଟା ଦିନ କୁଆଡ଼େ ପାଣି ପରି ଗଡ଼ିଗଲା ।

 

ପରବର୍ତ୍ତୀ ରବିବାର । ଅପରାହ୍ନ । ଆନା କୋମଳ କଣ୍ଠରେ ଅନୁଯୋଗ କଲା–‘‘ଚାଲ ନା, ଆଜି ଟିକିଏ କେଉଁଠୁ ବୁଲି ଆସିବା ?’’

 

କାର୍ଲ ନିଜର ପରିହିତ ଜାମାପଟା ଉପରେ ଥରେ ଆଖି ବୁଲାଇନେଲା । ସେଗୁଡ଼ାକ ମଇଳା ହୋଇଯାଇଥିଲା । ତଥାପି ସେ ଆଉ କିଛି ବାଟ ନ ଦେଖି କହିଲା–‘‘ହେଉ, ଚାଲ ।’’

 

ଆନା ବୁଝି ପାରିଲା, କାର୍ଲର କୁଣ୍ଠାବୋଧ କରିବାର କାରଣ କଅଣ । ଭଲ ପୋଷାକ ନାହିଁ ବୋଲି କାର୍ଲ ପଦାକୁ ବାହାରି ପାରୁ ନାହିଁ, ସଙ୍କୋଚ ବୋଧ କରୁଛି, କୁଣ୍ଠିତ ହେଉଛି । କାର୍ଲର ଏମିତି ଢଙ୍ଗ ଦେଖି, ଆନା କହିଲା ‘‘ପେଟରାରେ ରିଚାର୍ଡ଼ର କିଛି ଜାମାପଟା ଅଛି, କହିବ ତ ସେଥିରୁ କେତେ ଖଣ୍ଡ କାଢ଼ିଦେବି, ତୁମେ ପିନ୍ଧିବ ।’’

 

କାର୍ଲ ତତ୍‍କ୍ଷଣାତ କହି ପକାଇଲା–‘‘ନା, ନା, ଥାଉ, ସେ ଜାମାପଟା ସବୁ ଥାଉ, ମୋର କିଛି ଦରକାର ନାହିଁ । ଏଇଥିରେ ଚଳିଯିବ ।’’

 

ଆନା ତା’ ପାଖକୁ ଟିକିଏ ଲାଗି ଆସି କହିଲା–‘‘ତାହାର ଜିନିଷ ବ୍ୟବହାର କରିବାକୁ ଯଦି ତୁମକୁ ଏତେ ସଙ୍କୋଚ ଲାଗୁଛି, ତାହାହେଲେ ମୋତେ ବା କିପରି ଗ୍ରହଣ କଲ ?’’

 

ତହୁଁ କାର୍ଲ ବିଷଣ୍ଣ ଦୃଷ୍ଟିରେ ଆନା ଆଡ଼କୁ ଥରେ ଚାହିଁଲା । କାର୍ଲ ଆଦୌ ଚାହେ ନା, ଆନା ରିଚାର୍ଡ଼ ସମ୍ବନ୍ଧରେ କିଛି ରକମ ଆଲୋଚନା କରୁ । ରିଚାର୍ଡ଼ ବିଷୟରେ ତାହାର ତୁଣ୍ଡରୁ ପଦେ କିଛି ବାହାରିଲେ, କାର୍ଲର ଦେହରେ କଣ୍ଟା ପରି ଗଳିଯାଏ । ତା’ ବିଷୟରେ କୌଣସି ଆଲୋଚନା କାର୍ଲ ସହିପାରେ ନାହିଁ । ତାହାର ମନ ଅତ୍ୟନ୍ତ ଖରାପ ହୋଇଯାଏ । ସେ ଭାରି ଅସ୍ୱସ୍ତି ବୋଧ କରେ । ତାହାର ମଥା ଭିତରେ ସବୁ କିଛି ଗୋଳମାଳ ହୋଇଯାଏ ।

 

ଆନା, ଆଉ କାର୍ଲ–ନାରୀ, ଆଉ ପୁରୁଷ । ଦୁହେଁ ରାସ୍ତା ଉପରକୁ ବାହାରି ଆସିଲେ ।

 

ଆନା ନିଜର ସବୁଠୁଁ ବେଶି ଦାମିକା ପୋଷାକ ପିନ୍ଧିଥିଲା । କିନ୍ତୁ କାର୍ଲ ପିନ୍ଧିଥିଲା ଗୋଟାଏ କଦର୍ଯ୍ୟ ମଇଳା ଟ୍ରାଉଜର ଓ ଚାରି ପାଞ୍ଚ ଜାଗାରେ ତାଳି-ପକା ରଙ୍ଗ ଛାଡ଼ି ଯାଇଥିବା ଖଣ୍ଡିଏ ଜାମା । ଆନା ସୁନ୍ଦରୀ । ତାହାର ପୋଷାକ ପତ୍ର ମଧ୍ୟ ସୁନ୍ଦର । ମନର ଆନନ୍ଦରେ ହାଲୁକା ଭାବରେ ପାହୁଣ୍ଡ ପକାଇ ସେ ଚାଲି ଯାଉଥିଲା । କାର୍ଲ ବି ତାହାରି ପାଖେ ପାଖେ ଚାଲୁଥିଲା–ମଇଳା ଛିଣ୍ଡା ଜାମା ଜୋତା ପିନ୍ଧି, ଠିକ୍ ଯେମିତି ରାଜକୁମାରୀ ପାଖରେ ଭିକାରିଟିଏ ।

 

ରାସ୍ତାରେ ଯେଉଁମାନେ ଯାତାୟାତ କରୁଥିଲେ, ସେମାନଙ୍କର ଦୃଷ୍ଟିର ଖୋରାକ ମିଳିଗଲା । ସେମାନଙ୍କ ଭିତରୁ କେହି କେହି ବି ଥଟ୍ଟା ନ କରି ଛାଡ଼ିଲେ ନାହିଁ । ସେମାନେ ସହର ଆଡ଼କୁ ଯାଉଥିଲେ । ବାଟରେ ଯିବା ବେଳେ ଆନା ଗପ କରୁଥିଲା । କାର୍ଲ ମନ ଦେଇ ଆନାର ସୁନ୍ଦର ମୁଖରୁ ମିଠା କଥାସବୁ ଶୁଣୁଥିଲା । ତାହାର ମନ ଆଜି ଆନନ୍ଦରେ ପୁରି ଯାଇଥିଲା । କାରଣ ସେ ଆଜି ନିଜର ପ୍ରିୟତମାର ସାଙ୍ଗରେ ବୁଲୁଛି । ୟାଠାରୁ ବଳି ସୁଖ ଦୁନିଆରେ ଆଉ କଅଣ ବା ଥାଇପାରେ !

 

ଚାଲିବା ବେଳେ ଆନା ପଛଆଡ଼ୁ କିପରି ଦିଶୁଛି, ତାହା ଦେଖିବା ଲାଗି କାର୍ଲ କେତେ ପାହୁଣ୍ଡ ପଛରେ ପଡ଼ିଗଲା । ସତେ, କି ଅପୂର୍ବ ସୁନ୍ଦର ଦିଶୁଛି ଆନା ! ତାହାର ଗାଉନଟା ଆଣ୍ଠୁଯାଏ ଝୁଲି ପଡ଼ିଥିଲା । ମୋଜା–ପିନ୍ଧା ପାଦ ଦୁଇଟି କି ଚମତ୍କାର ଦିଶୁଥିଲା । ତାହାର କଟି ପାଖଟା କେତେ ସରୁ ! କେଶ-ଗୁଚ୍ଛ ବହଳ ଭାବରେ କାନ୍ଧରୁ ପିଠି ଉପରକୁ ଲମ୍ବି ଆସିଥିଲା । ଖାଲି ହାତ ଦୁଇଟି ଠିକ୍ ଦୁଧ ଭଳି ଧଳା ଦିଶୁଥିଲା !’’ ଏହି ଅପୂର୍ବ ସୁନ୍ଦରୀ ଆନା ଆଜି ମୋର । ମୁଁ ହିଁ ତାହାର ସବୁ କିଛିର ମାଲିକ–ତାହାର ଦେହ, ତାହାର ହୃଦୟ, ତାହାର ସବୁ କିଛି !’’ କାର୍ଲ ମନେ ମନେ କହି ପକାଇଲା ।

 

ଏତିକିବେଳେ ଆନା ହାଠାତ ମୁହଁ ବୁଲାଇ ପଛକୁ ଅନାଇଦେଲା ।

 

କାର୍ଲକୁ ଟିକିଏ ପଛେଇ ଯିବାର ଦେଖି ସେ ପଚାରିଲା–‘‘ଏତେ ପଛେଇ ଗଲ କାହିଁକି-?’’

 

‘‘ନା, ଏହି ଯେ ଯାଉଛି ।’’

 

ଦ୍ରୁତ ଗତିରେ ପାହୁଣ୍ଡ ପକାଇ କାର୍ଲ ଆସି ତୁରନ୍ତ ଆନା ପାଖରେ ହାଜର ହୋଇଗଲା ।

 

ସାମନାରେ ଗୋଟିଏ ଉଦ୍ୟାନ ଦେଖିପାରି, ଆନା କାର୍ଲକୁ ଅନୁରୋଧ କଲା–‘‘ଚାଲ, ଉଦ୍ୟାନରେ ଯାଇ ଟିକିଏ ବସିବା ।’’

 

କାର୍ଲ କହିଲା–‘‘ହେଉ, ଚାଲ ।’’

 

ଉଦ୍ୟାନରେ ଗୋଟାଏ ନିର୍ଜନ କୋଣକୁ ଯାଇ, ଗୋଟିଏ ଗଛ ତଳେ ସେମାନେ ବସିଲେ । ଖୁବ୍ ପାଖାପାଖି–ଏକାବେଳେ ଦେହକୁ ଦେହ ଲଗାଲଗି ହୋଇ ସେମାନେ ବସିଲେ । କାର୍ଲ ନିଜର ବାମ ହାତଟି ଆନାର କାନ୍ଧ ଉପରେ ରଖି ତାହାକୁ ଟିକିଏ ଟାଣିନେଲା ମାତ୍ରେ, ଆନା ତାହାର ଦେହଟା ଆଣି କାର୍ଲର ଛାତି ଉପରେ ଲଦିଦେଲା । ଗଭୀର ପ୍ରେମରେ କାର୍ଲ ଆନାର ଗାଲରେ ଗୋଟାଏ ଚୁମ୍ବନ ଆଙ୍କିଦେଲା, ଏବଂ ତାହାର କେଶ-ଗୁଚ୍ଛ ଭିତରେ ହାତ ବୁଲାଉ ବୁଲାଉ କହିଲା–‘‘ଆନା ! ମୋର ପ୍ରିୟତମା ଆନା ! ଆମର ଏହି ମିଳନ ଯେମିତି ଚିରନ୍ତନ ହେଉ, କୋଣସି ମତେ ଯେମିତି ଆମର ବିଚ୍ଛେଦ ନ ଘଟୁ ।’’

 

ଆନା ପଚାରିଲା–‘‘କିନ୍ତୁ ସେ ଯଦି ଆସି ପହଞ୍ଚିଯାଏ ? ସେତେବେଳେ ତ ତୁମେ ମୋତେ ଛାଡ଼ିଦେଇ ପଳାଇଯିବ ?’’

 

କାର୍ଲ ବିସ୍ମିତ ଦୃଷ୍ଟିରେ ଆନା ଆଡ଼କୁ ଚାହିଁ କହିଲା–‘‘ଏ, କଅଣ କହିଲ ? ପଳାଇଯିବି-? ତୁମକୁ ଛାଡ଼ିଦେଇ ପଳାଇଯିବି ? ଯଦି ତୁମେ ଜାଣି ପାରି ଥାଆନ୍ତ ଯେ ଖାଲି ତୁମକୁ ପାଇବା ଲାଗି ନିର୍ବାସନ ଶିବିରରୁ ଖସି ଆସି ତିନିଟା ମାସ ପଶୁ ଭଳି ବଣ ଜଙ୍ଗଲରେ ବୁଲି ବୁଲି ଶେଷରେ ମୁଁ ଏଇଠି ଆସି ପହଞ୍ଚିଛି, ତାହାହେଲେ ତୁମ ତୁଣ୍ଡରୁ ଏମିତି କଥା କଦାପି ବାହାରି ନ ଥାଆନ୍ତା-।’’

 

‘‘ଆଚ୍ଛା, ତୁମେ ତ ମୋତେ ଆଗରୁ କେବେହେଲେ ଦେଖି ନ ଥିଲ । ହଠାତ୍ ମୋ ପ୍ରତି ତୁମର ଏମିତି ପ୍ରବଳ ମୋହ କିପରି ଜାତ ହେଲା ? ତାହା ଛଡ଼ା ଆମର ଗୁପ୍ତ କଥାସବୁ ବା ତୁମେ କିପରି ଜାଣି ପାରିଲ ?’’

 

‘‘ଶୁଣିବ ତାହାହେଲେ ସେହି କଥା ?’’

 

‘‘ହଁ, ହଁ, କହିଲ ଟିକିଏ । ଶୁଣେ । ମୋ ମନ ଭିତରୁ କୌତୂହଳଟା ଦୂର ହୋଇଯାଉ ।’’

 

‘‘ବେଶ୍, ତାହାହେଲେ ଶୁଣ । ଏକଦା ମୁଁ ଓ ତୁମର ସ୍ଵାମୀ ଗୋଟିଏ କାରାଗାର ଭିତରେ କାରା-ଜୀବନ ଯାପନ କରୁଥିଲୁ । ତା’ପରେ ଆମକୁ ନେଇଗଲେ ୟୁରୋପ ଓ ଏସିଆର ସୀମାନ୍ତ ନିକଟସ୍ଥ ଗୋଟାଏ ଦୁର୍ଗମ ପ୍ରାନ୍ତରକୁ । ସେଠାରେ ଗୋଟିଏ ନୂତନ ଶିବିର ସ୍ଥାପିତ ହୋଇଥିଲା । ସେହି ଶିବିରରେ କିଛି ଦିନ ରହିଲା ପରେ, ମୋତେ ଓ ରିଚାର୍ଡ଼କୁ ଦିନେ କିଛି ଦୂରକୁ ପଠାଇ ଦିଆଗଲା–ସେଠାରୁ ପ୍ରାୟ ଦିନକର ବାଟ ହେବ । ସେଠାରେ ଆମକୁ ନାଳ ଖୋଲିବା ପାଇଁ ହୁକୁମ ମିଳିଲା । ଆମର ରହିବା ପାଇଁ ଖଣ୍ଡିଏ ଘର ତୋଳିଦେଲେ ଏବଂ ମାସକ ସକାଶେ ପ୍ରୟୋଜନୀୟ ଖାଦ୍ୟ ସାମଗ୍ରୀ ଦେଇଦେଲେ । ତାହା ଛଡ଼ା ଆମକୁ ଦେଲେ ଦୁଇଟି ଲେଖାଏଁ କୋଦାଳ ଓ ଗୋଟିଆ ଲେଖାଏଁ ଗଇଁତି । ଆମକୁ ଜଗି ରହିବା ଲାଗି ଅବଶ୍ୟ କୌଣସି ରକମ ପହରାର ବ୍ୟବସ୍ଥା ନ ଥିଲା । ଆମେ ମନ ଇଚ୍ଛା କାମ କରୁଥିଲୁ । ଆମର କାମ ଥିଲା ନାଳ-ଖୋଳା । କାମଟା ଅବଶ୍ୟ କଠିନ । ସେମାନେ ଜମି ଉପରେ ଦାଗ ଦେଇ ଯାଇଥିଲେ । ଆମେ କୋଦାଳରେ ସେହି ଜମିରୁ ମାଟି କାଢ଼ୁଥିଲୁ । ପ୍ରାୟ ଦେଢ଼ ହାତ ଗାତ ହୋଇଗଲେ ହିଁ ହେଲା । କାହିଁକି ଯେ ସେମାନେ ଆମକୁ ସେହି କାମରେ ଲଗାଇଥିଲେ, ତାହା ମୁଁ କହି ପାରିବି ନାହିଁ । ବୋଧହୁଏ ଆମର ଉଡ଼ାଜାହାଜକୁ ଧୋକା ଦେବା ମତଲବରେ ସେମାନେ ନକଲି ନାଳ ଦେଖାଇବାକୁ ବସିଥିଲେ ।

 

‘‘ଯାହା ହେଉ, ଆମ ଉପରେ ହୁକୁମ ଥିଲା ଯେ ମାସର ପ୍ରଥମ ସପ୍ତାହରେ ଥରେ ଲେଖାଏଁ ଆମକୁ ଶିବିରକୁ ଯିବାକୁ ହେବ । ସେତେବେଳେ ଆମଠାରୁ କାମର ହିସାବ ନେଇ, ଆସନ୍ତା ମାସ ଲାଗି ଆମକୁ ଖାଦ୍ୟ ସାମଗ୍ରୀ ଦିଆ ଯାଉଥିଲା ।

 

‘‘ସେଠାରୁ ଅନ୍ୟ କେଉଁଠାକୁ ପଳାଇଯିବା ଲାଗି ଯେ ଆଦୌ କୌଣସି ରାସ୍ତା ନାହିଁ, ସେ କଥା ବି ଆମକୁ ବାରମ୍ବାର ଜଣାଇ ଦିଆ ଯାଉଥିଲା ।’’

 

ଆନା ପଚାରିଲା–‘‘ତା’ପରେ ?’’

 

କାର୍ଲ କହିବାକୁ ଲାଗିଲା–‘‘ତା’ପରେ ଆମେ ଦୁହେଁ ସେହି ଜନ ମାନବ ବିବର୍ଜିତ ବିଶାଳ ପ୍ରାନ୍ତରରେ ପ୍ରତିଦିନ ନାଳ ଖୋଲିବାକୁ ଲାଗିଲୁ । ଦୀର୍ଘକାଳ ଆମେ ସେହି ନିର୍ଜନ ପ୍ରାନ୍ତରରେ ବାସ କରିଛୁ । ସେତିକିବେଳେ ରିଚାର୍ଡ଼ ନିତି ତୁମରି କଥା ଗପୁଥିଲା । ମୋ ପାଖରେ ସେ କୌଣସି ବିଷୟ ଲୁଚାଉ ନ ଥିଲା । ବିବାହ ପରେ ପ୍ରଥମ ମଧୁଯାମିନୀରେ କଅଣ ହୋଇଥିଲା, ଏବଂ ତା’ପରେ ଆଉ କଅଣ ହେଲା, ସେ ସବୁ କଥା ସେ ମୋ ଆଗରେ ଅକପଟ ଚିତ୍ତରେ ପ୍ରକାଶ କରିଥିଲା । ତୁମର ଜଙ୍ଘରେ ଯେ ତିନୋଟି ତିଳ ଚିହ୍ନ ଅଛି, ସେ କଥା ବି ମୁଁ ରିଚାର୍ଡ଼ର ତୁଣ୍ଡରୁ ଶୁଣି ପାରିଥିଲି । ମୁଁ ଅବିବାହିତ । ସୁତରାଂ ତୁମେ ତ ବୁଝିପାରୁଥିବ, ଜଣେ ନାରୀ ସମ୍ବନ୍ଧରେ ତାହାର କଥାଗୁଡ଼ାକ ମୁଁ କିପରି ଆବାକାବା ହୋଇ ଗିଳି ପକାଉଥିଲି । ବେଳେବେଳେ ତୁମ କଥା ଶୁଣୁଁ ଶୁଣୁଁ ତୁମ ପ୍ରତି ମୋ ଅନ୍ତରରେ ପ୍ରବଳ ସହାନଭୂତି ଜାତ ହେଉଥିଲା । ତା’ପରେ ମୁଁ ନିତି ତୁମ କଥା ଭାବୁଥିଲି । ମୋର ମାନସପଟରେ ମୁଁ ତୁମର ରୂପ କଳ୍ପନାରେ ଆଙ୍କି ଦେଇଥିଲି । ମୋର କେମିତି ମନେ ହେଉଥିଲା, ସତେ ଯେମିତି ତୁମେ ମୋର ସ୍ତ୍ରୀ । କେତେ ରାତି ତୁମରି କଥା ମନେମନେ ଗୁଣି ଗୁଣି ମୋତେ ନିଦ ହୋଇଯାଇଛି, ମୋର ଖିଆଲ ନାହିଁ । ଶୋଇ ରହି ରାତିରେ ମୁଁ ତୁମକୁ ସ୍ଵପ୍ନ ଦେଖିଛି । ଖାଲି ସେତିକି ନୁହେଁ, ତୁମ ସହିତ ସହବାସ କରୁଛି, ଏପରି ସ୍ଵପ୍ନ ବି ମୁଁ ଅନେକଥର ଦେଖିଛି । ତା’ପରେ ତୁମେ ହୋଇଗଲ ମୋର ଧ୍ୟାନ, ଜ୍ଞାନ, ଜୀବନ, ମରଣ–ସବୁ କିଛି । ମୁଁ ଅହରହ ଖାଲି ଭାବୁଥାଏଁ, କେମିତି ମୁଁ ତୁମ ପାଖକୁ ଧାଇଁ ପଳାଇ ଆସିବି–କେବେ ତୁମକୁ ମୋର ଛାତି ଉପରକୁ ଟାଣି ନେଇ ଭିଡ଼ି ଧରିବି ।’’

 

ଏତକି କହିଦେଇ କାର୍ଲ କିଛି କ୍ଷଣ ଚୁପ୍‍ ହୋଇ ରହିଲା । ତା’ପରେ ସେ ପୁଣି କହିଲା–‘‘ଆଜି ମୁଁ ତୁମକୁ ପାଇଛି । ଯାହା କଥା ମୁଁ ଅନୁକ୍ଷଣ ଚିନ୍ତା କରୁଥିଲି, ଯାହାକୁ ମୁଁ କଳ୍ପନାରେ ଗଢ଼ୁଥିଲି, ସେହି ରୂପବତୀ ଆନା ଆଜି ମୋର ଛାତି ଉପରେ ଲୋଟୁଛି । ଆଜି ଆନା ମୋର,ଏକାନ୍ତ ମୋର, ଅତି ଆପଣାର ।’’

 

‘‘କିନ୍ତୁ ରିଚାର୍ଡ଼ ଏକ୍ଷଣି କେଉଁଠି ?’’

 

‘‘ସେ କଥା ମୁଁ ତ କହି ପାରିବି ନାହିଁ । ଦିନେ ଆମେ ଖାଦ୍ୟ ସାମଗ୍ରୀ ଆଣିବା ପାଇଁ ଶିବିରକୁ ଯାଇଥିଲୁ । ସେଠାରୁ ରିଚାର୍ଡ଼ ଆଉ କେଉଁ ଜାଗାକୁ ଚାଲାଣ ହୋଇଗଲା ଅନ୍ୟ ଦଳେ ବନ୍ଦୀଙ୍କ ସହିତ । ତହିଁ ପର ଦିନ ମୁଁ ପଳାଇ ଆସିଲି । ସୁତରାଂ ରିଚାର୍ଡ଼ର ଆଉ କୌଣସି ଖବର ମୋତେ ମାଲୁମ ନାହିଁ ।’’

 

ଏତେବେଳେ ଯାଇ ଆନା ବୁଝି ପାରିଲା, କିପରି ଭାବରେ କାର୍ଲ ତାହାର ଭିତରି କଥାସବୁ ଏମିତି ଠିକ୍ ଭାବରେ ଜାଣି ପାରିଛି ।

 

କାର୍ଲର ଚଉଡ଼ା ଛାତି ଉପରେ ମୁଣ୍ଡ ରଖି ଆନା ଅନୁଯୋଗ କଲା–‘‘କିନ୍ତୁ ମୁଁ ତୁମକୁ ରିଚାର୍ଡ଼ ବୋଲି ଡାକିବି ।’’

 

‘‘କାହିଁକି ?’’

 

‘‘କାରଣ ମୁଁ ଚାହେ ନା, ଲୋକେ ଆମ କଥା ଆଲୋଚନା କରନ୍ତୁ, ଆମକୁ କେନ୍ଦ୍ର କରି ଅଯଥା ଟାହିଟାପରା କରନ୍ତୁ । ଆମେ ସ୍ଵାମୀ ସ୍ତ୍ରୀ ପରି ଘରସଂସାର କରି ଚଳିଲେ କାହାର କିଛି ସନ୍ଦେହ ରହିବ ନାହିଁ । ଲୋକେ ଜାଣିବେ, ତୁମେ ହେଉଛ ରିଚାର୍ଡ଼, ମୋର ସ୍ଵାମୀ । କଅଣ ମନକୁ ପାଇଲା ତ ?’’

 

‘‘ହେଉ, ତୁମରି କଥା ହେବ । ତାହାହେଲେ ଆଜିଠୁ ତ ମୋତେ ଅବିକଳ ରିଚାର୍ଡ଼ ହୋଇଯାଇ ଚଳିବାକୁ ହେବ । କଅଣ କହୁଛ ?’’

 

ଆନା ତାହାର ମଥାଟି କାର୍ଲର ଛାତିରେ ଦୁଇ ଥର ଘଷି ଦେଇ କୋମଳ କଣ୍ଠରେ କହିଲା–‘‘ସତେ, ତୁମେ ଭାରି ଦୁଷ୍ଟ ।’’

 

ଏତିକିବେଳେ ଗୋଟିଏ ପୌଢ଼ ଦମ୍ପତି ପଲେ ଛୁଆପିଲାଙ୍କୁ ଧରି ସେମାନଙ୍କ ପାଖରେ ଆସି ବସି ପଡ଼ିଲେ । ଗୃହିଣୀ ଜଣକ ହାତରେ ଧରିଥିବା ପୁଟୁଳାଟି ଖୋଲି ସେଥିରୁ କିଛି ବିସ୍କୁଟ କାଢ଼ି ଆଣିଲା ଏବଂ ପିଲାମାନଙ୍କୁ ଦେବାକୁ ଲାଗିଲା । ବିସ୍କୁଟ ଦେଖିପାରି ପିଲାମାନଙ୍କ ଭିତରେ ହଇଚଇ ଆରମ୍ଭ ହୋଇଗଲା । ମୁହୂର୍ତ୍ତକ ଭିତରେ ସେହି ନିର୍ଜନ ଜାଗାଟା ପିଲାଙ୍କର କାନ୍ଦଣା, କିଶୋରଙ୍କର ଚିତ୍କାର, ଗୃହିଣୀଙ୍କର ଧମକ ଏବଂ କର୍ତ୍ତାଙ୍କର ଶାସନରେ ମୁଖରିତ ହୋଇଗଲା ।

 

ଆନା କହିଲା–‘‘ଚାଲ, ଆମେ ଏଠୁ ଚାଲିଯିବା ।’’

 

‘‘ହେଉ, ଚାଲ’’–କାର୍ଲ କହିଲା ।

 

ତା’ପରେ ସେମାନେ ସେଠାରୁ ଉଠିଯାଇ ଉଦ୍ୟାନର ଆଉ ଏକ ପାଖରେ ଗୋଟିଏ ନିର୍ଜନ ଜାଗାରେ ବସିଲେ ।

 

ଏହି ଜାଗାଟିରେ କେତୋଟି ଗଛ ଥିବାରୁ, ସେଟା ଟିକିଏ ଅନ୍ଧାରିଆ ଦିଶୁଥିଲା ।

 

କାର୍ଲ ଓ ଆନା ଲଗାଲଗି ହୋଇ ବସିଲେ । କାର୍ଲର ତୁଣ୍ଡରୁ ପ୍ରଥମେ କଥା ବାହାରିଲା ।

 

କାର୍ଲ ପଚାରିଲା...‘‘ଆଚ୍ଛା, ଆନା !’’

 

‘‘କଅଣ ?’’

 

‘‘କୋଳରେ ପିଲାଟିଏ ଧରିବାକୁ କଅଣ ତୁମର ମନ ଡାକୁ ନାହିଁ ?’’

 

ଏହା କହି କାର୍ଲ ଆନାକୁ ନିଜର ଛାତି ଉପରକୁ ଭିଡ଼ିନେଲା, ଏବଂ ତାହାର ଅଧର ଉପରେ ଗୋଟାଏ ଗାଢ଼ ଚୁମ୍ବନ ଆଙ୍କି ଦେଲା ।

 

ଆନା କାର୍ଲର ପ୍ରଶ୍ନର ଉତ୍ତରଟା ଅବଶ୍ୟ ତୁଣ୍ଡ ଖୋଲି କହିଲା ନାହିଁ । କିନ୍ତୁ ସେ କାର୍ଲର ଗଳାଟା ଅନେକ ବେଳ ଯାଏ ଦୁଇ ହାତରେ କୁଣ୍ଢାଇ ଧରିଲା ।

 

ଏଥିରୁ କାର୍ଲ ଆନାର ମନୋଭାବଟା ଠଉରାଇ ନେଇ ପାରିଲା ।

 

କିଛି ସମୟ ପରେ ଉଦ୍ୟାନର ଅନ୍ୟ ପାଖରେ ବାଦ୍ୟ ବାଜିବାକୁ ଲାଗିଲା । ପ୍ରତି ରବିବାର ଦିନ ସେଠାରେ ବାଦ୍ୟ ବାଜେ । ଆନାର ଚିତ୍ତ ଚଞ୍ଚଳ ହୋଇଗଲା । ସେ କହିଲା–‘‘ଚାଲ ରିଚାର୍ଡ଼, ସେଠାରେ ଯାଇ ଟିକିଏ ବାଜଣା ଶୁଣିବା ।’’

 

ଯେଉଁଠି ବାଦ୍ୟ ବାଜୁଥିଲା, ସେତେବେଳେ ସେଠାରେ ଅନେକ ଲୋକ ଠୁଳ ହୋଇ ଯାଇଥିଲେ । ସେମାନଙ୍କ ଭିତରେ ସ୍ତ୍ରୀଲୋକ ବି ଅନେକ ଥିଲେ । କାର୍ଲ ଆନାକୁ ସାଙ୍ଗରେ ନେଇ ସେମାନଙ୍କ ଭିତରେ ଯାଇ ଠିଆ ହେଲା ।

 

ଏତକିବେଳେ ଜଣେ ବୁଢ଼ା କେତେଗୁଡ଼ିଏ ଗ୍ୟାସ-ବେଲୁନ ହାତରେ ଧରି ବିକିବା ଲାଗି ସେଠାରେ ଆସି ହାଜର ହୋଇଗଲା । ରଙ୍ଗ ବେରଙ୍ଗର ବେଲୁନ ଦେଖିପାରି ଛୋଟ ଛୋଟ ପିଲାମାନେ ଚଞ୍ଚଳ ହୋଇ ପଡ଼ିଲେ । କେତେକ ଲୋକ ନିଜ ନିଜର ପିଲାମାନଙ୍କ ପାଇଁ ବେଲୁନ କିଣିଲେ ।

 

ସେଠାରେ କିଛି ସମୟ ଠିଆ ହୋଇ ରହିବା ପରେ ସେମାନେ ଉଦ୍ୟାନରୁ ବାହାରି ଆସିଲେ । ରାସ୍ତା ଉପରକୁ ଆସି ସେମାନେ ଲଗାଲଗି ହୋଇ ଚାଲିବାକୁ ଲାଗିଲେ । ସେତେବେଳେ ଦୁଇ ଜଣଙ୍କର ଅନ୍ତର ଆନନ୍ଦରେ ପରିପୂର୍ଣ୍ଣ ହୋଇ ଯାଇଥିଲା । ପର ପୁରୁଷ ବୋଲି କାର୍ଲ ପ୍ରତି ସେହି ସଂକୀର୍ଣ୍ଣ ମନୋଭାବଟା ଆନାର ଆଉ ନଥିଲା । ସେ ଆଜି ବେପରୁଆ ହୋଇ ଯାଇଥିଲା । ଲୋକେ ଦେଖିଲେ ନିଶ୍ଚୟ ଭାବିବେ ଯେ ସ୍ଵାମୀ-ସ୍ତ୍ରୀ ଦୁହେଁ ବୁଲି ଯାଉଛନ୍ତି ।

 

ସେମାନେ ଘରକୁ ଫେରିଲା ବେଳକୁ ରାତି ପ୍ରାୟ ଆଠଟା ହୋଇ ଯାଇଥିଲା ।

 

ତେଣେ ସେହି ଟେଲିଫୋନ କରୁଥିବା ଝିଅ ଦୁଇଟି ସେତେବେଳେ ଆନା ବିଷୟରେ ଆଲୋଚନା କରୁଥିଲେ ।

 

ଏଲଫ୍ରି କହୁଥିଲା–‘‘ଜାଣୁ ଏଲମା, ଆନା ଆଜି ସେହି ଲୋକଟାକୁ ସାଙ୍ଗରେ ଧରି ଉଦ୍ୟାନକୁ ବୁଲିବାକୁ ଯାଇଛି ।’’

 

ଏଲମା ଜବାବ ଦେଲା–‘‘ଜାଣେ, ଜାଣେ । ବେଶି କଥା କହନା । ସେହି ଲୋକାଟି ଯେ ଆନାର ସ୍ଵାମୀ । ସତରେ ଭଉଣୀ, ଏହି କୋଠାରେ ଯେତେ ସ୍ତ୍ରୀଲୋକ ବାସ କରୁଛନ୍ତି ଆନା କଦାପି ସେମାନଙ୍କ ପରି ନୁହେଁ ! ତାହାର ସ୍ଵାମୀ ଫେରି ଆସିବା ଆଗରୁ ସେ ଅନ୍ୟ କୌଣସି ପୁରୁଷ ଲୋକ ସହିତ ମିଳାମିଶା କରୁ ନ ଥିଲା ।’’

 

କବାଟ ଖୋଲି ସେମାନେ ଘର ଭିତରେ ପ୍ରବେଶ କଲେ । ତା’ପରେ ଆନା ଆଲୁଅ ଲଗାଇଦେଲା, ଏବଂ ଝରକାଗୁଡ଼ିକ ଖୋଲିଦେଲା ।

 

କାର୍ଲ ଆଡ଼କୁ ଅନାଇ କହିଲା–‘‘ତୁମର କିଛି ଭଲ ପୋଷାକ ତିଆରି କରିବା ନିତାନ୍ତ ଦରକାର ।’’

 

କାର୍ଲ କହିଲା–‘‘ଏ ହପ୍ତାରେ ଟଙ୍କା ମିଳିଲେ ଖଣ୍ଡିଏ ଭଲ ଜାମା କିଣିବି । ଆସନ୍ତା ହପ୍ତାରେ ଖଣ୍ଡିଏ ଟ୍ରାଉଜାର ତିଆରି କରିବି ।’’

 

ଆନା ପଚାରିଲା–‘‘ଆଉ ଜୋତା ?’’

 

‘‘ହଁ, ଜୋତା ହଳେ ବି କିଣିବାକୁ ହେବ’’–କାର୍ଲ କହିଲା ।

 

ଯେତେବେଳେ ସେମାନେ ଏହିପରି କଥାବାର୍ତ୍ତା ହେଉଥିଲେ, ସେତିକିବେଳେ ମେରୀ ଆସି ଦୁଆରର କବାଟରେ ଧକ୍‍କା ମାରିଲା ।

 

ଆନା ପଚାରିଲା...‘‘କିଏ ?’’

 

ବାହାରୁ ମେରୀର ଗଳା ଶୁଭିଲା...‘‘ମୁଁ, ମେରୀ ।’’

 

ଆନା ତତ୍‍କ୍ଷଣାତ ଧାଇଁ ଯାଇ ଦୁଆର ଖୋଲିଦେଇ ନିଜର ବାନ୍ଧବୀକୁ ଅଭ୍ୟର୍ଥନା ଜଣାଇ କହିଲା–‘‘ଆ, ମେରୀ, ଭିତରକୁ ଆ । ଆଗ ତୋତେ ରିଚାର୍ଡ଼ ସାଙ୍ଗରେ ଚିହ୍ନା କରାଇ ଦିଏଁ-।’’

 

କାର୍ଲ ଓରଫ ରିଚାର୍ଡ କତିରେ ଠିଆ ହୋଇଥିଲା । ସେ ଆଗେଇ ଆସି ହସ ହସ ମୁଖରେ ମେରୀ ଆଡ଼କୁ ହାତ ବଢ଼ାଇଦେଲା ।

 

ସେତେବେଳେ କୋଠାଟିର ପରିବେଶ ଅତିଶୟ ଶାନ୍ତ ମଧୁର ଥିଲା । ପିଲାଛୁଆଙ୍କର ପାଟିଗୋଳ ନ ଥିଲା । ଦୋତାଲାର ଗୋଟିଏ ଘରୁ ପିଆନୋର ସ୍ଵର ପରି ଗୋଟାଏ ମଧୁର ସ୍ଵର ଭାସି ଆସୁଥିଲା ।

 

କାର୍ଲ ପଚାରିଲା–‘‘ପିଆନୋ କିଏ ବଜାଉଛି ?’’

 

ମେରୀ ହସି ହସି କହିଲା–‘‘ପିଆନୋ ନୁହେଁ । ସେଟା ଏଇଠି ତିଆରି ଦେଶୀ ପିଆନୋ-। ଦୋତାଲାର ସେହି ଘରଟିରେ ନିତି ଏଠାର କନସାର୍ଟ ପାର୍ଟିର ଆଖଡ଼ା ହୁଏ ।’’

 

ମେରୀ ଯେଉଁ କନସାର୍ଟ ପାର୍ଟିର କଥା କହିଲା, ପ୍ରକୃତରେ ତାହା କିନ୍ତୁ କନସାର୍ଟ ପାର୍ଟି ନୁହେଁ । ଦୋତାଲାର ଗୋଟିଏ ଘରେ ଜଣେ ବାଦ୍ୟଯନ୍ତ୍ରର କାରିଗର ବାସ କରେ । ସେ ନିଜ ହାତରେ କେତେଗୁଡ଼ିଏ ବାଦ୍ୟଯନ୍ତ୍ର ତିଆରି କରିଥିଲା ।

 

ଯେଉଁଟାରୁ ପିଆନୋ ଭଳି ସ୍ଵର ଶୁଣା ଯାଉଥିଲା, ସେଟା ଅସଲି ପିଆନୋ ନୁହେଁ । ଦୁଇ ଫୁଟ୍‍ ଲମ୍ବ ଖଣ୍ଡିଏ ପାଇନ କାଠର ବାକ୍‍ସ ଉପରେ ପିଆନୋର ଚାବି ଓ କଳକବଜା ଲଗାଇ ସେଟା ତିଆରି କରାଯାଇଥିଲା । ତାହା ଛଡ଼ା ଗୋଟିଏ ବେହେଲା ଓ ଗୋଟିଏ ଗିଟାର ମଧ୍ୟ ସେ ତିଆରି କରିଥିଲା । ଗୋଟିଏ ଚୁରୁଟ ବାକ୍‍ସ ସାଙ୍ଗରେ କାଠର ହାତ ଲଗାଇ ବେହେଲାଟା ତିଆରି କରା ଯାଇଥିଲା । ଆଉ ଗିଟାରଟା ତିଆରି ହୋଇଥିଲା, ଗୋଟିଏ ଗୋଲାକାର ଚକୋଲେଟ ଡବା ସାଙ୍ଗରେ କାଠର ହାତ ଲଗାଇ ସେଥିରେ କେତେଗୁଡ଼ିଏ ତାର ଖଞ୍ଜି ଓ ଢିପା ବସାଇ ।

 

ଲୋକଟା ନିଶ୍ଚୟ ରସିକ ଏଥିରେ ତିଳେ ହେଲେ ସନ୍ଦେହ ନାହିଁ । ନିତି ସନ୍ଧ୍ୟା ପରେ ତାହାର ଘରେ କନସାର୍ଟର ଆଖଡ଼ା ବସେ । ବସ୍ତିର କେତୋଟି ପିଲା ବି ବାଦ୍ୟ ଶିଖିବା ଲାଗି ସେଠାରେ ଆସି ହାଜର ହୁଅନ୍ତି ।

 

ଆନା କହିଲା–‘‘ମେରୀ, ତୁ ବସି ତାଙ୍କ ସାଙ୍ଗରେ ଟିକିଏ ଗପ କରୁଥା, ମୁଁ ଯାଇ ଚଟାପଟ ଚାହାଟା ତିଆରି କରି ଆଣେ । କଅଣ କହୁଛୁ ?’’

 

ଯେତେବେଳେ ସେମାନେ ତିନି ଜଣ ଯାକ ବସି ଚାହା ପାନ କରୁଥିଲେ, ସେତେବେଳେ ଦୋତାଲାରେ ପୁରା ଦମରେ କନସାର୍ଟ ବାଜୁଥିଲା । ସେମାନେ ଖୁବ୍‍ ସୁନ୍ଦର ଭାବରେ ବାଦ୍ୟ ବଜାଉଥିଲେ ।

 

 

ସେହି କୋଠାରେ ରହୁଥିବା ଭଡ଼ାଟିଆମାନେ ଜାଣିଲେ ଯେ ରିଚାର୍ଡ଼ ଫେରି ଆସିଛି । ତାହାର ମୃତ୍ୟୁ ଖବରଟା ଯେ ଏକାବେଳେ ମିଛ, ଏ କଥା ବି ସମସ୍ତେ ଗ୍ରହଣ କରିନେଲେ । ଏଣେ ରିଚାର୍ଡରେ ପରିଣତ ହେବା କାର୍ଲ ପକ୍ଷରେ ବି ଆଦୌ କଷ୍ଟକର ହେଲା ନାହିଁ । କାରଣ ଏ କୋଠାରେ ରହୁଥିବା ଲୋକଙ୍କ ଭିତରୁ କେହି ହେଲେ ରିଚାର୍ଡକୁ ଚିହ୍ନି ନଥିଲେ । ବିବାହ ପରେ ସ୍ତ୍ରୀକୁ ଧରି ସେ ଏହି କୋଠାକୁ ଆସିଥିଲା, ଏବଂ ଘର ଭଡ଼ା ନେଇ ରହିବାର ମାତ୍ର ସାତୋଟି ଦିନ ପରେ ସେ ଯୁଦ୍ଧକୁ ଚାଲି ଯାଇଥିଲା । ତାହା ଛଡ଼ା ଏହି ସାତୋଟି ଦିନର ରହଣି ଭିତରେ ସେ କାହା ସହିତ ମିଳାମିଶା କରି ନ ଥିଲା । ଏହିସବୁ କାରଣରୁ ସେମାନେ ସମସ୍ତେ ବିନା ବାକ୍ୟବ୍ୟୟରେ ଧରିନେଲେ ଯେ ରିଚାର୍ଡ଼ ଯୁଦ୍ଧ-କ୍ଷେତ୍ରରୁ ଫେରି ଆସିଛି । ଏଣେ ଟିକିଏ ସୁଯୋଗ ପାଇଲେ କାର୍ଲ ବି ୟା ତା’ ପାଖରେ ନିଜ ବନ୍ଦୀ ଜୀବନର କଥା ବିଶଦ ଭାବରେ ବଖାଣିବାକୁ ଲାଗିଲା । ତାହାର ମୁଖରୁ ନିର୍ବାସନ ଶିବିରର ଘଟଣାବଳୀର ଅବିକଳ ବର୍ଣ୍ଣନା ଶୁଣି କାହାର ସନ୍ଦେହ କରିବାର ଅବକାଶ ରହିଲା ନାହିଁ ଯେ ସେ ଆଉ ଜଣେ ଲୋକ । ଏକମାତ୍ର କାର୍ଲ ନିଜେ ଓ ଆନା ଛଡ଼ା କେହି କାର୍ଲର ଅସଲ ପରିଚୟ ଜାଣି ନ ଥିଲେ । ଏପରିକି ମେରୀକୁ ମଧ୍ୟ ତାହା ଜଣା ନ ଥିଲା । ସେହି କୋଠାର ପିଲାଛୁଆ ସମସ୍ତେ କାର୍ଲକୁ ରିଚାର୍ଡ଼ ବୋଲି ଡାକୁଥିଲେ । ଦୋକାନୀ, ରୋଟିବାଲା, ଗଉଡ଼, କଂସେଇ ପ୍ରଭୃତି ସମସ୍ତେ ଏକସ୍ଵରରେ ଆନାକୁ ଅଭିନନ୍ଦନ ଜଣାଇଥିଲେ । ମେରୀ ତ ଦିନ ରାତି ଚବିଶ ଘଣ୍ଟା ଆନାର ଘରେ ବସି ରହି ବାନ୍ଧବୀର ସ୍ୱାମୀଙ୍କ ସହିତ ଗପରେ ମାତି ଯାଇଥିଲା ।

 

ଆନା ଏବେ ଆଉ କାମକୁ ଯାଏ ନାହିଁ । କାର୍ଲ ନିଜ ପାଇଁ ଗୋଟାଏ କାମ ଯୋଗାଡ଼ କରି ନେଇଥିଲା । ହପ୍ତା ଶେଷରେ ମଜୁରି ମିଳିଲେ ସେ ସବୁତକ ଆଣି ଆନାର ହାତରେ ଧରାଇଦିଏ । ଆନା ନିଜେ କାର୍ଲକୁ ସାଙ୍ଗରେ ବଜାରକୁ ନେଇଯାଇ ଦରଜୀ ଦୋକାନରୁ ତା’ ପାଇଁ ଭଲ ପୋଷାକ ତିଆରି କରାଇ ଦେଇଥିଲା । ହଳେ ଦାମିକା ଜୋତା ବି ସେ ତାହାକୁ କିଣି ଦେଇଥିଲା ।

 

ଆନା ଶୟନ-କକ୍ଷର ଶଯ୍ୟାଟି ଟିକିଏ ବଡ଼ କରି ଦେଇଥିଲା । ସେ ଦୁହେଁ ଗୋଟିଏ ବିଛଣାରେ ଏକାଠି ଶୋଉଥିଲେ । କାର୍ଲ କାନ୍ଥ ଆଡ଼କୁ ଶୋଉଥିଲା, ଆଉ ଆନା ଏ ପଟକୁ । ବଡ଼ି ଭୋରରୁ ଆନାର ନିଦ ଭାଙ୍ଗିଯାଏ । କାର୍ଲ ବିଛଣାରେ ଶୋଇଥାଏ । ସେ ବିଛଣାରୁ ଉଠିଯାଇ, ଚୁଲି ଲଗାଇ ସକାଳର ଚାହା ଓ ଜଳଖିଆ ତିଆରି କରିପକାଏ । ତା’ପରେ କାର୍ଲର ନିଦ ଭାଙ୍ଗିଲେ, ଦୁହେଁ ମୁହାଁମୁହିଁ ବସି ଏକାଠି ଜଳଖିଆ ଓ ଚାହା ଖାଆନ୍ତି ।

 

ଏହିପରି ଭାବରେ କିଛି ଦିନ କଟିଗଲା । ଦିନେ ଆନା ଜାଣିପାରିଲା ଯେ ସେ ନିଜର ଉଦରରେ ସନ୍ତାନ ଧାରଣ କରିଛି । ଏହି ବିଷୟଟି ଜଣାପଡ଼ିଲା ମାତ୍ରେ ସେ ଆନନ୍ଦରେ ଅଧୀର ହୋଇଗଲା ।

 

ଦେଖୁ ଦେଖୁ ତିନୋଟି ମାସ ଗଡ଼ିଗଲା । ଚତୁର୍ଥ ମାସ ପଡ଼ିଲା । ଏଣିକି କାର୍ଲ ଆନାକୁ ଘରସଂସାରର କାମ ବେଶି କରିବାକୁ ଦେଲା ନାହିଁ । କାରଖାନାରୁ ଫେରିଆସି କାର୍ଲ ନିତି ସଉଦା ଆଣିବା ପାଇଁ ବଜାରକୁ ଯାଏ । ଦୋକାନରୁ କାଠ, ପରିବା, ତେଲ ମସଲା ଓ ଅନ୍ୟାନ୍ୟ ଦରକାରୀ ଜିନିଷସବୁ ସେ କିଣି ଆଣେ । ଘର-କାମରେ ବି ସେ ଆନାକୁ ସାହାଯ୍ୟ କରେ । କାର୍ଲକୁ ପାଇ ଆନା ସତରେ ଅତ୍ୟଧିକ ସୁଖୀ ହୋଇଗଲା । ସେ ବୁଝିପାରିଲା ଯେ କାର୍ଲ ତାହାକୁ ନିଜର ପ୍ରାଣଠୁ ବଳି ଭଲ ପାଏ । ପ୍ରତ୍ୟେକ ନାରୀ ହିଁ ଚାହେଁ ପୁରୁଷର ପ୍ରେମ । ପୁରୁଷ ତାହାର କଥା ଅନୁଯାୟୀ ଚଳିବ, ସେ ଯାହା କହିବ ତାହା ହିଁ ହେବ–ପ୍ରତ୍ୟେକ ନାରୀ ଊଣା ଅଧିକେ ଏହା ହିଁ ଚାହେଁ । ଯେଉଁଠି ନରନାରୀଙ୍କ ପ୍ରେମରେ ଫାଙ୍କ ନଥାଏ, ସେଠାରେ ନାରୀ ପ୍ରକୃତରେ ସୁନ୍ଦର ହୋଇଯାଏ । ତାହାର ଢଙ୍ଗଢାଙ୍ଗ ଭାବଭଙ୍ଗୀ ଚାଲିଚଳଣ ଓ କଥାବାର୍ତ୍ତା ସବୁଥିରେ ଆନନ୍ଦର ଦୀପ୍ତି ପ୍ରକଟିତ ହୁଏ-

 

ଆନାର ସେହି ଅବସ୍ଥା ହୋଇଥିଲା । ଆଉ କାର୍ଲ ? ସେ ବି ଆଜି ବିଶେଷ ସୁଖୀ । ଜୀବନରେ କେବେହେଲେ ନାରୀର ଦେହର ପରଶ ଲଭି ନ ଥିବା କୌଣସି ଅବିବାହିତ ଯୁବକ ଯେତେବେଳେ ନିଜର ମାନସୀକୁ ଲାଭ କରେ, ସେତେବେଳେ ତାହା ପରି ସୁଖୀ ବୋଧହୁଏ ଦୁନିଆରେ ଆଉ କେହି ନଥାନ୍ତି । ଯେଉଁ ବହୁ ଆକାଙ୍‍କ୍ଷିତା ଆନାକୁ କାର୍ଲ ଚାହିଥିଲା, ଆଜି ସେହି ମାନସୀକୁ ସେ ଅତି ନିକଟରେ ପାଇଛି । ତରୁଣୀ ଆନାର ସୁନ୍ଦର ଦେହର ପ୍ରତି ଅଙ୍ଗ ଉପରେ ସେ ଆଜି ଆଧିପତ୍ୟ ବିସ୍ତାର କରି ପାରୁଛି । ୟା ଠାରୁ ବଳି ସୁଖ ଆଉ ଦୁନିଆରେ କ’ଣ ଥାଇ ପାରେ ?

 

ବର୍ତମାନ କାର୍ଲ କେବଳ ଗୋଟାଏ ଅଭାବ ଅନୁଭବ କରୁଥିଲା । ତାହା ହେଉଛି ଯଥେଚ୍ଛା ଖର୍ଚ୍ଚ କରିବା ନିମନ୍ତେ ପ୍ରଚୁର ଟଙ୍କା । ସେ ଚାହୁଥିଲା, ତାହାର ପ୍ରାଣାଧିକା ଆନାକୁ ସେ ହୃଦୟର ରାଣୀ ପରି ସଜାଇ ରଖିବ । କିନ୍ତୁ ନିଜର ସ୍ୱଳ୍ପ ଆୟରେ ସେହି ଅଭିଳାଷ ପୂରଣ କରିବା ତା’ ପକ୍ଷରେ ଆଦୌ ସମ୍ଭବ ହେଉ ନ ଥିଲା ।

 

କାର୍ଲ ଜଣେ ଭାରି ଭଲ ମିସ୍ତ୍ରୀ । ଦିନେ ବସୁଁ ବସୁଁ ସେ ମନେମନେ ଭାବିଲା, ଯଦି ସେ ନିଜର ଅବସର ସମୟରେ ଘରେ ଗୋଟାଏ ଦୁଇଟା କଳ ତିଆରି କରି ବିକନ୍ତା ତାହାହେଲେ କେମିତି ହୁଅନ୍ତା ? କଳ ତିଆରି କରି ବିକି ପାରିଲେ, ତା’ ହାତକୁ ମୋଟା ଟଙ୍କା ଆସି ଯାଇ ପାରେ-। ଆଜି ତାହାର ଟଙ୍କା ଖୁବ୍‍ ବେଶି ଦରକାର । ଯଥେଷ୍ଟ ଟଙ୍କା ନ ହେଲେ ସେ ଆନାକୁ କିପରି ସୁଖୀ କରି ପାରିବ ?

 

ସୁତରାଂ ଦିନେ ସଞ୍ଜ ବେଳେ କାମରୁ ଘରକୁ ଫେରି ଆସିବା ସମୟରେ ସେ କେତେ ଖଣ୍ଡ ପାଇନ କାଠ ହାତରେ ଧରି ନେଇ ଆସିଲା ।

 

ଆନା ଏହା ଦେଖି ପଚାରିଲା–‘‘ଏହି କାଠ କଅଣ ହେବ କି ?’’

 

କାର୍ଲ ଜବାବ ଦେଲା–‘‘କଳ ତିଆରି ହେବ ।’’

 

ଆନା ପୁଣି ହସି ହସି ପଚାରିଲା–‘‘କଳ କଅଣ କାଠରେ ତିଆରି ହୁଏ ?’’

 

କାର୍ଲ କହିଲା–‘‘ନା, କଳ କାଠରେ ତିଆରି ହେବ ନାହିଁ । ପ୍ରଥମେ କାଠରେ ଛାଞ୍ଚ ତିଆରି ହେବ, ଆଉ ସେହି ଛାଞ୍ଚରୁ ଢଳାଇ ହେବ କଳର କଳେବର ।’’

 

ଏଥିରୁ ଆନା କିଛି ବୁଝି ପାରିଲା ନାହିଁ ।

 

କିନ୍ତୁ ଆନାର ବୁଝି ପାରିବା ନ ପାରିବାରେ କାର୍ଲର କିଛି ଯାଏ ଆସେ ନାହି । ତାହାର କାମ ଚାଲିଲା । ଟିକିଏ ଅବସର ମିଳିଲେ ସେ ଛାଞ୍ଚ ତିଆରି କରିବା ପାଇଁ କାଠ, ହାତୁଡ଼ି ଓ ବଟାଳୀ ଧରି ବସିଯାଏ । ସେତେବେଳେ ସେହି ଅଞ୍ଚଳରେ ସିଲାଇ କଳର ଚାହିଦା ଖୁବ୍‍ ବେଶି ହେଉଥିଲା । ତେଣୁ ସିଲାଇ କଳ ତିଆରି କରିପାରିଲେ ଖୁବ୍‍ ଭଲ ଚାଲୁ ହେବ ଏବଂ ତା’ ସାଙ୍ଗରେ ଯଥେଷ୍ଟ ଟଙ୍କା ବି ହାତକୁ ଆସିବ । ମନେମନେ ଏହା ଭାବି କାର୍ଲ କାମରେ ହାତ ଦେଲା, ଏବଂ କେତୁଟା ଦିନ ଭିତରେ ସିଲାଇ କଳର ଛାଞ୍ଚ ତିଆରି କରି ପକାଇଲା । ତା’ପରେ ସେ ବାରୋଟି କଳର କଳେବର ଢଳାଇ କରି ଆଣି, ସେସବୁ ଘରେ ଯୋଡ଼ାଯୋଡ଼ି କରିବାରେ ଲାଗିଗଲା । ଯାହା କରିବା ପାଇଁ ବିଶେଷ ଯନ୍ତ୍ରପାତି ଦରକାର ହୁଏ, ସେହି କାମ ସବୁ ସେ ବାହାର କାରଖାନାରୁ ନଗଦ ପଇସା ଦେଇ କରାଇ ଆଣେ ।

 

ଏହିପରି ଭାବରେ ଅକ୍ଳାନ୍ତ ପରିଶ୍ରମ କରି ଦୁଇ ମାସ ଭିତରେ କାର୍ଲ ବାରୋଟି ସିଲାଇ କଳ ତିଆରି କରି ପକାଇଲା । କଳଗୁଡ଼ିକ ତିଆରି ହୋଇଗଲାରୁ, ଦିନେ ସେ ଜଣେ ବେପାରୀକୁ ଡାକି ଆଣି ସେସବୁ ଦେଖାଇଲା । ବେପାରୀ ଜଣକ ନଗଦ ଦାମ ଦେଇ ସେସବୁ କିଣି ନେଇଗଲା-। ଏହିପରି ଭାବରେ କିଛି ମୋଟା ଟଙ୍କା କାର୍ଲର ହାତକୁ ଆସିଗଲା ।

 

ସେହି ଟଙ୍କାରେ କାର୍ଲ ଗୁଡ଼ାଏ ଦରକାରୀ ଜିନିଷ କିଣି ପକାଇଲା । ଆନାର ସନ୍ତାନ ହେବ ବୋଲି ଡାକ୍ତର ତାହାକୁ ଭଲ ଖାଦ୍ୟ ଖାଇବାକୁ ଦେବା ପାଇଁ କହିଛି ଏବଂ କଠିନ ପରିଶ୍ରମ କରିବାକୁ ମନା କରିଛି । ସେଇଥିପାଇଁ କାର୍ଲ ଆନା ଲାଗି ନିତି ଦେଢ଼ ସେର ଖାଣ୍ଟି ଦୁଧ ବରାଦ କରିଛି । ତାହା ଛଡ଼ା ନିତି ବଜାରକୁ ଯାଇ କଦଳୀ, କମଳା, ସେଉ, ଲହୁଣୀ ଓ ଆଉ କେତେ ରକମ ପୃଷ୍ଟିକର ଖାଦ୍ୟ ସାମଗ୍ରୀ ସେ ତା’ ପାଇଁ କିଣି ଆଣୁଛି ।

 

ଏମିତି କାଣ୍ଡ କାରଖାନା ଦେଖି ଆନା ମଝିରେ ମଝିରେ ପଚାରି ଦିଏ–‘‘ତୁମେ ମିଛଟାରେ ମୋ ପାଇଁ ଏତେ ଖରଚ କାହିଁକି କରୁଛ କହିଲ ?’’

 

କାର୍ଲ ଜବାବ ଦିଏ–‘‘ଯଦି ତୁମ ପାଇଁ ଖରଚ ନ କରି ପାରିଲି, ତାହାହେଲେ ଟଙ୍କା ରୋଜଗାର କରୁଛି ଆଉ କାହା ପାଇଁ ?’’

 

ଗୋଟିଏ କଳ-ଗାଉଣା କିଣିବା ପାଇଁ ଆନା ଅଧିକ ଦିନରୁ ଇଚ୍ଛା କରିଥିଲା । ଏତେଦିନେ ତାହାର ସେହି ଆଶା ପୂରଣ ହେଲା । ଯୁଦ୍ଧର ବଜାରରେ କଳ-ଗାଉଣାର ଦାମ ଖୁବ୍‍ ଚଢ଼ିଯାଇଥିଲା । ତଥାପି କାର୍ଲ ଗୋଟିଏ ‘ହିଜ ମାଷ୍ଟର୍ସ ଭୟେସ’ ର କଳ-ଗାଉଣା ଆନା ପାଇଁ କିଣି ଆଣିଲା । ଆନା ଏକ୍ଷଣି ମନ ଇଚ୍ଛା କଳ-ଗାଉଣା ବଜାଇବାକୁ ଲାଗିଲା । କାର୍ଲ ବଛା ବଛା ରେକର୍ଡ଼ ମଧ୍ୟ କିଣି ଆଣିଲା–ଗୀତ, ବାଦ୍ୟ, ନାଟକ, ଇତ୍ୟାଦି ।

 

ବେଳେବେଳେ ମନ ହେଲେ ଆନା ସିଲାଇ କରିବାକୁ ବସିଯାଏ । ସିଲାଇ କଳରେ ସେ ଅନାଗତ ଅତିଥି ପାଇଁ ରଙ୍ଗ ବେରଙ୍ଗର ଟିକି ଟିକି ଜାମାପଟା ତିଆରି କରିବାକୁ ଲାଗେ ।

 

କାର୍ଲ ଦିନ ରାତି ରାକ୍ଷସ ପରି ଖଟେ । ଦିନରେ ସେ କାରଖାନାକୁ କାମ କରିବାକୁ ଯାଏ, ଆଉ ସଞ୍ଜବେଳକୁ ଘରକୁ ଫେରିଆସି କଳ ତିଆରି କରିବାରେ ଲାଗିଯାଏ । ସେଇଥିପାଇଁ ଗୋଟାଏ ସେଟ୍ କରତ, ଫାଇଲ ଛେଣି ହାତୁଡ଼ି, ଇଞ୍ଚପଟା, ମାର୍କିଂ ପ୍ଳେଟ ଓ ଅନ୍ୟାନ୍ୟ ପ୍ରୟୋଜନୀୟ ଜିନିଷ କିଣି ଆଣିଛି । ମେସିନର କଳେବର ଗୁଡ଼ିକ ଭାଇସରେ ବାନ୍ଧି ସେ ଜୋରରେ ଫାଇଲ ଚଲାଏ । ଫାଇଲ ଚଳାଇଲା ବେଳେ ତାହାର କପାଳରୁ ଝାଳ ବହି ପଡ଼େ । ଏହା ଦେଖି ଆନା କହି ପକାଏ–‘‘ଦେଖୁଛି, ମୋରି ଲାଗି ଖଟି ଖଟି ଶେଷକୁ ତୁମର ଦେହଟି ନଷ୍ଟ ହେବ ।’’

 

କାର୍ଲ ପାଟି ଫିଟାଏ ନାହିଁ । ଖାଲି ହସି ଦିଏ, ଆଉ କାମରେ ଲାଗିଥାଏ ।

 

ଦିନେ କାର୍ଲ ଓ ଆନା ସାଙ୍ଗ ହୋଇ ବୁଲିବାକୁ ଗଲେ । ଗପି ଗପି ଯାଉ ଯାଉ ସହରର ସୀମା ଟପି ରେଳ ଲାଇନ କଡ଼େ କଡ଼େ ବହୁତ ବାଟ ସେମାନେ ଚାଲିଗଲେ । ରେଳ ଲାଇନ ପାଖେ ପାଖେ ତା’ର ଖୁଣ୍ଟିଗୁଡ଼ାକ ଗୋଟାଏ ଧାଡ଼ିରେ ମଥା ଟେକି ଠିଆ ହୋଇଥିଲା । ସେହିଦିନ ସେମାନେ ଘରକୁ ଫେରିଲା ବେଳକୁ ଟିକିଏ ବେଶି ରାତି ହୋଇ ଯାଇଥିଲା ।

 

ଘରେ ପହଞ୍ଚି ଆନା ଆଲୁଅ ଲଗାଇଦେଲା । ତତ୍‍କ୍ଷଣାତ ମେରୀ ଧାଇଁ ଆସିଲା । ତାହାର ମୁହଁକୁ ଅନାଇ ଦେଇ ଆନା ବିସ୍ମିତ ହୋଇଗଲା । ତାହାର ମନେ ହେଲା, ମେରୀ ଏତେବେଳ ଯାଏ କାନ୍ଦୁଥିଲା ।

 

ଆନା ପଚାରିଲା–‘‘କଅଣ ହୋଇଛି କି ତୋର, ମେରୀ ?’’

 

ମେରୀ କହିଲା–‘‘କ୍ଲାରାର ସ୍ଵାମୀ ଆଜି ଆସିଥିଲା ।’’

 

ଏହି ଖବର ଶୁଣିଲା ମାତ୍ରେ ଆନାର ମନ ଭିତରେ ଗୋଟାଏ ଛନକା ପଶିଗଲା । ସେ ଭାବିଲା, ତାହାର ସ୍ଵାମୀ ତ ଏମିତି କେଉଁଦିନ ହଠାତ୍ ଆସି ପହଞ୍ଚି ଯାଇ ପାରେ ।

 

ଆନାର ମନୋଭାବ ବୁଝି ପାରି କାର୍ଲ ପଚାରିଲା-‘‘ଆସିଥିଲା ମାନେ ? ସେ ଏକ୍ଷଣି କେଉଁଠି ଅଛି କି ?’’

 

ମେରୀ ଜବାବ ଦେଲା–‘‘ଚାଲି ଗଲାଣି ।’’

 

‘‘ଚାଲିଗଲା ! କେଉଁଠାକୁ ?’’ କାର୍ଲ ପୁଣି ପଚାରିଲା ।

 

ମେରୀ କହିଲା–‘‘ବୋଧହୁଏ ଯୁଦ୍ଧ କ୍ଷେତ୍ରକୁ । ତୁମେ ବୁଲି ବାହାରିଯିବା ପରେ ଆସି ହଠାତ୍ ପହଞ୍ଚିଗଲା । ଘରେ ଗୋଡ଼ ଦେଉ ନ ଦେଉଣୁ କ୍ଲାରାର ସାନ ପିଲାଟିକୁ ଦେଖି ସେ ପଚାରିଲା–ଏ ପିଲାଟି କାହାର ? କ୍ଲାରାର ତୁଣ୍ଡରୁ କିଛି କଥା ବାହାରିଲା ନାହିଁ । ସେ କିଛି କ୍ଷଣ ପିଲାଟିର ମୁହଁକୁ ଏକ ଦୃଷ୍ଟିରେ ଅନାଇ ରହି, ଚାଲିଯିବା ପାଇଁ ପାଦ ବଢ଼ାଇଲା । କ୍ଲାରା ଅନୁନୟ କରି କହିଲା–ମୋ କଥା ଟିକିଏ ଶୁଣିବ ନାହିଁ ? କିନ୍ତୁ କ୍ଲାରାର କୌଣସି କଥା ସେ କାନକୁ ନ ନେଇ ଫେରିଗଲା । ଗଲା ବେଳେ ସେ ପଦେ ହେଲେ କଥା କହିଲା ନାହିଁ ।’’

 

ଏତିକି କହି ମେରୀ ଦୁଇ ହାତରେ ମୁଖ ଢାଙ୍କି କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା ।

 

କାନ୍ଦୁ କାନ୍ଦୁ ମେରୀ ପୁଣି କହିଲା–‘‘ସେ ଯେ ଏମିତି ଭାବରେ ଚାଲିଯିବ, ଏହା ଆମେ ସ୍ଵପ୍ନରେ ସୁଦ୍ଧା ଭାବି ପାରି ନ ଥିଲୁ । ଏହି ସେ ଦିନ ତ ମୋସାରର ସ୍ଵାମୀ ଫେରି ଆସିଲା । ଯେତେବେଳେ ସେ ଆସି ପହଞ୍ଚିଲା, ଫ୍ରିଜ ନାମରେ ଯେଉଁ ଲୋକଟି ତା’ ସାଙ୍ଗରେ ରହୁଥିଲା ତତ୍‍କ୍ଷଣାତ ସେ କୁଆଡ଼େ ଖସି ପଳାଇଗଲା । ଏହି ରକମ ତ ଘଟୁଛି । କଅଣ କହୁଛୁ ?’’

 

କାହାରି ଜବାବକୁ ଅପେକ୍ଷା ନ କରି, ମେରୀ ପୁଣି କହିବାକୁ ଲାଗିଲା–‘‘ତାହା ଛଡ଼ା ଏହି ଚାରିତାଲାରେ ଯେଉଁ ସ୍ତ୍ରୀ ଲୋକଟି ରହେ, ତାହାର କଥା ଦେଖିଲୁ ତ ! ତାହାର ସ୍ଵାମୀ ଫେରି ଆସିଲେ ସୁଦ୍ଧା, ଯେଉଁ ଲୋକଟି ତା’ ସାଙ୍ଗରେ ରହୁଥିଲା ସେ କହିଲା, ଘର ଠିକ୍ ନ କରି କେଉଁଠିକି ଯିବି ? ତା’ପରେ ତିନି ଚାରି ସପ୍ତାହ ଯାଏ ସେମାନେ ତିନି ଜଣ ଗୋଟିଏ ଘରେ ରହିଲେ । ଶେଷରେ ଘର ଠିକ୍ ହେବାରୁ ଲୋକଟା ଚାଲିଗଲା । ଏକ୍ଷଣି ତ ସେ ନିଜର ସ୍ଵାମୀକୁ ନେଇ ସ୍ୱଚ୍ଛନ୍ଦରେ ଦିନ କାଟୁଛି ।’’

 

କାର୍ଲ କହିଲା–‘‘ଏକ୍ଷଣି ତୁମେ ଖୁବ୍‍ ଉତ୍ତେଜିତ ହୋଇଛ, ମେରୀ । ଟିକିଏ ବସିଯାଅ, ମୁଁ ଟିକିଏ କଫି ତିଆରି କରି ଆଣୁଛି ।’’

 

ଏହା କହି କାର୍ଲ କଫି ତିଆରି କରିବା ଲାଗି ପାଖ ଘରକୁ ଚାଲିଗଲା ।

 

ମେରୀର ସ୍ଵଭାବ ଟିକିଏ ଖିଆଲି ଧରଣର । ଯେତେବେଳେ ସମସ୍ତେ ମୁହଁ ଓହଳାଇ ବସି ଥାଆନ୍ତି, ସେତେବେଳେ ସେ ହୁଏତ ଆନନ୍ଦରେ ଅଧୀର ହୋଇ ହସି ହସି ଗଡ଼ି ଯାଉଥାଏ । କିନ୍ତୁ ଯେତେବେଳେ ସମସ୍ତେ ହସ-ଖୁସି ଥଟ୍ଟା-ପରିହାସରେ ମାତି ଥାଆନ୍ତି, ସେତେବେଳେ ଦେଖାଯାଏ ହୁଏତ ସେ ସାମାନ୍ୟ କୌଣସି କଥାରେ କାନ୍ଦି-କାଟି ଘରଦ୍ଵାର ଭସାଇ ଦେଉଥାଏ । ମୋଟ ଉପରେ ତାହାର ପ୍ରକୃତି ହେଉଛି ଦ୍ରୁତ ପରିବର୍ତ୍ତନଶୀଳ । ଅନେକ ପରିମାଣରେ ପାଣିରେ ଭାସୁଥିବା କାଠ ଖଣ୍ଡ ପରି କହିଲେ ବି ଅତ୍ୟୁକ୍ତି ହେବ ନାହିଁ । ଯେମିତି ପ୍ରତି ଢେଉର ଆଘାତରେ କାଠ ଖଣ୍ଡିକ ବୁଡ଼ିଯାଏ ଏବଂ ପୁଣି ସଙ୍ଗେ ସଙ୍ଗେ ଭାସି ଉଠେ, ଠିକ୍ ସେମିତି ମେରୀ କୌଣସି ଆଘାତ ପାଇଲେ କାନ୍ଦି-କାଟି ଭସାଇଦିଏ ତ, ପୁଣି ପର ମୁହୂର୍ତ୍ତରେ ସବୁ କଥା ଭୁଲିଯାଇ ହସ-ପରିହାସରେ ଯୋଗ ଦିଏ ।

 

ସୁତରାଂ କାର୍ଲକୁ କଫି ତିଆରି କରିବାର ଦେଖି ସେ ହସି ଆନାକୁ ପଚାରିଦେଲା–‘‘ତୁ କଅଣ ଏକ୍ଷଣି ତାହାହେଲେ ରନ୍ଧାବଢ଼ା କରୁଛୁ ? ଯାହା ହେଉ, କପାଳରେ ଥିଲେ ଏମିତି ମଣିଷ ମିଳେ । ଏ ଭାଗ୍ୟ କଥା, କଅଣ କହୁଛୁ, ଆନା ?’’

 

ମେରୀର ଏହି ପରିହାସ ବ୍ୟଞ୍ଜକ କଥା ଶୁଣି ଆନାର ମନଟା ଟିକିଏ ହାଲୁକା ହୋଇଗଲା । ସେ କହିଲା–‘‘ହଁ, କଥାଟା ମିଛ ନୁହେଁ । ସତରେ ଏମିତି ପୁରୁଷ କପାଳରେ ଥିଲେ ହିଁ ମିଳେ ।’’

 

ଏହି ଘଟଣାର ତିନି ଦିନ ପରେ ସାମରିକ କର୍ତ୍ତୃପକ୍ଷଙ୍କଠାରୁ କ୍ଲାରାର ନାମରେ ଖଣ୍ଡିଏ ଚିଠି ଆସିଲା ।

 

ସେହି ଚିଠିରେ ଲେଖା ଥିଲା–‘‘ଆପଣଙ୍କର ସ୍ଵାମୀ ମୃତ୍ୟୁମୁଖରେ ପତିତ ହୋଇଛନ୍ତି ?’’

 

କିପରି ବା ତାହାର ମୃତ୍ୟୁ ହେଲା ? ଆତ୍ମହତ୍ୟା ଯୋଗୁଁ, ନା ଯୁଦ୍ଧକ୍ଷେତ୍ରରେ, ନା ସାମରିକ ଅଦାଲତର ବିଚାରରେ, ସେ କଥା କିଛି ସେହି ଚିଠିରେ ଲେଖା ନ ଥିଲା । ଚିଠି ଖଣ୍ଡିକ ପାଇ କ୍ଲାରା କାନ୍ଦି କାନ୍ଦି ଗଡ଼ିଗଲା । ମେରୀ ତାହାକୁ ସାନ୍ତ୍ଵନା ଦେବା ଉଦ୍ଦେଶ୍ୟରେ କହିଲା–‘‘ଆହା, ଲୋକଟି ସତରେ କେଡ଼େ ଭଲ ଥିଲା ! ସେହି କୋଠାରେ ରହୁଥିବା ଅନ୍ୟ ଭଡ଼ାଟିଆମାନେ କେବେହେଲେ କ୍ଲାରାର କୌଣସି କଥାରେ ପାଟି ଫିଟାଇ ନ ଥିଲେ । କିନ୍ତୁ ତାହାର ସ୍ଵାମୀ ହଠାତ୍ ଆସି ଫେରିଗଲା ଏବଂ ତା’ପରେ ତାହାର ମୃତ୍ୟୁ ସମ୍ବାଦ ଆସି ପହଞ୍ଚିଲା–ଏଥିରେ ସେମାନଙ୍କ ଭିତରେ ସମାଲୋଚନାର ଝଡ଼ ପ୍ରବଳ ବେଗରେ ଉଠିଲା । ସମସ୍ତେ ଛି’ ଛାକର କରି କହିବାକୁ ଲାଗିଲେ–କ୍ଲାରା ଗୋଟାଏ କଦର୍ଯ୍ୟ ମାଈକିନା । ସ୍ଵାମୀ ଯୁଦ୍ଧକୁ ଚାଲିଗଲେ ତ ଅନେକ ସ୍ତ୍ରୀ ଲୋକ ଅନ୍ୟ ପୁରୁଷକୁ ଧରି ଘର କରିଥାଆନ୍ତି, କିନ୍ତୁ ସେ ଯୁଦ୍ଧରୁ ଫେରି ଆସିଲେ କେହି ତାହାକୁ ଘରୁ ତଡ଼ି ଦିଅନ୍ତି, ଏମିତି ସ୍ତ୍ରୀ ଲୋକ ତ କେଉଁଠି ଦେଖିବାକୁ ମିଳନ୍ତି ନାହିଁ ! କିନ୍ତୁ ଏ କ୍ଷେତ୍ରରେ କଅଣ ହେଲା-? ଘରେ ଗୋଡ଼ ଦେଉ ନ ଦେଉଣୁ ଲୋକଟା ବାହୁଡ଼ି ଗଲା ? ଏହା ଦେଖି ଅନେକ ଲୋକ ମଟର ମେକାନିକ ପାଖକୁ ବେନାମୀ ଚିଠି ପଠେଇବାକୁ ଲାଗିଲେ ।’’

 

ଏହିପରି ଭାବରେ ଦୁଇ ତିନି ସପ୍ତାହ କଟିଗଲା । ଆସ୍ତେ ଆସ୍ତେ ସମାଲୋଚନାର ଢେଉ କମି କମି ଆସି ଶେଷକୁ ବନ୍ଦ ହୋଇଗଲା । ଏଣେ କ୍ଲାରା ବି ଜଣେ ଦୁଇ ଜଣ ସାଙ୍ଗ ସାଥୀଙ୍କ ସହିତ ମିଳାମିଶା କରିବାକୁ ଲାଗିଲା । କିଛି ଦିନ ପରେ ପ୍ରାୟ ସମସ୍ତେ କ୍ଲାରାର ସ୍ଵାମୀର କଥା ଭୁଲିଗଲେ । ପୂର୍ବର ଅବସ୍ଥା ଫେରି ଆସିଲା । ଯେମିତି ଆଗରୁ ସେମାନେ ଚଳାଚଳ ହେଉଥିଲେ, ଠିକ୍ ସେମିତି ଭାବରେ ସେମାନେ ଚଳପ୍ରଚଳ ହେବାକୁ ଲାଗିଲେ ।

 

ସିଡ଼ିରେ ଯାତାୟାତ କଲା ବେଳେ ଲୋକମାନେ ପୁଣି ହସି ହସି ମଟର୍ ମେକାନିକ ସାଙ୍ଗରେ କଥା କହିବାକୁ ଲାଗିଲେ । କିନ୍ତୁ କ୍ଲାରାକୁ କେହି କିଛି ଖରାପ କଥା କହିଲେ ନାହିଁ ।

 

ମାତ୍ର କ୍ଲାରାର ପ୍ରଥମ ସ୍ଵାମୀଙ୍କ ପିଲା ଦୁଇଟି ଭାରି ଅଡ଼ୁଆରେ ପଡ଼ିଗଲେ । କୋଠାରେ ରହୁଥିବା ଅନ୍ୟ ପିଲାମାନେ ସେମାନଙ୍କୁ ଯାହା ଇଚ୍ଛା ତାହା ଗାଳି ଫଜିତ୍‍ କରିବାକୁ ଲାଗିଲେ । ସେମାନଙ୍କୁ ବେଶି ବାଧେ, ଯେତେବେଳେ ସେମାନେ ଶୁଣନ୍ତି–ଯା,ଯା, ତୁମର ବାପ ମାଆର ଠିକ୍ ନାହିଁ, କିଏ ତୁମର ଅସଲ ବାପା କହି ପାରିବ ? କେତେବେଳେ ପିଲା ଦୁଇଟି ଅନ୍ୟମାନଙ୍କ ସାଙ୍ଗରେ ହାତାହାତି ହୋଇ ଯାଆନ୍ତି, ପୁଣି କେତେବେଳେ ସେମାନଙ୍କଠାରୁ ମାଡ଼ ଖାଇ କାନ୍ଦି କାନ୍ଦି ଘରକୁ ଫେରି ଆସନ୍ତି । କ୍ଲାରା ସେମାନଙ୍କୁ ଆଉଁଷି ଦେଇ ପ୍ରବୋଧନା ଦେବାକୁ ଲାଗେ–‘‘ସୁନାଟା ପରା, ସେମାନେ ଭାରି ଦୁଷ୍ଟ ପିଲା, ସେମାନଙ୍କ ସାଙ୍ଗରେ ମିଶିବ ନାହିଁ, ଖେଳିଲା ବେଳେ ମାଡ଼ଗୋଳ ହେବ ନାହିଁ, ନିଜେ ହୁସିଆର ହୋଇ ଚଳିବ ।’’

 

 

କିଛି ଦିନ ପରେ ।

 

ଦିନେ ଦ୍ଵିପହରରେ ନିରୋଳାରେ ବସି ଆନା ନିଜର ବାନ୍ଧବୀ କ୍ଳାରାର ସ୍ୱାମୀଙ୍କ କଥା ଭାବୁଥିଲା । ‘‘ଲୋକଟି ଭାରି ଭଲ । ନିଜର ସ୍ତ୍ରୀକୁ ଅନ୍ୟ ପୁରୁଷ ସାଙ୍ଗରେ ଘର କରିବାରେ ଦେଖି, କେମିତି ଚୁପ୍‍ଚାପ ଚାଲିଗଲା ।’’ ବାନ୍ଧବୀର ସ୍ୱାମୀଙ୍କ କଥା ଭାବୁ ଭାବୁ, ନିଜ ସ୍ୱମୀଙ୍କ କଥା ତାହାର ମନେ ପଡ଼ିଗଲା... ‘‘ଯଦି ରିଚାର୍ଡ଼ ବଞ୍ଚିଥାଏ ? ଯଦି ସେ ଫେରିଆସେ ? ତାହାହେଲେ, କଅଣ କରିବି ମୁଁ ? ସେ ବି କଅଣ ମୋର ବର୍ତ୍ତମାନ ପରିସ୍ଥିତି ଦେଖି କ୍ଲାରାର ସ୍ୱାମୀଙ୍କ ଭଳି ଚୁପ୍‍ଚାପ ଫେରିଯିବ ?’’

 

ଏହି ସବୁ କଥା ମନେମନେ ଗୁଣି ହୋଇ, ଆନା ହଠାତ୍ ଟେବୁଲ ପାଖକୁ ଉଠିଗଲା, ଏବଂ ଦରାଜ ଖୋଲି ଯୁଦ୍ଧ ବିଭାଗରୁ ଆସିଥିବା ସେହି ପୁରୁଣା ପୋଷ୍ଟକାର୍ଡ଼ ଖଣ୍ଡକ କାଢ଼ି ଆଣିଲା । ସେଥିରେ ସ୍ପଷ୍ଟ ଭାବରେ ଲେଖା ହୋଇଥିଲା–ଗଭୀର ପରିତାପର ବିଷୟ ଯେ ୧୯୧୪ ମସିହା ସେପ୍ଟେମ୍ବର ୪ ତାରିଖରେ ଆପଣଙ୍କ ସ୍ଵାମୀ ଯୁଦ୍ଧ କ୍ଷେତ୍ରରେ ମୃତ୍ୟୁମୁଖରେ ପତିତ ହୋଇଛନ୍ତି ।’’

 

ଚିଠି ଖଣ୍ଡକ ପଢ଼ୁ ପଢ଼ୁ ଗଭୀର ଚିନ୍ତାରେ ଆନାର ଆଖି ନିଦରେ ମୁଦି ହୋଇଗଲା ।

 

ଏତିକିବେଳେ ଦୁଆର କବାଟରେ କିଏ ଯେମିତି ଧକ୍‍କା ମାରିଲା ।

 

ଆନା ନିଦ୍ରା-ବିଜଡ଼ିତ କଣ୍ଠରେ ପଚାରିଲା–‘‘କିଏ ?’’

 

ବାହାରୁ ଡାକପିଅନର କଣ୍ଠସ୍ଵର ଶୁଣାଗଲା–‘‘ଚିଠି ଅଛି ।’’

 

ଆନା କହିଲା–‘‘କବାଟ ଫାଙ୍କରେ ଭିତରକୁ ଗଳାଇ ଦିଅ ।’’

 

ଆନାର ନିର୍ଦ୍ଦେଶ ଅନୁଯାୟୀ ଡାକପିଅନ କବାଟ ଫାଙ୍କରେ ଚିଠି ଖଣ୍ଡିକ ଗଳାଇଦେଲା-

 

ଆନା ଥରେ ଚିଠିଟି ଆଡ଼କୁ ଅନାଇ ଦେଖିଲା । କିନ୍ତୁ ସେ ନିଦରେ ଏତେ ବିଭୋର ହୋଇଯାଇଥିଲା ଯେ ଖଟ ଉପରୁ ଓହ୍ଲାଇ ଯାଇ ତଳୁ ଚିଠିଖଣ୍ଡିକ ନେଇଆସିବା ଭଳି ଅବସ୍ଥା ତାହାର ନଥିଲା ।

 

କିଛି କ୍ଷଣ ପରେ ସେ ଗାଢ଼ ନିଦରେ ଅଭିଭୂତ ହୋଇଗଲା ।

 

ଆନା ନିଦରେ ସ୍ଵପ୍ନ ଦେଖିଲା ।

 

‘‘ସେ ଚିଠି ଖଣ୍ଡିକ ତଳୁ ଉଠାଇ ଆଣିଲା । ଚିଠି ଉପରେ ପ୍ରେରକର ନାମ ଦେଖି ସେ ଚମକି ପଡ଼ିଲା । ଚିଠିର ବାମ କୋଣରେ ଲେଖା ହୋଇଥିଲା–ରିଚାର୍ଡ଼ଠାରୁ । ଲଫାପାର ମୁଖଟା ଲୁହା ତାରରେ ସିଲାଇ ହୋଇଥିଲା । କେତେଗୁଡ଼ିଏ ଷ୍ଟିଚ୍ । ଆନାର ମନେ ହେଲା, ଚିଠିଟି ସେ ଖୋଲି ପଢ଼ି ନ ପାରିଥିବାରୁ ଭାରି ଭଲ ହେଲା । କାର୍ଲ ଆସି ଷ୍ଟିଚ୍‍ଗୁଡ଼ାକ ଖୋଲିବ । କିନ୍ତୁ ସେ ଯଦି ଚିଠିଟି ପଢ଼ି ପକାଏ ? ନା, ନା, ତାକୁ ଏ ଚିଠିଟା କୌଣସି ମତେ ପଢ଼ିବାକୁ ଦିଆଯିବ ନାହିଁ ।

 

‘‘ତେଣୁ ସେ ଗୋଟାଏ କଇଞ୍ଛି କାଢ଼ି ଆଣିଲା ଏବଂ ସେହି କଇଞ୍ଚିରେ ଖେଞ୍ଚି ଖେଞ୍ଚି ଷ୍ଟିଚ୍‍ଗୁଡ଼ାକ ଖୋଲିବାକୁ ଚେଷ୍ଟା କଲା । ଢେର ବେଳ ଯାଏ ଲାଗି ଲାଗି ସେ ଦୁଇଟି ମାତ୍ର ଷ୍ଟିଚ୍‍ ଖୋଲି ପାରିଲା । କିନ୍ତୁ ଆହୁରି ତିନିଟା ଷ୍ଟିଚ୍ ବାକି ଥିଲା । ଏହି ରକମ ଷ୍ଟିଚ୍ ଥିଲେ କେହି ଆଉ ଚିଠିଟି ଖୋଲି ପାରିବ ନାହିଁ । ଏହି କଥା ମନେମନେ ଭାବି ଖୁସି ହୋଇ ଆନା ପୁଣି ଶୋଇ ପଡ଼ିଲା । ବିଛଣାରେ ପଡ଼ିଯିବା ମାତ୍ରେ ତାହାକୁ ନିଦ ହୋଇଗଲା । କିନ୍ତୁ ସେ ବେଶି ବେଳ ଯାଏ ଶୋଇ ରହି ପାରିଲା ନାହିଁ । ପୁଣି ତାହାର ନିଦ ଭାଙ୍ଗିଗଲା ! ସେ ଭାବିଲା–ଆରେ ! ତାହାହେଲେ ଏତେ ବେଳ ଯାଏ ମୁଁ ସ୍ଵପ୍ନ ଦେଖୁଥିଲି ? ସତରେ ତ ! ଚିଠି କଅଣ କେହି କେବେ ଷ୍ଟିଚ୍ କରେ ? ହେଇ ତ, ଚିଠି ଖଣ୍ଡିକ ସେମିତି ଭୂଇଁରେ ପଡ଼ି ରହିଛି । ଆନା ଚିଠିଟି ଆଣିବା ଲାଗି ଖଟ ଉପରୁ ଓହ୍ଲାଇଗଲା । ଏତିକିବେଳେ ହଠାତ୍ ସେ ଦେଖି ପାରିଲା, ଦୁଆର ସାମନାରେ ରିଚାର୍ଡ଼ ଠିଆ ହୋଇ ତା’ ଆଡ଼କୁ ଅନାଇ ରହିଛି । ଡରି ଡରି ସେ ରିଚାର୍ଡ଼ ଆଡ଼କୁ ଅନାଇଲା । ସେ ଦେଖି ପାରିଲା, ରିଚାର୍ଡ଼ର ଶରୀରରେ ମୁଣ୍ଡଟା ନାହିଁ । ଯେତେବେଳେ ତାହାର ମୁଣ୍ଡ ନାହିଁ, ତାହାହେଲେ ତାହାର ଆଖି ବି ତ ନ ଥାଇ ପାରେ । ତାହାହେଲେ ସେ ଅନାଉଛି କେମିତି ? ଅଥଚ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ରିଚାର୍ଡ଼ ତା’ ଆଡ଼କୁ ଜଳ ଜଳ କରି ଅନାଇ ରହିଛି । ରିଚାର୍ଡ଼ ତାହାକୁ କହିଲା–ମୋର ସେହି କଣ୍ଟାଟା ଟିକିଏ ଦିଅ ତ । ଆନା କଣ୍ଟାଟା କାଢ଼ିଆଣି ତାହାର ହାତକୁ ବଢ଼ାଇଦେଲା । କି ଆଶ୍ଚର୍ଯ୍ୟ ! ମୁଣ୍ଡ ନାହିଁ, ତଥାପି ସେ କେମିତି ଟେବୁଲ କତିରେ ବସି ଛୁରିରେ ରୋଟିଟା ଖଣ୍ଡ ଖଣ୍ଡ କରି କାଟୁଛି !

 

‘‘ଓଃ ! ଏଟା ତାହାହେଲେ ସ୍ଵପ୍ନ ? ନା, ଆନା ଭାବିଲା, ଏକ୍ଷଣି ତାକୁ ଚେଇଁ ରହିବାକୁ ହେବ । କଅଣ ଏଣୁତେଣୁ ସ୍ଵପ୍ନସବୁ ସେ ଦେଖୁଛି ! ଆନା ତତ୍‍କ୍ଷଣାତ ଚିଠିଟା ଉଠାଇନେବା ଲାଗି ହାତ ବଢ଼ାଇବାକୁ ଚେଷ୍ଟା କଲା । ପୁଣି ସେ ନିଦରେ ଶୋଇ ପଡ଼ିଲା ! ହେଇ ତ ରିଚାର୍ଡ଼...ମୁଣ୍ଡହୀନ ରିଚାର୍ଡ ଚଉକିରେ ବସି ରହିଛି ! କିଛି କହୁଛି ନା ! ହଁ, କହୁଛି...ହେଲା, କାର୍ଲ ସାଙ୍ଗରେ ଥିଲ, କଅଣ ହେଲା ସେଥିରେ ? ସେମିତି ତ ହୋଇଥାଏ ! ତୁମେ ଏକ୍ଷଣି ଶୋଇପଡ଼ !’’

 

ତହୁଁ ଆନା ଗଭୀର ଶାନ୍ତିରେ ପୁଣି ଶୋଇ ପଡ଼ିଲା ।

 

ଦିନ ଗଡ଼ିଯିବାକୁ ବସିଲାଣି । ହଠାତ୍ ଆନାର ନିଦ ଭାଜିଗଲା ।

 

ଧଡ଼ପଡ଼ ହୋଇ ଆନା ବିଛଣାରୁ ଉଠିପଡ଼ିଲା । ଆଖି ମଳି ମଳି ସେ ଦେଖି ପାରିଲା, ଦୁଆର ମୁହଁରେ ଖଣ୍ଡିଏ ଲିଫାପା ଚିଠି ପଡ଼ିଛି । ଖଟରୁ ଓହ୍ଲାଇଯାଇ ସେ ଚିଠି ଖଣ୍ଡିକ ଉଠାଇ ନେଲା । କଦର୍ଯ୍ୟ କାର୍ବଲିକ ଏସିଡ଼ର ଗନ୍ଧ ଚିଠିଟାରୁ ବାହାରୁଥିଲା, ତାହାର ନାକରେ ଆସି ବାଜିଲା-

 

ଆନା ଲଫାପାଟି ହାତରେ ଧରି ଏପାଖ ସେପାଖ ଓଲଟ ପାଲଟ କରି ଦେଖିଲା । ତା’ପରେ ତାକୁ ଚିରି ଦେଇ କାଗଜ ଖଣ୍ଡିଏ ବାହାର କରିଆଣି ସେ ପଢ଼ିବାକୁ ଲାଗିଲା ।

 

‘‘ପ୍ରିୟତମା ଆନା,

 

‘‘ଜାହାଜରେ ବସି ମୁଁ ତୁମକୁ ଏହି ଚିଠିଟି ଲେଖୁଛି । ଏକ୍ଷଣି ମୁଁ ବୁଝି ପାରୁ ନାହିଁ, ମୁଁ କାହାର ବନ୍ଦୀ–ଇଂରେଜଙ୍କର, ନା ଜାପାନୀଙ୍କର ? ଜାହାଜ ଭିତରେ ଭୀଷଣ ଗରମ ହେଉଛି । କାଲି ଗୋଟିଏ ଜାହାଜ ଦୈବାତ୍‍ ମାଇନ ସାଙ୍ଗରେ ଧକ୍‍କା ଲାଗି ଖତମ ହୋଇଯାଇଛି । ଦୁଇ ଥର ମାତ୍ର ବିସ୍ଫୋରଣର ଶବ୍ଦ–ତା’ପରେ ସବୁ ଶେଷ ! ଆମ ଜାହାଜାଟିର ଯେ କେତେବେଳେ ସେହି ଦଶା ଘଟିପାରେ, କିଏ କହି ପାରିବ ! ଯଦି ଏମିତି ଘଟିଥାଆନ୍ତା, ତାହାହେଲେ ମୁଁ ତୁମକୁ ଆଜି ଏହି ଚିଠି ଖଣ୍ଡିକ ଲେଖି ପାରି ନ ଥାଆନ୍ତି । ସମୁଦ୍ରର ଚାରିଆଡ଼େ ଏଠାରେ ସେଠାରେ ମାଇନସବୁ ପୋତା ହୋଇଛି । ତାରି ମଝିରେ ମହା ବିପଦକୁ ମୁଣ୍ଡାଇ ଆମ ଜାହାଜଟି ଆଗେଇ ଚାଲିଛି । ଆମକୁ ଯେ କୁଆଡ଼େ ନିଆ ଯାଉଛି, ତାହା ଆମକୁ ବି ମାଲୁମ ନାହିଁ । ଜଣେ ଓଲନ୍ଦାଜ ବନ୍ଦୀକୁ ସେମାନେ ଖଲାସ କରି ଦେଇଛନ୍ତି । ଆଗରେ କୌଣସି ବନ୍ଦରେରେ ଜାହାଜ ଲାଗିଲେ, ସେ ଓହ୍ଲାଇଯିବ । ତାହାରି ହାତରେ ଏହି ଚିଠି ଖଣ୍ଡିକ ଦେଲି ଡାକରେ ପକାଇ ଦେବାକୁ ।

 

‘‘ଆନା ! ପ୍ରିୟତମା ଆନା ! ଯଦି ଏହି ଚିଠିଟି ଯାଇ ତମ ହାତରେ କେବେ ପହଞ୍ଚେ, ତାହାହେଲେ ତୁମେ ନିଶ୍ଚୟ ଜାଣିବ ଯେ ମୁଁ ତୁମକୁ ପୂର୍ବ ପରି ଖୁବ୍‍ ଭଲ ପାଉଛି । ପ୍ରାୟ ସବୁବେଳେ ମୁଁ ମନ ଭିତରେ ତୁମ କଥା ଗୁଣି ହେଉଛି । କେବେ ଯୁଦ୍ଧ ଶେଷ ହେବ ? କେବେ ମୁଁ ମୁକ୍ତି ପାଇବି ? ଏହା ଚିନ୍ତା କରି କରି ମୋର ଶରୀର କ୍ଷୀଣ ହେଲାଣି । ମୁକ୍ତି ପାଇବା ମାତ୍ରେ ମୁଁ ତୁମଠାକୁ ଧାଇଁଯିବି । ଅହରହ ତୁମର ଛବି ମାନସପଟରେ ଭାସି ଯାଉଛି । କେମିତି ଯାଇ ମୁଁ ଟିକିଏ ଦେଖିବି, ଏହି ଚିନ୍ତାରେ ମୁଁ ବରାବର ଛଟପଟ ହେଉଛି । ଅବଶ୍ୟ ଖାଇବାରେ କିଛି କଷ୍ଟ ଏଠାରେ ନାହିଁ । ଏମାନେ ଭଲ ଖାଇବାକୁ ଦିଅନ୍ତି । ତଥାପି ମନ ମାନୁ ନାହିଁ, ଅନ୍ତର ହାହାକାର କରୁଛି ।’’

 

ଏହା ପରେ କେତୋଟି ଧାଡ଼ି ଲାଲ କାଳିରେ କଟା ଯାଇଛି । ପଢ଼ି ବୁଝିବାର ତିଳେ ହେଲେ ଉପାୟ ନାହିଁ । ତା’ ତଳେ ଲେଖାଯାଇଛି–‘‘ପୁଣି ଶୀଘ୍ର ଚିଠି ଦେବି । ଇତି ।

 

ତୁମର ରିଚାର୍ଡ଼’’

 

ଚିଠିଟି ପଢ଼ି ସାରିଲା କ୍ଷଣି ଆନାର ଛାତି ଧଡ଼ପଡ଼ ହେବାକୁ ଲାଗିଲା । ତାହାର ମନେହେଲା, ହୁଏତ ରିଚାର୍ଡ଼ ଇତି ମଧ୍ୟରେ ଘର ଅଭିମୁଖରେ ବାହାରିବଣି । ହୁଏତ ଅତି ଶୀଘ୍ର ସେ ଏଠାରେ ଆସି ପହଞ୍ଚିଯିବ । ତା’ପରେ ଯେତେବେଳେ ସେ ଏଠି ଆସି ଦେଖିବ ତାହାର ସ୍ତ୍ରୀ ଆଉ ତାହାର ହୋଇ ନାହି, ସେତେବେଳେ ସେ କଅଣ କରିବ ?

ସେତେବେଳେ ଯେ କି କାଣ୍ଡ ଘଟିବ, ସେହି କଥା ଭାବିଲା କ୍ଷଣି ଆନାର ଛାତି ଥରିବାକୁ ଲାଗିଲା ।

ଚିଠି ଭିତରୁ କାର୍ବଲିକ ଏସିଡ଼ର ଉତ୍କଟ କଡ଼ା ଗନ୍ଧ ବାହାରୁଥିଲା । ଗନ୍ଧଟା ନାକରେ ବାଜି ଆନାର ଦେହ ଉଲସାଇ ଦେଉଥିଲା ।

ଆନା ଚିଠିଟା ପଢ଼ିସାରି ଚଉତାଇଦେଲା । ତା’ପରେ କାଗଜ ଖଣ୍ଡିକ ଲଫାପାରେ ପୂରାଇ ସେ ଗୋଟାଏ ଥାକ ଉପରେ ରଖିଦେଲା, ଏବଂ ଗାଧୁଆ ଘରକୁ ଯାଇ ସାବୁନରେ ହାତ ଧୋଇ ପକାଇଲା ।

ହଠାତ୍ ଆନାର ତଳି ପେଟରେ କଅଣ ହୋଇଗଲା । ସେ ହାତ ମାରି ଦେଖିଲା । ସେ ଭାବିଲା, ହୁଏତ ପିଲାଟା ଖେଳୁଛି । କିଏ ଜାଣେ, ସେ କେମିତି ଅଛି ? କି ଉପାୟରେ ବି ଜାଣି ହେବ ? ପୁଅ ନା ଝିଅ ? ପୁଅ ହେଲେ, ଅବଶ୍ୟ ଭାରି ଭଲ ହେବ ।

ଏତିକିବେଳେ ଆନାର ମନେ ପଡ଼ିଗଲା, ଆରେ, କାର୍ଲ ଲାଗି ତ କିଛି ଖାଇବା ଜିନିଷ ତିଆରି ହୋଇନାହିଁ । କାରଖାନାରୁ ଫେରି ଆସିଲେ ସେ ତ ଖାଇବାକୁ ମାଗିବ । କାମ ସାରି ଘରକୁ ଚାଲି ଆସିଲେ ତାହାକୁ ଭାରି ଭୋକ ଲାଗେ । ତତ୍‍କ୍ଷଣାତ ଆନା ତରବରରେ ଜାମାଟା ଦେହରେ ଗଳାଇ ପକାଇ ବାହାରି ପଡ଼ିଲା । ବଜାରରୁ କିଛି ଅଣ୍ଡା ଆଣିବାକୁ ହେବ । ପେଟ ଉପରେ ଜାମାଟା ବସିଗଲା ଭଳି ତାହାକୁ ମାଲୁମ ହେଲା ।

ରାସ୍ତାରେ ଯାଉଁ ଯାଉଁ ରିଚାର୍ଡ଼ର ସେହି ଚିଠିର କେତୋଟି ଧାଡ଼ି ଆନାର ବାରମ୍ବାର ମନେପଡ଼ିଲା । ସେ ମନେମନେ ଗୁଣି ହେବାକୁ ଲାଗିଲା–

‘‘ମୁଁ ତୁମକୁ ପୂର୍ବ ପରି ଖୁବ୍ ଭଲ ପାଉଛି । ପ୍ରାୟ ସବୁବେଳେ ମୁଁ ମନ ଭିତରେ ତୁମ କଥା ଗୁଣି ହେଉଛି । କେବେ ଯୁଦ୍ଧ ଶେଷ ହେବ ? କେବେ ମୁଁ ମୁକ୍ତି ପାଇବି ? ଏହା ଚିନ୍ତା କରି କରି ମୋର ଶରୀର କ୍ଷୀଣ ହେଲାଣି । ମୁକ୍ତି ପାଇବା ମାତ୍ରେ ମୁଁ ତୁମଠାକୁ ଧାଇଁଯିବି ।’’

ରିଚାର୍ଡ଼ ପାଇଁ ଆନାର ଦୁଃଖ ହେଲା । ଆହା ବିଚାରା ! କେତେ ଆଶା ମନରେ ଧରି ଧାଇଁ ଆସୁଛି ! କିନ୍ତୁ ଏଠି ଆସି ଯେତେବେଳେ ଦେଖିବ ଯେ ମୁଁ...

ଆନା ଆଉ ଭାବି ପାରିଲା ନାହିଁ ।

ସେତେବେଳକୁ ଅଣ୍ଡା-ଦୋକାନ ଆଗରେ ସେ ଆସି ପହଞ୍ଚି ଯାଇଥିଲା ।

ଅଣ୍ଡାବାଲୀ ତାହାକୁ ଦେଖି ପଚାରିଲା–‘‘ତୁମର ଦେହ କଅଣ ଭଲ ନାହିଁ କି, ଆନା ? ଏ ସମୟରେ ଅବଶ୍ୟ ଦେହ ଟିକିଏ ଖରାପ ହୋଇଥାଏ । ତେଣୁ ତୁମେ ଟିକିଏ ହୁସିଆର ହୋଇ ଚଳିବ । ହଁ, ତୁମର ସ୍ଵାମୀ ତ ଟିକିଏ ଆଗରୁ ଆସିଥିଲେ, ମୋ ପଖରୁ ଚାରିଟା ଅଣ୍ଡା ନେଇ ଚାଲିଗଲେ ।’’

 

‘‘ଏଁ ! ସେ ଆସିଥିଲେ ! କେତେବେଳେ ?’’

 

‘‘ଏଇ ତ ତୁମ ଆସିବାର ପ୍ରାୟ ପାଞ୍ଚ ଦଶ ମିନିଟ ଆଗରୁ । ବୋଧହୁଏ ବଜାର ଆଡ଼କୁ ଗଲେ କି କଅଣ । ତୁମର ଆଉ ଅଣ୍ଡା ଦରକାର ନା କଅଣ ?’’

 

‘‘ଦିଅ, ଚାରିଟା ଅଣ୍ଡା ଦେଇଥାଅ । କାଲି ତ ପୁଣି ଦରକାର ହେବ ।’’

 

ଅଣ୍ଡାବାଲୀ ଗୋଟିଏ ଠୁଙ୍ଗାରେ ଚାରୋଟି ଅଣ୍ଡା ଭର୍ତ୍ତି କରି ଆନାର ହାତକୁ ବଢ଼ାଇଦେଲା । ଠୁଙ୍ଗାଟି ହାତରେ ଧରି, ଆନା ଧୀରେ ଧୀରେ ଘର ଅଭିମୁଖରେ ଅଗ୍ରସର ହେଲା-

 

ଘରେ ଗୋଡ଼ ଦେଲା କ୍ଷଣି ଆନାର କାର୍ଲ ସହିତ ଦେଖା ହୋଇଗଲା । କାର୍ଲ ଦୁଆର କତିରେ ଠିଆ ହୋଇଥିଲା । ଆନାକୁ ଘରେ ନ ପାଇବାରୁ, ସେ ଏକ୍ଷଣି ତାହାକୁ ଖୋଜି ବାହାରୁଥିଲା । ସେ ମନେମନେ ଭାବିଲା–ଏ ସମୟରେ ଆନା କୁଆଡ଼େ ଗଲା ? ଦୁଃଖ ପାଇଲା କି ? ଯଦି ବା ଦୁଃଖ ପାଇଥାଏ, ତାହାହେଲେ କଅଣ କରାଯିବ ? ଡାକ୍ତରଖାନାକୁ ଚାଲି ଯାଇ ନାହିଁ ତ ? ପ୍ରସବ ବେଳେ ଯଦି କୋଣସି କାରଣରୁ ହଠାତ୍ ତାହାର ମୃତ୍ୟୁ ହୋଇଯାଏ ? ତାହାର ମନକୁ ଏଭଳି ଗୋଟାଏ ପାପ ଛୁଇଁଲା ମାତ୍ରେ, କାର୍ଲର ଛାତିଟା ଧଡ଼ପଡ଼ ହେବାକୁ ଲାଗିଲା । ସେ ବିଚଳିତ ହୋଇ ପଡ଼ିଲା । ପର ମୁହୂର୍ତ୍ତରେ ସେ ଭାବିଲା–ନା, ନା, ଏମିତି ଚିନ୍ତା ମନକୁ ଆଣିବା ତାହାର ଆଦୌ ଉଚିତ ହୋଇ ନାହିଁ । ଆନାର କାହିଁକି କିଛି ବିପଦ ଆପଦ ହେବ !

 

ସୁତରାଂ ଆନାକୁ ଘରେ ପ୍ରବେଶ କରିବାର ଦେଖି ସେ ଭାରି ଖୁସି ହୋଇଗଲା । ତାହାର ଛାତି ଭିତରୁ ଗୋଟାଏ ସ୍ଵସ୍ତିର ନିଃଶ୍ଵାସ ବାହାରି ଆସିଲା । ତାକୁ ଦେଖି ପାରି କାର୍ଲ ହସି ହସି କହି ପକାଇଲା–‘‘ଏହି ଯେ ଆନା ! ଏତେବେଳେ କୁଆଡ଼େ ଯାଇଥିଲ ? ତୁମକୁ ନ ଦେଖି, ମୋର ଅକଲ ଗୁଡ଼ୁମ୍ ହେଇ ଗଲାଣି । କେତେ ଏଣୁ ତେଣୁ କଥା ଯେ ମୁଁ ଭାବି ଗଲିଣି, ତା’ର ସୀମା ନାହିଁ ।’’

 

କାର୍ଲର ମୁଖକୁ ଅନାଇ, ଟିକିଏ ହସି ଦେଇ, ଆନା କହିଲା–‘‘କାହିଁକି ? ମୁଁ କଅଣ ଛୋଟ ପିଲାଟିଏ ହୋଇଛି ଯେ କେଉଁଠି ହଜି ଯାଉଛି ?’’

 

‘‘ନା, ନା, ମୁଁ ସେ କଥା କହୁ ନାହିଁ ଯେ । ମୋର କହିବାର କଥା ହେଲା, ଏ ଅବସ୍ଥାରେ ତୁମର ବାହାରକୁ ଯିବା ଠିକ୍ ନୁହେଁ । କେତେବେଳେ ଯେ କଅଣ ହୋଇଯିବ, କିଏ କହିପାରେ ? ଘର ଭିତରେ ରହିବା ତୁମ ପକ୍ଷରେ ଏକାନ୍ତ ନିରାପଦ ।’’

 

ସେହି ବିଷୟଟା ଉପରେ ଅଯଥା ଯୁକ୍ତିତର୍କ ନ ବଢ଼ାଇ, ଆନା କହିଲା–‘‘ରିଚାର୍ଡ଼ ଚିଠି ଦେଇଛି । ଆଜି ଡାକରେ ଚିଠିଟା ଆସିଛି ।’’

 

କାର୍ଲର ଛାତି ଉପରେ କିଏ ଯେମିତି ହାତୁଡ଼ିରେ ପାହାରେ ବସାଇ ଦେଲା ।

 

କିଛି ବେଳ ଯାଏ ତାହାର ତୁଣ୍ଡରୁ ପଦେ ହେଲେ କଥା ବାହାରିଲା ନାହିଁ ।

 

କେତେ ମିନିଟ୍‍ ନୀରବ ରହି, ସେ ଶେଷକୁ ପଚାରିଲା–‘‘କଅଣ ଲେଖିଛି ?’’

 

କାର୍ଲର ପ୍ରଶ୍ନର କିଛି ଜବାବ ନ ଦେଇ, ଆନା ସେହି ଚିଠି ଖଣ୍ଡିକ କାଢ଼ି ଆନା କାର୍ଲର ହାତକୁ ବଢ଼ାଇଦେଲା ।

 

କାର୍ଲ ଚିଠିଟା ଏକ ନିଶ୍ଵାସକେ ମୂଳରୁ ଶେଷ ଯାଏ ପଢ଼ିଗଲା । ଥରେ ପଢ଼ିସାରି ସେ କହିଲା–‘‘ତାହାହେଲେ ସେ ଏକ୍ଷଣି ଜାହାଜରେ ବନ୍ଦୀ ହୋଇ ରହିଛି ! ତେଣୁ ତାହାର ଶୀଘ୍ର ଖଲାସ ହେବାର କୌଣସି ସମ୍ଭାବନା ନାହିଁ । ଯୁଦ୍ଧ ଶେଷ ନ ହେବା ଯାଏ ତାହାକୁ ସେଠାରେ ଅଟକ ବନ୍ଦୀ ଭାବରେ ରହିବାକୁ ପଡ଼ିବ ।’’

 

ଆନାର ମନ ଭିତରେ ପ୍ରବଳ ଝଡ଼ ଉଠୁଥିଲା । ସେ ପଚାରିଲା–‘‘ଯଦି ସେ ଫେରି ଆସିଲେ ମୋତେ ଛାଡ଼ି ନ ଦିଏ ?’’

 

ଏହି କଥା ପଦକ ଶୁଣିଲା କ୍ଷଣି କାର୍ଲର ହଂସା ଉଡ଼ିଗଲା । ସେ ହତୋତ୍ସାହ ହୋଇଗଲା-। ଆନାକୁ ତା’ ପାଖରୁ ଆଉ କେହି ଛଡ଼ାଇ ନେଇଯିବ, ଏ କଥା ସେ କେବେ ସ୍ଵପ୍ନରେ ସୁଦ୍ଧା ଭାବି ନ ଥିଲା ।

 

କାର୍ଲ ତତ୍‍କ୍ଷଣାତ କହି ପକାଇଲା–‘‘ତାହା ହେଲେ ମୁଁ ଆଉ କ’ଣ କରିବି ? ମୋର ଏକମାତ୍ର ବାଟ, ଆତ୍ମହତ୍ୟା । ତୁମେ ଆଉ କାହାର ସ୍ତ୍ରୀ ହୋଇ ରହିବ, ଏହା ତ ମୁଁ ତିଳେ ହେଲେ ସହି ପାରିବି ନାହି ।’’

 

ଆନା ବି କହିଦେଲା–‘‘ମୁଁ ବି ଦଣ୍ଡେ ତୁମକୁ ଛାଡ଼ି ରହି ପାରିବି ନାହି । ଯଦି ସେ ମୋତେ ଛାଡ଼ି ନ ଦିଏ, ତାହାହେଲେ ମୁଁ ବି ଆତ୍ମହତ୍ୟା କରିବି ।’’

 

ରାତ୍ରି ଭୋଜନ ପାଇଁ ଆନା ରୋଷାଇ କରିବାକୁ ଚାଲିଗଲା । କାର୍ଲ ତା’ ପଛେ ପଛେ ଗଲା, ତାହାକୁ ଟିକିଏ ସାହାଯ୍ୟ କରିବ । କିନ୍ତୁ ଅନ୍ୟ ଦିନ ପରି ଆଜି ତାହାର ମନ କିଛି କାମରେ ଲାଗିଲା ନାହି । ତା’ ମନ ଭିତରେ ଖାଲି ଘାଣ୍ଟି ଚକଟି ହେବାକୁ ଲାଗିଲା । ସବୁବେଳେ ତାହାକୁ ଯେମିତି ଜଣାଗଲା–ରିଚାର୍ଡ ଆସି ପହଞ୍ଚିଗଲା କି ! ଜୋର କରି ଆନାକୁ ତା’ ପାଖରୁ ସେ ଛଡ଼ାଇ ନେଇଗଲା କି !

 

ଏହିସବୁ କଥା ଭାବି ଭାବି କାର୍ଲର ମୁଣ୍ଡ ଗରମ ହୋଇଗଲା । ହଠାତ୍ ସେ ଉଠିଯାଇ ରିଚାର୍ଡ଼ର ଚିଠିଟା ନେଇ ଆସିଲା । ତା’ପରେ ସେ ହାତରେ ଧରି ଏ ପାଖ ସେ ପାଖ ଓଲଟ ପାଲଟ କରି ପୁଣି ପଢ଼ିବାକୁ ଲାଗିଲା । ଆନା ଯେମିତି ଶୁଣି ପାରିବ, ସେହି ଉଦ୍ଦେଶ୍ୟରେ ସେ ଗୋଟାଏ ବିଶେଷ ଅଂଶ ଟିକିଏ ବଡ଼ ପାଟିରେ ପଢ଼ିବାକୁ ଲାଗିଲା–‘‘କାଲି ଗୋଟାଏ ଜାହାଜ ଦୈବାତ ମାଇନ ସାଙ୍ଗରେ ଧକ୍‍କା ଲାଗି ଖତମ ହୋଇଯାଇଛି । ଦୁଇ ଥର ମାତ୍ର ବିସ୍ଫୋରଣ ଶବ୍ଦ...ତା’ପରେ ସବୁ ଶେଷ ! ଆମ ଜାହାଜଟିର ଯେ କେତେବେଳେ ସେହି ଦଶା ଘଟିପାରେ, କିଏ କହି ପାରିବ !’’

 

ଏଯାଏ ପଢ଼ି କାର୍ଲ ଚୁପ୍‍ ହୋଇଗଲା ।

 

କିନ୍ତୁ ଚୁପ୍‍ ହୋଇଗଲେ କଅଣ ହେବ, ତାହାର ମନର କଥା ଯେମିତି ନିଜର ଆଖି ଓ ମୁଖରୁ ଫୁଟି ବାହାରିବାକୁ ଲାଗିଲା । କାର୍ଲର ମନର ଅକୁହା କଥା ବୁଝିବାରେ ଆନାର ତିଳେ ମାତ୍ର ବିଳମ୍ବ ହେଲା ନାହିଁ । ସେତକ ଠଉରାଇ ନେଇ ସେ ତଳକୁ ମୁହଁ ପୋତି ବସି ରହିଲା ।

 

ଉଭୟ ଉଭୟଙ୍କର ମନର କଥା ବୁଝି ପାରିଲେ । ମନ ଭିତରେ ପ୍ରବଳ ଝଡ଼ ବହିବାକୁ ଲାଗିଲା ।

 

 

ନଭେମ୍ବର ମାସ ଆସିଗଲା ।

 

ଲକ୍ଷ ଲକ୍ଷ ମଣିଷର ରକ୍ତରେ ସମଗ୍ର ୟୁରୋପର ମାଟି ଲାଲ ହୋଇଗଲା । ନିଷ୍ଠୁର ରଣ-ଦାନବ ତାହାର ରକ୍ତାକ୍ତ ପାଦରେ ମଣିଷମାନକୁ ଦଳି ଚକଟି ଦେଇଯିବାକୁ ଲାଗିଲା ।

 

ଯୁଦ୍ଧ !

 

ମଣିଷ ମଣିଷର ଛାତିରେ ଧାରୁଆ ସଙ୍ଗୀନ ମୁନ ଭୁସି ଦେବାକୁ ଲାଗିଲା । ଜଣେ ମଣିଷ ଆଉ ଜଣେ ମଣିଷ ଛାତିକୁ ଲକ୍ଷ କରି ଗୁଳି ଫୁଟାଇଲା । ସେମାନଙ୍କ ଭିତରେ ତିଳେ ହେଲେ ଶତ୍ରୁତା ନ ଥିଲା । ହୁଏତ ଯୁଦ୍ଧ କ୍ଷେତ୍ରରେ ଯାହାକୁ ହତ୍ୟା କରାଗଲା, ତାହାର ଘରେ ଆକୁଳ ଆଗ୍ରହରେ ତାହାକୁ ଚାହିଁ ରହିଥିଲେ ସ୍ତ୍ରୀ, ପୁଅ ଓ ଝିଅ–ଯେ ତାହାକୁ ହତ୍ୟା କଲା ଠିକ୍ ତାହାରି ପରି ।

 

ମଣିଷ ସବୁ ଯେମିତି ପଶୁ ପାଲଟି ଗଲେ ।

 

ଯୁଦ୍ଧର ସବୁ ଖବର ଧରି ସକାଳେ ଖବରକାଗଜ ଲୋକଙ୍କ ପାଖରେ ଆସି ଦେଖା ଦିଏ-। ନୃଶଂସ ବୀଭତ୍ସ ହତ୍ୟା କାହାଣୀସବୁ ସେହି ଖବରକାଗଜରେ ଖୋଲାଖୋଲି ଭାବରେ ପ୍ରକାଶିତ ହୁଏ !

 

ମଝିରେ ମଝିରେ ସନ୍ଧିର କଥା ବି ଶୁଣାଯାଏ । ସାଧାରଣ ମଣିଷ ଭାବେ–ଯୁଦ୍ଧଟା ଶୀଘ୍ର ଛାଡ଼ିଗଲେ ସେ ବିଚରା ବଞ୍ଚିଯିବ । ଯୁଦ୍ଧ-କ୍ଳାନ୍ତ ସୈନିକ ଘରକୁ ଫେରିଯିବା ଆଶାରେ ଅସ୍ଥିର ହୋଇପଡ଼େ । ସେ ମନେମନେ ଭାବେ–ଏହି ନରହତ୍ୟାର ଖେଳ କେବେ ଶେଷ ହେବ !

 

ତା’ ପର ଦିନ ଖବର ଶୁଣାଗଲା–ଯୁଦ୍ଧ ବନ୍ଦ ହେଲା ।

 

ଖବରକାଗଜ ବିକାଳୀମାନେ ବଡ଼ ପାଟିରେ ରଡ଼ି ଛାଡ଼ି ରାସ୍ତାରେ ଧାଇବାକୁ ଲାଗିଲେ–‘‘ଯୁଦ୍ଧ ବନ୍ଦ ହେଲା । ଯୁଦ୍ଧ ଶେଷ ହେଲା ! ପଢ଼ନ୍ତୁ, ତାଜା ଖବର, ତଟକା ଖବର ।’’

 

ତା’ପରେ ବନ୍ଦୀମାନଙ୍କର ବିନିମୟ ଆରମ୍ଭ ହୋଇଗଲା ।

 

ହୁଏତ ଏଥର ରିଚାର୍ଡ଼ ଫେରି ଆସିବ । କାର୍ଲ ଓ ଆନା କମ୍ପିତ ଅନ୍ତରରେ ଦିନ ଗଣିବାକୁ ଲାଗିଲେ–ଏହି ବୋଧହୁଏ ସେ ଆସି ପହଞ୍ଚିଗଲା । ହୁଏତ ତାହାର ମାସେ, କି ଦି’ ମାସ, କି ବର୍ଷେ ବି ଉଛୁର ହୋଇପାରେ, କିମ୍ବା ସେ ଆଦୌ ନ ଆସି ବି ପାରେ ।

 

ଆଜିକାଲି କାର୍ଲ ଯେମିତି ଗୋଟାଏ ଭିନେ ମଣିଷ ହୋଇଯାଇଛି । ସବୁବେଳେ ତାହାର ଛାତିଟା ଥରୁଛି । କଅଣ ଯେମିତି ସେ ମନେମନେ ଗୁଣି ହେଉଛି । ରିଚାର୍ଡ଼ ଆସି ପହଞ୍ଚିଗଲେ କଅଣ ହେବ ? ଯଦି ସେ ଆନାକୁ ତା’ ସାଙ୍ଗରେ ଛାଡ଼ି ଦେବାକୁ ରାଜି ନ ହୁଏ ? ଯଦି ସେ ଆନାକୁ ମାର୍‍ଧର କରେ ? ନା, ନା, ସେ ରିଚାର୍ଡ଼କୁ କୌଣସି ମତେ ଆନା ଉପରକୁ ହାତ ଉଠାଇବାକୁ ଦେବ ନାହିଁ । ଯଦି ସେ ଏମିତି କାମ କରେ, ଦୁହିଁଙ୍କ ଭିତରେ ତାହାହେଲେ ହାତାହାତି, ହଣାମରା ହୋଇଯିବ !

 

କ୍ରମେ କ୍ରମେ ପୁରୁଷମାନେ ଯୁଦ୍ଧରୁ ନିଜ ନିଜର ଘରକୁ ଫେରି ଆସିବାକୁ ଲାଗିଲେ । ପଡ଼ୋଶୀମାନେ ଆସି ସେହିସବୁ କଥା ଗପିବାକୁ ଲାଗିଲେ ।

 

‘‘ଅମୁକ ଲୋକ ଘରକୁ ଫେରିଆସି ନିଜ ସ୍ତ୍ରୀର କାଣ୍ଡ କାରଖାନା ଦେଖି କି ରକମ ଗୋଟାଏ ଅନର୍ଥ ଯେ ଘଟାଇଛି । ଆଉ ଗୋଟାଏ ଘରେ କି ଭୀଷଣ ଘଟଣା ଯେ ଘଟିଛି ! ଯେତେବେଳେ ପୁରୁଷ ଘରକୁ ଫେରିଆସି ଦେଖିଲା ଯେ ନିଜର ସ୍ତ୍ରୀ ଜଣେ ପରପୁରୁଷ ସାଙ୍ଗରେ ରହିଛି, ସେତେବେଳେ ସେ ଏହି ଜଘନ୍ୟ ଦୃଶ୍ୟ ବରଦାସ୍ତ କରି ନ ପାରି ତାହାର ସ୍ତ୍ରୀକୁ ତୁରନ୍ତ ଗୁଳି କରିଦେଲା ।’’ ଏହିପରି ନାନା ରକମ ଖବର ନାନା ଲୋକଙ୍କ ମୁଖରୁ ଶୁଣିବାକୁ ମିଳିଲା ।

 

ଏଣେ ପୁଣି ବିପଦ ଉପରେ ବିପଦ । ପରିଚାଳକ ମହାଶୟ କାର୍ଲକୁ ଆଉ ଗୋଟାଏ କାରଖାନାକୁ ବଦଳି କରିଦେବାକୁ ବସିଛନ୍ତି । କମ୍ପାନୀ କୌଣସି ଗୋଟାଏ ନୂଆ ଜାଗାରେ ତାହାର ଆଉ ଗୋଟାଏ କାରଖାନା ବସାଇଛି । ସେଠାରେ ଫିଟର ମିସ୍ତ୍ରୀ ଦରକାର ।

 

କିନ୍ତୁ କାର୍ଲର ସେଠାକୁ ଯିବା ପାଇଁ ତିଳେ ହେଲେ ଇଚ୍ଛା ନ ଥିଲା–ଏପରିକି ଅଧିକ ମଜୁରି ପାଇଲେ ବି ନୁହେଁ । ସେ ଘର ଛାଡ଼ି ଅନ୍ୟ ଜାଗାକୁ ଯିବାକୁ ଚାହେ ନାହିଁ । ମନେମନେ ତାହାର ସବୁଠୁଁ ବଡ଼ ଭୟ ହେଉଥାଏ, ଯଦି ରିଚାର୍ଡ଼ କେବେ ହଠାତ୍ ଆସି ପହଞ୍ଚି ଆନାକୁ କରଗତ କରିନିଏ । ସବୁବେଳେ କାର୍ଲର ମନ ଭିତରେ ଏହି କଥା ଖେଳୁଥାଏ । ଟ୍ରାମରେ, ମଟରରେ, ରାସ୍ତାରେ ଯାଉଁ ଯାଉଁ, ଖାଉଁ ଖାଉଁ, ଶୋଇ ରହି, ବସିବା ବେଳେ ବି ସବୁ ସମୟରେ କାର୍ଲ ମନେ ମନେ ପାଞ୍ଚୁଥାଏ କେଉଁ ଉପାୟରେ ରିଚାର୍ଡ଼ଠାରୁ ସେ ତାହାର ପ୍ରାଣପ୍ରିୟା ଆନାକୁ ଛଡ଼ାଇନେବ । ତେଣେ ଆଇନ ଯେ ରିଚାର୍ଡ଼ ପକ୍ଷରେ ! କେବେ ଦିନେ ଗୀର୍ଜାକୁ ଯାଇ ସେମାନେ ଟିକିଏ କଅଣ କରି ଆସିଥିଲେ, ସେଇଟା କଅଣ ଆଜି ସେମାନଙ୍କ ପକ୍ଷରେ ବଡ଼ ହେବ ? ପ୍ରେମ, ସ୍ନେହ, ଶ୍ରଦ୍ଧା, ଭଲପାଇବା–ଏ ସବୁ କଅଣ ତାହାହେଲେ କିଛି ନୁହେଁ ? ମିଛ ?

 

ଯେତେବେଳେ କାର୍ଲର ମାନସିକ ଅବସ୍ଥା ଏହିପରି ଯନ୍ତ୍ରଣା ଦାୟକ ହୋଇ ପଡ଼ିଥିଲା, ସେତିକିବେଳେ ଦିନେ ଗୋଟାଏ କାଣ୍ଡ ଘଟିଗଲା । ସେହି ଦିନ କାର୍ଲ ଟ୍ରାମରେ ଚଢ଼ି କାରଖାନାକୁ ଯାଉଥିଲା । ହଠାତ୍ ତାହାର ମନେ ହେଲା–ବିପରୀତ ଦିଗରୁ ଯେଉଁ ଟ୍ରାମଟା ଚାଲିଗଲା, ତାରି ଭିତରେ ଗୋଟାଏ ଆସନରେ ରିଚାର୍ଡ଼ ବସି ରହିଛି । ଏହା ଦେଖିଲା କ୍ଷଣି ସେ ଟ୍ରାମରୁ ତଳକୁ କୁଦାମରି ଓହ୍ଲାଇ ପଡ଼ିଲା । ଲାଇନର ଅନ୍ୟ ପାଖକୁ ଯାଇ ସେ ପରବର୍ତ୍ତୀ ଟ୍ରାମରେ ଚଢ଼ିଗଲା । ସେତେବେଳେ ଆଗର ଟ୍ରାମଟି ଅବଶ୍ୟ ବେଶି ଦୂରକୁ ଚାଲିଯାଇ ନ ଥିଲା ।

 

ଘରକୁ ଯିବାର ରହଣି-ଜାଗାଠି କାର୍ଲ ଟ୍ରାମରୁ ଓହ୍ଲାଇ ପଡ଼ିଲା । ହଠାତ୍ ସେ ଦେଖି ପାରିଲା, ଜଣେ ସୈନ୍ୟ ତାହାର ଘର ଆଡ଼କୁ ଚାଲି ଚାଲି ଯାଉଛି । ସର୍ବନାଶ ! ଯଦି ସେହି ଲୋକଟି ରିଚାର୍ଡ଼ ହୋଇଥାଏ, ତାହାହେଲେ ସେ କଅଣ କରିବ ? ଯେତେବେଳେ ରିଚାର୍ଡ଼ ତାହାକୁ ଦେଖି ପଚାରିବ, କାହିଁକି ସେ ଏଠାକୁ ଆସିଛି, ତାହାହେଲେ ସେ ତା’ର କି ଉତ୍ତର ଦେବ ?

 

କାର୍ଲ ଧୀର ପଦରେ ସିଡ଼ିର ଉପର ତାଲାକୁ ଉଠିଗଲା । ଦୁଆର ସାମନାରେ ପହଞ୍ଚିଗଲା କ୍ଷଣି ତାହାର ମୁଣ୍ଡଟା ଝିମ୍‍ ଝିମ୍‍ ହୋଇଗଲା । କେମିତି ବା ସେ ଏକ୍ଷଣି ଆନାକୁ ଡାକିବ ? ଡାକିଲେ ଯଦି ଆନା ଦୁଆର ନ ଫିଟାଏ ! ଯଦି ତାହାର ଡାକ ଶୁଣି ରିଚାର୍ଡ଼ ବାହାରି ଆସେ !

 

ଭୟରେ ଥରି ଥରି କାର୍ଲ କବାଟରେ ହାତ ମାରିଲା ।

 

ଆନା ଦୁଆର ଖୋଲିଦେଇ, ତାହାକୁ ଦେଖି ପାରି, ବିସ୍ମିତ ହୋଇଗଲା । ସେ ତାହାକୁ ପଚାରିଲା–‘‘କଥା କଅଣ ? ଏତେ ଶୀଘ୍ର ଫେରି ଆସିଲ ଯେ ? କାମକୁ ଗଲ ନାହିଁ କି ?’’

 

କାର୍ଲ ତାହାକୁ ଓଲଟି ପଚାରିଲା–‘‘ତାହାହେଲେ ସେ ଆସି ନାହିଁ ?’’

 

ଆନା ପୁଣି ପଚାରିଲା ଆଶ୍ଚର୍ଯ୍ୟ ହୋଇ–‘‘କିଏ ? କାହା କଥା କହୁଛ ?’’

 

ଏତକ ତାହାର କାନରେ ବାଜିଲା ମାତ୍ରେ ଛାତି ଉପରୁ ଯେମିତି ଖଣ୍ଡିଏ ପ୍ରକାଣ୍ଡ ପଥର ତଳକୁ ଖସିପଡ଼ିଲା ।

 

ତାହାର ପାଟିରୁ ପଦେ ହେଲେ କଥା ବାହାରିଲା ନାହି । ସେ ତତ୍‍କ୍ଷଣାତ ଆନାକୁ କୁଣ୍ଢାଇ ପକାଇ ତାହାର ଅଧରରେ ଗୋଟାଏ ଚୁମ୍ବନ ଦେଲା ଏବଂ ଘରୁ ବାହାରିଗଲା ।

 

ସେ ଦିନ କାର୍ଲ କାରଖାନାରେ ହାଜର ହେଲା ବେଳକୁ ଟିକିଏ ଉଛୁର ହୋଇ ଯାଇଥିଲା ।

 

ତାହାକୁ ଦେଖି କାରଖାନାର ଫୋର୍‍ମ୍ୟାନ ପଚାରିଲା–‘‘କଥା କଅଣ ? ଆଜି ତୁମର ଏତେ ଉଛୁର କାହିଁକି ?’’

 

କାର୍ଲ ଜବାବ ଦେଲା–‘‘ଆଜି ଦେହଟା କାହିଁକି ଟିକିଏ ଭଲ ଲାଗୁ ନାହିଁ ।’’

 

‘‘ତାହାହେଲେ ଆସିଲ କାହିଁକି ? ଆଜି କମେଇ କରିଥିଲେ ତ ହୋଇ ଥାଆନ୍ତା !’’

 

‘‘କମେଇ କଲେ ଯେ ମଜୁରୀଟା ମିଳିବ ନାହି । ମଜୁରି କଟିଗଲେ କଅଣ ଚଳି ହେବ-?’’

 

‘‘କାହିଁକି ଚଳି ହେବ ନାହି ? ତୁମେ ତ ନିଜେ ବେଶି ଟଙ୍କା ରୋଜଗାର କରିବାକୁ ଚାହ ନାହିଁ । ନୂଆ କାରଖାନାକୁ ଯାଇଥିଲେ ତ ତୁମେ ଦୁଇ ଗୁଣ ମଜୁରି ପାଇ ଥାଆନ୍ତ ।’’

 

‘‘ତାହା ହୋଇଥାଆନ୍ତା ସତ, କିନ୍ତୁ ଏଣେ ଆନାକୁ ଘରେ ଏକା ଛାଡ଼ିଦେଇ କିପରି ଯାଆନ୍ତି, କୁହ ତ ! ଆଉ କେତୁଟା ଦିନ ଗଲେ ତାହାର ଯେ ପ୍ରସବ ହେବ । ଏପରି ଅବସ୍ଥାରେ କିପରି ତାହାକୁ ଏକା ଏଠାରେ ଛାଡ଼ିଦେଇ ଯିବି ?’’

 

ଫୋର୍‍ମ୍ୟାନ ହସି ହସି କହିଲା–‘‘ସତେ ! ବାଃ, ଭଲ କଥା ତାହାହେଲେ ତୁମେ ତ ଦୁଇରୁ ତିନି ହୋଇଯିବ ! ତୁମର କପାଳ ତ ଭାରି ତେଜ ଅଛି !’’

 

 

ଗୋଟିଏ ଲମ୍ବ ରେଳଗାଡ଼ି ସୈନ୍ୟମାନଙ୍କୁ ବୋଝାଇ କରି ମନ୍ଥର ଗତିରେ ଚାଲୁଥିଲା । ଇଞ୍ଜିନଟା ଡବାଗୁଡ଼ାକ ଟାଣି ପାରୁ ନ ଥିଲା । ସେଟା ବି ସମର-କ୍ଳାନ୍ତ ସୈନ୍ୟମାନଙ୍କ ପାରି ନିର୍ଜୀବ ଓ ଅବସନ୍ନ ହୋଇ ପଡ଼ିଥିଲା ।

 

କାମରାଗୁଡ଼ିକରେ ଲୋକମାନେ ଭରି ଯାଇଥିଲେ, ଖୁନ୍ଦା ଖୁନ୍ଦି ହୋଇଥିଲେ । କେଉଁଠି ଟିକିଏ ହେଲେ ଫାଙ୍କା ଜାଗା ତା’ ଭିତରେ ନ ଥିଲା । ଯେତେ ଯାତ୍ରୀ କାମରାରେ ବସିବାର କଥା, ତା’ଠାରୁ ପ୍ରାୟ ପାଞ୍ଚ ଗୁଣ ଅଧିକ ଲୋକ ସେଥିରେ ପଶିଥିଲେ । ଅଧିକାଂଶ ଲୋକ ଠିଆ ହୋଇଥିଲେ । ସୋରିଷ ପକାଇଲେ ତଳେ ପଡ଼ିବାକୁ ଜାଗା ନ ଥିଲା । ସମସ୍ତେ ହେଉଛନ୍ତି ସୈନିକ । କିଏ ଯୁଦ୍ଧଖେତ୍ରରୁ ଛାଡ଼ ପାଇଛି ତ କିଏ ନିର୍ବାସନ ଶିବିରରୁ ମୁକ୍ତି ପାଇଛି । ସମସ୍ତଙ୍କର ସମ୍ବଳ ମାତ୍ର ତିନୋଟି ଜିନିଷ–ଗୋଟିଏ ପେଟରା, ଗୋଟିଏ ଥଳି, ଆଉ ଗୋଟିଏ ଛୋଟ ବୁଜୁଳା । ବୁଜୁଳାରେ ଖାଦ୍ୟ ସାମଗ୍ରୀ ରହିଛି । ସେମାନଙ୍କ ଭିତରୁ ଯେଉଁମାନେ ବେଞ୍ଚରେ ବସିଛନ୍ତି, ସେମାନେ ଝରକା ବାଟେ ବାହାରକୁ ମୁହଁ ବଢ଼ାଇ ଦେଖୁଛନ୍ତି । ବାହାରର ବଣବୁଦା, ଗଛପତ୍ର, ଘରଦ୍ଵାର, ଗୋରୁଗାଇ, ଲୋକବାକ ଦେଖା ଯାଉଛନ୍ତି । କୌଣସି କୌଣସି ଘରର ଝରକା ଭିତରୁ ନାରୀମାନଙ୍କର ମୁଖ ଦିଶି ଯାଉଛି । ସେମାନଙ୍କ ଆଖିରେ ଆଜି ସବୁ କିଛି ହିଁ ନୂଆ ମାଲୁମ ହେଉଛି-

 

ରେଳଗାଡ଼ିଟି ମନ୍ଥର ଗତିରେ ଚାଲିଛି । ମାଲଗାଡ଼ିଠାରୁ ବି ଧୀର ତା’ର ବେଗ । ମଝିରେ ମଝିରେ ବାଷ୍ପ କମିଗଲେ ଡ୍ରାଇଭର ଗାଡ଼ି ଅଟକାଇ, ପୁଣି ବାଷ୍ପ ନ ହେବା ଯାଏ ଅପେକ୍ଷା କରୁଛି । ଇଞ୍ଜିନର ବା ଦୋଷ କଅଣ ? ସେଥିରେ ଯେଉଁ କୋଇଲା ଦିଆଯାଇଛି, ସେଥିରେ ବେଶି ଭାଗ ହେଉଛି ଖାଲି କଳା ପଥର ।

 

ଜଣେ ଲୋକ ସାଇକେଲରେ ଚଢ଼ି ରେଳଗାଡ଼ିର ସାଙ୍ଗେ ସାଙ୍ଗେ ଚାଲିଛି । ବାଟରେ ଯିବା ବେଳେ ସେ ସୈନ୍ୟମାନଙ୍କ ସାଙ୍ଗରେ ଗପ ଯୋଡ଼ି ଦେଇଛି ।

 

ଗୋଟିଏ କାମରା ଭିତରେ ବସିଥିବା ଜଣେ ସୈନିକ ତାହାର ବୁଜୁଳାଟି ଫିଟାଇଲା । ବୁଜୁଳା ଭିତରୁ ସେ ଖଣ୍ଡିଏ ଖୁବ୍‍ ବଡ଼ ଚକୋଲେଟ କାଢ଼ିଲା ।

 

ତା ପାଖରେ ବସିଥିବା ସୈନିକଟି ତାହାକୁ ପଚାରିଲା–‘‘ଚମତ୍କାର ଚକୋଲେଟ ତ ! କେଉଁଠୁ ଯୋଗାଡ଼ କଲ ଏଟା ?’’

 

ଚକୋଲଟେଟି ହାତରେ ଧରି ସୈନିକଟି ଜବାବ ଦେଲା–‘‘ଆସିଲା ବେଳେ ବାଟରେ କିଣିଥିଲି !’’

 

ଆଉ ଜଣେ ଯାତ୍ରୀ କହିଲା–‘‘ଖାଣ୍ଟି ମାଲ ତ ? ଦେଖେଁ, ଶୁଙ୍ଘିଲେ ବଳେ ଜଣାପଡ଼ିବ !’’

 

ସୈନିକଟି ଚକୋଲେଟଟା ତା’ ହାତକୁ ନେଇ ଶୁଙ୍ଘି ସାରି କହିଲା–‘‘ହଁ, ଭଲ ବୋଲି ତ ମାଲୁମ ହେଉଛି ।’’

 

ସେତେବେଳେ ଆହୁରି ଅନେକ ଯାତ୍ରୀ ସେହି ଜରି ପତ୍ର ମଡ଼ା ଚକୋଲେଟ ଆଡ଼କୁ ଅନାଇ ରହିଥିଲେ । ସେମାନଙ୍କ ପାଟିରୁ ପ୍ରାୟ ଲାଳ ଗଡ଼ିବା ଉପରେ ।

 

ଜଣେ ସୈନିକ ପଚାରିଦେଲା–‘‘ତୁମର ସ୍ତ୍ରୀ ପାଇଁ ଏଟା ନେଇ ଯାଉଛ ବୋଧହୁଏ ?’’

 

ଚକୋଲେଟର ମାଲିକ ତା’ ପକେଟରୁ ଗୋଟିଏ ଛୁରି ବାହାର କଲା, ସେଥିରୁ ଅଧେ କାଟି ନେଇ ଛୋଟ ଛୋଟ ଖଣ୍ଡ କରି, ପାଖ ଆଖର ବନ୍ଧୁମାନଙ୍କୁ ଖଣ୍ଡିଏ ଖଣ୍ଡିଏ ବାଣ୍ଟିଦେଇ କହିଲା–‘‘ଖାଅ ।’’

 

ଏହିପରି ଭାବରେ ଚକୋଲେଟର ଅଧେ ବାଣ୍ଟି ଦେଇସାରି, ବାକି ଅଧକ ପକେଟରେ ରଖୁଁ ରଖୁଁ ସୈନିକଟି କହିଲା–‘‘ଏତକ ମୋ ସ୍ତ୍ରୀ ଲାଗି ନେଇ ଯାଉଛି ।’’

 

ଏହି କଥା ପଦକ ଶୁଣି ଜଣେ ସୈନିକ ହସି ପକାଇଲା ।

 

ଚକୋଲେଟ ଧରିଥିବା ସୈନିକଟି ତତ୍‍କ୍ଷଣାତ ତାକୁ ପଚାରିଦେଲା–‘‘ତୁମର ସ୍ତ୍ରୀ ନାହିଁ ବୋଧହୁଏ ?’’

 

ଯେଉଁ ସୈନିକଟି ହସି ପକାଇଥିଲା, ତାହାର ମୁହଁଟି ଏହି କଥା ପଦକରେ କଳା ପଡ଼ିଗଲା । ସେ କ୍ଷୀଣ କଣ୍ଠରେ କହିଲା–‘‘ଥିଲା ।’’

 

‘‘ଥିଲା ମାନେ ?’’

 

‘‘ମାନେ ଆଗରୁ ଥିଲା, କିନ୍ତୁ ଏ କ୍ଷଣି ନାହିଁ । ଆଉ ଜଣେ ଲୋକ ସାଙ୍ଗରେ ସେ କୁଆଡ଼େ ପଳାଇ ଯାଇଛି । ମାଆର ଚିଠିରୁ ଏହା ଜଣା ପଡ଼ିଛି ।’’

 

ଆଉ ଜଣେ ସୈନିକ କହିଲା–‘‘ଆମ ସମସ୍ତଙ୍କର ଅବସ୍ଥା ଯେ କଅଣ, ସେ କଥା କିଏ ଜାଣେ ? ପାଞ୍ଚ ବର୍ଷ ପରେ ତ ଆମେ ଘରକୁ ଫେରୁଛନ୍ତି, ସେମାନଙ୍କୁ ବା କାହିଁକି ଦୋଷ ଦେବା କହିଲ ? ଯେତେହେଲେ ସେମାନେ ତ ମଣିଷ ।’’

 

ଚତୁର୍ଥ ଜଣକ କହିଲା–‘‘ତାହା ଛଡ଼ା କାହାର ତ ଘରେ ଜମିଦାରୀ ନାହିଁ ଯେ ସେମାନେ ବସି ବସି ଖାଇବେ । ହୁଏତ ପେଟର ଦାଉ ମେଣ୍ଟାଇବା ପାଇଁ ପର ପୁରୁଷ ସାଙ୍ଗରେ ରହିବାକୁ ସେମାନେ ବାଧ୍ୟ ହୋଇଛନ୍ତି । ସେମାନଙ୍କର ବା ଦୋଷ କଅଣ ?’’

 

ଏହା କହି, ଲୋକଟି ନିଜ ସ୍ତ୍ରୀର ଖଣ୍ଡିଏ ଫୋଟ ତା’ ପକେଟରୁ କାଢ଼ି ଆଣିଲା । ଅନେକ ଦିନ ହେଲା ପକେଟରେ ରହି ରହି ଫଟ ଖଣ୍ଡିକ ମଇଳା ଓ ବେରଙ୍ଗ ହୋଇ ଯାଇଥିଲା । ତା’ ଦେଖା ଦେଖି ଆହୁରି ଅନେକ ସୈନିକ ବି ସେମାନଙ୍କ ପକେଟରୁ ନିଜ ନିଜର ପରିବାରର ଫଟସବୁ କାଢ଼ି ଆଣି ତା’ଉପରେ ଆଖି ବୁଲାଇଲେ । ଜଣେ ଅନ୍ୟ ଜଣଙ୍କଠାରୁ ନେଇ ଫଟସବୁ ଦେଖିବାକୁ ଲାଗିଲେ ।

 

ରିଚାର୍ଡ଼ ଗୋଟିଏ କୋଣରେ ଚୁପ୍‍ ହୋଇ ବସିଥିଲା । ଜଣେ ସୈନିକ ତାହାକୁ ପଚାରିଲା–‘‘ତୁମ ସ୍ତ୍ରୀର ଫଟ ନାହିଁ ?’’

 

ରିଚାର୍ଡ଼ ବିଷର୍ଣ୍ଣ ମନରେ ଜବାବ ଦେଲା–‘‘ନା, ଭାଇ । ତରବରରେ ଆସିଲା ବେଳେ ମୁଁ ତାହାର ଫଟଟା ଛାଡ଼ି ଦେଇ ଆସିଲି । ଭୁଲରେ ସେଟା ଘରେ ରହିଗଲା । ତା’ପରେ ବନ୍ଦୀ ହୋଇ ନିର୍ବାସନ ଶିବିରରେ ରହିଲି । ତେଣୁ ପ୍ରାୟ ଚାରି ବର୍ଷ ହେଲା ତାହାକୁ ଚିଠି ଖଣ୍ଡିଏ ସୁଦ୍ଧା ଲେଖି ପାରି ନାହିଁ ।’’

 

ଜଣେ ଯାତ୍ରୀ ତାହାକୁ ସାନ୍ତ୍ଵନା ଦେବା ଛଳରେ କହିଲା–‘‘ହଁ ବା, ସେଥିରେ କଅଣ ଭାସିଗଲା ? ଆଉ କେତୁଟା ଘଣ୍ଟା ପରେ ତ ନିଜର ଅସଲ ମଣିଷଟିକୁ ଦେଖି ପାରିବ ।’’

 

ହଠାତ୍ ଗୋଟାଏ ଝାଙ୍କୁଣି ଦେଇ ରେଳଗାଡ଼ିଟା ରହିଗଲା । ଯାତ୍ରୀମାନେ ଆଦୌ ବ୍ୟସ୍ତ ହେଲେ ନାହିଁ, କି ମଝିରେ କାହିଁକି ଅଟକିଗଲା ସେ ବିଷୟରେ ମଧ୍ୟ ଟିକିଏ ହେଲେ ମଥା ଖେଳାଇଲେ ନାହିଁ । କାରଣ ଆଗରୁ ଗାଡ଼ିଟି ଏହିପରି ବହୁ ଥର ରହିଯିବାର ସେମାନେ ଦେଖିଛନ୍ତି-। ସେମାନଙ୍କର ଗପସପ ଆଗ ପରି ନିର୍ବିଘ୍ନରେ ଚାଲିଲା ।

 

ପ୍ରାୟ ଅଧ ଘଣ୍ଟାଏ ପରେ ରେଳଗାଡ଼ିଟି ପୁଣି ଚାଲିବାକୁ ଆରମ୍ଭ କଲା ।

 

ସେତେବେଳେ ରିଚାର୍ଡ଼ର ମନ ଭିତରେ କେତେ ଆଶା ଆସି ବସା ବାନ୍ଧିଥିଲେ । ଆଉ ଦୁଇ ଘଣ୍ଟା ମାତ୍ର । ତା’ପରେ ସେ ନିଜର ଘରେ ପହଞ୍ଚି ପାରିବ । ଘରକୁ ଯାଇ ସେ ତାହାର ସ୍ତ୍ରୀ ଆନାର ମୁହଁ ଦେଖି ପାରିବ । ଆନା ବୋଧହୁଏ ତାହାର ବାଟକୁ ଚାହିଁ ବସି ରହିଥିବ । ସେ ଏକ୍ଷଣି କଅଣ କରୁଥିବ ? ବୋଧହୁଏ ସେ ଖଟ ଉପରେ ଶୋଇ ରହି ତାହାର କଥା ଭାବୁଥିବ !

 

ସତରେ ଆନା ସେତେବେଳେ ବିଛଣାରେ ଶୋଇ ରହିଥିଲା ।

ଜଣେ ଧାଈ ଆସି ତାହାକୁ ପରୀକ୍ଷା କରୁଥିଲା । ଦେଖାଦେଖି କରିସାରି ଧାଇ କହିଲା–‘‘ନା, କିଛି ଗୋଳମାଳ ନାହିଁ, ସବୁ ଠିକ୍ ଅଛି ।’’

ସକାଳେ ଆନା ପେଟରେ ଟିକିଏ ବ୍ୟଥା ଅନୁଭବ କରିଥିଲା । ଭୟରେ ଛାନିଆ ହୋଇଯାଇ କାର୍ଲ ଜଣେ ଧାଈକୁ ଡାକି ଆଣିଥିଲା । ଦୁହିଁଙ୍କ ଭିତରୁ କେହି ଜାଣି ନଥିଲେ, ପ୍ରସବ ଆଗରୁ କଅଣ ସବୁ କରିବାକୁ ହୁଏ । ଆନା ବା ସେ କଥା କେମିତି ଜାଣି ଥାଆନ୍ତା ? ଏହି ଥର ଯେ ତାହାର ପ୍ରଥମ ଗର୍ଭ । ତେବେ ମେରୀର ଭଉଣୀ କ୍ଲାରାଠାରୁ ସେ ଶୁଣିଛି ଯେ ପ୍ରସବ ଆଗରୁ ଦେହରୁ ପାଣି ଯାଏ । ଯେତେବେଳେ ଦେଖିବ ଯେ ଦେହରୁ ପାଣି ଯିବାକୁ ଲାଗିଲା, ତତ୍‍କ୍ଷଣାତ ଧାଈକୁ ଖବର ଦେବ–କ୍ଲାରା ଏହି ପରାମର୍ଶ ଦେଇଥିଲା ।

ଆନା ଏ କଥାଟି କାର୍ଲକୁ କହି ନଥିଲା । ତେଣୁ ଆନାର ପେଟର ବ୍ୟଥା ହେଉଛି ବୋଲି ଜାଣିଲା ମାତ୍ରେ କାର୍ଲ ହଡ଼ବଡେଇ ଯାଇ ଧାଈକୁ ଖବର ଦେଇଥିଲା ।

ସଫାସୁତରା ଘରେ ଆରାମଦାୟକ ନରମ ବିଛଣାରେ ଆନା ଶୋଇ ରହିଥିଲା । ଜଣେ ପୁରୁଖା ଧାଈ ଆସି ତା’ ଦେହରୁ ଲୁଗାପଟା ଖୋଲି ପକାଇ ପରୀକ୍ଷା କରି ମତ ଦେଲା–‘‘ତୁମେ ଯେମିତି ଭାବରେ ନିଜ ଦେହର ଯତ୍ନ ନେଉଛ, ଖୁବ କମ୍‍ ପୁଆତୀଙ୍କୁ ତାହା କରିବାର ମୁଁ ଦେଖିଛି । ଏମିତି ଯତ୍ନ ନେବା ନିତାନ୍ତ ଦରକାର । ପ୍ରତି ପୁଆତୀଙ୍କୁ ମନେ ରଖିବାକୁ ହେବ ଯେ ସେ ମାଆ ହେବାକୁ ଯାଉଛି । ଯଦି ସେ ନିଜର ଶରୀରକୁ ଅବହେଳା କରେ, ତାହାହେଲେ ପେଟରେ ଧରିଥିବା ତାହାର ଶିଶୁଟି ଉପରେ ତା’ର ପ୍ରତିକ୍ରିୟା ପଡ଼େ, ଏବଂ ଫଳରେ ଶିଶୁଟି ରୋଗଣା ହୁଏ-।’’

ସନ୍ଧ୍ୟା ହୋଇ ନ ଥାଏ । ରିଚାର୍ଡ଼ ପ୍ରଭୃତି ଯୁଦ୍ଧ-ଫେରନ୍ତା ସୈନିକମାନେ ଯେଉଁ ରେଳଗାଡ଼ିରେ ବସିଥିଲେ, ସେଟା ସହରତଳିର ଶିଳ୍ପ ଅଞ୍ଚଳ ଭିତର ଦେଇ ଯାଉଥିଲା । ପରେ ଗୋଟିଏ ବଡ଼ ଇଂଜିନିୟରିଂ କାରଖାନା ପଡ଼ିଲା । ସେହି କାରଖାନାର ଫିଟାର ବିଭାଗରେ କାର୍ଲ ସେତେବେଳେ କାମ କରୁଥିଲା ।

କିଛି ସମୟ ପରେ ରେଳଗାଡ଼ିଟି ଆସି ଗୋଟିଏ ଷ୍ଟେସନରେ ରହିଲା । ରିଚାର୍ଡ଼ ସେଠାରେ ଓହ୍ଲାଇବାର କଥା । କେତେ ଜଣ ସୈନିକ ତରବରରେ ଗାଡ଼ିରୁ ଓହ୍ଲାଇ ପଡ଼ିଲେ । ରିଚାର୍ଡ଼ ମଧ୍ୟ ସହଯାତ୍ରୀ ବନ୍ଧୁମାନଙ୍କଠାରୁ ବିଦାୟ ନେଇ ଗାଡ଼ିରୁ ଓହ୍ଲାଇ ପଡ଼ିଲା । ଟିକିଏ ଚାରିଆଡ଼କୁ ଅନାଇ ଦେଇ ସେ ଷ୍ଟେସନ ଭିତରୁ ବାହାରି ଆସିଲା, ଏବଂ ନିଜର ଘର ଅଭିମୁଖରେ ଚାଲିଲା ।

ସେତେବେଳେ ଆନା ଟେବୁଲରେ ଭୋଜନ ସମଗ୍ରୀ ସବୁ ସଜାଇ ରଖୁଥିଲା । କାରାଖାନାରୁ ଫେରି ଆସିଲା ମାତ୍ରେ କାର୍ଲକୁ ଭାରି ଭୋକ ଲାଗେ । ତେଣୁ ସେ ତୁରନ୍ତ ଖାଇବାକୁ ଖୋଜେ ।

ଭୋଜନ ଟେବୁଲ ସଜାଇଲା ବେଳେ ଆନା ହଠାତ୍ ଦେଖିଲା ଯେ ରୋଟି ନାହିଁ । ତତ୍‍କ୍ଷଣାତ ସେ ରୋଟି ଆଣିବା ଲାଗି ଦୋକାନକୁ ଦଉଡ଼ିଲା ।

ଏଣେ ରିଚାର୍ଡ଼ ଗାଡ଼ିରୁ ଓହ୍ଲାଇ ଖଲେଇ ଖଲେଇ ଚାଲିଥିଲା । ତିନି ଦିନ ତଳେ ସେ ରାସ୍ତାରେ ଯାଉଥିଲା ବେଳେ ତାହାର ପାଦ ଉପରେ ଗୋଟାଏ ମଟର ମାଡ଼ି ଯାଇଥିଲା । ଆଜି ସେ ଚାଲିଲା ବେଳେ ତାହାକୁ ମାଲୁମ ହେଲା ଯେ ସେହି ଜାଗାଟା ଦରଜ କରୁଛି ।

 

ତା’ ପାଖ ଦେଇ ଗୋଟିଏ ଘୋଡ଼ାଗାଡ଼ି ଯାଉଥିଲା । ରିଚାର୍ଡ଼କୁ ବୁଜୁଳା-ବୁଜୁଳି କାନ୍ଧରେ ପକାଇ ଖଲେଇ ଖଲେଇ ଯାଉଥିବାର ଦେଖି, କଚୁଆନ ପଚାରିଲା–‘‘ଗାଡ଼ି ହବ ?’’

 

ରିଚାର୍ଡ଼ ତା’ ଆଡ଼କୁ ଥରେ ଚାହିଁଦେଲା, ଏବଂ ତାହାକୁ ଦେଖିନେଇ ପୁଣି ଚାଲିବାକୁ ଲାଗିଲା ।

 

କଚୁଆନ ଗାଡ଼ି ହକାରି ଚାଲିଗଲା ।

 

ଶେଷରେ ରିଚାର୍ଡ଼ ସେହି କୋଠାଟି ସାମନାରେ ଆସି ଠିଆ ହୋଇଗଲା । କୋଠାଟି ଆଡ଼କୁ ସେ ଭଲ କରି ଅନାଇଲା, ଦେଖିଲା । ଚାରି ବର୍ଷ ତଳେ କୋଠାଟି ଅତି ସୁନ୍ଦର ଦିଶୁଥିଲା । ସେତେବେଳେ ତଳେ ସେହି ଜୋତା ଦୋକାନଟା କି ଚକ୍‍ଚାକ୍ ଦିଶୁ ନ ଥିଲା !

 

କ୍ଲାରାର ସେହି ଉପପତି ମଟର୍ ମେକାନିକ ଓ ମେରୀ ସାଙ୍ଗ ହୋଇ ଆସୁଥିଲେ । ରିଚାର୍ଡ଼ ସେହି ଲୋକଟିକୁ ଦେଖି ପାରିଲା । ସେମାନେ ଉପରୁ ତଳକୁ ଓହ୍ଲାଇ ଆସୁଥିଲେ । ମେରୀ ଶଙ୍କିତ ଦୃଷ୍ଟିରେ ସେହି ଆଗନ୍ତୁକ ସୈନିକଟି ଆଡ଼କୁ ଟିକିଏ ଅନାଇଲା ।

 

ମଟର୍ ମେକାନିକ ସେହି ସୈନିକଟିକୁ ପଚାରିଲା–‘‘କାହାକୁ ଖୋଜୁଛନ୍ତି ?’’

 

ରିଚାର୍ଡ଼ ଜବାବ ଦେଲା–‘‘ମୋର ସ୍ତ୍ରୀ ଏଇଠି ଥିଲା । ତାହାର ନାମ ଆନା । ସେ ଏହି ଘରେ ଅଛି ତ ?’’

 

ରିଚାର୍ଡ଼ର ପ୍ରଶ୍ନର କୌଣସି ଜବାବ ନ ଦେଇ, ମୁହଁ ମୋଡ଼ି ଦେଇ ସେମାନେ ଚାଲିଗଲେ ।

 

ସେହି ପିଆନୋ ବଜାଉଥବା ପିଲାଟି ରିଚାର୍ଡ଼ର କଥା ଶୁଣି ପାରିଲା । ସେ ସେତେବେଳେ କାରଖାନାରୁ ଘରକୁ ଫେରି ଆସୁଥିଲା ।

 

ସେ ହଠାତ୍ କହି ପକାଇଲା–‘‘ଆନାର କଅଣ ଏକ ସାଙ୍ଗରେ ଦୁଇ ଜଣ ଲୋକଙ୍କ ସହିତ ବିବାହ ହୋଇଥିଲା କି ?’’

 

ରିଚାର୍ଡ଼ର କାନରେ ଆସି ସେହି କଥା ପଦକ ବାଜିଲା ।

 

ରିଚାର୍ଡ଼ର ଚେହେରା ଅତିଶୟ କଦର୍ଯ୍ୟ ହୋଇ ଯାଇଥିଲା । ମୁଖରେ ଦାଢ଼ି, ଦେହରେ ମାଟି ଲିପିଲା ଭଳି ପରସ୍ତେ ମଳି ବସି ଯାଇଛି, ମଇଳା ଛିଡ଼ା ପୋଷାକ, ମୁଣ୍ଡରେ ବାଳ ନୁଖୁରା ହୋଇ ଫରଫର ଉଡ଼ୁଛି, ଆଖି ଦୁଇଟି ବସି ଯାଇଛି । ତାହାକୁ ଦେଖିଲେ ମନେହୁଏ, ବହୁ ଦିନ ହେଲା ସେ ଭୟଙ୍କର ଦୁଃଖ କଷ୍ଟରେ ପଡ଼ି ଧୀରେ ଧୀରେ ଘର ମୁହାଁ ହୋଇ ଧାଇଁଛି ।

 

ଆନାର ଘରର ଦୁଆର ମୁହରେ ରିଚାର୍ଡ଼ ଆସି ଠିଆ ହେଲା । ସେତେବେଳେ ତାହାର ମନ ଭିତରେ କେତେ ରଙ୍ଗୀନ ଆଶା ଖେଳୁଥିଲା...ଏତେ ଦିନ ପରେ ସେ ତାହାର ପ୍ରାଣପ୍ରିୟା ଆନାକୁ ଫେରି ପାଇବ । ଆନାର ଦେହ-ସୁଧା ପାନ କରି ତାହାର ଦୀର୍ଘ ଉପବାସୀ ବୁଭୁକ୍ଷୁ ଦେହ ମନ ଆଜି ଅସୀମ ପରିତୃପ୍ତି ଲଭିବ ।

 

ହାତରେ ଟିକିଏ ଠେଲି ଦେବାରୁ କବାଟଟା ମେଲା ହୋଇଗଲା । ଆନା ଟେବୁଲ କତିରେ ଠିଆ ହୋଇ କାମ କରୁଥିଲା ।

 

ରିଚାର୍ଡ଼ ଅତିଶୟ ଆବେଗପୂର୍ଣ୍ଣ କଣ୍ଠରେ ଡାକିଲା–‘‘ଆନା !’’

 

ସେହି ଡାକ ଶୁଣି ଆନା ଚମକି ପଡ଼ିଲା । ତାହାର ଛାତି ଭୟରେ ଧଡ଼ପଡ଼ ହେଲା । ସେ ଅନୁଭବ କଲା, ଯେମିତି ମୃତ୍ୟୁ ଦଣ୍ଡରେ ଦଣ୍ଡିତ ଆସାମୀକୁ ଫାଶୀକାଠକୁ ନେଇଯିବା ପାଇଁ କାରାଗାରର ରକ୍ଷୀ ଆସି ଡାକୁଛି !

 

ରିଚାର୍ଡ଼ ଆଉ ଥରେ ଡାକିଲା–‘‘ଆନା ।’’

 

ଯନ୍ତ୍ର-ଚାଳିତ ନିଷପ୍ରାଣ ପିତୁଳା ପରି ଆନା ବୁଲିପଡ଼ି ଠିଆ ହୋଇ ରହିଲା । ସେତେବେଳେ ତାହାର ମନ ଭିତରେ ତୁମୁଳ ଝଡ଼ ବୋହୁଥିଲା । ତାହାର ତୁଣ୍ଡରୁ ପଦେ ହେଲେ କଥା ବାହାରିଲା ନାହିଁ ।

 

ଆନକୁ ମୁକ ଭଳି ଠିଆ ହେବାର ଦେଖି ରିଚାର୍ଡ଼ ପଚାରିଲା–‘‘ମୋତେ କଅଣ ତୁମେ ଚିହ୍ନି ପାରୁ ନାହଁ, ଆନା ?’’

 

ଆନା ମନେମନେ ଭାବିଲା, ନା, ଆଉ ବେଶି ଚୁପ୍‍ ହୋଇ ରହିବାଟା ଠିକ୍ ହେବ ନାହିଁ-। କିଛି ଗୋଟାଏ କଥା ତାହାକୁ କହିବାକୁ ହିଁ ପଡ଼ିବ । କିନ୍ତୁ କଅଣ ବା ସେ ତାହାକୁ କହିବ ?

 

ବହୁ କଷ୍ଟରେ ଆତ୍ମ ସମ୍ବରଣ କରି ସେ ଥରିଲା କଣ୍ଠରେ ପଚାରିଲା–‘‘କିଏ ? କିଏ ତୁମେ ?’’

 

‘‘ମୁ ରିର୍ଚାଡ଼ । ତୁମର ସ୍ୱାମୀ ।’’

 

ଏହାର ଉତ୍ତରରେ ଆନା କିଛି କହିବାକୁ ବସିଥିଲା । କିନ୍ତୁ ତାହାର ତୁଣ୍ଡରୁ ଗୋଟାଏ ଅସ୍ପଷ୍ଟ ଶବ୍ଦ ଛଡ଼ା ଆଉ କିଛି ବାହାରିଲା ନାହିଁ ।

 

ଆନାର ଏତାଦୃଶ ଅସହାୟ ହୀନ ଅବସ୍ଥା ଦେଖି ରିଚାର୍ଡ଼ର ଟିକିଏ ମାୟା ହେଲା । ତହୁଁ ସେ ତା’ ଆଡ଼କୁ ଦୁଇ ପାହୁଣ୍ଡ ଆଗେଇ ଯାଇ ତାହାକୁ ପୁଣି କହିଲା–‘‘ଆନା ! ପ୍ରିୟତମ ! ଅନେକ ଦିନ ପରେ ଆଜି ତୁମ ସାଙ୍ଗରେ ମୋର ପୁଣି ଦେଖା ହେଲା ।’’

 

କଥା କହୁଁ କହୁଁ ସେ ଆନା ଆଡ଼କୁ ଟିକିଏ ଆଗେଇ ଗଲା । ଦୁଇ ହାତ ବଢ଼ାଇ ସେ ଆନାକୁ ଧରିବାକୁ ଚେଷ୍ଟା କଲା ।

 

ମାତ୍ର ଆନା ଭୟରେ ଥରହର ହୋଇ କେତେ ପାଦ ପଛକୁ ଘୁଞ୍ଚି ଯାଇ ଠିଆ ହେଲା ।

 

ସୁତରାଂ ରିଚାର୍ଡ଼ର ମନେ ହେଲା, ତାହାର କୁତ୍ସିତ ଚେହେରା ଦେଖି ହୁଏତ ଆନା ତା’ ପାଖରୁ ଏମିତି ଭାବରେ ଦୂରେଇ ଯାଉଛି ! ଅଜାଣତରେ ତାହାର ହାତ ନିଜର ଗାଲ ଉପରକୁ ଉଠିଗଲା । ତାହାର ମୁଖରେ ବହଳେ ଦାଢ଼ି ଉଠିଥିଲା, ଆଉ ପରିହିତ ଜାମା ପେଣ୍ଟ୍‍ସବୁ ମଇଳା କୋଚଟ ହୋଇ ଯାଇଥିଲା ।

 

ନିଜର ସେହି ଅଦ୍ଭୁତ ଚେହେରା କଥା ମନେ କରି, କେତେକ ପରିମାଣରେ ଆତ୍ମସ୍ଥ ହୋଇ ରିଚାର୍ଡ଼ ପୁଣି କହିଲା–‘‘ମୁଁ ଭାରି ଅପରିଚ୍ଛନ୍ନ ଦିଶୁଛି, ନୁହେଁ ? ଆଚ୍ଛା, କାଲି ମୁଁ ସେଲୁନକୁ ଯାଇ ଦାଢ଼ି ଖିଅର ହୋଇ ଆସିବି ।’’

 

ଏହା କହି ଦୁଆର ମୁହଁରେ ରଖା ହୋଇଥିବା ତାହାରି ବୁଜୁଳିପତ୍ର ଆଡ଼କୁ ସେ ଚାଲିଗଲା । ତା’ପରେ ଜିନିଷତକ ଘର ଭିତରକୁ ନେଇ ଆସି ତଳେ ଥୋଇ ଦେଇ ସେ ପଚାରିଲା–‘‘ତୁମର ଦେହ ପା’ ଭଲ ଅଛି ତ, ଆନା ?’’

 

ଆନା ଖାଲି ମଥା ହଲାଇ ଜବାବ ଦେଲା । କିନ୍ତୁ ତୁଣ୍ଡ ଖୋଲି ପଦେ ହେଲେ କଥା ସେ କହି ପାରିଲା ନାହିଁ ।

 

ସେତେବେଳେ ରିଚାର୍ଡ଼ ଠିଆ ହୋଇ ଘରର ଚାରିଆଡ଼େ ଆଖି ବୁଲାଇବାକୁ ଲାଗିଲା । ଆଗଠାରୁ ଭଲ କରି ଘରଟି ସଜା ହୋଇଛି । ଘରର ଗୋଟାଏ ପାଖରେ ଖଟ ଉପରେ ପରିଷ୍କାର ଧୋବ ଫରଫର ବିଛଣା ଦେଖି ତାହାର ଶରୀର ରୋମାଞ୍ଚିତ ହୋଇଗଲା ।

 

ଆନନ୍ଦରେ ଅଧୀର ହୋଇ ରିଚାର୍ଡ଼ ପୁଣି ଆନାକୁ ପଚାରିଦେଲା–‘‘କେତେ ଦିନ ପରେ ମୁଁ ଫେରି ଆସିଲି, କୁହ ତ ? ହଠାତ୍ ମୋତେ ଦେଖି ତୁମକୁ ଭାରି ଆଶ୍ଚର୍ଯ୍ୟ ଲାଗୁଛି, ନୁହେଁ ?’’

 

ଏଥର ଆନା ବି କିଛି ଜବାବ ଦେଲା ନାହିଁ । ସେ ପୂର୍ବ ପରି ନୀରବ ନିଶ୍ଚଳରେ ଠିଆ ହୋଇ ରହିଲା ।

 

ରିଚାର୍ଡ଼ ପୁଣି କହିବାକୁ ଲାଗିଲା–‘‘ଏଣିକି ଆମର ଆଉ ଛାଡ଼ ବାଡ଼ ହେବ ନାହି । କାଲି ମୁଁ ଗୋଟାଏ କିଛି କାମ-ଧନ୍ଦା ଖୋଜିବାକୁ ବାହାରି ପଡ଼ିବି । ମୁଁ ତୁମକୁ ସବୁ ପ୍ରକାରରେ ସୁଖୀ କରିବାକୁ ଚେଷ୍ଟା କରିବି । ଏତେ ଦିନ ହେଲା ତୁମକୁ ଟିକିଏ ନ ଦେଖି କିପରି ଭାବରେ ଯେ ମୁଁ ଦିନ ବିତାଇଛି, ହୁଏତ ତୁମେ ତାହା ମୋଟେ ବୁଝି ପାରିବ ନାହିଁ । ଦୀର୍ଘ ପାଞ୍ଚ ବର୍ଷ ମୋତେ କଠୋର ବନ୍ଦୀ ଜୀବନ ଯାପନ କରିବାକୁ ହୋଇଛି । କି ଦୁଃଖ କଷ୍ଟ ନିର୍ଯ୍ୟାତନା ଭିତରେ ଯେ ମୁଁ ଦିନ ଅତିବାହିତ କରିଛି, ତାହା କେବଳ ମୁଁ ନିଜେ ଜାଣେ । ଅନ୍ୟ କେହି ତାହା ସ୍ଵପ୍ନରେ ସୁଦ୍ଧା ଭାବି ପାରିବ ନାହିଁ । ଆଉ କେହି ହୋଇଥିଲେ ବୋଧହୁଏ ଆତ୍ମହତ୍ୟା କରି ଥାଆନ୍ତା । କିନ୍ତୁ ମୁଁ ତାହା କରି ନାହିଁ । ଖାଲି ତୁମରି କଥା ମନେମନେ ଗୁଣି ହୋଇ ମୁଁ ସେହି ଜଘନ୍ୟ କାମ କରି ପାରି ନାହିଁ-।’’

 

ଯେତେବେଳେ ରିଚାର୍ଡ଼ ଏହିସବୁ କଥା କହି ଯାଉଥିଲା, ସେତେବେଳେ ଆନାର ମନ ଭିତରେ ଅନ୍ୟ ରକମ ଚିନ୍ତା ଖେଳୁଥିଲା । ସେ ଭାବୁଥିଲା–ହୁଏତ କାର୍ଲ ଏକ୍ଷଣି ଆସି ପହଞ୍ଚିଯିବ । ତାହା ହେଲେ ? କଅଣ କରିବ ସେ ? ଖୁନ୍‍ କରିବ ନାହିଁ ତ ?

 

ଆନାର ଯେମିତି କଥା କହିବାର ଶକ୍ତି ଲୋପ ପାଇ ଯାଇଥିଲା ।

 

ହଠାତ୍ ଆନାର ଖିଆଲ ହେଲା, କାର୍ଲକୁ ତୁରନ୍ତ ଖବର ଦେବା ନିହାତି ଦରକାର । ରିଚାର୍ଡ଼ର ଫେରି ଆସିବା କଥା ଆଗରୁ ଜାଣି ପାରିଲେ, ହୁଏତ କାର୍ଲ ଗୋଟାଏ କିଛି ଉପାୟ ବାହାର କରିପାରିବ । କିଛି ନ କରି ପାରିଲେ ବି, ଅନ୍ତତଃ ସେ ନିଜେ ତ ସାବଧାନ ହୋଇପାରିବ ।

 

ଏହି କଥା ମନରେ ଉଠିବାରୁ ଆନା ତରବରରେ ଘରୁ ବାହାରିଗଲା ।

 

ଆନାର ଏତାଦୃଶ ବ୍ୟବହାର ଦେଖି ରିଚାର୍ଡ଼ ଆଶ୍ଚର୍ଯ୍ୟ ହୋଇଗଲା । ସେ ମନେମନେ ଦୁଃଖିତ ବି ହେଲା । ସେ ଭାବିଲା–ଆନା କାହିଁକି ଏମିତି ଅଦ୍ଭୁତ ବ୍ୟବହାର କରୁଛି ? ଏତେ ଦିନ ପରେ ସେ ଘରକୁ ଫେରି ଆସିଛି ତାହାକୁ, ଦେଖି ଆନା ଖୁସି ହୁଅନ୍ତା ନା କଅଣ, ତା’ ତୁଣ୍ଡରୁ ପଦେ ହେଲେ କଥା ବାହାରୁ ନାହିଁ । ତାହା ଛଡ଼ା ତାହାକୁ ଏଠି ଏକା ଠିଆ କରାଇ ସେ କୁଆଡ଼େ ବା ପଳାଇଗଲା !

 

ଏହିସବୁ କଥା ମନେ ମନେ ଭାବୁ ଭାବୁ ରିଚାର୍ଡ଼ର ମଥାଟା ଭାରି ଜଣାଗଲା । ସେ ଆନାର ଅଦ୍ଭୁତ ବ୍ୟବହାରର କାରଣ ଖୋଜିବାକୁ ଲାଗିଲା । ସେ ମନକୁ ମନ ପ୍ରବୋଧନା ଦେବାକୁ ଚେଷ୍ଟା କଲା–ଏକ୍ଷଣି ବି ଆନା ତାହାକୁ ଭଲପାଏ । ହୁଏତ ତାହା ପାଇଁ ଖାଦ୍ୟ ସାମଗ୍ରୀ କିଣି ଆଣିବା ଲାଗି ସେ ବାହାରକୁ ଚାଲି ଯାଇଛି । ହୁଏତ ଘରେ ଖାଇବାକୁ ସେମିତି କିଛି ନାହି । ନ ଥିବାର ତ କଥା । ଆନା ସ୍ତ୍ରୀ ଲୋକ । କୌଣସି ସ୍ତ୍ରୀ ଲୋକ ପକ୍ଷରେ ଏକା ରୋଜଗାର କରି ନିଜେ ଚଳିବା କଅଣ ସହଜ କଥା !

 

ଏହିସବୁ କଥା ଭାବୁଁ ଭାବୁଁ ରିଚାର୍ଡ଼ ଅନ୍ୟମନସ୍କ ଭାବରେ ଖଣ୍ଡିଏ ଚୌକିରେ ବସି ପଡ଼ିଲା । ଚଉକିରେ ବସି ସେ ଆଉ ଥରେ ଘରର ଚାରିଆଡ଼େ ଆଖି ବୁଲାଇଲା । ହଠାତ୍ ଆଲଣା ଉପରେ ତାହାର ଦୃଷ୍ଟି ପଡ଼ିଗଲା । ଯାହା ଦେଖିଲା, ସେଥିରେ ସେ ଚମକି ପଡ଼ିଲା । ଏଁ, ଏହି ଜାମା ଆଉ ପେଣ୍ଟ୍‍ କାହାର ? ତେବେ କଅଣ ଆଉ କେହି ଲୋକ ଏଠାରେ ରହୁଛି ? ନିଶ୍ଚୟ ଅଛି-

 

ଦୁଃଖରେ ରିଚାର୍ଡ଼ର ଛାତି ଫାଟିଗଲା । ଆନା ଯେ ଅବିଶ୍ଵାସିନୀ ହେବ, ଏ ଚିନ୍ତା ସେ କେବେହେଲେ ମନକୁ ଆଣି ନ ଥିଲା । କିନ୍ତୁ ଏହି ଜାମା ଆଉ ପେଣ୍ଟ୍‍ ! ତାହା ଛଡ଼ା ଘରଟି ତ ବେଶ୍‍ ସୁନ୍ଦର ଭାବରେ ସଜା ହୋଇଛି । ଏପରି ଭାବରେ ସଜାଇ ରଖିବାକୁ ହେଲେ ଯେ ଅନେକ ଟଙ୍କା ଦରକାର ହେବ ! ତାହାହେଲେ ଆନା କଅଣ ଚରିତ୍ରହୀନା, ବିଟପୀ, ଭ୍ରଷ୍ଟା ନାରୀ !

 

ରିଚାର୍ଡ଼ ନିଜର ଦୁଇ ହାତରେ ମଥା ଚାପି ଧରିଲା । ତାହାର ମଥା ଭିତରେ ଯେମିତି ହୁ ହୁ ହୋଇ ଲୁହା କାରଖାନାର ଚୁଲିର ନିଆଁ ଜଳୁଥିଲା ।

 

ଯେତେବେଳେ ରିଚାର୍ଡ଼ ଏଣେ ଏହିସବୁ କଥା ଚିନ୍ତା କରୁଥିଲା, ଠିକ୍ ସେତିକିବେଳେ ଆନା ତେଣେ ପାଗିଳିନୀ ଭଳି ରାସ୍ତାରେ ଧାଇଁଥିଲା । ସେ କାର୍ଲକୁ ଖବରଟା ଦେବା ପାଇଁ ଦଉଡ଼ିଥିଲା । କାର୍ଲର କାରଖାନାଟା ସେ ଆଗରୁ ଅବଶ୍ୟ ଥରେ ଦେଖିଥିଲା । ଢେର୍‍ ବାଟ ତାହାକୁ ଚାଲି ଚାଲି ଯିବାକୁ ହେବ । କାରଖାନା ଛୁଟି ହେବା ଆଗରୁ ଯେ କୌଣସି ମତେ ତାହାକୁ ଫାଟକ ସାମନାରେ ପହଞ୍ଚିବାକୁ ହେବ । ବର୍ତ୍ତମାନ କେତୁଟା ବାଜିଛି କିଏ କହିବ ? କାରଖାନା ଛୁଟି ହୋଇଯାଇ ନାହିଁ ତ ? ଯଦି କାର୍ଲ ସାଙ୍ଗରେ ତାହାର ଦେଖା ନ ହୁଏ ? ଯଦି କାର୍ଲ ଛୁଟି ପରେ ଅନ୍ୟ ରାସ୍ତାରେ ଘରକୁ ଫେରି ଯାଇଥାଏ ?

 

ଏହି କଥା ମନେ କରି ଆନା ତାହାର ଗତିର ବେଗ ବଢ଼ାଇଦେଲା । ଏତେ କଠିନ ପରିଶ୍ରମ ଫଳରେ ତାହାର କପାଳରୁ ଥପ ଥପ ହୋଇ ଝାଳ ବହି ପଡ଼ୁଥିଲା । ଛାତିଟା ବି ଝାଳରେ ଭିଜିଗଲା ଏବଂ ତାହାର ପେଟରେ ବ୍ୟଥା ମାଲୁମ ହେଲା । ତଥାପି ସେ ଅଣନିଶ୍ୱାସୀ ହୋଇ କୌଣସି କଥାକୁ ଭ୍ରୂକ୍ଷେପ ନ କରି ଧାଇଁ ଥାଏ, କାରଣ ତାହାକୁ ଯେ କୌଣସି ମତେ କାର୍ଲ ସାଙ୍ଗରେ ଦେଖା କରିବାକୁ ହେବ ।

 

ତେଣେ ସେ ଦିନ କାର୍ଲ ଅଧ ଘଣ୍ଟାଏ ଆଗରୁ କାରଖାନାରୁ ବାହାରି ପଡ଼ିଥିଲା । ଘରେ ଗୋଟାଏ ଜରୁରୀ ଦରକାରୀ କାମ ଅଛି ବୋଲି କହି ସେ ଫୋର୍‍ମ୍ୟାନଠାରୁ ଅନୁମତି ନେଇଥିଲା, ଅଧ ଘଣ୍ଟାଏ ଆଗରୁ ଘରକୁ ଯିବା ପାଇ । କିନ୍ତୁ ଅଧ ଘଣ୍ଟାଏ ଆଗରୁ ତାହାର ଚାଲିଯିବାର ଭିତରି ଉଦ୍ଦେଶ୍ୟ ହେଉଛି ବଜାରରୁ କିଛି ଜିନିଷପତ୍ର କିଣି ନେଇଯିବା । ବଜାରରେ ଗୋଟାଏ ଦରଜି ଦୋକାନରେ ଆନାର ଖଣ୍ଡିଏ ଗାଉନ ବରାଦ ଦିଆ ଯାଇଥିଲା । ସେଟା ଆଜି ସେ ଦେବାର କଥା ।

 

ତେଣୁ କାର୍ଲ କାରଖାନାରୁ ବାହାରି ସିଧାସଳଖ ସେହି ଦରଜି ଦୋକାନକୁ ଚାଲିଗଲା । କିନ୍ତୁ ସେ ସେଠାରେ ଯାଇ ଦେଖେ ତ, ଗାଉନର ସିଲାଇ-କାମ ଆଉ ଟିକିଏ ବାକି ଅଛି । ସୁତରାଂ ଗାଉନଟା ମିଳିଲା ନାହିଁ । ଗାଉନଟା ନ ପାଇବାରୁ କାର୍ଲର ମନ ଟିକିଏ ଖରାପ ହୋଇଗଲା । ଆନାକୁ ନ ଜଣାଇ ସେ ଏହି ଗାଉନଟା ଦରଜିକୁ ବରାଦ ଦେଇଥିଲା । ଆନାର ଖଣ୍ଡିଏ ପୁରୁଣା ଗାଉନ ଆଣି ସେ ଦରଜିକୁ ଦେଇଥିଲା । ସେଟାରୁ ମାପ ନେବା ପାଇଁ ସେ ଦରଜିକୁ କହିଥିଲା । ସେ ମନେମନେ ଗୋଟାଏ ମତଲବ ପାଞ୍ଚିଥିଲା ଯେ ହଠାତ୍ ଗୋଟାଏ ନୂଆ ଗାଉନ ଉପହାର ଦେଇ ସେ ଆନାକୁ ଚମକାଇଦେବ ।

 

କାର୍ଲର ମୁହଁକୁ ଅନାଇ ଦରଜି ଦୁଃଖିତ ହୋଇ କହିଲା–‘‘କାମଟା ଭଲ ରକମ କରିବାକୁ ଯାଇ ଟିକିଏ ଉଛୁର ହୋଇଗଲା । ଆପଣ କିଛି ମନେ କରିବେ ନାହିଁ । ଗାଉନଟା ନିଶ୍ଚୟ କାଲି ପାଇବେ ।’’

 

ଏହି କୈଫିୟତ ପରେ କାର୍ଲ ଦରଜିକୁ ଆଉ କିଛି କହି ପାରିଲା ନାହିଁ । ତଥାପି ସେ ଦରଜିକୁ ଆଉ ଥରେ ଅନୁରୋଧ କଲା–‘‘ଗାଉନଟା ଆଜି ଯେ କୌଣସି ମତେ ଦିଅନ୍ତୁ ।’’

 

କିନ୍ତୁ ଦରଜି ଆଗ ପରି କହିଲା–‘‘ନା, ଆଜି ଦେବା କୌଣସି ମତେ ସମ୍ଭବପର ନୁହେଁ । କାମଟା ସରୁଁ ସରୁଁ ରାତି ହୋଇଯିବ । ଆପଣ କଅଣ ସେତେବେଳ ଯାଏ ଏଠି ବସି ରହିଥିବେ ? ତାହା ଅପେକ୍ଷା ବରଂ ଭଲ ହେବ, ଯଦି ଆପଣ କାଲି ଆସି ନେଇ ଯାଆନ୍ତି । ମୁଁ ଜବାବ ଦେଉଛି, କାଲି ନିଶ୍ଚୟ ଆପଣଙ୍କୁ ଦେବି ।’’

 

ଏପରି ପରିସ୍ଥିତିରେ କାର୍ଲର ଅନ୍ୟ ଉପାୟ ନ ଥିଲା । ସୁତରାଂ ସେ ବାଧ୍ୟ ହୋଇ ଦରଜି ଦୋକାନରୁ ଚାଲି ଆସିଲା । ତାହାର ପ୍ରଥମ ଉତ୍ସାହ ବାଧା ପାଇବାରୁ, କାର୍ଲର ମନଟା ଟିକିଏ ଦବିଗଲା । ତା’ପରେ ସେ ବଜାର ଭିତରକୁ ଯାଇ କିଛି ଦରକାରୀ ଜିନିଷପତ୍ର କିଣିଲା । ତା’ ଭିତରେ ଆନା ପାଇଁ ଗୋଟାଏ ଟିଣ ଲହୁଣୀ ମଧ୍ୟ ଥିଲା । ସେହି ଜିନିଷପତ୍ର ସବୁ ଗୋଟାଏ ଥଳିରେ ଭର୍ତ୍ତି କରି, କାର୍ଲ ଘରଆଡ଼କୁ ଯିବାକୁ ଲାଗିଲା ।

 

ଏଣେ ସେତିକିବେଳେ ଆନା ଯାଇ କାର୍ଲର କାରଖାନାର ଫାଟକ ସାମନାରେ ହାଜର ହୋଇଗଲା । ଠିକ୍ ସେତିକିବେଳେ କାରଖାନା ଛୁଟି ହେଲା । ଶ୍ରମିକମାନେ ଦଳ ଦଳ ହୋଇ ଫାଟକ ବାଟେ ରାସ୍ତା ଉପରକୁ ବାହାରି ଆସୁଥିଲେ ।

 

ଆନା ଗୋଟିଏ କଡ଼ରେ ଠିଆ ହୋଇ ଫାଟକ ଉପରେ ଲକ୍ଷ୍ୟ ରଖିଥାଏ, କେତେବେଳେ କାର୍ଲ କାରଖାନାରୁ ବାହାରି ଆସିବ । ପ୍ରାୟ ପନ୍ଦର ମିନଟ ଭିତରେ କାରଖାନା ଖାଲି ହୋଇଗଲା । ସମସ୍ତେ ଯେଝା ଯେଝାର ଘରକୁ ଚାଲିଗଲେ । ତା’ପରେ ଦରୁଆନ ଫାଟକ ବନ୍ଦ କରିଦେଲା ।

 

କାର୍ଲକୁ ନ ଦେଖି ପାରି ଆନା ବିସ୍ମିତ ହୋଇଗଲା । ତାହାର ମନରେ ଭୟ ଜାତ ହେଲା । ଆଶଙ୍କା ମଧ୍ୟ ଉପୁଜିଲା–କୌଣସି ଦୁର୍ଘଟଣା ଘଟି ନାହିଁ ତ ? ଦୁର୍ଘଟଣାର କଥା ମନକୁ ଛୁଇଁବା ମାତ୍ରେ, ତାହାର ଛାତିଟା ଧଡ଼ପଡ଼ ହେବାକୁ ଲାଗିଲା । ସେ ଶୁଣିଛି, ଦୁର୍ଘଟଣାରେ ବି କେହି କେହି ମରି ଯାଇଛନ୍ତି ।

 

ମନେମନେ ଏହି କଥା ସବୁ ଭାବି ଭାବି ଶେଷକୁ ଆନା ଫାଟକ ସାମନାକୁ ଧାଇଁଗଲା-। ସେ ଦରୁଆନକୁ ଡାକି ପଚାରିଲା, ସେ କାର୍ଲର ଖବର କିଛି ଜାଣିଛି କି ନା ।

 

ଦରୁଆନ କାର୍ଲକୁ ଭଲ କରି ଚିହ୍ନିଥିଲା । ତାହା ଛଡ଼ା ସେ ଯେ ଦିନ ଅଧ ଘଣ୍ଟାଏ ଆଗରୁ କାରଖାନାରୁ ଚାଲି ଯାଇଥିଲା, ସେ କଥା ବି ସେ ଜାଣିଥିଲା ।

 

ସୁତରାଂ ଦରୁଆନ ଆନାକୁ ଚାହିଁ ଜବାବ ଦେଲା–‘‘କାର୍ଲ ତ ଢେର ବେଳୁ ଚାଲିଗଲାଣି-। ଛୁଟି ହେବାର ଅଧ ଘଣ୍ଟାଏ ଆଗରୁ ସେ ଆଜି ଚାଲି ଯାଇଛି ।’’

 

ଦରୁଆନର ତୁଣ୍ଡରୁ ଏହି କଥା ପଦକ ଶୁଣିଲା ମାତ୍ରେ ଆନା ପୁଣି ନିଜର ଘର ଆଡ଼କୁ ଧାଇଁବାକୁ ଲାଗିଲା ।

 

ତେଣେ ସେତେବେଳକୁ କାର୍ଲ ଫେରି ଯାଇ ଘରର ଦୁଆର ମୁହଁରେ ହଜାର ହୋଇଗଲାଣି । ଦୁଆରଟା ମେଲା ହୋଇଥିଲା । ସୁତରାଂ ସେ ଅନାୟାସରେ ଭିତରକୁ ପଶିଗଲା ।

 

କିନ୍ତୁ ଘର ଭିତରେ ଗୋଡ଼ ଦେଲା ମାତ୍ରେ ସେ ସ୍ତବ୍‍ଧ ହୋଇଗଲା । ସେ ନିଜର ଆଖିକୁ ବିଶ୍ୱାସ କରି ପାରିଲା ନାହିଁ–ଚଉକିରେ କିଏ ବସିଛି ? ରିଚାର୍ଡ଼ ନୁହେଁ ତ ?

 

ଏତିକିବେଳେ ରିଚାର୍ଡ଼ର ମନକୁ କଅଣ ଆସିଲା କେଜାଣି, ସେ ମୁହଁ ବୁଲାଇ ଦୁଆର ଆଡ଼କୁ ଅନାଇଦେଲା । ତତ୍‍କ୍ଷଣାତ ସେ କାର୍ଲକୁ ଦେଖି ପାରିଲା । କାର୍ଲ ଉପରେ ତାହାର ତୀକ୍ଷଣ ଦୃଷ୍ଟି ପଡ଼ିଲା ମାତ୍ରେ ସେ ତାହାକୁ ଅବିଳମ୍ବେ ଚିହ୍ନି ପାରିଲା ।

 

କାର୍ଲ ପକ୍ଷରେ ମଧ୍ୟ ତାହାକୁ ରିଚାର୍ଡ଼ ବୋଲି ଚିହ୍ନି ପାରିବା ଆଦୌ କଷ୍ଟକର ହେଲା ନାହି ।

 

କାର୍ଲକୁ ସେଠାରେ ଦେଖିବାକୁ ପାଇ ରିଚାର୍ଡ଼ ଆଚମ୍ବିତ ହୋଇଗଲା । କିନ୍ତୁ ଆଚମ୍ବିତ ହେଲେ ସୁଦ୍ଧା ରିଚାର୍ଡ଼ର ମନ ଭିତରେ ତିଳେ ହେଲେ ସନ୍ଦେହ ଜାଗିଲା ନାହିଁ ଯେ କାର୍ଲ ସେଠାରେ ଆନା ସାଙ୍ଗରେ ରହୁଛି । ତାହାର ମନେ ହେଲା, ହୁଏତ କାର୍ଲ ତାହା ସହିତ ଦେଖା କରିବାକୁ ଚାଲି ଆସିଛି । ତେଣୁ ସେ ଆନ୍ତରିକ ଭାବରେ କାର୍ଲକୁ ସ୍ଵାଗତ ଜଣାଇଲା, ଏବଂ ଆନନ୍ଦରେ ଅଧୀର ହୋଇ କହିଲା–‘‘ଆରେ କାର୍ଲ ! ତୁମେ ଆସିଛ ! ବେଶ, ଭଲ ହେଲା । ହଁ, କେବେ ତୁମେ ଖଲାସ ପାଇଲ, କୁହ ତ । ମୋ ସାଙ୍ଗରେ ଦେଖା କରିବା ଲାଗି ବୋଧହୁଏ ତୁମେ ଏଠାକୁ ଆସିଛ, ନା ? ବେଶ୍‍, ଭଲ କରିଛ । ହେଉ, ଟିକିଏ ବସ । ଆନା ଆସିଲେ, ତା’ ସାଙ୍ଗରେ ତୁମର ପରିଚୟ କରାଇଦେବି । ସେ ଟିକିଏ ବାହାରକୁ ଯାଇଛି, ଏଇ ଏକ୍ଷଣି ଆସି ପହଞ୍ଚିଯିବ ଯେ । ଆଦୌ ଉଛୁର ହେବ ନାହିଁ । ତୁମେ ଟିକିଏ ବସ । ଅନେକ ଦିନ ପରେ ଆମର ପୁଣି ଦେଖା ହେଲା । ଆସ, ଦି’ପଦ ଦୁଃଖ-ସୁଖ କଥା ହେବା ।’’

 

ରିଚାର୍ଡ଼ ଅନର୍ଗଳ କହି ଯାଉଥିଲା । ତାହାର କଥାର ଯେମିତି ଅନ୍ତ ନାହିଁ । ବହୁ ଦିନ ପରେ ତାହାର ଜଣେ ଘନିଷ୍ଠ ବନ୍ଧୁ ସହିତ ଦେଖା ହୋଇଛି । ତେଣୁ ସେ ଆନନ୍ଦରେ ଅଧୀର ହୋଇ ପଡ଼ିଲା ।

 

ସେତେବେଳେ ଏଣେ କାର୍ଲର ମନ ଭିତରେ ପ୍ରଶାନ୍ତ ମହାସାଗରର ଉତ୍ତାଳ ତରଙ୍ଗ ଉଦବେଳିତ ହେଉଥିଲା । ସେ ରିଚାର୍ଡ଼କୁ ପଦେ ହେଲେ କଥା ତୁଣ୍ଡ ଖୋଲି କହି ପାରିଲା ନାହିଁ । ଏପରିକି, ଚଉକିରେ ବସିବାକୁ ମଧ୍ୟ ସେ ଭୁଲିଗଲା ।

 

କାର୍ଲକୁ ଏପରି ନିର୍ବାକ ଭାବରେ ଠିଆ ହୋଇ ରହିବାର ଦେଖି, ରିଚାର୍ଡ଼ ପୁଣି କହିଲା–‘‘ଠିଆ ହୋଇ ରହିଲ କାହିଁକି ? ବସୁ ନାହଁ ! ଆସି ପହଞ୍ଚିଗଲ ଯେତେବେଳେ, ଆଜି ରାତିଟା ଏଠାରେ ତୁମକୁ ରହିବାକୁ ହେବ । ଏଥିରେ ତୁମର କିଛି ବିଶେଷ ଅସୁବିଧା ହେବ ନାହିଁ ତ-! ମୁଁ ତ ଅଛି, ଅସୁବିଧା ଆଉ କଅଣ ? ଆଜି ରାତିକ କାହିଁକି, ଇଚ୍ଛା କଲେ ଆଠ ଦଶ ଦିନ ବି ତୁମେ ଆମ ସାଙ୍ଗରେ ଆନନ୍ଦରେ କଟାଇ ଦେଇ ପାର ।’’

 

ଏଥର ବି କାର୍ଲର ତୁଣ୍ଡରୁ ପଦେ ହେଲେ କଥା ବାହାରିଲା ନାହି । ସେ ଯେମିତି ମୁକ ପାଲଟିଗଲା । ତାହାର ଅନ୍ତର ଆନ୍ଦୋଳିତ ହେଉଥିଲା । ସେ କିଛି ଭାବି ସ୍ଥିର କରି ପାରୁ ନ ଥିଲା, ଏ ପରିସ୍ଥିତିରେ ରିଚାର୍ଡ଼କୁ କଅଣ କୁହାଯିବ । ତାହା ଛଡ଼ା, ଆନା ବା ଏତେବେଳ ଯାଏ କୁଆଡ଼େ ଗଲା ?

 

ଆଉ କିଛି ଉପାୟ ନ ଦେଖି, କାର୍ଲ ଶେଷକୁ ଖଣ୍ଡିଏ ଚଉକିରେ ବସି ପଡ଼ିଲା ।

 

କାର୍ଲ ବସି ପଡ଼ିଲାରୁ, ରିଚାର୍ଡ଼ ପୁଣି ତାହାକୁ ପଚାରିଲା–‘‘ତୁମେ କେବେ ଖଲାସ ହେଲ, କାର୍ଲ ?’’

 

ଆଉ ଅଧିକ ସମୟ ନୀରବ ରହିବା ସମୀଚୀନ ହେବ ନାହିଁ ବୋଲି ମନେ କରି, କାର୍ଲ ଜବାବ ଦେଲା... ‘‘ଏହି କିଛି ଦିନ ତଳେ । ତୁମେ କେବେ ଖଲାସ ହେଲ ?’’

 

ରିଚାର୍ଡ଼ କହିଲା... ‘‘ମୁଁ ? ମୋ କଥା କୁହ ନାହିଁ । ସେହି ଯେ ତୁମ ସାଙ୍ଗକୁ ମୋତେ ଅଲଗା କରିନେଲେ, ତା’ପରେ ମୋତେ ଅନେକ ଜାଗାରେ ଘୂରାଇ ଘୂରାଇ ମାରିଲେ । ସେ ଗୋଟାଏ ଲମ୍ବା ଇତିହାସ । ଭୋଜନ ବେଳେ ସବୁ କଥା ତୁମକୁ ଶୁଣାଇବି । ଆନା ଆସୁ, ଏକା ସାଙ୍ଗରେ ତ ଖାଇବା । କଅଣ କହୁଛ ?’’

 

ଏହା କହି ରିଚାର୍ଡ଼ ଚଉକିରୁ ଉଠି ପଡ଼ିଲା ଏବଂ ତଳେ ଥୁଆ ହୋଇଥିବା ବୁଜୁଳିଟା ପାଖକୁ ଚାଲିଗଲା । ତା’ପରେ ବୁଜୁଳି ଫିଟାଇ ସେଠାରୁ ଖଣ୍ଡିଏ ଟିକିଏ ସଫା ଦିଶୁଥିବା ପେଣ୍ଟ ଜାମା କାଢ଼ି ଆଣିଲା ଏବଂ କାର୍ଲ ସାମନାରେ ଠିଆ ହୋଇ ସେଟା ପିନ୍ଧି ପକାଇଲା ।

 

ସଫା ପୋଷାକ ପିନ୍ଧି ସାରି, ରିଚାର୍ଡ଼ ମଇଳା ଜାମା-ପେଣ୍ଟସବୁ ଘରର ଗୋଟାଏ କୋଣରେ ରଖିଦେଲା, ଏବଂ କହିଲା–‘‘ସେଗୁଡ଼ାକ ଖୁବ ମଇଳା ହୋଇଯାଇଛି । କାଲି ସକାଳେ ସଫା କରିବାକୁ ହେବ । ଆନାକୁ କହିବି, ଖୁବ ଭଲ ଭଲ ଭାବରେ ସେଥିରେ ସାବୁନ ଦେଇ ଦେବ-।’’

 

କିନ୍ତୁ ସେହି କଥା ସବୁ କାର୍ଲର କାନ ଭିତରେ ପଶୁ ନ ଥିଲା । ସେ ଖାଲି ଅନ୍ୟମନସ୍କ ହୋଇ ଏପଟ ସେପଟ ଅନାଉଥିଲା ।

 

ତା’ ଆଡ଼କୁ ଅନାଇ ରିଚାର୍ଡ଼ ପଚାରିଲା–‘‘କି, କଥା କଅଣ ? ଏମିତି ଚଙ୍ଗଚଙ୍ଗ ହେଉଛ କାହିଁକି ? ଟିକିଏ ଭଲ ଭାବରେ ବସ । ଲାଜ କାହିଁକି ? ମୋର ଘର କଅଣ ତୁମର ଘର ନୁହେଁ ? ଏତେ ଦିନ ଆମେ ଦୁହେଁ ସାଙ୍ଗରେ ରହିଲେ ଆଉ ଚଳିଲେ, ତେବେ ବି କଅଣ ତୁମେ ମୋତେ ପର ବୋଲି ଭାବୁଛ ? ଏଟା ବି ତ ତୁମର ନିଜର ଘର ।’’

 

ରିଚାର୍ଡ଼ର ଏତାଦୃଶ ଅନ୍ତରଙ୍ଗ ଭାବ ଦେଖି, କାର୍ଲ ପ୍ରାୟ ବିବ୍ରତ ହୋଇ ପଡ଼ିଲା । ସେତେବେଳେ ସେ ମନେମନେ ଚିନ୍ତା କଲା, ରିଚାର୍ଡ଼କୁ ଆଉ ବେଶି ଦୂର ଆଗେଇଯିବାକୁ ଦେବା ଠିକ୍ ହେବ ନାହି । ଆନା ସହିତ ତାହାର କି ସମ୍ପର୍କ, ବର୍ତ୍ତମାନ ତାହା ରିଚାର୍ଡ଼ ଆଗରେ ଖୋଲି କହିଦେବା ନିହାତି ଦରକାର । ଆଉ ଲୁଚାଇ କିଛି ଫଳ ନାହିଁ ।

 

କାର୍ଲ ମନେ ମନେ ଏହି ବିଷୟ ଭାବୁଥିଲା ବେଳେ, ଆନା ଆସି ଘରେ ପହଞ୍ଚିଗଲା । ତା’ ଆଡ଼କୁ ଅନାଇ ଦେଇ କାର୍ଲ ଦେଖି ପାରିଲା, ଆନା ଯେମିତି ଉତ୍ତେଜନାରେ ଥରୁଛି । ସତରେ ଆନା ଥରୁଥିଲା । ଝାଳରେ ତାହାର କାନ୍ଧ ଓ ଛାତି ଉପରର ଜାମା ଓଦା ହୋଇ ଯାଇଥିଲା । ତାହାର ମଥାର କେଶ ସବୁ ବି ଫରଫର ହୋଇ ଉଡ଼ୁଥିଲା ।

 

ଆନାର ଏହି ଅସହାୟ ଓ ବିକଳ ଅବସ୍ଥା ଦେଖି କାର୍ଲ ବଡ଼ ବିବ୍ରତ ହୋଇ ପଡ଼ିଲା ।

 

ଆନା ଘର ଭିତରକୁ ଚାଲିଗଲା । କାର୍ଲ ଚଉକିରୁ ଉଠିପଡ଼ି, ତା’ ପାଖକୁ ଯାଇ ପଚାରିଲା–‘‘କଅଣ ହେଲା ତୁମର, ଆନା ? ତୁମର ଦେହ କଅଣ ଭଲ ନାହିଁ କି ? କିଛି ଅସୁଖ ହୋଇଛି ?’’

 

ଆନା ମୃଦୁ କଣ୍ଠରେ ଜବାବ ଦେଲା–‘‘ହଁ, ଦେହଟା କାହିଁକି କେଜାଣି ଆଜି ଭଲ ଲାଗୁ ନାହିଁ ।’’

 

ଏତିକିବେଳେ କାର୍ଲର ମନେ ହେଲା–କଥାଟା ଆଉ ବେଶି ଦୂର ଗଡ଼ାଇବା ଠିକ୍ ନୁହେଁ, ଯାହା ହେବାର ଏକ୍ଷଣି ହୋଇଯାଉ ।

 

ମନରେ ଦମ୍ଭ ଧରି କାର୍ଲ ଶୁଣାଇଦେଲା–‘‘ରିଚାର୍ଡ଼, ତୁମେ ଆନାର ଆଶା ଛାଡ଼ି ଦିଅ ।’’

 

କାର୍ଲର କଥା ଶୁଣି ରିଚାର୍ଡ଼ ଅବାକ୍‍ ହୋଇଗଲା । ପ୍ରଥମେ ସେ କିଛି ବୁଝି ପାରିଲା ନାହିଁ-। ତେଣୁ ସେ ବୋକାଙ୍କ ପରି ହୋଇ ପଚାରିଦେଲା–‘‘ଆଶା ଛାଡ଼ିଦେବି ମାନେ ? ଆନା କଅଣ କରିଛି କି ?’’

 

ଏହା କହିଦେଇ, ରିଚାର୍ଡ଼ ଆନା ଆଡ଼କୁ ଅନାଇ ସ୍ନେହବୋଳା କଣ୍ଠରେ ପୁଣି ତାହାକୁ ପଚାରିଲା–‘‘ତୁମର କଅଣ ହୋଇଛି, ଆନା, କହୁ ନାହଁ ମୋତେ ? ମୋ ପାଖରେ କପଟ କାହିଁକି-?’’

 

ଆନା ନୀରବ ହୋଇ ରହିଲା । ପଦେ ହେଲେ କଥା ତାହାର ତୁଣ୍ଡରୁ ବାହାରିଲା ନାହି ।

 

ରିଚାର୍ଡ ଆଉ ସମ୍ଭାଳି ପାରିଲା ନାହିଁ । ଆନା ପାଖକୁ ଟିକିଏ ଚାଲିଯାଇ ସେ ତାହାକୁ ପୁଣି ପଚାରିଲା... ‘‘କଥା କହୁ ନାହଁ କାହିଁକି, ଆନା ? କଅଣ ହୋଇଛି ତୁମର ? ସବୁ କଥା ମୋତେ ଫିଟାଇ କୁହ ନା !’’

 

ଏତିକିବେଳେ କାର୍ଲ ହଠାତ୍ ଆନାର ଆଗରେ ଠିଆ ହୋଇ ଯାଇ ଦୃଢ଼ ସ୍ଵରରେ କହିଲା–‘‘ତାହାର କଥା ମୁଁ କହୁଛି, ଶୁଣ । ଆନା ଆଉ ତୁମର ନୁହେଁ । ସେ ବର୍ତ୍ତମାନ ମୋର ।’’

 

କାର୍ଲର କଥା ଶୁଣିଲା କ୍ଷଣି ରିଚାର୍ଡ଼ର ଚେତନା ପଶିଲା । ଟିକିଏ ପଛକୁ ଘୁଞ୍ଚିଯାଇ, ସେ ଆନା ଉପରେ ଥରେ ଆଖି ବୁଲାଇନେଲା । ସେ ଏକ୍ଷଣି ବୁଝି ପାରିଲା, ଆନା ଗର୍ଭବତୀ !

 

ରିଚାର୍ଡ଼ ପକ୍ଷରେ ମଧ୍ୟ ବୁଝିବାକୁ ବାକି ରହିଲା ନାହି ଯେ ତାହାର ବନ୍ଧୁ କାର୍ଲ ହି ଏଥିପାଇଁ ପୂରାପୂରି ଦାୟୀ । କିନ୍ତୁ ଏହା ବୁଝି ପାରିଥିଲେ ସୁଦ୍ଧା, ସେ ଆନାକୁ ତୁଣ୍ଡ ଖୋଲି କିଛି କହି ପାରିଲା ନାହିଁ । କାର୍ଲକୁ ମଧ୍ୟ ସେ ପଦେ ହେଲେ କଡ଼ା କଥା କହିଲା ନାହି । ସେ ଖାଲି କାର୍ଲକୁ ଏତିକି କହିଲା–‘‘କାର୍ଲ, ତୁମେ ଆଜି ଏଠାରୁ ଚାଲିଯାଅ । ଯାହା କଲେ ସୁଦ୍ଧା, ଆନା ମୋର ସ୍ତ୍ରୀ । ସେ ମୋର ସ୍ତ୍ରୀ ହୋଇ ରହିବ । ଯଦି ସେ କୌଣସି ଭୁଲ୍‍ କରିଥାଏ, ତାହାହେଲେ ତାହାକୁ କ୍ଷମା ଦେବା ନ ଦେବା ମୋ ଉପରେ ନିର୍ଭର କରେ । ଯେତେ ହେଲେ ତ ସେ ମୋର ସ୍ତ୍ରୀ । ଆନାକୁ ମୁଁ କେତେ ଭଲ ପାଏଁ, ତୁମେ ଜଣେ ବାହାରର ଲୋକ, ତୁମେ ବା ତାହା କିପରି ବୁଝିପାରିବ ?’’

 

ରିଚାର୍ଡ଼ର କଥାରେ ବାଧା ଦେଇ, କାର୍ଲ କହିଲା–‘‘ତାହା ଆଉ ହେବାର ନୁହେଁ, ରିଚାର୍ଡ଼-। ଆନା ବର୍ତ୍ତମାନ ମୋର ସ୍ତ୍ରୀ ।’’

 

କାର୍ଲର ଏହି କଥା ପଦକରେ ରିଚାର୍ଡ଼ର ଧୈର୍ଯ୍ୟ ବନ୍ଧ ଭାଙ୍ଗିଗଲା । ସେ ଅତ୍ୟନ୍ତ ଉତ୍ତେଜିତ ହୋଇ, କ୍ରୋଧରେ ଜଳିଯାଇ ରୁକ୍ଷ କଣ୍ଠରେ କହିଲା–‘‘କଅଣ କହିଲ ? ଆଉ ଥରେ କୁହ ତ ଦେଖେ ! ଫେର୍‍ ଯଦି ସେ କଥା ମୁହଁରେ ଧର, ତାହାହେଲେ ତୁମକୁ ଅବିଳମ୍ବେ ଖୁନ୍‍ କରିବାକୁ ମୁଁ କଦାପି ପଛେଇବି ନାହିଁ । ହତଭାଗା, ବେଇମାନ, ବିଶ୍ଵାସଘାତକ !’’

 

ରିଚାର୍ଡ଼ର ଆଖି ଲାଲ ପଡ଼ିଯାଇ ନିଆଁ ପରି ଜଳିବାକୁ ଲାଗିଲା । ସେ ଏଣେତେଣେ ଆଖି ବୁଲାଇଲା, ଘର ଭିତରେ କେଉଁଠି କିଛି ଅସ୍ତ୍ର ଶସ୍ତ୍ର ଅଛି କି ନା ।

 

ହଠାତ୍ ତାହାର ମନେ ପଡ଼ିଗଲା, ତାହାର ବୁଜୁଳି ଭିତରେ ଗୋଟାଏ ଛୁରା ଅଛି ।

 

ଛୁରା କଥା ମନେପଡ଼ିଯିବାରୁ ରିଚାର୍ଡ଼ ତା’ ବୁଜୁଳିଟା ପାଖକୁ ଧାଇଁଗଲା । ସେତେବେଳେ କ୍ରୋଧରେ ତାହାର ସର୍ବାଙ୍ଗ କମ୍ପୁଥିଲା । ସେହି ଥରିଲା ଅବସ୍ଥାରେ ସେ ବସିପଡ଼ି ବୁଜୁଳିଟି ଫିଟାଇ ଛୁରାଟା ବାହାର କଲା ଏବଂ ସେଟା ହାତରେ ଧରି ଠିଆ ହୋଇଗଲା । ତା’ପରେ ସେ ଧୀରେ ଧୀରେ କାର୍ଲ ଆଡ଼କୁ ପଦେ ପଦେ ଅଗ୍ରସର ହେଲା ।

 

ରିଚାର୍ଡ଼ର ଭୟଙ୍କର ମୂର୍ତ୍ତି ଦେଖି ଆନା ଡରିଗଲା । ତାହାର ମନେ ହେଲା, ହୁଏତ ରିଚାର୍ଡ଼ ଏକ୍ଷଣି ଛୁରାଟା କାର୍ଲର ଛାତିରେ ଭୁଷି ଦେବ ।

 

ଏହା ମନେ କରି ଆନା ଧାଇଁ ଯାଇ କାର୍ଲର ସାମନାରେ ଠିଆ ହୋଇଗଲା ଏବଂ ଦୁଇ ହାତ ପଛକୁ ନେଇ କାର୍ଲକୁ ଧରି ରଖି କହିଲା–‘‘ଯଦି ତୁମର ମାରିବାର କଥା, ଆଗ ମୋତେ ମାର, ତା’ପରେ ତାହାଙ୍କୁ ମାରିବ । ତାହାଙ୍କୁ ଛାଡ଼ି ମୁଁ ଦଣ୍ଡେ ହେଲେ ବଞ୍ଚି ପାରିବି ନାହିଁ ।’’

 

ଆନାର ଏହି କଥା ଶୁଣି ରିଚାର୍ଡ଼ ଥ ହୋଇ ଠିଆ ହୋଇଗଲା । ନିଜର କାନକୁ ବି ସେ ବିଶ୍ୱାସ କରିପାରିଲା ନାହିଁ । ପ୍ରଚଣ୍ଡ ରାଗ ଓ ଉତ୍ତେଜନାରେ ସେ ବରଡ଼ା ପତ୍ର ପରି ଥରିବାକୁ ଲାଗିଲା । ତତ୍‍କ୍ଷଣାତ ତାହାର ମନେ ହେଲା, ଏହି ମୁହୂର୍ତ୍ତରେ ସେ ଆନାକୁ ଖତମ କରିଦେବ । କିନ୍ତୁ ପର ମୁହୂର୍ତ୍ତରେ ତାହାର ମନ ଭିତରେ ଆତ୍ମଗ୍ଳାନି ଜାତ ହେଲା । ସମାଜ ଉପରୁ, ନିଜ ଉପରୁ, ଏପରିକି ଭଗବାନଙ୍କ ଉପରୁ ମଧ୍ୟ ତାହାର ବିଶ୍ୱାସ ତୁଟିଗଲା । ସେତେବେଳେ ତାହାର ଆଖି ଆଗରେ ସମଗ୍ର ପୃଥିବୀଟା ଘୂରିବାକୁ ଲାଗିଲା । ଆନା, କାର୍ଲ, ସେ ନିଜେ ଓ ସମଗ୍ର କୋଠାଟା ଯେମିତି ତାହାର ସାମନାରେ ଘୂରିବାକୁ ଲାଗିଲା ।

 

ହଠାତ୍ ତାହାର ହାତରୁ ଛୁରାଟା ତଳେ ଖସି ପଡ଼ିଲା । ସେ ଯେମିତି ଗୋଟାଏ ପାଷାଣ ମୂର୍ତ୍ତି ଭଳି ଠିଆ ହୋଇ ରହିଲା । ପାହୁଣ୍ଡେ ଆଗକୁ ଯିବା ଲାଗି ଯେମିତି ତାହାର ଦେହରେ ଶକ୍ତି ନ ଥିଲା ।

 

କିଛି କ୍ଷଣ ପରେ ରିଚାର୍ଡ଼ର ମନ ଭିତରେ ଶକ୍ତି ଫେରି ଆସିଲା । ସେ ଥରେ ମୁହଁ ଟେକି ଆନା ଆଡ଼କୁ ଚାହିଁଲା । କିନ୍ତୁ ଏଥର ତାହାର ଚାହାଣିଟା ଅତିଶୟ କରୁଣ ଥିଲା । ସେହି କରୁଣ ଦୃଷ୍ଟି ଭିତରୁ ତାହାର ଅନ୍ତରର କାକୁତି ମିନତି ଯେମିତି ଫୁଟି ବାହାରୁଥିଲା । ସେହି ଦୃଷ୍ଟି ଦ୍ଵାରା ସେ ଯେମିତି ଆନାକୁ ପଚାରୁଥିଲା...ତୁମେ କଅଣ କଲ, ଆନା ?

 

ତାହାର ତୁଣ୍ଡରୁ ପଦେ ହେଲେ କଥା ବାହାରିଲା ନାହି । ହଠାତ୍ ଦୁଇ ହାତରେ ମୁଣ୍ଡ ଢାଙ୍କି, ସେ ଧାଇଁ ଯାଇ ଗୋଟାଏ ଚଉକିରେ ବସି ପଡ଼ିଲା ଏବଂ ଭୋ ଭୋ କାନ୍ଦିବାକୁ ଲାଗିଲା ।

 

ରିଚାର୍ଡ଼ର ଏହି ଅବସ୍ଥା ଦେଖି ଆନା ବ୍ୟଥିତ ହେଲା । ସେ ଧୀରେ ଧୀରେ ତା’ ପାଖକୁ ଯାଇ ମୃଦୁ ସ୍ଵରରେ କହିଲା–‘‘ରିଚାର୍ଡ଼, ଏଥିପାଇଁ ମୁଁ ବିଶେଷ ଦୁଃଖିତ ।’’

 

କିନ୍ତୁ ରିଚାର୍ଡ଼ ଉଁ କି ଚୁଁ କିଛି କହିଲା ନାହିଁ । ଆଖି ଉପରୁ ହାତ କାଢ଼ିନେଇ, ସେ ଉଦାସ ଦୃଷ୍ଟିରେ ଥରେ ଆନାର ମୁହଁକୁ ଅନାଇଲା ।

 

ଆନାର ଇଚ୍ଛା ହେଉଥିଲା, ରିଚାର୍ଡ଼କୁ ଦୁଇ ପଦ ମିଠା କଥା କହି ସାନ୍ତ୍ୱନା ଦିଅନ୍ତା । କିନ୍ତୁ ପର ମୁହୂର୍ତ୍ତରେ ତାହାର ମନେହେଲା, ଏପରି ପରିସ୍ଥିତିରେ ତିଳେ ମାତ୍ର ଦୁର୍ବଳତା ପ୍ରକାଶ କଲେ ଭୟଙ୍କର ବିପଦ ଉପସ୍ଥିତ ହେବ ।

 

ସୁତରାଂ ଆନା ଆଉ କିଛି ନ କହି କାର୍ଲ ପାଖକୁ ଫେରିଗଲା ।

 

କାର୍ଲ ଆନାକୁ ଚାହିଁ କହିଲା–‘‘ଚାଲ ଆନା, ଆମେ ଏଠାରୁ ଚାଲିଯିବା । କେତେଗୁଡ଼ିଏ ଦରକାରୀ ଜିନିଷପତ୍ର ଧର, ଆମେ ସେତକ ନେଇ ଏ ଘର ଛାଡ଼ି ଦେଇ ଆଉ କୁଆଡ଼େ ଚାଲିଯିବା-।’’

 

ଆନା ପ୍ରାୟ ଯନ୍ତ୍ର ଚାଳିତ ହୋଇ କାର୍ଲ ସାଙ୍ଗରେ ଦରକାରୀ ଜିନିଷପତ୍ର ସବୁ ଗୋଟାଗୋଟି କରିବାକୁ ଲାଗିଲା । ଦୁହେଁ ମିଳି ଜିନିଷପତ୍ର ସବୁ ଆଣି ଗୋଟାଏ ଜାଗାରେ ଠୁଳାଇବାକୁ ଲାଗିଲେ ।

 

ଦରକାରୀ ଜିନିଷପତ୍ର ବୋଇଲେ ଆନାର ଲୁଗାପଟା, କାର୍ଲର ପୋଷାକପତ୍ର, ଗୋଟିଏ ତୋଷକ, ଦୁଇଟା ତକିଆ ଓ ଖଣ୍ଡିଏ ବିଛଣା ଚାଦର ମାତ୍ର । ସେମାନେ ଏତକ ସାଙ୍ଗରେ ନେବାକୁ ବସିଲେ ।

 

ରିଚାର୍ଡ଼ ନୀରବରେ ଠିଆ ହୋଇ ସେମାନଙ୍କର ଜିନିଷପତ୍ର ବନ୍ଧାବନ୍ଧି ଦେଖିବାକୁ ଲାଗିଲା । କେତେ ମିନିଟ ଭିତରେ ସେମାନଙ୍କର ବନ୍ଧାବନ୍ଧି ସରିଗଲା । ତା’ପରେ ସେମାନେ ଚାଲିଯିବା ପାଇଁ ପ୍ରସ୍ତୁତ ହୋଇଗଲେ ।

 

ଠିକ୍ ସେତିକିବେଳେ ମେରୀ ଆସି ସେଇଠି ହାଜର ହୋଇଗଲା । ଆନାର ଜିନିଷପତ୍ର ସବୁ ବନ୍ଧାବନ୍ଧି ହୋଇଥିବାର ଦେଖି, ସେ ଭାରି ଆଶ୍ଚର୍ଯ୍ୟ ହୋଇଗଲା । ଯେମିତି ସେ ଗୋଟିଏ ବିୟୋଗାନ୍ତ ନାଟକର ଶେଷ ଦୃଶ୍ୟର ଅଭିନୟ ଦେଖୁଛି, ତାହାକୁ ଏଭଳି ମନେ ହେଲା । ନାଟକର ବିଷୟବସ୍ତୁର କିଛି ଅଂଶ ସେ ମନେମନେ ଠଉରାଇ ନେଇ ପାରିଲା ।

 

ଆନା ଧୀର ପଦରେ ରିଚାର୍ଡ଼ ପାଖକୁ ଚାଲିଯାଇ ମୃଦୁ କଣ୍ଠରେ କହିଲା... ‘‘ଯାଉଛି ରିଚାର୍ଡ଼ !’’

 

ରିଚାର୍ଡ଼ ତା’ ଆଡ଼କୁ ନ ଅନାଇ କହିଲା...‘‘ଯାଅ !’’

 

ଆନାର ଇଚ୍ଛା ହେଉଥିଲା, ରିଚାର୍ଡ଼ ସହିତ ସେ କରମର୍ଦ୍ଦନ କରନ୍ତା । କିନ୍ତୁ ତାହାର ସାହସ କୁଳାଇଲା ନାହି । ସେ ଅସହାୟ ଦୃଷ୍ଟିରେ ଥରେ ରିଚାର୍ଡ଼ ଆଡ଼କୁ ଏବଂ ଥରେ ମେରୀ ଆଡ଼କୁ ଚାହିଁଲା । ତା’ପରେ ତାହାର ହାତମୁଣାଟା ତଳୁ ଉଠାଇନେଇ, ସେ ଧୀରେ ଧୀରେ ଘରୁ ବାହାରିଗଲା । କାର୍ଲ ମଧ୍ୟ ତା’ ପଛେ ପଛେ ଚାଲିଗଲା । ଯିବା ବେଳେ ଜିନିଷପତ୍ରର ଗଣ୍ଠରାଟା ସେ ତାହାର କାନ୍ଧ ଉପରକୁ ଉଠାଇନେଲା ।

 

ଯେତେବେଳେ ଏକ ନାଟକୀୟ ଘଟଣା ଗୋଟିଏ କକ୍ଷରେ ଅଭିନୀତ ହେଉଥିଲା, ସେତେବେଳେ ସେହି କୋଠାଟିରେ ରହୁଥିବା ପୁରୁଷ ଓ ନାରୀ ସମସ୍ତେ ଆନାର ସମାଲୋଚନରେ ମୁଖର ହୋଇ ଯାଇଥିଲେ । ସେମାନଙ୍କ ଭିତରୁ ଦୁଇ ଚାରି ଜଣ ତାମସା ଦେଖିବା ଲାଗି ଆନାର ଘର ସାମନାରେ ଆସି ଠିଆ ହୋଇଥିଲେ ।

 

ଆନା ଓ କାର୍ଲକୁ ଜିନିଷପତ୍ର ଧରି ଘରୁ ବାହାରି ଆସିବାର ଦେଖି, ସେମାନେ ମୁର୍‍କି ମୁର୍‍କି ହସୁଥିଲେ ।

 

କିନ୍ତୁ ଆନା ଆଡ଼ ନୟନରେ ବି ସେମାନଙ୍କୁ ଟିକିଏ ଅନାଇଲା ନାହି । ଯେତେ ଶୀଘ୍ର ପାରେ ଦ୍ରୁତ ପଦକ୍ଷେପରେ ସେ ସିଡ଼ିରେ ତଳକୁ ଓହ୍ଲାଇଗଲା ।

 

ପ୍ରାୟ ପାଞ୍ଚ ମିନିଟ ଭିତରେ କାର୍ଲ ଓ ଆନା ଆସି ବଡ଼ ରାସ୍ତା ଉପରେ ପହଞ୍ଚିଗଲେ । ହଠାତ୍ ଗୋଟାଏ ଢେଲା ଆସି ଆନାର ପିଠି ଉପରେ ବସିଲା । ଯନ୍ତ୍ରଣାରେ ‘ଉଃ’ ବୋଲି କହି ଆନା ଅସ୍ପଷ୍ଟ ଆର୍ତ୍ତନାଦ କଲା । ମୁଖ ବୁଲାଇ ସେ ଦେଖି ପାରିଲା, ଦଳେ ଛତରା ପିଲା ସେମାନଙ୍କ ପଛରେ ଗୋଡ଼ାଇଛନ୍ତି । ଏଲଫ୍ରି ଓ ଏଲମା ମଧ୍ୟ ସେହି ଦଳରେ ଥିଲେ ।

 

ଦଳେ ପିଲାଙ୍କୁ ଦେଖି ସେମାନଙ୍କ ପଛରେ ଧାଉଁଥିବାର ଦେଖି କାର୍ଲ କହିଲା–‘‘ସେମାନଙ୍କର ଯାହା ଖୁସି କରନ୍ତୁ । ତୁମର ସେସବୁ ପ୍ରତି ନଜର ଦେବା ଉଚିତ ନୁହେଁ । ତୁମେ ଶୀଘ୍ର ଚାଲିଆସ ।’’

 

ଆନା ନୀରବରେ ଆଗକୁ ଚାଲିଲା ।

 

ସେମାନଙ୍କୁ ଚାଲିଯିବାର ଦେଖି, ଗୋଟାଏ ବଜାରୀ ଟୋକା ପଛରୁ ସୁସୁରି ମାରିଲା । ଆଉ ଜଣେ ଶିଅଳ ଭଳି ହୁକା ହୁକା ହୁକା ରଡ଼ି ଛାଡ଼ିଲା ।

 

କିନ୍ତୁ କାର୍ଲ ଓ ଆନା ସେସବୁକୁ ଖାତିର ନ କରି ରାସ୍ତାରେ ସିଧା ଚାଲିବାକୁ ଲାଗିଲେ । ପ୍ରାୟ ଅଧ ଘଣ୍ଟାକ ଭିତରେ ସହର ଛାଡ଼ି ସେମାନେ ପ୍ରାନ୍ତର ମଝିରେ ଯାଇ ପହଞ୍ଚିଗଲେ ।

 

ସେତେବେଳେ ରାତି, ପ୍ରାୟ ଆଠଟା ବାଜିବ ।

 

ଶୀତ ଦିନର ରାତି ।

 

ଦ୍ଵିତୀୟା ଚାନ୍ଦ ଆକାଶରେ ଉଠି ଥାଆନ୍ତି । ପ୍ରାନ୍ତର ଉପରେ ସୁନେଲି ଜହ୍ନ ଖେଳାଇ ହୋଇ ପଡ଼ିଥିଲା ।

 

ସେହି ଚଗଲା ପିଲାମାନେ ସହରର ଶେଷ ସୀମା ପର୍ଯ୍ୟନ୍ତ ଆସି, ଫେରି ଗଲେଣି । ଆଉ ଆଗକୁ ଯିବା ଲାଗି ସେମାନଙ୍କର ଧୈର୍ଯ୍ୟ ନ ଥିଲା ।

 

ଗୋଟାଏ ଡାକରେ ହଠାତ୍ ଆନା କାନ ପାତିଲା । ଶୁଣି ପାରିଲା, କିଏ ଯେମିତି ପଛରୁ ତାହାର ନାମ ଧରି ଡ଼ାକୁଛି । ବୁଲି ପଡ଼ି ସେ ଦେଖିଲା, ଝିଅଟିଏ ତା’ ଆଡ଼କୁ ଧାଇଁ ଆସୁଛି । ଝିଅଟି ଢେର୍‍ ଦୂରରେ ଆସୁଥିଲେ ସୁଦ୍ଧା, ଆନା ତାହାକୁ ଚିହ୍ନି ପାରିଲା । ସେ ମେରୀ ଛଡ଼ା ଆଉ କେହି ନୁହେଁ ।

 

ମେରୀକୁ ତା’ ଆଡ଼କୁ ଆସୁଥିବାର ଦେଖି, ଆନା ରହିଗଲା । ଆଉ ଆଗକୁ ଗଲା ନାହି-। ସେ କାର୍ଲକୁ ମଧ୍ୟ ଟିକିଏ ଠିଆ ହେବାକୁ ଅନୁରୋଧ କଲା ।

 

କିଛି କ୍ଷଣ ପରେ ମେରୀ ସେମାନଙ୍କ ପାଖରେ ଆସି ପହଞ୍ଚିଗଲା ।

 

ତାହାକୁ ଚାହିଁ ଆନା କହିଲା–‘‘ମେରୀ, ତୁଚ୍ଛାଟାରେ କଷ୍ଟ କରି ତୁ ଏତେ ବାଟ କାହିଁକି ଆସିଲୁ, କହିଲୁ ? ଯା ଘରକୁ ଫେରିଯା ।’’

 

ମେରୀ ତା’ କଥାକୁ କାନ ନ ଦେଇ କହିଲା–‘‘ତୁ ପଳାଇ ଯାଉଛୁ କାହିଁକି, ଆନା ? ତୁମେ ଦୁହେଁ ତ ମୋ ଘରେ ରହି ପାରି ଥାଆନ୍ତ ।’’

 

ଆନା କହିଲା–‘‘ତାହା କି ହୋଇପାରେ, ମେରୀ ? ସେହି କୋଠାରେ ଆଉ ଦଣ୍ଡେ ରହିବା ଆମ ପକ୍ଷରେ ସମ୍ଭବ ନୁହେଁ ।’’

 

ମେରୀ ପୁଣି କହିଲା–‘‘ହେଲା ଏବେ ତୋହରି କଥା । ଆମ ସାଙ୍ଗରେ ଦୁଇ ତିନିଟା ଦିନ ରହି ଯାଆନ୍ତୁ । ତା’ପରେ ଅଲଗା ଭଡ଼ା ଘର ଠିକ୍ କରି ସାରିଲେ, ସେଠୁ ଚାଲିଯିବୁ । ଏଥିରେ ତ ତୋର କିଛି ବିଶେଷ ଅସୁବିଧା ହେବ ନାହିଁ ।’’

 

ଆନା ତାହାକୁ ବୁଝାଇ କହିଲା–‘‘ନାଁ, ମେରୀ । ଏ ସହରରେ ଆମେ ଆଉ ରହି ପାରିବୁ ନାହିଁ । ଯା, ତୁ ଘରକୁ ଫେରିଯା ।’’

 

ଆନାକୁ ଫେରାଇନେବା ପାଇଁ ମେରୀ ଆଉ କିଛି କ୍ଷଣ ଚେଷ୍ଟା କଲା, ତାହାକୁ ଢେର୍‍ ବୁଝାବୁଝି କଲା । କିନ୍ତୁ ଆନା କିଛି କଥା ଶୁଣିଲା ନାହିଁ । ସେ ଜିଗର ଧରିଲା–ଏ ସହରରେ ସେ ଆଉ ଦଣ୍ଡେ ହେଲେ ରହିବ ନାହିଁ ।

 

କୌଣସି ମତେ ଆନାକୁ ରାଜି କରାଇ ନ ପାରି, ମେରୀ ଶେଷକୁ ବିଦାୟ ନେଲା । ଫେରିଯିବା ଆଗରୁ ସେ ଆନାକୁ ଛାତିରେ ଭିଡ଼ି ଧରି ଥରେ ଅବେଗରେ ଆଲିଙ୍ଗନ କଲା ।

 

ଆନା ଛଳଛଳ ଆଖିରେ କହିଲା–‘‘ତୋ କଥା କେବେହେଲେ ପାସୋରି ପାରିବି ନାହିଁ, ମେରୀ ।’’

 

ମେରୀ ମଧ୍ୟ କମ୍ପିତ କଣ୍ଠରେ କହିଲା–‘‘ମୁଁ ବି ତୋ କଥା କଦାପି ଭୁଲି ପାରିବି ନାହିଁ ।’’

 

ଏତିକିବେଳେ କଅଣ ମନେ କରି ହଠାତ୍ ଆନା ବ୍ୟାକୁଳ ସ୍ଵରରେ କହିଲା–‘‘ମୋର ଗୋଟିଏ ସାମାନ୍ୟ ଅନୁରୋଧ ରଖିବୁ, ମେରୀ ?’’

 

‘‘କି ଅନୁରୋଧ, ଆନା ?’’ ...ଚକିତ କଣ୍ଠରେ ମେରୀ ପଚାରିଲା ।

 

ଆନା ଅତି କଷ୍ଟରେ ବାଷ୍ପାକୁଳ ସ୍ଵରରେ ଜଣାଇଲ–‘‘ମେରୀ, ରିଚାର୍ଡ଼ ତୋତେ ଲାଗିଲା-। ତୁ ତାହାକୁ ଟିକିଏ ଦେଖିବୁ । ଆପଣାର ହୋଇ ତାହାର ଏ ସଂସାରରେ ଆଉ କେହି ନାହାନ୍ତି-।’’

 

ଏହା କହୁଁ କହୁଁ ଆନାର ଆଖିରୁ ଥପ୍‍ ଥପ୍‍ ହୋଇ ଲୁହ ଗଡ଼ି ପଡ଼ିଲା । ତରବରରେ ଆଖି ପୋଛି ପକାଇ ସେ ପୁଣି କହିଲା–କହ, ମେରୀ, ମୋ କଥା ରଖିବୁ କି ନା ।’’

 

ମେରୀ ବି ମନେମନେ ଏମିତି କିଛି ଆଶା କରିଥିଲା । ଆନାର ଅନୁରୋଧ ଶୁଣି ସେ ଜବାବ ଦେଲା–‘‘ହେଉ, ତୋ କଥା ମାନି ନେଲି । ତୋର ଆଉ ବ୍ୟସ୍ତ ହେବା ଠିକ୍ ନୁହେଁ । ବେଶ, ତାହାହେଲେ ମୁଁ ଯାଉଛି । କିନ୍ତୁ ମୋ କଥା ଟିକିଏ ମନେ ରଖିଥିବୁ ।’’

 

ତା’ପରେ ମେରୀ ଆନା ଠାରୁ ବିଦାୟ ନେଇ ବାହୁଡ଼ିଗଲା ।

 

ପ୍ରାନ୍ତର ଭିତରେ ସରୁ ଚଲା ବାଟ ଲମ୍ବି ଯାଇଥିଲା । ସେହି ବାଟରେ କାର୍ଲ ଓ ଆନା ପୁଣି ଚାଲିବାକୁ ଲାଗିଲେ ।

 

ଶୀତ ରାତି । କନକନିଆ ହେମାଳ ପବନ ବହୁଥାଏ । ଚାରିଆଡ଼େ ସଫା ଭିଣା ତୁଳା ଭଳି ତୁଷାର ରାସ୍ତା ଘାଟରେ ପଡ଼ିଥାଏ । ସେହି ତୁଷାର ଉପରେ ସେମାନେ ଚାଲି ଥାଆନ୍ତି । ସେମାନଙ୍କର ପାଦ-ଚିହ୍ନ ସେହି ତୁଷାର ଉପରେ ବସି ଯାଉଥାଏ ।

 

ସୁନେଲି ଜହ୍ନରେ ଧଳା ତୁଷାର ଚିକ୍‍ ଚିକ୍‍ କରୁଥାଏ ।

 

ମାଟି ଉପରେ ଜମିଥିବା ତୁଷାର ଉପରେ ଗୋଟିଏ ଗଛର ଛାଇ ଆସି ପଡ଼ିଥାଏ । ଧଳା ମାଟି ଉପରେ ଯେମିତି କୌଣସି ସୁଦକ୍ଷ ଶିଳ୍ପୀ ଗୋଟାଏ ଚମତ୍କାର ଛବି ଆଙ୍କି ଦେଇଛି ।

 

ଆକାଶରେ ତାରାସବୁ ମିଟିମିଟି କରୁ ଥାଆନ୍ତି ।

 

କାର୍ଲ ଓ ଆନା ଚାଲିଥାଆନ୍ତି–ଅବିରାମ ରାତିରେ, ଅଜଣା ରାଇଜ ଉଦ୍ଦେଶ୍ୟରେ !

Image